Balraj Sahni on a 2013 Stamp of India (Source: Wikipedia)

ଚରିତ୍ରକୁ ନେଇ ନିଖୁଣ ଅଭିନୟ କରିବା ଆଉ ଅଭିନୟରେ ଚରିତ୍ରକୁ କାଳଜୟୀ କରିବା ଦୁଇଟା ଯାକ ଏକଦମ ଭିନ୍ନ କଥା । ଅଭିନେତା ଚରିତ୍ରରେ ଅଭିନୟ କରନ୍ତି । ମାତ୍ର ବଲରାଜ ସାହାଣୀ ଏମିତି ଏକ ଅଭିନେତା ଯିଏ ଅଭିନୟ କରି ଚରିତ୍ରକୁ କାଳ କାଳ ପାଇଁ ଅମର କରିପାରନ୍ତି । ଯେମିତିକି ବିମଲ ରାୟଙ୍କ କାଳଜୟୀ ସିନେମା ‘ଦୋ ବିଘା ଜମିନ’ର 'ଶମ୍ଭୁ ମହାତୋ' । ଏହି ଫିଲ୍ମରେ ଶମ୍ଭୁ ଚରିତ୍ରକୁ ସେ ସମୟ ଆଗରେ ନିଜର ଚେହେରା ଦେଇ କାଳଜୟୀ କରିଦେଇଛନ୍ତି । ଜଣେ ଅଭିନେତା ଚରିତ୍ରକୁ ନିଖୁଣ ଭାବରେ ଫୁଟାଇ ପାରେ, ମାତ୍ର ବଲରାଜ ତାଙ୍କ ଅଭିନୟରେ ଚରିତ୍ରକୁ ସୃଷ୍ଟି କରନ୍ତି । ସିନେମା ‘ଦୋ ବିଘା ଜମିନ’ର ଶମ୍ଭୁ ମହାତୋ ହେଉ ଅଥବା 'ଗରମ ହୱା'ର 'ସଲିମ ମିର୍ଜା' ସବୁ ଚରିତ୍ରରେ ସେ ଅଭିନୟକୁ ବଞ୍ଚନ୍ତି । ସେ ଅଭିନେତା ନୁହନ୍ତି, ସତେ ଯେମିତି ସେ ଜୀବନର ଯାଦୁଗର ।

