ଚିତ୍ର ସୌଜନ୍ୟ: ହୃଷୀକେଶ ମଲ୍ଲିକ

ହୃଷୀକେଶ ମଲ୍ଲିକ ଗତ ସପ୍ତାହରେ ଓଡିଶା ସାହିତ୍ୟ ଏକାଡ଼େମୀର ସଭାପତି ପଦଭାର ଗ୍ରହଣ କରିଛନ୍ତି । ସରକାରୀ ଏକାଡ଼େମୀର ଦାୟିତ୍ଵ ତୁଳନାରେ ତାଙ୍କ ଲାଗି ସବୁଠୁ ବଡ ଦାୟିତ୍ଵ ହେଉଛି ସେ ଜଣେ ଅଙ୍ଗୀକାରବଦ୍ଧ କବି । ଅନେକ ସମୟରେ ସିଧା ଓ ସ୍ପଷ୍ଟ କଥା କହୁଥିବା ଏହି କବିଙ୍କ ଲାଗି କେମିତି ହେବ ଆଗାମୀ ସମୟର ନକ୍ସା, ସେ ଏକ ପ୍ରଶ୍ନବାଚୀ । ତେବେ ଓଡିଶା ସାହିତ୍ୟ ଏକାଡ଼େମୀର ନୂଆ ସଭାପତିଙ୍କୁ ଅଭିନନ୍ଦନ ଜଣାଇ ଆମେ କବି ହୃଷୀକେଶ ମଲ୍ଲିକଙ୍କୁ କେତୋଟି ପ୍ରଶ୍ନ ପଚାରୁଛୁ ।

ଓଡିଶା ସାହିତ୍ୟ ଏକାଡ଼େମୀର ସଭାପତି ଭାବେ ଦାୟିତ୍ଵ ନେବା ପରେ ଆପଣଙ୍କର ପ୍ରତିକ୍ରିୟା କଣ ରହିବ ?

ମୁଁ ସାହିତ୍ୟ ଏକାଡ଼େମୀର ସଭାପତି ହୁଏ କି ନ ହୁଏ, ମୁଁ ସବୁବେଳେ ଜଣେ କବି ଓ କବି ଭାବରେ ମୁଁ ଯେମିତି ଥିଲି ସେମିତି ରହିବି । ଏକାଡେମୀ ଦାୟିତ୍ଵ ନେଲା ପରେ କିଛି ଯୋଜନା ମନ ଭିତରେ ରହିଛି । ସେଥିରୁ ପ୍ରଥମଟି ହେଉଛି, ଏକାଡେମୀ ପୁରସ୍କାରର ନିୟମିତିକରଣ । ଗତ ପାଞ୍ଚବର୍ଷର ପୁରସ୍କାର ବାକି ପଡିଛି । ତାକୁ ତୁରନ୍ତ ପ୍ରଦାନ କରି ଯେଉଁ ବର୍ଷର ପୁରସ୍କାର ସେହି ବର୍ଷ ପ୍ରଦାନ କରିବାକୁ ମୁଁ ଉଦ୍ୟମ କରିବି ।

"ଧାନ ସାଉଁଟା ଝିଅ’'ର କବି ଭାବରେ ଆପଣ ଆଜି ବି ପରିଚିତ । “ଜେଜେ ଦେଖିନଥିବା ଭାରତ” ରୁ "ଧାନ ସାଉଁଟା ଝିଅ"ର ଚେହେରା କେମିତି ଦିଶୁଛି ?

ସ୍ମୃତିରେ ଖୁବ୍ ଦୂରରୁ ମୋତେ ଯେମିତି ଦିଶେ ମୋ' ବୋଉ ।

"ଉଜୁଡ଼ା କ୍ଷେତର ଗୀତ" ଲେଖିଲା ବେଳେ ଆମେ ଏମିତି ଜଣେ କବିଙ୍କୁ ଦେଖିଥିଲୁ ଯିଏ ଓଡ଼ିଶା ମାଟିର ବାସ୍ନା ଓ ତାର କାରୁଣ୍ୟକୁ କବିତାରେ ଭୋଗି ଚାଲିଛନ୍ତି । ଯେଉଁ କବିତା ବେଶୀ ବେଶୀ ସମାଜମନସ୍କ ଥିଲା ସେ କବିତା ପରବର୍ତ୍ତୀ ସମୟରେ ଅଧିକ ବ୍ୟକ୍ତିଗତ ହେଲା କାହିଁକି ?

