କଥାଶିଳ୍ପୀ ଓ ସିନେ ନିର୍ମାତା ବିୟତପ୍ରଜ୍ଞା ତ୍ରିପାଠୀ

ଓଡ଼ିଆ କଥା ସାହିତ୍ୟ ଓ ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର କ୍ଷେତ୍ରରେ ଜଣେ ବ୍ୟତିକ୍ରମୀ ବ୍ୟକ୍ତିତ୍ବ ହେଉଛନ୍ତି ବିୟତପ୍ରଜ୍ଞା ତ୍ରିପାଠୀ । ଖୁବ୍ କମ୍ ଲେଖୁଥିଲେ ବି ତାଙ୍କ କୃତି ପାଇଁ ସେ ବହୁ ପାଠକଙ୍କ ପ୍ରିୟ କଥାକାର ହୋଇଥିବାବେଳେ ବହୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରି ସେ ଦେଶବିଦେଶରେ ପରିଚିତି ହାସଲ କରିଛନ୍ତି । ଡକ୍ୟୁମେଣ୍ଟାରୀ ପ୍ରଯୋଜନା ତଥା ନିର୍ଦ୍ଦେଶନା ଲାଗି ସେ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି କଡ଼ାପାନ ଓ କ୍ଲିଓପାଟ୍ରା (ଗଳ୍ପ ସଙ୍କଳନ), ମୁଖ୍ୟମନ୍ତ୍ରୀ (ଉପନ୍ୟାସ), ସିଗାରେଟ୍ ଓ ସିନେମା (ଗଳ୍ପ ସଙ୍କଳନ), ମାୟା (ଉପନ୍ୟାସ) ଓ ବ୍ରେନ୍ ଅପରେସନ୍ (ଗଳ୍ପ ସଙ୍କଳନ) । ସେହିପରି ଲଦାଖ୍: ଦଲ୍ୟାଣ୍ଡ ଅଫ୍ ମିଷ୍ଟ୍ରୀ, ଖାମଜାମ୍ୟୋଦାଁ (ବି ହାପି), ଆର୍ୟ,ନ୍ସ ଅଫ୍ ଲଦାଖ୍, ଟ୍ରିବ୍ୟୁଟ୍ ଟୁ ହିମାଲୟା, ମହାକୁମ୍ଭ: ଏ ସ୍ପିରିଚୁଆଲ୍ ଜର୍ନି, ରନ୍ ଫର୍ ଦ ହାର୍ଟ, ଏ ଡିଫରେଣ୍ଟ ସିଭିଲାଇଜେସନ୍, ମଣିପୁର କକ୍ଟେଲ୍, ଦ ଟେଲ୍ ଅଫ୍ ଟୁ ୱାର୍ଲଡ୍ସ,, ପଥିକ ଓ ହୱା ମିଠାଇ ତାଙ୍କର କେତେକ ଉଲ୍ଲେଖନୀୟ ପ୍ରାମାଣିକ ଚଳଚ୍ଚିତ୍ର ।

ଆପଣଙ୍କ ପିଲାଦିନ କେମିତି ଥିଲା ? ସେ ସମ୍ପର୍କରେ କିଛି କୁହନ୍ତୁ ?

