ଦେବଦାସ ଛୋଟରାୟ, ହାବୁକାଏ ବାଉଳା ପବନ, ମୁଠାଏ ମଲ୍ଲିଫୁଲର ମହକ ।

ଏ ଲେଖାଟି ପ୍ରାୟ ଦେଢ ବର୍ଷ ତଳେ ଦେବଦାସ ଛୋଟରାୟଙ୍କ ସହ ଭାରତ ମାଝୀ ଓ ନିଖିଳେଶ ମିଶ୍ର ଯାହା କଥା ହେଇଥିଲେ, ତାର ବିବରଣୀ । ଦେବଦାସ ଛୋଟରାୟ, ଏ ନାଁ ସହ ପରିଚୟ ନ ଥିବା ଓଡିଆ ଲୋକ କିଏ ଅଛନ୍ତି କି ? ନା, ନଥିବେ । ଯଦି କଟକ ସହର ଅଛି, ଯଦି କାଠଯୋଡି ଓ ମହାନଦୀ ଅଛନ୍ତି, ଯଦି ଅକ୍ଷୟ ମହାନ୍ତିଙ୍କର ଗୀତ ଅଛି, ତା ହେଲେ ଦେବଦାସ ଛୋଟରାୟ ବି ଅଛନ୍ତି। "ନୀଳ ସରସ୍ଵତୀ" ଓ "ଲାଲମାଛ" ତାଙ୍କର ପ୍ରଥମ ପରିଚୟ । ତାପରେ ସେ ନିରନ୍ତର ନଈ ପରି ବୋହିଯାଉଥିବା ଏକ କବି । ଥାଉ, ଦେବଦାସଙ୍କ ବିଷୟରେ ବେଶୀ କହିବା ଇ ବିପଦ । ତାଙ୍କ ସହ କଥା ହୋଇଛନ୍ତି ଆଉ ଦୁଇଜଣ ଶକ୍ତିଶାଳୀ କବି ଭାରତ ମାଝୀ ଓ ନିଖିଳେଶ ମିଶ୍ର ।

ଏବେ ଦେଶର ଅବସ୍ଥା କିଭଳି ଲାଗୁଛି ଆପଣଙ୍କୁ ?

ଗୋଟେ ଛୋଟିଆ ଉଦାହରଣ ଦେବି । ଇଲେକ୍ଟ୍ରିସିଟି ଉଦ୍ଭାବନ ହେଲା ୧୮୭୯ରେ । ଥୋମାସ୍ ଆଲଭା ଏଡିସନ୍ ଏହାକୁ ଉଦ୍ଭାବନ କଲେ । ହେଲେ ଏବେ ବି ଆମ ଏଠାରେ ବିଜୁଳି ଖୁଣ୍ଟରେ ଲାଗି ଷଣ୍ଢ ମରିଯାଉଛି । ଶହ ଶହ ହାତୀ ମରିଯାଉଛନ୍ତି । କ’ଣ କୁହାଯାଇପାରିବ ଭାରତବର୍ଷ ସମ୍ପର୍କରେ ? ହୁଏତ କିଛି କୁହାଯାଇପାରିବନାହିଁ ।

ଆପଣ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଲା ବେଳକୁ କେଉଁ ସାଧାରଣଜ୍ଞାନ ବହି ଚାଲୁଥିଲା ? ଆପଣ ସେଇଟାକୁ ପଢ଼ିଥିଲେ କି ?

ସେତେବେଳେ ମଣିଲାଲ୍ ଅଗ୍ରୱାଲ୍ ଜେନେରାଲ୍ ନଲେଜ୍ ବେଶ୍ ଚାଲୁଥିଲା । ଖୁବ୍ ମୋଟା ବହି । ହେଲେ ମୁଁ କାହିଁ ପଢ଼ିବି ତାକୁ ? ଲୋକେ ପଢୁଥିଲେ ସେତେବେଳେ । ମୁଁ ତ ଇଂରାଜୀ ବହି ପଢୁଥିଲି ସେତେବେଳେ, କିଶୁ ପାନ ଦୋକାନରେ ବସି ।