ହେଉଛି କି ? ଯଦି ହୋଇଥାଏ, ତେବେ ତାହା ସମାଜକୁ ଦେଖିବାର ଏକ ହତଭମ୍ବ ସ୍ଥିତି । ଗୋଟିଏ ଅତି ମର୍ମାନ୍ତିକ ଘଟଣାକୁ ଦେଖି ଶୋଇବା ଘରେ କବାଟ ବନ୍ଦ କରି କାନ୍ଦିବା ସାମାଜିକ ନା ବ୍ୟକ୍ତିଗତ ? "ପ୍ରାଣୀଙ୍କ ଆଖି" ସହିବାର ସୀମା ଅତିକ୍ରମ କଲେ ନିଜ ଛଡ଼ା ଆଉ ପାଖରେ କିଏ ଥାଏ କଥା ହେବାକୁ ! ବଡ଼ ପାଟିରେ କହିବାକୁ ଯଦି କବିତାରେ "ସମାଜମନସ୍କତା" କୁହାଯାଏ, ତେବେ ମୁଁ ନାଚାର ।

ଓଡ଼ିଶାର ଗ୍ରାମୀଣ ଭାଷା ଓ ଅନେକ ଅପ୍ରଚଳିତ ଶବ୍ଦ ନୂଆ କଳେବର ନେଇ ଆପଣଙ୍କ କବିତାରେ ଆସିଛି । ଏହା ଏକ ସଚେତନ କାବ୍ୟ ପ୍ରୟାସ କି ?

କବିତା ପାଇଁ ଶବ୍ଦ ଯୋଗାଡ଼ କରିବାରେ ମୁଁ କେବେ ବି ସମୟ ଖର୍ଚ୍ଚ କରିନାହିଁ । କଥାଟିଏ ଭାବି ଦେଲେ, ଶବ୍ଦମାନେ ମନକୁ ମନ ଛୁଟି ଆସି କବିତାର ପାଲିଙ୍କି ଟେକି ଦିଅନ୍ତି କାନ୍ଧକୁ । ମୁଁ କେବଳ ଛତା ବାଡ଼ି ଧରି ପଛେ ପଛେ ଚାଲୁଥାଏ ।

ଆପଣ ଗୋଟେ ସମୟରେ ଉତ୍ତର ଆଧୁନିକତାକୁ ନେଇ ବେଶ୍ ଚର୍ଚ୍ଚା କରିଛନ୍ତି । ଆଧୁନିକତାର ସବୁ ଗୁଣକୁ ଏଯାଏ ସମାହିତ କରି ନଥିବା ଆମ କବିତା ଉତ୍ତର ଆଧୁନିକ ହେଲା କେବେ ଓ କେମିତି ?