ମୋ ପିଲାଦିନ ଥିଲା ବେଶ୍ ରଂଗିନ । ମୁଁ ଥିଲି ସମସ୍ତଙ୍କ ଆଦରର ଛୁଆ । ଦୁଃସାହିସକ ବି ଥିଲି । କହିବାକୁ ଗଲେ ମୁଁ ସାଧାରଣ ପିଲାଙ୍କ ଭଳି ନଥିଲି । ମାଛ ଧରୁଥିଲି, ଗଛ ଚଢୁଥିଲି, ଟିକେ ବଡ଼ ହେଲା ପରେ ସାଇକେଲ୍ ବି ଚଳାଉଥିଲି, ଯାହା ସେତେବେଳେ ଲୋକଙ୍କୁ ଆଶ୍ଚର୍ଯ୍ୟ ଓ ଆକର୍ଷିତ ବି କରିୁଥିଲା । ପରେପରେ ସ୍କୁଟର୍ ବି ଚଳାଇଲି । ପହଁରୁଥିଲି, ଏପରିକି ପୁଅଙ୍କ ସହ ମିଶି କ୍ରିକେଟ ଓ ଭଲିବଲ୍ ଖେଳୁଥିଲି । ଗଛରୁ ଗଛକୁ ଡେଇଁବାକୁ ମୋତେ ଭଲଲାଗୁଥିଲା । ମୋର ଜଣେ କୋହ୍ଲ ସାଙ୍ଗ ଥିଲା ଛୋଟବେଳେ । ତାଳଗଛରୁ ଗୁଣ୍ଡୁଚି ମୂଷା ଶିକାର କରେ । ମୁଁ ତା’ଠୁ ତୀର ମାରି ଗୁଣ୍ଡୁଚି ମୂଷା ଶିକାର କୌଶଳ ଶିଖୁଥିଲି । ତା’ ସହିତ ବର୍ଛାରେ ପୋଖରୀ ବା ନାଳରୁ ମାଛ ଧରିବା ବି ସେ ମୋତେ ଶିଖାଇଥିଲା । ପାଠପଢ଼ା କଥା କହିଲେ, ମୁଁ ସ୍କୁଲ୍ ଜୀବନ ଆରମ୍ଭ କରିଥିଲି ପଞ୍ଚମ ଶ୍ରେଣୀରୁ । ମାମୁଘର ଗାଁ ମଧୁସୂଦନପୁର (ସୋର) ସ୍କୁଲରେ ନାଁ ଲେଖା ହୋଇଥିଲା । ସେତେବେଳେ ମୁଁ ବହୁତ ଦୁଷ୍ଟ ଥିଲି । ଏପରିକି ମୁଁ ଅଛି ମାନେ ଗୋଟେ ପ୍ରକାର ଆତଙ୍କ ଖେଳିଯାଉଥିଲା । କ୍ଲାସରେ ସବୁ ପୁଅ ଥିଲେ ଓ ମୁଁ ଜଣେ ହିଁ ଝିଅ ଥିଲି । ହାଇସ୍କୁଲ୍ ପଢ଼ା ଏଡ଼ତାଳ, ପୁରୀ ଓ ଭୁବନେଶ୍ୱରରେ ସରିବା ପରେ କଟକର ଶୈଳବାଳା ମହିଳା କଲେଜରେ ବି.ଏ ଓ ମଧୁସୂଦନ ଲ’ କଲେଜରେ ଏଲ୍.ଏଲ୍..ବି. ପାସ୍ କରିଥିଲି । ବି.ଏ ପରେ ମୋ ବାହାଘର ହୋଇଥିଲା । ପରେ ବାଣୀ ବିହାରରେ ଇଂରାଜୀରେ ଏମ୍.ଏ. କରିବା ପରେ ଜାମସେଦପୁର ଚାଲିଗଲି । ସେଠାକାର କୋର୍ଟରେ ମୁଁ ଥିଲି ଫୌଜଦାରୀ ଓକିଲ । ପରେ ପାରିବାରିକ ସମସ୍ୟା କାରଣରୁ ଓକିଲାତି ଛାଡ଼ିଦେଇଥିଲି ।

ଲେଖାଲେଖି ଜଗତକୁ କେବେ ଓ କେମିତି ଆସିଲେ ?