ଆଉ ସେ ପରୀକ୍ଷା ସମ୍ପର୍କରେ ତ ମୁଁ କୋଉଠି ଗୋଟେ ଲେଖିଛି । ସେ ପରୀକ୍ଷାରେ ପଡ଼ିଥିଲା - ହନୁଲୁଲୁ କେଉଁଠି ଓ ସେଇଟା କ’ଣ ? ମୁଁ ଉତ୍ତରରେ ଲେଖିଲି- ମନୋଜ ଦାସଙ୍କ କାହାଣୀରେ ଗୋଟେ ଭୂତର ନାଁ ହେଉଛି ହନୁଲୁଲୁ । କାରଣ ମୋତେ କିଛି ଆସିଲାନି ।

ତା’ହେଲେ ଆପଣ ଆଇ.ଏ.ଏସ୍. ପାଇଲେ କେମିତି ?

ଏମିତି ପାଇଗଲି । ଇଂରାଜୀରେ କହିଲେ, ବାଇ ଚାନ୍ସ । ଥରେ ଗୋଟେ ସାଙ୍ଗ ଦେଖାହେଲା, ସେ ପଢୁଥିଲା ଏଇ କଟକ କଲିଜିଏଟ୍ ସ୍କୁଲରେ । ସେ ଏସ୍.ସି.ବି. ମେଡିକାଲ୍ କଲେଜରେ ଜଣେ ଅଫିସରଙ୍କ ପିଏ ହୋଇ ଅବସର ନେଇଥିବା କଥା କହିଲା । ମୁଁ ଯେମିତି ଥିଲି, ମୋର ଭାଗ୍ୟ ବି ସେମିତି ହୋଇଥାଇପାରିଥା’ନ୍ତା । ଅକସ୍ମାତ ଯଦି ଆଇ.ଏ.ଏସ୍. ବାଜିନଥା’ନ୍ତା, ତେବେ ମୁଁ ବି ସେମିତି ହୁଏତ ପିଏ ଟୁ ଅମୁକ ଅଫିସର୍ ହୋଇ ରହିଥା’ନ୍ତି ।

ଆଜିକାଲି ଆପଣ ଭାରି ବ୍ୟସ୍ତ ? ଲେଖାଲେଖି, ଗୀତ, ସଭାସମିତି ?

ଆଜିକାଲି କିଏ ବା ବ୍ୟସ୍ତ ନୁହେଁ ଯେ ? ହଁ, ମୋର ଟିକେ ଅଧିକା ହୋଇପାରେ । ଏଇ ଆଜି ଜଣେ ବାଦ୍ୟକାର ଡାକିଲେ, ସେଠାକୁ ଚାଲିଗଲି । ସେ ମୋର ପୁରୁଣା ଚିହ୍ନା । ଅକ୍ଷୟ ମହାନ୍ତିଙ୍କ ସାଙ୍ଗରେ ଏତେଦିନ ଥିଲି । ତାଙ୍କ ସହିତ କାମ କରିଥିବା ସବୁ ବାଦ୍ୟକାର ମୋତେ ଜାଣନ୍ତି, ଚିହ୍ନନ୍ତି । ବିଭିନ୍ନ ବାଦ୍ୟ ବଜାଉଥିବା ଲୋକଙ୍କର ମୁଁ ପାଖଲୋକ । ସେମାନଙ୍କୁ ଟିକେ ନଶୁଣିଲେ ନଚଳେ । ଆଗରୁ ଅକ୍ଷୟ ମହାନ୍ତି କୌଣସି କାର୍ଯ୍ୟକ୍ରମକୁ ଗଲେ ମୁଁ ତାଙ୍କ ସହ ହାର୍ମୋନିୟମ୍ ଟେକିବାକୁ ଯାଏ । ସେଇଟା ଗୋଟେ ବିରାଟ ହାର୍ମୋନିୟମ୍ ଥିଲା, ଓଜନିଆ । ସେଥିରେ ପୁଣି ଗୋଟେ ସ୍କେଲ୍ ଚେଞ୍ଜର୍ ବି ଥିଲା । ତାକୁ ଦୁଇ ଜଣ ଟେକିକି ନେବାକୁ ପଡୁଥିଲା ।