ଆମ କବିତା "ଆଧୁନିକ" ହେଲା କେବେ ଓ କେମିତି - ମୋତେ ଆଗ କୁହନ୍ତୁ । ପ୍ରତି ଯୁଗରେ ବା କାଳଖଣ୍ଡରେ କବିତାରେ କୌଣସି ନା କୌଣସି ପ୍ରକାରର ନୁତନତା ଆସିଥାଏ । ଏହିପରି ଏକ ବିଶେଷ ଧରଣର ନୂତନତାକୁ "ଆଧୁନିକ" କୁହାଗଲା, କବିତା ବା ସାହିତ୍ୟରେ । ଏହା ମୂଳତଃ ଏକ ପାଶ୍ଚାତ୍ୟ ଧାରଣା । ଏଲିୟଟ୍ ଓ ଏଜରା ପାଉଣ୍ଡ୍ ବିଶ୍ୱପ୍ରସିଦ୍ଧ ଆଧୁନିକ କବି । ଏମାନଙ୍କ କବିତାରେ ଯେଉଁ ପରିଚ୍ଛନ୍ନତା ଆମ ତଥାକଥିତ ଓଡ଼ିଆ ଆଧୁନିକ କବିତାରେ କାହିଁ ? ଏହି କିମ୍ଭୂତକିମାକାର "ଓଡ଼ିଆ ଆଧୁନିକ" ପାଠକ ପଟିଆ (Pro- Reader) ହେବାରେ ବିଫଳ ହେବାକୁ ଯେଉଁ ଭିନ୍ନ ନୂତନତା (ଭାଷା ଓ ଭାବ) ରେ ଓଡ଼ିଆ କବିତାକୁ ଆସିଲା, ତାକୁ ମୁଁ "ଉତ୍ତର ଆଧୁନିକ" ବୋଲି ଚିହ୍ନିତ କରିଛି । ଏହା ପାଶ୍ଚାତ୍ୟର Post - Modernism ନୁହେଁ Post - Modernism ର କିଛି ଲକ୍ଷଣକୁ ବହନ କରୁଥିବା ସତ୍ତ୍ୱେ । ଭାରତର ଅନ୍ୟ ଆଞ୍ଚଳିକ ଭାଷାର ସମାଲୋଚକ ଓ କବିମାନେ ୧୯୭୫ ପରବର୍ତ୍ତୀ କବିତାର ଧାରାକୁ "ଉତ୍ତର-ଆଧୁନିକତା" କହିଛନ୍ତି । ଆମେ କହିଲେ କ୍ଷତି କ'ଣ ? ତା' ଛଡ଼ା "ଆଧୁନିକତା" ର ଗୁଣ ସବୁ କେଉଁ ପଣ୍ଡିତେ ଧାର୍ଯ୍ୟ କରିଥିଲେ ଯେ ତା'ର ସବୁ ଗୁଣକୁ ଆପଣେଇବାରେ କବିତା ତା'ର ଅସଲ ଅଭୀପ୍‌ସାକୁ ପଣ କରିବ ?

"ଜୀବନନାମା" ମୋର ଅନ୍ୟତମ ପ୍ରିୟ କବିତା ବହି । ଏଥିରେ ଆପଣ ଜୀବନକୁ ଭିନ୍ନ ଭିନ୍ନ ରୂପରେ ଓ ପୃଷ୍ଠଭୂମିରେ ଦେଖିଛନ୍ତି । ସେ ବିଷୟରେ ଟିକେ ବିସ୍ତାରିତ କରି କହିବେ କି ?

"ଜୀବନନାମା"ରେ ଜୀବନକୁ ଦେଖିବାର ଏକ "ଅବଧୂତ ତରିକା" କୁ ମୁଁ ଆପଣାଇଛି । ବାଟ ଚାଲୁଚାଲୁ ଜୀବନ ଯେଉଁଠି, ଯେପରି ମୋତେ ଦିଶିଛି, ତା ପାଲଟିଛି କବିତା । "ଜୀବନ" ନାମକ ଏକ ଦୀର୍ଘ, ନିଚ୍ଛାଟିଆ ପଥକୁ ଏକା ଏକା ଅତିକ୍ରମ କରିବା ମଣିଷ ପାଇଁ କମ୍ ବଡ଼ ଆହ୍ୱାନ ନୁହେଁ । ଏହି ଆହ୍ୱାନକୁ ସେ କିପରି ସାମ୍ନା କରୁଛି, କରିପାରୁଛି କି ନାହିଁ ତା'ର ଦୃଶ୍ୟଚିତ୍ର ଓ ଧ୍ୱନି -ପଂଜିକା ହେଉଛି "ଜୀବନନାମା" । ଏହା ଯଦି କାହାକୁ ଭଲ ଲାଗିଛି, ମୁଁ କୃତାର୍ଥ ।

"ବସୁଷେଣ" ଲେଖିବା ପଛରେ ମିଥ୍ ପ୍ରତି ଓଡ଼ିଆ କବିତାରେ ଯେଉଁ ପାରମ୍ପରିକ ମୋହ, ସେଇଟା ଆକ୍ରାନ୍ତ କରିଥିଲା କି ? ୟା' ପୂର୍ବରୁ ଆପଣ କବିତାରେ ସାଧାରଣ ମଣିଷକୁ ନାୟକ/ନାୟିକା କରି ଲେଖି ଆସୁଥିବାବେଳେ ହଠାତ୍ ଏ ମିଥ୍ ମୋହ କାହିଁକି ?