ଅନେକ ଭାବନ୍ତି ଯେ’ ମୋର ଲେଖାଲେଖି ଡେରିରେ । କିନ୍ତୁ ମୋର ଲେଖାଲେଖି ମୋର ସିନେମାଠାରୁ ଅନ୍ତତଃ କୋଡ଼ିଏ ବର୍ଷ ପୁରୁଣା । କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ପଢ଼ିଲାବେଳେ, ୧୯୮୦ ମସିହାରେ ସଚ୍ଚି ରାଉତରାୟ ତାଙ୍କ ‘ଦିଗନ୍ତ’ ପତ୍ରିକାରେ ମୋର ପ୍ରଥମ କବିତା ଛାପିଥିଲେ । ୧୯୮୧-୮୨ରୁ ପ୍ରାୟ ପାଞ୍ଚ ବର୍ଷରୁ ଅଧିକା ସମୟ ମୁଁ ‘ସୁଚରିତା’ ପତ୍ରିକାରେ ନିୟମିତ ଗପ ଲେଖୁଥିଲି । ୧୯୯୨ରେ ଶେଷଥର ଲାଗି ଏହି ପତ୍ରିକାରେ ମୋ ଲେଖା ପ୍ରକାଶ ପାଇଥିଲା । ମୁଁ ସଂସାର ଓ ସିନେମାରେ ଯଥେଷ୍ଟ ଦିନ ବ୍ୟସ୍ତ ରହିଗଲି । ୟା’ ଭିତରେ କେବେ କେମିତି ଇଂରାଜୀ ସମ୍ବାଦପତ୍ର ଲାଗି ସ୍ତମ୍ଭ ଲେଖିଛି । ମୋର କିଛି କବିତା ହିନ୍ଦୀରେ ନିଜେ ଅନୁବାଦ କରି ଜାମସେଦପୁର ରେଡିଓ ଷ୍ଟେସନରେ ପଢ଼େ । ଆଉ କିଛି ଗପ ବଙ୍ଗଳାରେ ଅନୁବାଦ କରିଛି । ଏବେ ପୁଣି ୨୦୦୫ରୁ ମୁଁ ନିୟମିତ ଓଡ଼ିଆରେ ଗପ, ଉପନ୍ୟାସ, କବିତା ଓ ସ୍ତମ୍ଭ ଲେଖୁଛି ।

ସମକାଳୀନ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଆପଣ ଜଣେ ବ୍ୟତିକ୍ରମୀ ସ୍ରଷ୍ଟା । ତେବେ ପୁରୁଷ ଚରିତ୍ର ଭିତରେ ‘କାୟା ପ୍ରବେଶ’ କରି କିଭଳି ଗପ ଲେଖନ୍ତି ? ସେ ପ୍ରକ୍ରିୟାଟି କିପରି ?

ବୌଦ୍ଧିକତାର କୌଣସି ଲିଙ୍ଗ ନାହିଁ । ଗୋଟେ ଅଙ୍କ କଷିଲା ବେଳେ, ମନସ୍ତତ୍ତ୍ୱ ବୁଝିଲା ବେଳେ, ଫିଜିକ୍ସ ପଢ଼ିଲା ବେଳେ କିମ୍ବା କୌଣସି ବୌଦ୍ଧିକ କାମ କଲାବେଳେ ସେମିତି କ’ଣ ସମ୍ଭବ କି ? ଏସବୁକୁ କ’ଣ ଜଣେ ଝିଅ ଅଲଗା ଭାବେ ବୁଝିବ ଆଉ ଗୋଟେ ପୁଅ ଅଲଗା ଭାବେ ବୁଝିବ ? ମୁଁ ଚାରିପଟେ ଘଟୁଥିବା ଘଟଣାସବୁକୁ ଠିକ୍ ଅନୁରୂପ ଭାବେ ଦେଖିବାର ଚେଷ୍ଟା କରେ । ମଣିଷକୁ, ସେ ପୁରୁଷ, ନାରୀ କିମ୍ବା ତୃତୀୟ ଲିଙ୍ଗ, ଯାହାହେଲେ ବି ତାକୁ ତା’ ନିଜ ଜାଗାରେ ବୁଝିବାକୁ ଚେଷ୍ଟା କରେ । ମୁଁ କାହାକୁ ବିଚାର କରିବାକୁ ଭଲପାଏନି । ମଣିଷର ମନ ମୋତେ ଆକର୍ଷିତ କରେ । ସ୍ତ୍ରୀଲୋକଙ୍କର ମନକୁ ବୁଝି ତାଙ୍କ ଉପରେ ଲେଖା ହୋଇଥିବା ପୃଥିବୀର ସର୍ବଶ୍ରେଷ୍ଠ କାହାଣୀ ସବୁର ଲେଖକ ପ୍ରାୟ ପୁରୁଷ । ଆଉ ମୁଁ ଯଦି ଆପଣଙ୍କ ମତରେ ପୁରୁଷ ଚରିତ୍ର ଭିତରେ କାୟା ପ୍ରବେଶ କରିପାରେ, ତେବେ ତାହା କ’ଣ ଗୋଟେ ନୂଆ କଥା କି ?