ବିମଲ ରାୟଙ୍କ ‘ଦୋ ବିଘା ଜମିନ’ ରେ ନିଜ ଜମି ପାଇଁ ସଙ୍ଘର୍ଷରତ ଶମ୍ଭୁ ମହାତୋ ଚରିତ୍ରରେ ଅଭିନୟ କରି ବଲରାଜ ସାହାଣୀ ଇତିହାସ ସୃଷ୍ଟି କରିଥିଲେ । ଭାରତୀୟ ସାଧାରଣ କୃଷକ ଜୀବନର ସଂଘର୍ଷକୁ ନେଇ ସେ ଥିଲା ଭାରତର ପ୍ରଥମ ଓ ଏଯାବତ ତିଆରି ହୋଇଥିବା ସବୁଠୁ ଚମତ୍କାର ଚଳଚ୍ଚିତ୍ର । ଭାରତୀୟ ସିନେମାର ଏହି ମହାନ କଳାକାରଙ୍କ ଜନ୍ମ ମଇ ୧ ତାରିଖ ୧୯୧୩ ମସିହାରେ ବ୍ରିଟିଶ ଭାରତର ରାୱଲପିଣ୍ଡିଠାରେ ହୋଇଥିଲା, ଯାହା ଏବେ ପାକିସ୍ଥାନରେ ଅବସ୍ଥିତ । ତାଙ୍କ ପିଲାବେଳର ନାମ ଥିଲା ଯୁଧିଷ୍ଠିର ସାହାଣୀ । ସେ ଲାହୋର ସରକାରୀ କଲେଜରେ ଶିକ୍ଷା ଗ୍ରହଣ କରିଥିଲେ। ଇଂରାଜୀ ସାହିତ୍ୟରେ ମାଷ୍ଟର୍ସ ଡିଗ୍ରୀ ଶେଷ କରିବା ପରେ ସେ ତାଙ୍କ ପାରିବାରିକ ବ୍ୟବସାୟରେ ସାମିଲ ହୋଇଥିଲେ । ୧୯୩୦ ମସିହା ପରେ ସାହାଣୀ ଓ ତାଙ୍କ ପତ୍ନୀ ଦମୟନ୍ତୀ ପଶ୍ଚିମବଙ୍ଗର ଶାନ୍ତି ନିକେତନ ଠାରେ ବିଶ୍ଵ-ଭାରତୀ ବିଶ୍ଵବିଦ୍ୟାଳୟରେ ଇଂରାଜୀ ଓ ହିନ୍ଦୀ ଶିକ୍ଷକ ରୂପେ କାର୍ଯ୍ୟ କଲେ । ଏହାପରେ ୧୯୩୮ ମସିହାରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ। ପରେ ସେ ବିବିସି - ଲଣ୍ଡନର ରେଡିଓ ସେବାରେ ହିନ୍ଦୀ ଉଦଘୋଷକ ରୂପେ କାମ କରିବା ପାଇଁ ଲଣ୍ଡନ ଯାଇଥିଲେ । ଅଭିନୟରେ ରୁଚି ରଖିଥିବା ବଲରାଜ ୧୯୪୩ରେ ଭାରତ ଫେରିବା ପରେ ଇଣ୍ଡିଆନ ପିପୁଲ୍ସ ଥିଏଟର ଆସୋସିଏନ (ଇପଟା)ର ନାଟକ ଗୁଡ଼ିକରେ କାମ କରିଥିଲେ । ସଂଯୋଗବଶତଃ ତାଙ୍କ ପତ୍ନୀ ଦମୟନ୍ତୀ ମଧ୍ୟ ଇପଟାରେ ଅଭିନେତ୍ରୀ ରୂପେ ପରିଚିତି ପାଇଥିଲେ ।

ଭାଷାଜ୍ଞାନରେ ବଲରାଜଙ୍କର ବିଚକ୍ଷଣତା ରହିଥିଲା । ସେଥିପାଇଁ ଚଳଚ୍ଚିତ୍ରରେ ପ୍ରତ୍ୟେକ ଚରିତ୍ରରେ ଅଭିନୟ ତାଙ୍କ ପାଇଁ ସର୍ବଦା ସହଜସାଧ୍ୟ ହେଉଥିଲା । କେବଳ ଅଭିନେତା ନୁହେଁ, ସେ ଥିଲେ ଜଣେ ଭଲ କାହାଣୀକାର । ତାଙ୍କ ବଡଭାଇ ହିନ୍ଦୀ କଥାସାହିତ୍ୟର କିମ୍ବଦନ୍ତୀ କଥାପୁରୁଷ ଭୀଷ୍ଣ ସାହାଣୀଙ୍କ ପ୍ରଭାବ ତାଙ୍କ ଉପରେ ରହିଥିଲା । ଗୁରୁ ଦତ୍ତଙ୍କ ନିର୍ଦ୍ଦେଶିତ ତଥା ଦେବ ଆନନ୍ଦଙ୍କ ଅଭିନୀତ ‘ବାଜି’ ହେଉଛି ଏହାର ସଫଳତମ ଉଦାହରଣ । ଫିଲ୍ମ କାହାଣୀ ଲେଖିବା ବ୍ୟତୀତ ବଲରାଜ ପଞ୍ଜାବୀ ସାହିତ୍ୟରେ ନିଜର ଏକ ଅଭୁଲା ଛାପ ଛାଡ଼ିଛନ୍ତି । ସେ ଜଣେ ଲୋକପ୍ରିୟ ପଞ୍ଜାବୀ ଲେଖକ ଭାବେ ପ୍ରତିଷ୍ଠା ପାଇଥିଲେ ।

