ଚିତ୍ର: ୱିକିପିଡିଆ

ଏଠାରେ ଦିଆଯାଇଥିବା ଛବିଟି ଗୋଟିଏ ଜାପାନୀ ଉଡ୍ ପ୍ରିଣ୍ଟ୍ । ଜାପାନୀମାନେ ସବୁବେଳେ ଚମତ୍କାର ରଙ୍ଗୀନ୍ ଉଡ୍ ପ୍ରିଣ୍ଟ କରନ୍ତି । ରଙ୍ଗୀନ୍ ଉଡ୍ ପ୍ରିଣ୍ଟ୍ ର କଳା, କୌଶଳ ଓ କାରିଗରୀରେ ସେମାନେ ବିଶ୍ୱ ପ୍ରସିଦ୍ଧ । ଏଠାରେ ଥିବା ପ୍ରିଣ୍ଟ୍ ଶିଳ୍ପୀଙ୍କ ନାମ ହେଲା ସୁକିଓକା ଓସିତୋସି (୧୮୩୯- ୧୮୯୨) । ତାଙ୍କର ଭୂତ ସିରଜର ଛତିଶଟି ପ୍ରିଣ୍ଟରୁ ଏଇଟି ଅନ୍ୟତମ । ପ୍ରିଣ୍ଟଟିର ଆକାର ହେଉଛି ୨୫ ଗୁଣନ ୩୬.୮ ସେଣ୍ଟିମିଟର । ଛବିରେ ବସନ୍ତ ଦାନବକୁ ଯୁଦ୍ଧରେ ହରାଇବାର କଥା ଚିତ୍ରିତ ହେଇଛି । ସିରିଜ୍ ଟିକୁ ଶିଳ୍ପୀ ୧୮୮୯ ରୁ ୧୮୯୨ ଭିତରେ କରିଛନ୍ତି । ଆହୁରି ଅନେକ ଜାପାନୀ ପ୍ରିଣ୍ଟ୍ ଓ ଡ୍ରଇଂରେ ବସନ୍ତ ଦାନବର ଛବି ରହିଛି । ମୁଳତଃ ଜାପାନ ଓ ଚୀନ୍ ଲୋକକଥାରେ ଥିବା ରାକ୍ଷସ ଓ ଭୂତମାନଙ୍କୁ ସେ ଏଇ ସିରିଜରେ ଆଙ୍କିଥିଲେ । ତେବେ ଜାପାନୀମାନେ ପ୍ରଥମରୁ ବିଶ୍ୱାସ କରୁଥିଲେ ଯେ, ବସନ୍ତ ସେମାନଙ୍କ ଲୋକକଥାରେ ବର୍ଣ୍ଣିତ ଏକ ଦୁଷ୍ଟ ଶକ୍ତିରୁ ଆସିଛି । ପରେ ଧିରେ ଧିରେ ସେମାନେ ସେଇ ଦୁଷ୍ଟ ଶକ୍ତିକୁ ‘ହୋସିସିନ’ ବୋଲି କହିଲେ । ଯାହାର ଅର୍ଥ ହେଲା ‘ବସନ୍ତ ଦେବତା’ । ବସନ୍ତ ଅପଦେବତାର କୋପରୁ ରକ୍ଷା ପାଇବା ପାଇଁ ଲୋକମାନେ କେତେ କ’ଣ ଉପଚାର କରୁଥିଲେ । ପରେ ବସନ୍ତ ଅପଦେବତା କାଳକ୍ରମେ ଲୋକ ବିଶ୍ୱାସ ଓ ଚଳଣୀରେ ବସନ୍ତ ଦାନବ ହେଇଗଲା ।

ଇଡୋ ସାମ୍ରାଜ୍ୟର ଶେଷ ବେଳକୁ ବାକିନ (Bakin) ନାମକ ଜଣେ ଜାପାନୀ ଔପନ୍ୟାସିକ ତାଙ୍କର ଏକ ଉପନ୍ୟାସରେ ଦ୍ୱାଦଶ ଶତାବ୍ଦୀର ଦେଶାନ୍ତର ହୋଇଥିବା ଯୋଦ୍ଧା ଟାମେଟୋମୋ ବସନ୍ତ ଦାନବକୁ ଯୁଦ୍ଧରେ ପରାସ୍ତ କରି ଓକିନାୱା ଦ୍ୱୀପର ରାଜା ହେବା କଥା ଲେଖିଥିଲେ । ଏହି ବିଷୟ ବସ୍ତୁକୁ ନେଇ ଅନ୍ୟଜଣେ ଜାପାନୀ ପ୍ରିଣ୍ଟମେକର୍ ୟୋସିକାଜୁ (୧୮୫୧-୧୮୫୩) ମଧ୍ୟ ଚମତ୍କାର ପ୍ରିଣ୍ଟ୍ ମାନ କରିଛନ୍ତି ।