କର୍ଣ୍ଣଙ୍କଠୁ ବଳି ଅଧିକ ସାଧାରଣ ମଣିଷ କାହାନ୍ତି ଯେ । "ମିଥ୍‌" ହେଉଛି ସାହିତ୍ୟର ଏକ ବୃହତ୍ତମ ମାର୍ଗ, ଯାହା ଦେଇ "ଦ୍ରଷ୍ଟା-କବିମାନେ ଜୀବନ ଓ ସମୟର ସର୍ବକାଳୀନ ସଭ୍ୟକୁ ତୃଣମୂଳ ପାଠିକାପାଠକଙ୍କ ପାଖରେ ପହଞ୍ଚାଇଛନ୍ତି । ତା'ଛଡ଼ା "ବସୁଷେଣ" ରେ ମୁଁ ମିଥ୍‌' ଦେଇ ମି୍‌ଥ୍‌କୁ ଭାଙ୍ଗିଛି । କାଳକାଳର ବଂଚିତ ମାନେ (ସବୁ ସାମର୍ଥ୍ୟ ସତ୍ତ୍ୱେ) "କର୍ଣ୍ଣ"ଙ୍କ ମୁଖା ପିନ୍ଧା ଦପ୍‌ଦପୀ ଆଲୁଅରେ ଦିଶିଯାଇ ପୁଣି ଲିଭିଯାଇଛନ୍ତି । ତମେ ନିରୋଳାରେ ଚାହିଁ, କର୍ଣ୍ଣଙ୍କ ଚିତା ପାଖରେ ନିଶାର୍ଦ୍ଧରେ ଏକା ଏକା ଠିଆ ହୋଇଥିବା ଲୁହ ଛଳଛଳ ଦ୍ରୌପଦୀଙ୍କ ଭିତରେ "ଧୂପ" (ମାନସିଂହ ରଚିତ) ର ନାୟିକାଙ୍କୁ ଦେଖି ପାରିବ ।

କର୍ଣ୍ଣ ଆପଣଙ୍କ ଦୃଷ୍ଟିରୁ ଏତେ ଲୋକାୟତ କାହିଁକି ? ମନେ ଥିବ, ଜଣେ ବିଶିଷ୍ଟ କବି ଆପଣ କର୍ଣ୍ଣ ଚରିତ୍ରରେ କ୍ଲାସିକ୍ ଅବଧାରଣା କ୍ଷୁଣ୍ଣ କରିଛନ୍ତି ବୋଲି ତୀବ୍ର ସମାଲୋଚନା କରିଥିଲେ । ମିଥ୍‌ର ଚରିତ୍ର ଲୋକ ହେବା କେତେ ଦୂର ଗ୍ରହଣୀୟ ?

ସ୍ୱଘୋଷିତ ସେଇ ବିଶିଷ୍ଟ କବି ମୂଳ ସଂସ୍କୃତ ମହାଭାରତ କି ଭାରତବର୍ଷର ପ୍ରାନ୍ତୀୟ ଭାଷାରେ ଲିଖିତ କୌଣସି ମହାଭାରତ ପଢ଼ିଛନ୍ତି ବୋଲି ମନେହୁଏନା । ଅବିଳମ୍ବେ ସାରଳାଙ୍କ "ମହାଭାରତ" ଓ ବୈଷ୍ଣବ ପାଣିଙ୍କ "କର୍ଣ୍ଣବଧ" ସେ ପଢିଥିଲେ ସେହିପରି କହି ନଥାନ୍ତେ । "ବସୁଷେଣ" ପରି ଏକ ଦୀର୍ଘ କବିତା ବା କାବ୍ୟ ନିଜେ ଲେଖିପାରି ନ ଥିବାର ଏକ ବିଫଳତାବୋଧରୁ ପ୍ରବଳ ଈର୍ଷାପ୍ରବଣ ହୋଇ ସେ ସେକଥା କହିଥିଲେ । ନିଜର ଅଜ୍ଞତା ଓ ମୂଢତାକୁ ଅଧିକ ବାଟ ଆଗେଇ ନେଇ ସେ ଯେଉଁ ହାସ୍ୟାସ୍ପଦ କଥାଟି ସେଦିନ କରିଥିଲେ, ତାହା ହେଲା "ମହାଭାରତ" ରେ କର୍ଣ୍ଣ ଏକ ଅନାବଶ୍ୟକ ଚରିତ୍ର । କର୍ଣ୍ଣ ନଥିଲେ "ମହାଭାରତ"ର କୌଣସି କ୍ଷତି ହୋଇନଥାନ୍ତା । ସର୍କସର "ଜୋକର୍‌" ଓ ପାଲାରେ ଶ୍ରୀପାଳିଆଙ୍କ କଥା ଓ ଆଚରଣ ଦର୍ଶକ ଓ ଶ୍ରୋତାଙ୍କ ମନରେ ଉଷ୍ମତା ଆଣିଥାଏ ସତ, କିନ୍ତୁ ତାହାକୁ କେହି ଗୁରୁତ୍ୱ ଦେଇନଥାନ୍ତି । ଯେଉଁ ବିଶିଷ୍ଟ କବିଙ୍କ କଥା ତମେ ନାଁ ନ ଦେଇ କହୁଚ, ସେ ଓଡ଼ିଆ କବିତାରେ ଜଣେ ଦୃଶ୍ୟମାନ "ଜୋକର୍‌" । ମତଲବୀ "ବିଦୂଷକ" । ତେବେ "ବସୁଷେଣ"ର ଲୋକପ୍ରିୟତା ତାଙ୍କ ଇଚ୍ଛାକୃତ ସମାଲୋଚନା ଦ୍ୱାରା ଆଶାତିରିକ୍ତ ଭାବେ ବଢି ଥିବାରୁ ତାଙ୍କଠାରେ ମୁଁ କୃତଜ୍ଞ ।