ସର୍ଜନ କଳାକୁ ନେଇ ବଡ଼ବଡ଼ କଥା କୁହାଯାଏ, ବିଶେଷଣ ଯୋଡ଼ାହୁଏ । ଆପଣ ନିଜ ଭିତରେ ଏ କଳାର ଆବିଷ୍କାର କିପରି କଲେ ? ସରଳ ଭାବରେ କହିଲେ ଆପଣ ଲେଖିପାରିବେ ବୋଲି କେମିତି ଜାଣିଲେ ?

ମୁଁ ସାନଦିନେ ଖୁବ୍ ଭଲ ରଚନା ଲେଖିପାରୁଥିଲି, ଇଂରାଜୀ ଏବଂ ଓଡ଼ିଆ ଉଭୟ ଭାଷାରେ । ସାନଦିନେ ଦସ୍ୟୁ ରତନ୍, ରବିନହୁଡ୍, ଦସ୍ୟୁନାୟିକା ମୀରା ଓ କଣ୍ଡୁରୀଚରଣ ଦାସଙ୍କର ବହି ସବୁ ପଢୁଥିଲି । ମୁଁ ଅଷ୍ଟମ ଶ୍ରେଣୀରେ ପଢ଼ିଲାବେଳେ ମୁଁ ପ୍ରଥମ ଡିଟେକ୍ଟିଭ୍ ଗପ ଲେଖିଥିଲି, ଯାହାକୁ ପଢ଼ି ମୋ ମାମା କହିଲା, ତୁ ଏ ଦସ୍ୟୁ ରତନ୍ ବହି କାହିଁକି ଉତାରୁଛୁ ? ତା’ପରେ କଲେଜରେ ପଢ଼ିଲାବେଳେ, କବିତା ଆଉ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗନେଇ ସବୁବେଳେ ପୁରସ୍କାର ପାଉଥିଲି । ହେଲେ ମୋର ଲେଖାଲେଖିର ଇଚ୍ଛା ଆଉ ଅଭ୍ୟାସକୁ ବାପା ଜମା ପସନ୍ଦ କରୁନଥିଲେ । ସେ ଭୀଷଣ ସିରିୟସ୍ ଲୋକ । ତାଙ୍କ ଲାଗି ହାଲୁକା ଲେଖାଥିଲା ପ୍ଲାଟୋ ଓ ଆରିଷ୍ଟୋଟଲ୍ । ତେଣୁ ବାହାଘର ଆଗରୁ ଯାହା ଲେଖୁଥିଲି, ସବୁ ଲୁଚେଇ ଲୁଚେଇ । ମୋ ଲେଖା ବାହାରୁଥିବା ପତ୍ରିକା ମୁଁ କେବେ ଘରକୁ ଆଣୁନଥିଲି । ମୋ ମାମା କିନ୍ତୁ ମୋର ସବୁ ଲେଖା ପ୍ରଥମେ ପଢୁଥିଲା । ବାହାଘର ପରେ ବି ପ୍ରାୟ ସେଇ ଅବସ୍ଥା । ସମୟକ୍ରମେ ସାହସ ସଞ୍ଚୟ କରି ବିନା ଦ୍ୱିଧାରେ ମୋ ବୁଝାମଣାର କଥା କହିବାକୁ ଲାଗିଲି ।

ଗପ ଲେଖିବାକୁ ନା କହିବାକୁ ପସନ୍ଦ କରନ୍ତି ?

ମୁଁ ଗପ କହିବାକୁ ଭଲପାଏ । ମୁଁ ଯାହା ଗପରେ କହେ, ସେସବୁ ମୋତେ ସ୍ପଷ୍ଟ ଦେଖାଯାଏ । ସବୁ ଚରିତ୍ର, ଘରଦ୍ୱାର, ସହର, ବଜାର ଆଉ ତାଙ୍କ ହସକାନ୍ଦ ସବୁ ମୋତେ ଜଳଜଳ ହୋଇ ଦିଶେ । ମୋ ମନରେ କ୍ୟାମେରା ଲାଗିଥିଲେ ମୁଁ ସେସବୁର ଫଟୋ ଉଠେଇ ସମସ୍ତଙ୍କୁ ଦେଖେଇଦେଇ ପାରନ୍ତି ।

ନଲେଖିଥିଲେ ଆପଣଙ୍କର କ’ଣ ହୋଇଥା’ନ୍ତା ?