ସେ ହାର୍ମୋନିୟମ୍ କୋଲକାତାରେ ତିଆରି । ମୋ ଜାଣିବାରେ, ପୃଥିବୀର ସବୁ ହାର୍ମୋନିୟମ୍ ସେଇ କୋଲକାତାରେ ତିଆରି । ବାଂଲାଦେଶରୁ ଲୋକ ଆସନ୍ତି କୋଲକାତା, ସେଇ ହାର୍ମୋନିୟମ୍ ନେବାକୁ । ୧୯୭୧ରେ ଯେତେବେଳେ ଯୁଦ୍ଧ ହେଲା, ସେତେବେଳେ ମୁଁ ସୀମାବର୍ତ୍ତୀ କୃଷ୍ଣାନଗରରେ ଚାକିରି କରୁଥିଲି । ନଦିଆ ଜିଲ୍ଲାର ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟ୍ ଥିଲି । ମୁଁ ରହୁଥିଲି ସର୍କିଟ୍ ହାଉସରେ । ସେଠାରେ ବାଂଲାଦେଶର ଭୂମିଗତ ସରକାର ଚାଲିଥିଲା । କେବଳ ଶେଖ ମୁଜିବୁର୍ ରେହମାନ୍ ନଥିଲେ । ଅନ୍ୟ ମନ୍ତ୍ରୀମାନେ ସେଠାରେ ରହୁଥିଲେ । ଯୁଦ୍ଧ ପରେ ବାଂଲାଦେଶ ସ୍ୱାଧୀନ ହେଲା । ସେଠାରୁ ଲୋକ ଆସିଲେ ।

ହାର୍ମୋନିୟମ୍ ମଞ୍ଚକୁ ଗଲା ପରେ ଅକ୍ଷୟ ମହାନ୍ତି କେମିତି ଗୀତ ଗାଆନ୍ତି ?

ଅକ୍ଷୟ ଭାଇ (ଅକ୍ଷୟ ମହାନ୍ତି) ପାଖରେ ଗୀତଖାତା ରଖନ୍ତି । ଆଗରୁ ସେ ମଞ୍ଚରେ ଖୁବ୍ ନର୍ଭସ୍ ହୁଅନ୍ତି । ଏପରିକି ତାଙ୍କର ହାତ ବି ଥରେ । ସେ ସବୁବେଳେ ମଞ୍ଚର ୱିଙ୍ଗ୍ସରେ ମୋତେ ଛିଡ଼ା ହୋଇ ରହିବାକୁ କୁହନ୍ତି । ସେ ଅନେଇଲା ବେଳକୁ ମୁଁ ପାଖରେ ଥିବା ନିହାତି ଜରୁରୀ । ଗୀତ ଟିକେ ଜମିବା ଯାଏ ଅପେକ୍ଷା କରିବାକୁ ପଡ଼େ । ସେତେବେଳେ ଅକ୍ଷୟ ମହାନ୍ତି ତିଆରି ହେଉଥିଲେ ବୋଲି କହିବାକୁ ପଡ଼ିବ । ସେତେବେଳୁ ବାଦ୍ୟକାରମାନେ ମୋତେ ଚିହ୍ନିଛନ୍ତି । ପରେ ପରେ ଅକ୍ଷୟଭାଇ ମୋତେ ବିଭିନ୍ନ ବାଦ୍ୟଯନ୍ତ୍ର ଚିହ୍ନେଇଲେ । ମୁଁ ଚିହ୍ନିଲି ।

ସେତେବେଳେ ଅକ୍ଷୟ ମହାନ୍ତିଙ୍କ ସହ ଆପଣ ସପ୍ତାହକୁ କେତେ ଥର ଖଣ୍ଡେ ବିଭିନ୍ନ କାର୍ଯ୍ୟକ୍ରମକୁ ଯାଉଥିଲେ ?