କବିତା ଓ ସମାଲୋଚନା, ସମ୍ପାଦନା ଓ ସଂଗଠନ - ସାହିତ୍ୟର ବହୁ କ୍ଷେତ୍ରରେ ଆପଣ କାମ କରିଛନ୍ତି । ତେବେ ମୂଳତଃ ଆପଣ କବି, ଏହି କବି ପରିଚୟଟି ଆପଣ ଲେଖିଥିବା ସମାଲୋଚନାର ବଳୟକୁ ଟିକେ ମେଘାଚ୍ଛନ୍ନ କରି ଦିଏ କି ?

ସମାଲୋଚକ ଯଦି ପ୍ରାଣତଃ କବି ନୁହେଁ, ତେବେ ତା'ର ସମାଲୋଚନା ପ୍ରାମାଣିକ ହୋଇପାରେ କ୍ୱଚିତ୍ । "କବିତା" ମୋ ସମାଲୋଚନା ଦୃଷ୍ଟିକୁ ବିନୀତ ଓ ବିବେକୀ କରିଛି ।

ଓଡ଼ିଆ କବିତାର ନୂଆ ଧାରା ଓ ନୂଆ ପିଢି ବିଷୟରେ ଆପଣ କ'ଣ ଭାବୁଛନ୍ତି ?

ନୂଆ ପିଢିର କବିଙ୍କୁ ନେଇ ମୁଁ ଆଶାବାଦୀ । କିନ୍ତୁ ଯେଉଁ "ନୂଆ ଧାରା" କଥା ତୁମେ କହୁଚ, ତାହାର କୌଣସି ସ୍ପଷ୍ଟ ରୂପରେଖ ମୋତେ ଦିଶୁନାହିଁ । ଅଧିକାଂଶ କବି ଅନ୍ୟ ଭାଷାରେ ଲେଖାଯାଉଥିବା କବିତାର "ପ୍ରସଙ୍ଗ" ଓ "କହିବାର ଢଂଗ"କୁ ନକଲ କରୁଛନ୍ତି । ଏମାନେ ନିଜ ଭିତରର ଶକ୍ତି ଓ ଓଡ଼ିଆ ଭାଷାର ସମ୍ପାଦନାକୁ ଚିହ୍ନୁନାହାନ୍ତି । ଯେଉଁ କବିତା ଭବିଷ୍ୟତରେ ତାଙ୍କର ପରିଚୟ ହେବ ନାହିଁ, ସେହି କବିତାକୁ ନିଜର ସ୍ୱାର୍ଥ ପାଇଁ କେହି କେମିତି ଦେଖିଦେଲେ, ଛଳନା ନ ଚିହ୍ନି ତାଙ୍କୁ "ଗୁରୁ" କରି ବସୁଛନ୍ତି । ତେବେ, ଏପରି ଅପରିପକ୍ୱତାରୁ ନୂଆ ପିଢିର ସାମର୍ଥ୍ୟବାନ୍ କବିମାନେ ଖୁବ୍ ଶୀଘ୍ର ଅପସରି ଆସିବେ ଓ ନିଜ ଆତ୍ମଶକ୍ତିରେ ମଜବୁତ୍ କବିତା ଲେଖିବେ - ଏ ବିଶ୍ୱାସ ମୋର ରହିଛି ।