ଖାଲି ଏଇଆଯେ’ ମୁଁ ବୋଧହୁଏ ଗୋଟେ ଦୋକାନ ଖୋଲିଥା’ନ୍ତି, ଯାହାର ନାଁ ହେଇଥାନ୍ତା ‘ଗୁପ ଗୁମଟି’। ଆଉ ତା’ ଭିତରେ ବସି ମୋ ମନକୁ ଆସୁଥିବା କଥାସବୁକୁ ବନେଇ ଚୁନେଇ କହି ଲୋକଙ୍କ ମନୋରଞ୍ଜନ କରୁଥା’ନ୍ତି । ନଲେଖିଥିଲେ କିଛି ହୋଇନଥା’ନ୍ତା । ପୃଥିବୀରେ ମଣିଷ ମନରେ ଥିବା ଅନେକ ସୁନ୍ଦର ଆଉ ସମ୍ବେଦନଶୀଳ କଥା ଆଜିବି ଅକୁହା, ତା’ରି ଭିତରେ ମୋର ଆଉ କିଛି ଅକୁହା କଥା ରହିଯାଇଥା’ନ୍ତା ।

ଆପଣ କ’ଣ ଲେଖିଛନ୍ତି ବା ଯାହା ଲେଖିବାକୁ ଚାହାନ୍ତି, ଯାହା ଏଯାଏ ଲେଖା ହୋଇନାହିଁ ?

ମୁଁ ଯାହା ଲେଖିବାକୁ ଚାହେଁ, ତା’ର ଦଶ ଭାଗ ଏଯାଏ ପାରିନି । ଜାଣେନି, ସେସବୁ କଥା କହିପାରିବି କି ନା! କିନ୍ତୁ କହିବାର ଅଦମ୍ୟ ଇଚ୍ଛା ରଖେ । ଯେହେତୁ ମୁଁ ଶହେ କାମ ଏକାଠି କରୁଥାଏ, ତେଣୁ ବୋଧହୁଏ ମୋର ଲେଖାଲେଖି ଟିକେ ଅବହେଳିତ ହୋଇଛି, ଟିକେ କାହିଁକି ମୁଁ ବେଶ୍ ଅବହେଳା କରିଛି । ମନରେ ଥିବା କଥା ନକହିପାରିଲେ ମନଟା ଭାରୀ ଲାଗେ । ଯେତେବେଳେ ମୋ ମନ କହିନପାରେ, ସେତେବେଳେ ମୁଁ ଲେଖେ ।

ପରୀକ୍ଷାରେ ଭଲ ମାର୍କ ପାଇବା ଓ ପାଠକପ୍ରିୟ ଭଲ ଗପଟେ ଲେଖିବା ଏକା କଥା କି?

ପ୍ରଥମ କଥା, ମୁଁ ମୋ ଜୀବନରେ କେବେ ଭଲ ମାର୍କ ପାଇନି । ପାସ୍ କରିବାକୁ ବଞ୍ଚେ । ତେଣୁ ସେ ମହାର୍ଘ ଅନୁଭୂତି ମୋର ହୋଇନାହିଁ । ଆଉ ରହିଲା ପାଠକପ୍ରିୟ ଭଲ ଗପର କଥା । ମୁଁ ମୋର ବୁଝାମଣାର କଥାକୁ ବିନା କୌଣସି ଦ୍ୱନ୍ଦ୍ୱ, ଦ୍ୱିଧା ଆଉ ଭୟରେ ସ୍ପଷ୍ଟ ଭାବେ କହିବାକୁ ଭଲପାଏ ଓ ସେହିଭଳି କରେ । ମୋ ଗପ କିଏ ପଢ଼ିବ ଭାବି ମୁଁ କେବେବି ଲେଖେନି । ମୁଁ ମୋ ମନର କଥାକୁ ମୋ ନିଜକୁ କୁହେ । ମୁଁ ମୋ ଗପର ପ୍ରଥମ ଓ ଏକମାତ୍ର ପାଠକ ବୋଲି ମୁଁ ଭାବେ । ଯେତେବେଳେ ସମ୍ପାଦକଙ୍କ ପାଖକୁ ସେ ଗପ ଯାଏ, ସେତେବେଳେ ତାହା ସଂସାରର ହୋଇଯାଏ । ଯେତେବେଳେ ତାକୁ ପଢ଼ି ପାଠକମାନେ କୁହନ୍ତି, ସେତେବେଳେ ମୋତେ ଲାଗେ, ମୋ ପରି ଢେର୍ ମଣିଷ ଏ ସଂସାରରେ, ଯେଉଁମାନେ ମୁଁ କହିଥିବା କଥାକୁ, ମୋ ବୁଝାମଣାକୁ ମୋ ଭଳି ବୁଝନ୍ତି ।