୧୯୬୦ରୁ ୧୯୭୦ ଯାଏ, ଆଠ-ଦଶ ବର୍ଷ ମୁଁ ଓ ଅକ୍ଷୟ ଭାଇ ଆମେ ପ୍ରାୟ ପ୍ରତିଦିନ ସାଙ୍ଗରେ ରହୁଥିଲୁ । ସକାଳେ ଆଉ ସନ୍ଧ୍ୟାରେ । ସେତେବେଳେ ଆମ ଭିତରେ ସବୁରକମର କଥା ଚାଲେ । ଗୀତ, ବହି, ପ୍ରେମ ସବୁ ବିଷୟରେ । ଗୋଟେ ସାଇକେଲରେ ସେ ମୋତେ ବସେଇନିଅନ୍ତି । ଆମ ଦୁଇ ଜଣଙ୍କୁ କଟକରେ ପ୍ରାୟ ସମସ୍ତେ ଚିହ୍ନିସାରିଥିଲେ ସେତେବେଳେ । ତେବେ ଆମ ଦୁଇ ଜଣଙ୍କୁ ଲୋକେ ଭଲ ଦୃଷ୍ଟିରେ ଦେଖୁନଥିଲେ । ସବୁ ଲୋକଙ୍କର ଗ୍ରହଣଶୀଳତା ତ ସମାନ ନୁହେଁ । ଅକ୍ଷୟ ମହାନ୍ତିଙ୍କ ଗୀତକୁ ନେଇ ସେତେବେଳେ ଲୋକଙ୍କ ଭିତରେ ଏତେଟା ଗ୍ରହଣଶୀଳତା ନଥିଲା । ପରେ ପରେ ସେସବୁ ନାହିଁ ନଥିବା ଲୋକପ୍ରିୟତା ପାଇଲା ।

ଏବେ ଯେଉଁ ଗୀତ ସବୁ ହେଉଛି, ତାକୁ ନେଇ ଆପଣ କ’ଣ କହିବେ ?

ଏବେ ଅନେକ ଗୀତ ଶୁଣିହେଉନି । ଯେଉଁ ଧାରାରେ ଓଡ଼ିଆ ଗୀତ ଯାଉଛି ଆଉ ୫୦ ବର୍ଷ କାଳ, ଏପରିକି ଶହେ ବର୍ଷ କାଳ ବି ଅକ୍ଷୟ ମହାନ୍ତିଙ୍କ ଲିଗାସୀକୁ କେହି ଅସ୍ୱୀକାର କରିପାରିବେନି । ତାଙ୍କୁ ବା ତାଙ୍କ ଗୀତକୁ ଅସ୍ୱୀକାର କରିହେବନାହିଁ । ସେ ଗୀତ, ସେ ସଙ୍ଗୀତ ସବୁବେଳେ ରହିବ । ତାଙ୍କ ମେଲୋଡି, ଗାୟକୀ, ଅନ୍ତର୍ଗତ ସୁଖଦୁଃଖକୁ ଲୋକଙ୍କ ନିକଟତର କରିବାର କଳା କେହି ଅତିକ୍ରମ କରିପାରିବେ ନାହିଁ ।

ଧର ତମେ ରେଭେନ୍ସାର କନିକା ଲାଇବ୍ରେରୀ ଚଳେଇପାରିବନି, ରେଭେନ୍ସା ରେଡ଼ିଓ ଚଳେଇପାରିବନି, ସେଥିରେ ମୋର କ’ଣ ଦୋଷ ? କୁଳପତି ଥିବାବେଳେ ମୁଁ ସେସବୁରେ କିଛି ଉଦ୍ୟମ କରିଥିଲି । ଯେତେ ନକରିବ, ଜଣେ କରିଥିବା ଲୋକ ସେତେ ସେତେ ମନେପଡ଼ିବ । ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ସେମିତି ।