ମୋ ଅଜା ବସନ୍ତ ମୁହାଁ ଥିଲେ । ପିଲା ଦିନେ ଗାଁ ଗହଳରେ ଏମିତି ବସନ୍ତ ମୁହାଁ ଅନେକ ମଣିଷ ଥିଲେ । ଅଜାଙ୍କୁ ତାଙ୍କ ପିଲାଦିନେ ବସନ୍ତ ହେଇଥିଲା । ବୁଢା ହେଲା ଯାଏ ତାଙ୍କ ମୁହଁ ସାରା ଚାଲୁଣି ଭଳିଆ ଟୋପି ଟୋପି ବସନ୍ତ ଚିହ୍ନ ଥିଲା । ମୁଁ ସାନ ଥିଲାବେଳେ ସେ ତାଙ୍କ ପିଲାଦିନ କଥା ଗପନ୍ତି । ସେ କଥା ଲେଖିଲେ ଉପନ୍ୟାସଟେ ହେବ । ରାତିରେ ଭୂତ ଗପ ସନ୍ତ୍ରସ୍ତ ହୋଇ ଶୁଣିଲା ପରି ମୁଁ ତାଙ୍କ ପାଖରୁ ବାଡି ଠାକୁରାଣୀ (ହଇଜା ରୋଗର ଦେବୀ) ଓ ବସନ୍ତ ଠାକୁରାଣୀଙ୍କ କଥା ଶୁଣେ । ଗାଁକୁ କେମିତି ଠାକୁରାଣୀଙ୍କ କୋପରୁ ରକ୍ଷା କରାଯିବ ସେ ନେଇ କେତେ ପୂଜାର୍ଚ୍ଚନା କରାଯାଏ ଓ ଭୋଗରାଗ ଆଉ ମାଜଣା କରାଯାଏ । କେମିତି ନୂଆ ମାଟି ହାଣ୍ଡିରେ ଖଣ୍ଡ ଦହିଛେନା, ଗୁଡ, କଦଳୀ ଓ ନଡିଆ ମିଶା ପଣା ଗାଁ ମୁଣ୍ଡରେ ଠାକୁରାଣୀ ବୁଢୀ ପାଇଁ ଦିଆ ଯାଉଥିଲା । କେମିତି ବସନ୍ତ ହେଲେ ଚୁଲି ପାଉଁଶକୁ ଭଲରେ ଖଲି ସାରି ମାଟିରେ ବିଛାଇ ତା’ ଉପରେ ସରୁ କପଡା କଣ୍ଟାରେ ବାଡେଇ ଦେଇ ରୋଗୀକୁ ଶୁଆଯାଉଥିଲା । ଲିମ୍ବ ପତ୍ରରେ ଝଡା ଯାଉଥିଲା ଓ ଝୁଣା ଧୁଆଁ ଦିଆଯାଉଥିଲା । ଏମିତି କେତେ କଥା ।

ଉତ୍ତର ଭାରତରେ ବିଭିନ୍ନ ରୋଗରୁ ରକ୍ଷା କରିବାକୁ ଦେବୀ ଶୀତଳାଙ୍କ ପୂଜା କରାଯାଏ । ମା’ ପାର୍ବତୀଙ୍କର ଅନ୍ୟ ଏକ ରୂପ ଶୀତଳାଙ୍କ ପୂଜା ହୋଲିର ଆଠ ଦିନ ପରେ ଶୀତଳା ଅଷ୍ଟମୀରେ କରାଯାଏ । ଗଧ ଉପରେ ଆସିନା ଦେବୀ ଶୀତଳା ଗୋଟେ ହାତରେ ଝାଡୁ ଓ ଅନ୍ୟ ହାତରେ ପତ୍ର ଗୋଟେ ଧରିଥା’ନ୍ତି । ଶିବଙ୍କର ଝାଳରୁ ଜନ୍ମିତ ଓ ଯାବତୀୟ ରୋଗର କାରଣ ଜ୍ୱରାସୁରକୁ ବଶକୁ ନେଇ ଆପଣା ଚାକର ଭାବରେ ରଖିଥିଲେ ମା’ ଶୀତଳା । ଅବଶ୍ୟ ଭିନ୍ନ ଭିନ୍ନ ନାମରେ ମା’ ଶୀତଳାଙ୍କର ଆରାଧନା ଭାରତର ସବୁ ପ୍ରାନ୍ତରରେ କରାଯାଏ । ଭାରତୀୟ ଦଳିତ ବିମର୍ଷରେ କୁହାଯାଇଛି ଯେ, ଉଚ୍ଚବର୍ଣ୍ଣର ଧାରଣାରେ ଦଳିତମାନଙ୍କ ଦେବୀମାନଙ୍କୁ ଅପଦେବୀ ଭାବରେ ଚିତ୍ରଣ କରାଯାଇଛି । ଏ ସଂପର୍କରେ କାଞ୍ଚା ଇଲିଆଙ୍କ ‘ହ୍ୱାଇ ଆଇ ଆମ ନଟ୍ ଏ ହିନ୍ଦୁ’ ବହିରେ ବିଷଦ ଭାବରେ ବର୍ଣ୍ଣନା ରହିଛି ।