ଲେଖାଲେଖି କରି କ’ଣ ପାଇଛନ୍ତି ? ଆଉ କ’ଣ ପାଇବାର ଆଶା ରଖନ୍ତି ?

ଲେଖାଲେଖି କରି ଅନେକ ଶ୍ରଦ୍ଧା ପାଇଛି । ସେଥିପାଇଁ ମୁଁ ନିଜକୁ ଭାଗ୍ୟବାନ ମନେକରେ । ଅନେକ ଚିଠି ପାଇଛି, ଯେଉଁଥିରେ ପାଠକମାନେ ମୋତେ ‘ବିୟତପ୍ରଜ୍ଞା ବାବୁ’ ବୋଲି ସମ୍ବୋଧନ କରିଛନ୍ତି । କାରଣ ସେମାନେ ମୋର ପୁରୁଷ ଦୃଷ୍ଟିକୋଣର ଗପ ପଢ଼ି କେବେବି ଭାବିପାରିନାହାନ୍ତି ଯେ, ମୁଁ ଜଣେ ସ୍ତ୍ରୀଲୋକ । ୟା’ଠୁ ବଡ଼ ଭାଗ୍ୟର କଥା ଆଉ କ’ଣ ? ମୋର କେହିକେହି ପାଠକ ମୋତେ ଭେଟିବା ପାଇଁ ୫ ଶହ, ୬ ଶହ କିଲୋମିଟରରୁ ଜାମସେଦପୁର ଆସିଛନ୍ତି, ଅନେକ ଥର । ଏତେ କମ୍ ଲେଖି, ଏତେ ବେଶି ଭଲପାଇବା ବୋଧହୁଏ କମ୍ ଲୋକଙ୍କ ଭାଗ୍ୟରେ ଯୁଟେ ।

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆପଣଙ୍କର ଅନେକ ପ୍ରାମାଣିକ ଚଳଚ୍ଚିତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏପରିକି ଆପଣ ଜାତୀୟ ପୁରସ୍କାର ବି ପାଇଛନ୍ତି । ତେବେ ଏହି ଫିଲ୍ମ ଜଗତକୁ କେମିତି ଆସିଲେ ?