ହୃଷୀକେଶ ମଲ୍ଲିକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇ ନାହାନ୍ତି ବୋଲି କେବେ ବିଷଣ୍ଣ ହୋଇଛନ୍ତି କି ?

"କେନ୍ଦ୍ର ସାହିତ୍ୟ ଏକାଡ଼େମୀ" ପୁରସ୍କାର ଏବେ କିଛି କାପାଳିକଙ୍କ ହାତରେ ପଡ଼ିଛି । ମତଲବୀ ଲୋକେ "ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀ" ର ଆବାହକ ଥିବା ଯାଏ ଜଣେ ସତ୍‌ଲେଖକ ଏ ପୁରସ୍କାର ଆଶା କରିବ କାହିଁକି ଯେ ନ ମିଳିବା ନେଇ ବିଷଣ୍ଣ ହେବ ! ଆଗ କାଙ୍ଗାଳୀ ଭୋଜନ ସରୁ !

ଆଜି ଯଦି ଆଉ ଥରେ ଆପଣ "ଧାନ ସାଉଁଟା ଝିଅ" ଲେଖନ୍ତେ ତାର ଚେହେରା, ଚରିତ୍ର ଓ ଭାଷା କେମିତି ହୁଅନ୍ତା ?

କହିପାରିବି ନାହିଁ ।

କ୍ରମଶଃ ଆମ କବିତାରୁ ଗାଁ ଓ କୃଷି ସଭ୍ୟତା ବିଲୋପ ହୋଇଯାଉଛି । କବିତାରେ କେବଳ ମଧ୍ୟବିତ୍ତ ସହରୀ ମଣିଷର କୋଳାହଳ । ସେପଟେ ଉଜୁଡ଼ା କ୍ଷେତରେ ଚାଷୀ ଆତ୍ମହତ୍ୟା କରୁଛି । ଏମିତି ବେଳରେ କବିର ଦାୟିତ୍ୱ କ'ଣ ?

ଅସହାୟ ମଣିଷ କାନ୍ଧରେ ହାତ ରଖିବା । ନିଜ କାନ୍ଧ ଗାମୁଛା ବା ରୁମାଲ୍‌ରେ ତା' ଆଖିରେ ଗଡ଼ି ଆସୁଥିବା ଲୁହ ପୋଛିବା । ନାଚାର ଓ ଦୀର୍ଘଶ୍ୱାସକୁ ଅକ୍ଷର କରିଦେବା ।

ଆପଣ ନିରନ୍ତର ପ୍ରେମର ଥାଆନ୍ତି, ଅଥଚ ପ୍ରେମ କବିତା ଲେଖିବାରେ ଟିକେ କରଛଡ଼ା ଦିଅନ୍ତି କାହିଁକି ?

ଏକାନ୍ତ ବ୍ୟକ୍ତିଗତ ଅନୁଭୂତିକୁ କାହିଁକି ମୁଁ ସାର୍ବଜନୀନ କରିବି ! ବାସର ରାତିର ଅନୁଭୂତି ହୁଏତ କାହାକାହା ଆଗରେ କହିହୁଏ, କିନ୍ତୁ ସର୍ବସାଧାରଣରେ କଦାପି ନୁହେଁ । କିଛି ଅନୁଭୂତିକୁ କବି ତା' କବିତାରେ ନିଃଶେଷ ନ କରି ସାଇତି ରଖିବା ଉଚିତ୍‌, ଯାହାକୁ ଛାତିରେ ଜାକି ପରମ ଆହ୍ଲାଦରେ ସେ ମଶାଣିକୁ ଯାଇପାରିବ । "ପ୍ରେମ" ଛଡ଼ା କ'ଣ ହେଇପାରେ ସେ ଦୁର୍ଲ୍ଲଭ ଅନୁଭୂତି ?