ରୋଗ ଓ ମହାମାରୀକୁ ଅପଦେବତାଙ୍କ କୋପ ଭାବରେ କେବଳ ଆମର ଏଇଠି ନୁହେଁ ପୃଥିବୀର ଅନ୍ୟାନ୍ୟ ପ୍ରାନ୍ତରରେ ମଧ୍ୟ ଗ୍ରହଣ କରାଯାଏ ଓ ସେମାନଙ୍କ ସନ୍ତୁଷ୍ଟି ପାଇଁ ରୋଗର ଉପଚାର ପାଇଁ ବିଭିନ୍ନ କ୍ରିୟାକର୍ମର ଆୟୋଜନ କରାଯାଏ । ଜାପାନ ଦେଶକୁ ବସନ୍ତ ରୋଗ କୋରିଆ ଦେଇ ଆସିଥିଲା ୭୩୫ ଖ୍ରୀଷ୍ଟାବ୍ଦରେ ଓ ଖୁବ ଶୀଘ୍ର ମହାମାରୀର ରୂପ ଧାରଣ କରିଥିଲା । ୭୩୫ ରୁ ୭୩୭ ଭିତରେ ଜାପାନରେ ବସନ୍ତ ମହାମାରୀରେ ପ୍ରାୟ ଏକ ମିଲିୟନ ଲୋକ ମରିଥିଲେ । ମୃତ୍ୟୁ ସଂଖ୍ୟା ଜାପାନର ସମୁଦାୟ ଜନସଂଖ୍ୟାର ଏକ ତୃତୀୟାଂଶ ହେବ । ଜାପାନରୁ ବସନ୍ତ ଭୂତାଣୁ ସମ୍ପୂର୍ଣ୍ଣ ଭାବେ ୧୯୮୦ ରେ ବିଦାୟ ନେଇଥିଲେ ମଧ୍ୟ ବସନ୍ତ ଦାନବ କଥା ଏବେବି ସେଠାର ଲୋକେ ମନେରଖିଛନ୍ତି ।

ଜାପାନୀମାନେ ବିଶେଷ କରି ଦକ୍ଷିଣ ଜାପାନର ଓକିନାୱା ଦ୍ୱୀପ ଅଂଚଳର ଲୋକେ ବିଶ୍ୱାସ କରୁଥିଲେ ବସନ୍ତ ଦାନବ ନାଲି ରଙ୍ଗ ଓ କୁକୁରକୁ ଭୟ କରେ । ସେଥିପାଇଁ ବସନ୍ତ ମହାମାରୀ ସମୟରେ ଲୋକମାନେ ବସନ୍ତ ଦାନବକୁ ଡରେଇବାକୁ ନାଲି ରଙ୍ଗର କପଡାରେ ତିଆରି କିମ୍ବା ବଡ ବଡ ନାଲି ରଙ୍ଗ ବୋଳା କଣ୍ଢେଇ ସବୁ ଗାଁ ବାହାରେ ସଜେଇ ରଖୁଥିଲେ । ରୋଗୀକୁ ଦାନବ କବଳରୁ ରକ୍ଷା କରିବାକୁ ନାଲି କପଡା ପିନ୍ଧାଇ ଦିଆଯାଉଥିଲା ଓ ସାଁସିନ୍ ନାମକ ବାଦ୍ୟଯନ୍ତ୍ର ବଜାଇ ରୋଗୀ ଚାରିପାଖରେ ପାରମ୍ପରିକ ସିଂହ ନାଚ କରାଯାଉଥିଲା । ବସନ୍ତ ଦାନବକୁ ତଡିବା ପାଇଁ ଧୂପ ଧୂଆଁ ଓ ଫୁଲ ବି ଅର୍ପଣ କରାଯାଉଥିଲା । ଓକିନାୱାରେ ବସନ୍ତ ପାଇଁ ସ୍ୱତନ୍ତ୍ର କବିତା ବି ଥିଲା । କବିମାନେ ବସନ୍ତ ଦାନବ ପାଇଁ କବିତା ସବୁ ରଚନା କରୁଥିଲେ । ଯେଉଁଥିରେ ବସନ୍ତ ଦାନବକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରାଯାଉଥିଲା । ୧୮୦୫ ରେ ଏପରି ୧୦୫ କବିତାକୁ ନେଇ ଏକ ସଂକଳନ ମଧ୍ୟ ପ୍ରକାଶିତ ହେଇଥିଲା ।