ବାକିକଥା ଛାଡ। ଅକ୍ଷୟ ମହାନ୍ତିଙ୍କ ନିଜ ଘରୁ ତାଙ୍କ ଉଚ୍ଚତାର ଲୋକ ବାହାରିପାରିଲେନି । ଯାହା କିଛି ଲୋକଙ୍କର ଥାଏ ।
ଅବଶ୍ୟ ସେମାନେ ସଙ୍ଗୀତ ବୁଝନ୍ତି । ଅବଶ୍ୟ ଅନେକ କ୍ଷେତ୍ରରେ ସେଭଳି ହୁଏ । ଏଥିରେ ସେମାନଙ୍କର କାହାର ଦୋଷ ନାହିଁ । ଯେମିତି ମୁଁ ଗୋପାଳ ଛୋଟରାୟଙ୍କ ପୁଅ ହୋଇଥିଲେ ବି ସର୍ଜନାକୁ ଦେଖିଲେ ତାଙ୍କର ସାମାନ୍ୟ ଅଂଶ ବି ହୋଇପାରିବିନାହିଁ । ମୋ ବାପା ୧୧ କି ୧୨ ହଜାର ପୃଷ୍ଠା ଲେଖିଛନ୍ତି । ମୋର ଗ୍ରନ୍ଥାବଳୀ କଲେ ୪ ଶହ ପୃଷ୍ଠା ହେବ କି ନାହିଁ ସନ୍ଦେହ । ତା’ରି ଉପରେ ପୁଣି ଲୋକଙ୍କର ପଠନୀୟତା ଓ ଗ୍ରହଣଶୀଳତା ମୋର କାହିଁ ? କବିତା ଭଲପାଉଥିବା ଲୋକଟିଏ, ଅକ୍ଷୟ ମହାନ୍ତିଙ୍କ ଭଳି, ମୋ ଲେଖାକୁ କେତେବେଳେ ଗୁଣୁଗୁଣେଇ ପାରନ୍ତି । ହେଲେ ମୁଁ କୋଉ ‘ଶ୍ରୀମତୀ ସମାର୍ଜନୀ’ ଭଳି ‘ଏପଟେ ଦଶ୍, ସେପଟେ ଦଶ୍’ ଭଳି ଧାଡ଼ିଟିଏ ଲେଖିପାରିଲି? ଏ ଗୀତକୁ ଲୋକେ କେମିତି ପାଗଳ ଭଳି ଶୁଣନ୍ତି, ମୁଁ ଜାଣେ ।
ମୋର ସେ ଦକ୍ଷତା କାହିଁ କି ? ମୁଁ କେବଳ ଟିକେ ସେହି ଛାଇ ତଳେ ଚାଲିଯାଉଛି । ଏବେ ମୂଳକଥାକୁ ଆସିବା, ବର୍ତ୍ତମାନର ଓଡ଼ିଆ ଗୀତ କଥା । ମୁଁ ଏ ବିଷୟରେ ବର୍ତ୍ତମାନ ଅଜ୍ଞ କହିଲେ ଚଳେ ।

ଆପଣ ନିଜକୁ କଟକବାଲା ବୋଲି କହନ୍ତି । ସେଇଟା କ’ଣ ?

ଆମେ କଟକିଆ ମଜାରେ ତିନିଟା କଥା କହୁ । କଟକରେ ରହୁଥିବା ଲୋକ କଟକୀ ନୁହେଁ, କଟକରେ ନରହି ମଧ୍ୟ ଜଣେ କଟକୀ ହୋଇପାରିବେ । ପ୍ରଥମ, ଯଦି ତମେ ଡେରି ପର୍ଯ୍ୟନ୍ତ ଶୋଉଥିବ । ଦ୍ୱିତୀୟ, ଯଦି ତମର କୌଣସି ଉଚ୍ଚାଭିଳାଷ ନଥିବ । ତୃତୀୟ, ତମେ ଏକ ନିର୍ଦ୍ଦିଷ୍ଟ ଭାଷା କହିବ । ସେଇଟାକୁ ଆମେ ଖୋଲ୍ଟି ଭାଷା ବୋଲି କହୁ । ସମ୍ବଲପୁରୀ ଭଳି ପ୍ରତି ଶବ୍ଦରେ ହଳନ୍ତ ବ୍ୟବହାର ହୁଏ । ଯାହା ଯେମିତି ଭାଷା କହିଲେ ବି ମନ ଭିତରେ କିଛି ନଥାଏ।

ସେହି କଟକୀ ଭାଷା ତ ଆପଣଙ୍କ ଗୀତରେ ନଥାଏ ?

ମୁଁ ମୋ ଗୀତରେ ସେ ଭାଷା ବ୍ୟବହାର କରିନାହିଁ । ମୁଁ ସାଧାରଣତଃ ଗୀତ ଲେଖିଲେ ମୋ ବୋଉର ଭାଷା ବ୍ୟବହାର କରେ । କଟକୀ ଭାଷା କେଉଁଠି କେଉଁଠି ଶୀର୍ଷାନନ୍ଦ ଦାସ କାନୁନ୍ଗୋ ବ୍ୟବହାର କରିଛନ୍ତି ।

ହେଲେ ‘ସ୍ମୃତିର ଦୋକାନେ ହସର ବଜାରେ’ ଗୀତର ଭାଷା ତ ବୋଉଙ୍କ ଭାଷା ହୋଇନଥିବ?

