କବିତା ସଂକଳନ: ଚାଷବାସ
ପ୍ରକାଶକ: ଚନ୍ଦ୍ରଭାଗା, ବାଲେଶ୍ଵର
ମୂଲ୍ୟ: ୫୦ଟଙ୍କା
ପୃଷ୍ଠା: ୬୦

ଆମେ ରକ୍ତର କବିତା, ହାଡର କବିତା, ଫୁଲ ଓ ସୂର୍ୟୋଦୟର କବିତା ପଢିଛୁ । ହାହାକାର ଓ ପ୍ରେମର କବିତା ବି ପଢିଛୁ । ହେଲେ ମୁଁ ଯେଉଁ କବିତାର କଥା କହୁଛି, ସେ କବିତା ସବୁ ଝାଳରେ ଲେଖା ହୋଇଥିବା କବିତା । ଦୋରସା ମାଟିରେ ଲଙ୍ଗଳ ଲେଖିଥିବା କବିତା । ଏ କବିତାରେ ପ୍ରଚୁର ଗନ୍ଧ-ଝାଳ ଓ ପରିଶ୍ରମର, ଓଦା ମାଟି ଓ ଗୋବର ଖତର, ଜିଆ ଭଳି ଜୀବନ ଜୀଉଥିବା ଆମ ସମୟ ଓ ତାର ଇତିହାସର । ବହୁତ ଦିନ ପରେ ଗୋଟେ ଓଡିଆ କବିତା ବହି ପଢୁଛି, ଯେଉଁଠି ମୋତେ ଓଡିଆ ଜୀବନର ଗମ ଗମ ଝାଳ ବୋହିଯାଉଥିବାର ଦିଶୁଛି । ଏ କବିତା ଚଷା ଓ ଚାଷୀର କବିତା । ୟା ଆଗରୁ, କେବେ କେମିତି ଆମର କବିମାନେ କୃଷକ ସଙ୍ଗୀତ ଲେଖିଛନ୍ତି । ତେବେ ସେ ସବୁ କବିର କୃଷି ସଙ୍ଗୀତ । ଏ ବହିର କବିତା ସବୁ କବିର ନୁହଁ, ବରଂ ଚାଷୀର । ଗଙ୍ଗାଧର ମେହେରଙ୍କ “କୃଷକ ସଙ୍ଗୀତ”ରେ ଆମେ ଯେଉଁ କବିତା ସବୁ ପଢିଥିଲୁ, ସେଥିରେ ଗୋଟେ ଉନ୍ମାଦନା ଓ ଆଶାବାଦ ଥିଲା । ତାର ପ୍ରାୟ ଶହେ ବର୍ଷ ପରେ ଆମ ସମୟର କବି ଶ୍ରୀଦେବଙ୍କ କବିତାରେ କୃଷକ ଜୀବନର ସଂଘର୍ଷ ଓ ହତାଶାର କଥା ଆମେ ଦେଖୁଛୁ । ଆଜିର ମହାମାରୀ ସମୟରେ ମଧ୍ୟ ହଜାର ହଜାର କୃଷକ ଯେତେବେଳେ ଦିଲ୍ଲୀ ସୀମାନ୍ତରେ ନିଜର ଅସ୍ତିତ୍ଵ ଲାଗି ଆନ୍ଦୋଳନ କରୁଛନ୍ତି, ସେହି ସମୟରେ ଏ କବିତା ବହି ଆମ ଆଗରେ ଗୋଟେ ଦର୍ପଣ ଭଳି ଠିଆ ହୋଇଛି ।

ଓଡିଆ କବିତାରେ ଚାଷୀ ଓ ଚାଷକୁ ନେଇ ଲେଖା ହୋଇଥିବା କବିତା ବିଷୟରେ ଖୁବ ବେଶୀ ଆଲୋଚନା ହୋଇନି । ଚାଷୀ ବିଷୟରେ ଲେଖା ହୋଇଥିବା କବିତାକୁ କେଜାଣି କାହିଁକି ଆମ ଆଲୋଚକମାନେ ଟିକେ ନାକ ଟେକନ୍ତି । ସେଥିପାଇଁ ଚାଷୀ ଲାଗି ଲେଖା ହୋଇଥିବା ଆମ ପରମ୍ପରାର ମହାନ କବିଙ୍କ କବିତା ବିଷୟରେ ଆମେ କେହି କିଛି ଜାଣୁନା । ଶ୍ରୀଦେବଙ୍କ “ଚାଷବାସ” ଆଗରୁ ଆଉ ଦୁଇଟି ଚମତ୍କାର କବିତା କଥା କହିବାକୁ ମୁଁ ଚାହୁଁଛି । ପ୍ରଥମ କବିତାଟି କୁନ୍ତଳା କୁମାରୀ ସାବତଙ୍କ “ଗଡଜାତ କୃଷକ”। ୧୯୩୯ରେ ପ୍ରକାଶିତ ଏ ଦୀର୍ଘ କବିତାଟି ଓଡିଶାର ଚାଷୀ ଜୀବନକୁ ନେଇ ଲେଖା ହୋଇଥିବା ଅନ୍ୟତମ ଶ୍ରେଷ୍ଠ ଗାଥା କବିତା । ହେଲେ ଏ କବିତାର ଚର୍ଚ୍ଚା କେବେ କେଉଁଠି ହୁଏନାହିଁ । କୁନ୍ତଳା କୁମାରୀଙ୍କୁ ଆମେ ପ୍ରେମ, ଭକ୍ତି ଓ ରହସ୍ୟବାଦର କବି ବୋଲି ଲେଖିଦେଇ ତାଙ୍କ କବିତାରେ ରହିଥିବା ସମୟର ପ୍ରତିଫଳନକୁ ଆମେ ଚତୁରତାର ସହିତ ଉପେକ୍ଷା କରିଛୁ । ସେହି ପାଖାପାଖି ସମୟରେ ଲେଖା ହୋଇଥିବା ଆଉ ଦୁଇଟି କବିତା “ଚଷା, ମୁଲକି ହସା” ଓ “ହଳିଆ ଭାଇ” ବିଷୟରେ ଆମେ କେହି ସଚେତନ ନୋହୁ । ଏ ଦୁଇ କବିତାର କବି ଥିଲେ ଖଗେଶ୍ଵର ଶେଠ। ଏ କବିଙ୍କ ସମ୍ପର୍କରେ ଆମ ସାହିତ୍ୟ ଇତିହାସ ନିଷ୍ଠୁର ଭାବରେ ନୀରବ । ଓଡିଶାର ସର୍ବଶ୍ରେଷ୍ଠ କବିମାନଙ୍କର ତାଲିକାରେ ସବୁବେଳେ ଖଗେଶ୍ଵର ଶେଠ ରହିବା ଉଚିତ, କାରଣ ତାଙ୍କ କବିତାରେ ସାଧାରଣ ମଣିଷର ଭାଷା ଓ ଭାବ ଓ ଗୋଟେ ଭିନ୍ନ କଳାତ୍ମକତା ପାଇଛି । ଚାଷ ଓ ଚାଷୀକୁ ନେଇ ଓଡିଆ ଭାଷାର ସର୍ବଶ୍ରେଷ୍ଠ କବିତା ଲେଖିଥିବା ଏ କବି ଆମ ଇତିହାସରୁ କେବଠୁ ଲିଭି ସାରିଛନ୍ତି । ଛାଡନ୍ତୁ, ସେ କଥା ଆଉ କେବେ ଆଲୋଚନା କରିବା ।