ସିନେମା ପ୍ରତି ମୋର ପିଲାଦିନୁ ଆଗ୍ରହ ଥିଲା । ଏହା ମୋତେ ସବୁବେଳେ ଆକୃଷ୍ଟ କରୁଥିଲା । ତେବେ ମୋର ଏ କ୍ଷେତ୍ରକୁ ଆସିବାର ପ୍ରେରଣା ହେଉଛନ୍ତି ଓଡ଼ିଆ ନାଟ୍ୟ ଜଗତର କିମ୍ବଦନ୍ତୀ ଗୋପାଳ ଛୋଟରାୟ (ଯାହାକୁ ମୁଁ ବାପା ଡାକେ) । ମୁଁ ଟାଟାରେ ରହୁଥିବା ବେଳେ ସେଠାରେ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ପକ୍ଷରୁ ଗୋଟେ ଥିଏଟର୍ ପ୍ରସ୍ତୁତି ଚାଲିଥିଲା । ଏଥିପାଇଁ ସେମାନେ କର୍ମଶାଳା କରିଥିଲେ । ମୁଁ ସ୍କୁଲ କଲେଜରେ ନାଟକ କରୁଥିଲି । ସେତେବେଳେ ମୋର ଜଣେ ସାଙ୍ଗ କହିଲା - ସେମାନଙ୍କ କର୍ମଶାଳାକୁ ଯାଇ ଅଡିସନ୍ ଦେବୁ । ସେତେବେଳକୁ ସେମାନେ ସେକ୍ସପିୟର୍ଙ୍କ ପ୍ରସିଦ୍ଧ ନାଟକ ‘ମ୍ୟାକବେଥ୍’ ଲାଗି ଅଡିସନ୍ କରୁଥିଲେ । ସାଙ୍ଗର କଥାରେ ମୁଁ ସେଠାକୁ ଗଲି, ଅଡିସନରେ ସଫଳ ବି ହେଲି । ଥିଏଟର୍ ବହୁତ ଭଲ ହେଲା । ମୋ ଅଭିନୟରେ ସମସ୍ତେ ଖୁସିଥିଲେ । ତେଣୁ ସେଥିରେ ମୋ ସିନକୁ ଅଧିକା କରିଦିଆଯାଇଥିଲା । ପରେ ମୋତେ ବହୁଲୋକ କହିଲେ ସିନେମାରେ ଅଭିନୟ କରିବାକୁ । ତେବେ ଛୁଆମାନେ ଛୋଟ ଥିଲେ, ତେଣୁ ମୁଁ ଚାହିଁଲିନି । ତା’ରି ଭିତରେ ଗୋପାଳ ଛୋଟରାୟ କହିଲେ - ତୁ କରିପାରିବୁ । ତାଙ୍କ ପ୍ରେରଣାରେ ମୁଁ ଆଗେଇଲି । (ପରେପରେ ମୁଁ ତାଙ୍କ ଉପରେ ଏକ ଫିଲ୍ମ ବି କରିଥିଲି, ତା ନାଁ ଥିଲା ‘ପଥିକ’) । ଫିଲ୍ମ କ’ଣ ବୁଝିବାକୁ ମୁଁ ପୁନାର ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଯାଇ ସେଠାରେ ଗୋଟେ ଫିଲ୍ମ ଆପ୍ରିସିଏସନ୍ କୋର୍ସ କଲି । ସେଠାରୁ ଆସିବା ପରେ ୨୦୦୦ ମସିହାରୁ ମୁଁ ମୋର ସ୍ୱାଧୀନ ଭାବେ ଫିଲ୍ମ କଲି ।

ଆପଣ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ପୁରସ୍କାର ବି ପାଇଛନ୍ତି । ଦେଶ ବିଦେଶର ଅନେକ ସ୍ଥାନରେ ଆପଣଙ୍କ ଫିଲ୍ମ ପ୍ରଦର୍ଶିତ ବି ହୋଇଛି ।

