ଚିତ୍ର: ଭିନସେଣ୍ଟ ଭାନଗଗ, ସ୍କେଚ, ୱିକି କମନ୍ସ

ଆଂକି ପାରିଲି ନାହିଁ ଚିତ୍ର
ଦୃଶ୍ଯ ଏବେ ଦୃଶ୍ୟାନ୍ତର
ଦେହ ଏବେ ଦେହାତୀତ
ନିଜସ୍ବ ବି ଏବେ ସ୍ବକୀୟତା ତମର

ତମେ ରଂଗ ଦେଉଛ
ରଂଗରେ ପ୍ରଜାପତି ଆହୁରି ରଂଗୀନ ଦିଶୁଛି
ରଂଗରେ ସାଦାପୃଷ୍ଠା
ଅଦୃଶ୍ୟ ଶବ୍ଦରେ ପୂରି ଉଠୁଛି
ଆଉ ତମର ପାପୁଲିରେ ରଂଗ
କେବେ ନଥିବା କାନଭାସର ରୂପ ନେଇଛି

ଯେବେ ବି ମୁଁ ଏ ରଂଗକୁ ଦେଖେ
ତୂଳିକୁ ଧରେ
କାନଭାସ ଉପରେ ହାତ ବୁଲାଏ
ଏମିତି ଗୋଟେ ଲାଗେ ଯେମିତି ମୁଁ
କିଛି ମୁହୂର୍ତ୍ତ ଆଗରୁ ଫେରିଥିବା ଅଜଣା ଆତତାୟୀ
ଯିଏ ଚିରିଦେଇ ଆସିଛି ଅନେକ ବିସମ୍ବାଦର ଛାତି
ପଛରେ ଏବେ ତାର ଅନେକ ପ୍ରଜାପତି
ଧଳା ରଂଗର

ସେଇଠି ହିଁ ବନ୍ଦ ହୁଏ ଚିତ୍ର ଆଂକିବା ।

ଆଉ ମୁଁ ମୋ ଦେହସାରା
ମାଖିନିଏ ଯେତେ ସବୁ ରଂଗ
ଯେମିତି ମୁଁ ସାଦାପୃଷ୍ଠା
ଜଳୁଛି, ଜାଳୁଛି ନିଜକୁ ସୂର୍ୟମୟତାରେ

ଏଣେ ପାପୁଲିରେ ମୋର କେଉଁ ରଂଗ
ଜଣା ହିଁ ନଥାଏ, ଆଉ ମୁଁ ଜାଣିବା ଆଗରୁ
ସେ ମୋର ଦେହତନ୍ତ୍ରରୁ ମୁକୁଳି
ସ୍ଲୋଗାନ ଦେଉଥାଏ
ରଂଗ ତ ଖାଲି ମାଧ୍ୟମଟିଏ
ଭିନ୍ନତାର ଚିତ୍ରକୁ ତୋଳି ଧରିବାକୁ
ଫେରିଆସ, ଲେଉଟିଆସ, ମୁକୁଳିଆସ ଚିତ୍ରମୟତାରୁ

ଦିନ ସରେ, ରାତି ଫେରେ
ସମୟ ଚିରାଚରିତ କଡ ଲେଉଟାଏ
ଅଥଚ ମୁଁ
ଆଂକିପାରେ ନାହିଁ ଚିତ୍ର
ଏବେ ଋତୁ ମୋର ଶୂନ୍ୟତାର
ପର୍ବ ମୋର ଚିତ୍ରହୀନତାର ।