ବଲରାଜ ସାହାଣୀ ସାଧାରଣ ଲୋକର ଯନ୍ତ୍ରଣା ଏବଂ ସମସ୍ୟାକୁ କେବଳ ବଡ଼ ପରଦାରେ ଦେଖାଉଥିଲେ ତାହା ନୁହେଁ, ସେ ବାସ୍ତବ ଜୀବନରେ ମଧ୍ୟ ଭଦ୍ରତା, ସୌହାର୍ଦ୍ଦ୍ୟ ଏବଂ ନୈତିକତାର ଏକ ପ୍ରତୀକ ହୋଇ ରହିଥିଲେ । ସେ ସର୍ବଦା ଜଣେ ପ୍ରତିବଦ୍ଧ କମ୍ୟୁନିଷ୍ଟ ପରି ଜୀବନ ଅତିବାହିତ କରିଥିଲେ । ନିଜେ କମ୍ୟୁନିଷ୍ଟ ଆଦର୍ଶର ସମର୍ଥକ ହୋଇ ୧୯୪୯ ମସିହାରେ ୬ ମାସ ଜେଲରେ ରହିଥିଲେ ।

୧୯୪୬ରେ ଫିଲ୍ମ ‘ଇନସାଫ’ ଜରିଆରେ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ବଲରାଜ । ଏହାପରେ ସେ ଲୋକପ୍ରିୟ ନିର୍ଦ୍ଦେଶକ ଖ୍ୱାଜା ଅହମଦ ଆବ୍ବାସଙ୍କ ନିର୍ଦ୍ଦେଶିତ ‘ଧରତି କେ ଲାଲ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ସେ ବିମଲ ରାୟଙ୍କ ‘ଦୋ ବିଘା ଜମିନ’ରେ ଅଭିନୟ କରିଥିଲେ । ଏହି ଫିଲ୍ମଟି ଭାରତୀୟ ହିନ୍ଦୀ ସିନେମାର ମାଇଲଖୁଣ୍ଟ । ଏହି ଫିଲ୍ମଟି କାନ୍ନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ଆନ୍ତର୍ଜାତୀୟ ପୁରସ୍କାର ଜିତିଥିଲା ।

ଏହାପରେ ସେ ଅନ୍ୟ ଏକ କ୍ଲାସିକ ଫିଲ୍ମ ‘କାବୁଲିୱାଲା’ରେ ମଧ୍ୟ ବଳିଷ୍ଠ ଅଭିନୟ କରି ପ୍ରଶଂସା ପାଇଥିଲେ । ସେ ସେସମୟରେ ଆଗ ଧାଡିରେ ଅଭିନେତ୍ରୀମାନଙ୍କ ସହ ଅଭିନୟ କରିଥିଲେ । ସେ ପଦ୍ମିନୀ, ନୂତନ, ମୀନା କୁମାରୀ, ବିଜୟାମାଲା, ନର୍ଗିସଙ୍କ ପରି ଅଭିନେତ୍ରୀମାନଙ୍କ ସହ ‘ବିନ୍ଦିଆ’, ‘ସୀମା’, ‘ସୋନେ କି ଚିଡିଆ’, ‘ସଟା ବାଜାର’, ‘ଭାବି କି ଚୁଡିୟାଁ’, ‘କଠପୁତଲି’, ‘ଲାଜୱନ୍ତୀ’, ‘ଘର ସଂସାର’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି । ପତ୍ନୀ ଦମୟନ୍ତୀଙ୍କ ସହ ବଲରାଜ ‘ଗୁଡିଆ’ ଫିଲ୍ମରେ ଅଭିନୟ କରିଥିଲେ ।