ଓଡିଆ କୃଷକ କବିତାର କ୍ଷୀଣ ପରମ୍ପରାରେ ଶ୍ରୀଦେବଙ୍କର “ଚାଷବାସ” ଆଉ ଏକ ଶକ୍ତିଶାଳୀ ପ୍ରବାହ । ୨୧ଟି କବିତାର ଏଇ କବିତା ସଙ୍କଳନଟି ଆମ ଛାତି ଭିତରେ କଣ୍ଟା ଭଳି ଫୋଡିହେବାକୁ ବାଧ୍ୟ । ପ୍ରଥମତଃ ଏ କବିତାର ଭାଷା କଞ୍ଚା ଓ ଦେଶୀ । (କଞ୍ଚା କୁ ଅପରିପକ୍ଵ ବୋଲି କେହି ଯେମିତି ନ ଭାବନ୍ତି)। ଦ୍ବିତୀୟରେ ଏ କବିତାର କବି ନିଜେ ଲଙ୍ଗଳ କଣ୍ଟି ଧରିଥିବା ଚାଷୀ । ତେଣୁ ଏ ସବୁ କବିତାରେ କବି କମ ଚାଷୀର ଉପସ୍ଥିତି ବେଶୀ । ତୃତୀୟରେ ଏ କବିତା ସବୁରେ ଚାଷୀର ଜୀବନକୁ ଅଧିକରୁ ଅଧିକ ସର୍ବସ୍ଵାନ୍ତ କରୁଥିବା ରାଜନୀତି ପ୍ରତି ତୀବ୍ର କଟାକ୍ଷ ରହିଛି । କବିତା ସବୁ ସ୍ପଷ୍ଟ ଭାବରେ ରାଜନୈତିକ କବିତା । ତେବେ ରାଜନୀତି ଯେ ସବୁବେଳେ ସ୍ଲୋଗାନ, ତା ନୁହେଁ । ରାଜନୀତିକୁ ନେଇ କବିତାର ଏକ ସୂକ୍ଷ୍ମକଳା ସବୁ ସମୟରେ ରହି ଆସିଛି । ଏ କବିତା ସବୁ ସେହି ପର୍ଯାୟର ।

କବିତାର ଶୀର୍ଷକ ସବୁରୁ ପାଠକ କବିତାକୁ ନେଇ ଗୋଟେ ସହଜ ଆକଳନ କରିପାରିବ । ଯେମିତିକି “ଚାଷଫାଶ”, “ନେଣଦେଣ”, “ଭାଗବଣ୍ଟା’, “ଇତିହାସ ଫିତିହାସ”, “ଭଲମନ୍ଦ”, “ଖାଲଢିପ’’ ଇତ୍ୟାଦି । ସହଜ ଓ ସରଳ ଭାଷାରେ ଗୋଟେ ଜଟିଳ ଜୀବନବୋଧକୁ କହିବାର ଏହା ଏକ ସଫଳ ପ୍ରୟାସ । ଏ ବହିର ପ୍ରାୟ ପ୍ରତ୍ୟେକ ଧାଡିକୁ ହୁଏତ ଏଠି ଉଦ୍ଧୃତ କରିହେବ । ହେଲେ ପାଠକଙ୍କୁ ସେ ସୁବିଧା ଦେବାକୁ ମୁଁ ଚାହେଁ ନାଇଁ । ଓଡିଆ ପାଠକ ଓ ଆଲୋଚକ ଏ ବହିକୁ ଖୋଜି ଖୋଜି ପଢନ୍ତୁ । ଏ ବହିକୁ ପଢି ଆପଣ ଯଦି ଚାଷୀସାଙ୍ଗରେ ଠିଆ ହୋଇ ନାହାନ୍ତି, ତାହେଲେ ଆପଣ ନିଜେ ନିଜକୁ ଧିକ୍କାର କରିବା ଥୟ ।