ଅନେକ ଶତାବ୍ଦୀ ତଳୁ ଆରମ୍ଭ ହେଇଥିବା ଏଇ ସବୁ ରୀତିନୀତିକୁ ଆଜି ବି ସେଠାର ମୂଳ ଅଧିବାସୀମାନେ ଭୁଲିନାହାନ୍ତି । ମହାମାରୀକୁ ଚିକିତ୍ସା କରିବାର ସରଳ ସହଜ ବାଟ ବତାଉଥିବା ଅନେକ ବହି ମଧ୍ୟ ଜାପାନରେ ବିଭିନ୍ନ ସମୟରେ ପ୍ରକାଶିତ ହେଇଛି । ସେଥିରେ ନାଲି ରଙ୍ଗ ସହାୟତାରେ ରୋଗୀ ଚିକିତ୍ସା ହିଁ ମୁଖ୍ୟ ଉପାୟ ଭାବରେ ବର୍ଣ୍ଣିତ ହେଇଛି । ଜାପାନ ଛଡା ଚୀନ୍, ଫ୍ରାନ୍ସ ଓ ଇଂଲଣ୍ଡରେ ମଧ୍ୟ ଏଇ ନାଲି ରଙ୍ଗ ସହାୟତରେ ବସନ୍ତ ଚିକିତ୍ସା କରାଯାଉଥିଲା । ବିଶ୍ୱାସ କରାଯାଏ, ଏଇ ଲାଲ୍ ଚିକିତ୍ସା ଦ୍ୱାଦଶ ଶତାବ୍ଦୀରେ ୟୁରୋପରେ ଆରମ୍ଭ ହେଇଥିଲା । ଯେବେ ଫ୍ରାନ୍ସର ରାଜା ଚାର୍ଲସ୍ ପଞ୍ଚମ ବସନ୍ତରେ ପୀଡିତ ଥିଲେ ତେବେ ମୁଣ୍ଡରୁ ଗୋଡ ଯାଏଁ ନାଲିଆ ପୋଷାକରେ ଆବୃତ ରହିଥିଲେ । ତାପରେ ଇଂଲଣ୍ଡର ରାଣୀ ଏଲିଜାବେଥ୍ ପ୍ରଥମ ମଧ୍ୟ ୧୫୬୨ ରେ ବସନ୍ତ ଅସୁଖରେ ନାଲି କମ୍ବଳ ଘୋଡି ହେଇ ରହୁଥିଲେ ଓ ନିଆଁ ପାଖରେ ଶୋଇ ରହୁଥିଲେ । ଆଜିର କରୋନା ସମୟରେ ଦେହରେ ଗାଈ ଗୋବର ମାରିବା ଠାରୁ ପ୍ରତିଦିନ ଗୌମୂତ୍ର ସେବନର ଉପଦେଶ ଓ ଖବର କିଛି କମ୍ ଶୁଣିବାକୁ ମିଳୁନି ।

ମହାମାରୀ ଆସେ ଓ ଚାଲିଯାଏ, କିନ୍ତୁ ଜନଜୀବନ ଉପରେ, ଲୋକ ବିଶ୍ୱାସ ଏବଂ ଲୋକ ଚଳଣୀ ଉପରେ ବ୍ୟାପକ ପ୍ରଭାବ ଛାଡିଯାଏ । ମଣିଷର ଜନ୍ମ ଓ ମୃତ୍ୟୁ ନାମକ ଦୁଇ ବିନ୍ଦୁ ଭିତରେ ଜୀବନ ନାମକ ଅଧ୍ୟାୟର ପ୍ରମୁଖ ବିଷୟ ବସ୍ତୁ ହେଲା ରୋଗ । ସେଇ ରୋଗରୁ ନିସ୍ତାର ପାଇଁ ସବୁ ଯୁଗରେ, ସବୁ ଦେଶରେ ଓ ସବୁ ସଭ୍ୟତାରେ ବିଭିନ୍ନ ପ୍ରକାରର ଉପଚାରର ବ୍ୟବସ୍ଥା ରହିଛି । ସେଇ ବିଧି ବ୍ୟବସ୍ଥା ହିଁ ଲୋକାଚାର, ଲୋକଧରଣା ଏବଂ ଲୋକ ସଂସ୍କୃତିକୁ ଅନେକ ଭାବରେ ନିର୍ମାଣ କରନ୍ତି ଓ ନିୟନ୍ତ୍ରଣ ବି କରନ୍ତି ।