ସେଇଟା ଅକ୍ଷୟ ଭାଇଙ୍କ ୱିଟ୍ ଆଉ ଚାଲାକି । ଅକ୍ଷୟ ଭାଇଙ୍କ ତୀକ୍ଷ୍ଣ ବୁଦ୍ଧି । ଗୋଟେ ଦୁଇଟା ଗୀତରେ ମୁଁ ସେହି ଭାଷା ବ୍ୟବହାର କରିଛି । ଯେମିତି - ବଗିଚାର ନାଁ ତିନିକୋଣିଆ ।

କୁହାଯାଏ, ଅକ୍ଷୟ ମହାନ୍ତି ଆପଣଙ୍କୁ ଗୀତର ପ୍ରଥମ ଧାଡ଼ି ଲେଖିଦିଅନ୍ତି, ତାକୁ ପୂରା କରନ୍ତି ଆପଣ ? ତା’ର ରହସ୍ୟଟି କ’ଣ ?

ଗୀତର ନିଜ ନିଜ ଭାଗ୍ୟ ଥାଏ । ଏକଥା ମୁଁ କେଉଁଠି ଗୋଟେ ଲେଖିଥିଲି - କବିତାର ରକ୍ତମାଂସ । ସେହିପରି ‘ଗୀତର ନିଜ ନିଜ ଭାଗ୍ୟ’ ଲେଖା ବି ଲେଖିଥିଲି ଥରେ । ସବୁ ମଣିଷ ପରି ସବୁ ଗୀତର ଭାଗ୍ୟ ଥାଏ । ମୋର ପ୍ରାୟ ୫୦ ପ୍ରତିଶତ ଗୀତ ଜନ୍ମ ହୋଇପାରିନାହାନ୍ତି । ଯେମିତି - ଜ୍ୟୋତ୍ସ୍ନା ଆଣେ ପ୍ରଜାପତି, ବଂଶୀ ଆଣେ ମାୟା । ଏ ଗୀତ ସବୁଠୁ ଅଲଗା ହୋଇଥିଲା । ଏ ଗୀତ ଦେଖି ଅକ୍ଷୟ ଭାଇ ବି ତାଜୁବ୍ ହୋଇଥିଲେ ।

ସେ ସମୟର ଶ୍ରୋତା ‘ଜ୍ୟୋତ୍ସ୍ନା ଆଣେ ପ୍ରଜାପତି, ବଂଶୀ ଆଣେ ମାୟା’ ବୁଝୁଥିଲେ । ହେଲେ ଗୀତକୁ ଯଦି ଏବେ ଆପଣ ଲେଖିଥା’ନ୍ତେ, ଆଜିର ଶ୍ରୋତା କ’ଣ ଏତେ ଶୁଣିଥା’ନ୍ତେ ?

ଏବେ ଯେମିତି ଗୀତ ଚାଲିଛି, ମୋତେ ଲାଗୁନି । ତେବେ ସବୁ ଶବ୍ଦକୁ ବ୍ୟବହାର କରି ଗୀତ କରିହେବ, ଚାଲୁ ଶବ୍ଦ ବି । ହେଲେ ତା’ର ଗୋଟେ ସୌନ୍ଦର୍ଯ୍ୟ ରହିବା ଦରକାର ।

ଆଜିକାଲି ଆପଣ ଆଉ ଫିଲ୍ମ ପାଇଁ ଗୀତ ଦେଉନାହାନ୍ତି ?