ତେବେ ବଲରାଜଙ୍କ ଅଭିନୀତ ଫିଲ୍ମ ‘ନୀଲ କମଲ’, ‘ଘର ଘର କି କାହାନୀ’, ‘ଦୋ ରାସ୍ତେ’, ‘ଏକ ଫୁଲ ଦୋ ମାଲୀ’ ଦର୍ଶକଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ତେବେ ଫିଲ୍ମ ‘ୱକ୍ତ’ରେ ଥିବା ଲୋକପ୍ରିୟ ଗୀତ ‘ଏ ମେରୀ ଜୋହରା ଜବିନ୍’ରେ ଅଭିନେତ୍ରୀ ଅଚଳା ଶଚଦେବଙ୍କ ସହ ନଜର ଆସିଥିଲେ । ଏହି ଗୀତଟିରେ ତାଙ୍କର ଅଭିନୟକୁ ଦେଖିଲେ ଲାଗେ ସେହି ଗୀତରେ ମଧ୍ୟବୟସ୍କ ବଲରାଜ ନିଜର ଯୁବପଣକୁ ନିଖୁଣ ଭାବରେ ଫୁଟାଇଛନ୍ତି ।

ସାହାଣୀଙ୍କ ଶେଷ ଫିଲ୍ମଟି ଥିଲା ‘ଗରମ ହୱା’`। ଏହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ବୋଲି ସିନେ ସମୀକ୍ଷକ ମାନେ ମତବ୍ୟକ୍ତ କରନ୍ତି । କିନ୍ତୁ ବଲରାଜ ଏହି ଫିଲ୍ମକୁ ଦେଖି ପାରିନଥିଲେ । ଏହି ଫିଲ୍ମର କାମ ଶେଷ କରିବାରେ ଗୋଟିଏ ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । “ଗରମ ହୱା” ସିନେମାର ମୂଳ କାହାଣୀ ହେଉଛି, ଭାରତ ବିଭାଜନ ପରେ ଭାରତରେ ରହି ଯାଇଥିବା ମୁସଲମାନଙ୍କ ପାଇଁ ସୃଷ୍ଟି ହୋଇଥିବା ସବୁଠୁ ବଡ଼ ସାମାଜିକ ସଙ୍କଟ । ଅନେକାଂଶରେ ଏହି ସିନେମାର ମୁଖ୍ୟ ନାୟକ ଭାବେ ବଳରାଜ ସାହାଣୀ ଭାରତ ଇତିହାସର ଏକ ଦୀର୍ଘସ୍ଥାୟୀ ସଙ୍କଟର ପ୍ରତୀକ ପାଲଟି ଯାଇଛନ୍ତି । ମଣିଷର ଏକଲାପଣ, ଧର୍ମକୁ ନେଇ ସାମାଜିକ ଓ ରାଜନୈତିକ ବିଭାଜନ ତଥା ପରିବାର ଭିତରେ ଗୋଟେ ଅସହାୟ ବାପାର ଭୂମିକା - ଏଇ ତିନୋଟି ବିନ୍ଦୁକୁ ବଲରାଜ ନିଜ ଜୀବନ୍ତ ଅଭିନୟ ମାଧ୍ୟମରେ ଯୋଡ଼ିଥିଲେ । କୁହାଯାଇପାରେ, ଭାରତୀୟ ସିନେମାରେ “ଗରମ ହୱା” ହେଉଛି ଏକ ଐତିହାସିକ ଅଧ୍ୟାୟ ।

ଭାରତୀୟ ସିନେମା ଜଗତରେ ବଲରାଜ ଜଣେ ଏମିତି ଅଭିନେତା ଥିଲେ, ଯିଏ ନିଜର ଆଦର୍ଶ ଓ ପ୍ରତିବଦ୍ଧତାରେ ଏକୁଟିଆ ଚାଲିଥିଲେ । ୧୯୭୩ ମସିହା ଏପ୍ରିଲ ୧୭ ତାରିଖରେ ଏହି ମହାନ କଳାକାର ଆମକୁ ଛାଡି ଚାଲିଯାଇଥିଲେ । ସିନେମା ଦର୍ଶକ ଭାବରେ ଯିଏ ବଲରାଜ ସାହାଣୀଙ୍କୁ ଦେଖିନାଇଁ, ସେ ଭାରତକୁ ଇ ଦେଖିନାଇଁ ।