ଦେଉଛି । ମାଗିଲେ ଦେଉଛି । ଆଜିକାଲି ଲୋକେ ମୋ ପାଖକୁ ଆସୁଛନ୍ତି ପ୍ରାୟ କୌଣସି ଫିଲ୍ମର ଶୀର୍ଷକ ବା ଟାଇଟଲ୍ ଗୀତ ଲେଖିବାକୁ । ଏହା ଜଟିଳ । । ଆଗରୁ ଅକ୍ଷୟ ଭାଇ ପ୍ରାୟ ଏହି ଗୀତ ଲେଖୁଥିଲେ । ସେ ଚାଲିଗଲା ପରେ ମୋ ପାଖକୁ ଆସୁଛନ୍ତି । ଯେଉଁ ଗୀତରେ ସାହିତ୍ୟିକତା ଥାଏ, ସେହି ଗୀତକୁ ଲୋକେ ନିଶ୍ଚୟ ଖୋଜିବେ ।

ଆପଣ ଫିଲ୍ମର ସଙ୍ଗୀତ ହେଲା ବେଳକୁ ସେସନକୁ ଆସନ୍ତି ନାହିଁ, ଗୀତ ଲେଖି ଦେଇଦିଅନ୍ତି ?

ସମୟ ନଥାଏ । ଅକ୍ଷୟ ଭାଇ ଥିଲା ବେଳକୁ ଆସୁଥିଲି, ବସୁଥିଲି । ହେଲେ ଚାକିରି କଲାପରେ ଆଉ ଏତେ ସମୟ ହେଲା ନାହିଁ । କେବଳ ଥରେ ‘ବିଶ୍ୱପ୍ରକାଶ’ ଫିଲ୍ମ ହେଲା ବେଳକୁ ୧୦ ଦିନ ଛୁଟିରେ ଆସିପାରିଥିଲି ଦିଲ୍ଲୀରୁ । ସେହିପରି ମୁଁ କେବେ ବସିକି କିମ୍ବା କାହା ସାଙ୍ଗରେ ବସି ଲେଖିପାରେନି । ମୁଁ ବିଶ୍ୱାସ କରେ, ଜଣେ ଲୋକ ଦୁଇଟା କାମ ଏକୁଟିଆ କରିପାରିବ - ଲେଖିବ ଏକୁଟିଆ, ମରିବ ଏକୁଟିଆ । ଏଥିପାଇଁ ସାଙ୍ଗ ନାହିଁ । ୧୨ ମିନିଟ ଅଧଘଣ୍ଟା ଭିତରେ ବି ଅକ୍ଷୟ ମହାନ୍ତି ମୋ ଠାରୁ ଗୀତ ନେଇଛନ୍ତି । ହେଲେ ସେହି ସମୟ ମୁଁ ଏକୁଟିଆ ହୋଇଯାଇଛି । ତାଙ୍କ ପାଖରେ ବସି ଲେଖିନି । ଅଧିକାଂଶ ଗୀତ ମୁଁ ଲେଖିସାରିଥାଏ । ମୁଣ୍ଡ ଭିତରେ ତାହା ଚାଲିଥାଏ । କେବଳ କଲମ କାଗଜକୁ ଅପେକ୍ଷା ଥାଏ ।

ଆପଣଙ୍କ ପ୍ରିୟ ବହି, ଯାହା ଆପଣଙ୍କୁ ପ୍ରଭାବିତ କରିଛି ?

ଦସ୍ତୋଭସ୍କିଙ୍କ ‘କ୍ରାଇମ୍ ଆଣ୍ଡ ପନିସମେଣ୍ଟ୍’ । ଏହାକୁ ୩ ଥର ପଢ଼ିଛି । ହେଲେ ଯେତେଥର ପଢ଼ିଛି, ସେତେଥର ସେହିଭଳି ମୋ ଜୀବନ ବଦଳିଯାଇଛି । ଏବେ ତାକୁ ଡରିକି ଆଉ ପଢୁନି । ଏହାକୁ ନେଇ ମୋର ଯେମିତି ଅନ୍ଧବିଶ୍ୱାସ ରହିଛି । ତିନି ଥର ପଢ଼ି ୩ ଥର ମୋ ଜୀବନ ଅଲଗା ଅଲଗା ହୋଇଯାଇଛି । ବିଶେଷକରି ମୋ ବ୍ୟକ୍ତିଗତ ଜୀବନ । ରେଭେନ୍ସାରେ ପଢ଼ିଲା ବେଳେ ଏହାକୁ ପଢ଼ିଥିଲି । କାରଣ ରେଭେନ୍ସା ଥିଲା ମୋ ରେନେସାଁ।