୨୦୦୩ ମସିହା ପାଇଁ ମୋର ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଲାଦାଖ୍: ଦ ଲ୍ୟାଣ୍ଡ ଅଫ୍ ମିଷ୍ଟ୍ରି’ ଜାତୀୟ ପୁରସ୍କାର ପାଇଥିଲା । ଉଭୟ ପ୍ରୟୋଜନା ଓ ନିର୍ଦ୍ଦେଶନା ଲାଗି ମୋତେ ପୁରସ୍କୃତ କରାଯାଇଥିଲା । ତା’ଆଗରୁ ୨୦୦୨ରେ ମୋର ଫିଲ୍ମ କାଠମାଣ୍ଡୁର ଏସିଆନ୍ ଫିଲ୍ମ ଫେଷ୍ଟିଭାଲରେ ତଥା ଆମଷ୍ଟରଡାମ୍ ରେ ପ୍ରଦର୍ଶିତ ହୋଇ ବେଶ୍ ନାଁ କରିସାରିଥିଲା । ଏହି ଫିଲ୍ମ ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ବି ପୁରସ୍କୃତ ହୋଇଥିଲା । ଇଂଲଣ୍ଡ ସମେତ ବିଦେଶର ଅନେକ ଜାଗାରେ ଲୋକେ ଏହି ଫିଲ୍ମ ଦେଖିଛନ୍ତି । ଏହିଭଳି ଭାବରେ ମୁଁ ୩୫ରୁ ଅଧିକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିସାରିଛି । ତା’ଭିତରେ ବି ରହିଛି ୱିଣ୍ଡୋ ଅଫ୍ ଡିଜାୟର୍, ହାୱା ମିଠାଇ ଓ କଫି ହାଉସ୍ ଭଳି ସର୍ଟ ଫିକ୍ସନ୍ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କ ଉପରେ ନିର୍ମିତ ‘ଟେଲ୍ ଅଫ୍ ଟୁ ୱାର୍ଲଡ୍ସ’ ଡକ୍ୟୁମେଣ୍ଟାରୀ ମୋତେ ବିଦେଶରେ ବେଶ୍ ପରିଚିତ କରିଛି । ଲଣ୍ଡନର ପ୍ରସିଦ୍ଧ ନେହେରୁ ସେଣ୍ଟରରେ ୨୦୦୬ ଓ ୨୦୧୧ରେ ମୋର ଫିଲ୍ମ ପ୍ରଦର୍ଶିତ ହୋଇଛି । ତେବେ ମୋର ସବୁ ସିନେମା ଇଂରାଜୀରେ, କେବଳ ‘ପଥିକ’ ହିଁ ମୁଁ ଓଡ଼ିଆରେ କରିଛି । ମୋର ସବୁ ଫିଲ୍ମ ଡକ୍ୟୁମେଣ୍ଟାରୀ ହେଲେବି ସେସବୁ କାହାଣୀ କୁହନ୍ତି । ଏହାରି ଭିତରେ ମୁଁ ୨୦୦୯ରେ ୫୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଜୁରୀ କମିଟିରେ ମୁଁ ଥିଲି । ଏସବୁ ବାଦ୍ ଦେଶର ଅନେକ ପ୍ରମୁଖ ଅନୁଷ୍ଠାନରେ ମୁଁ ଫିଲ୍ମ, ସାମ୍ବାଦିକତା ଓ ଫ୍ୟାଶନ୍ ଉପରେ ୨୦୦୨ରୁ ପଢ଼ାଇଆସୁଛି ।

ରାଜନୀତିକୁ ବିଷୟବସ୍ତୁ କରି ଆପଣ ଉପନ୍ୟାସ ଲେଖିଛନ୍ତି । ସମାଜ ବ୍ୟବସ୍ଥା ଉପରେ ଅନେକ ସ୍ତମ୍ଭ ରଚନା କରିଛନ୍ତି । ବର୍ତ୍ତମାନର ରାଜନୈତିକ ଓ ସାମାଜିକ ବ୍ୟବସ୍ଥା ଉପରେ କ’ଣ କହିବେ ?

ବର୍ତ୍ତମାନର ଏହି ବ୍ୟବସ୍ଥା ଯନ୍ତ୍ରଣାଦାୟକ । ସବୁ ପରିସ୍ଥିତି ଏବେ ନକଲି ହେଇଯାଇଛି । ଆଗରୁ କେହି ନେତା କିଛି କହୁଥିଲେ, ଆମେ ତାକୁ ମନଦେଇ ଶୁଣୁଥିଲୁ । ହେଲେ ଆଜିକାଲି କୌଣସି ନେତାଙ୍କୁ ବିଶ୍ୱାସ କରିହେଉନି । ଦେଶର ରାଜନୈତିକ ପରିବେଶ ଥିଏଟର୍ ଭଳି ହୋଇଯାଇଛି । ନେତାମାନେ ଯେମିତି ମଞ୍ଚରେ ଅଛନ୍ତି, ଅଭିନୟ କରୁଛନ୍ତି । ଲୋକେ ତାକୁ ଦେଖି, ଶୁଣି, ତାଳି ମାରି ଘରକୁ ଯାଇ ଭୁଲିଯାଉଛନ୍ତି । ତେବେ ଏ ପୂରା ପରିସ୍ଥିତି ପାଇଁ ଆମେ ନାଗରିକମାନେ ହିଁ ଦାୟୀ, ଏଥିପାଇଁ ରାଜନୈତିକ ଦଳ ଓ ନେତା ଦାୟୀ ନୁହନ୍ତି । ସ୍ମାର୍ଟଫୋନ୍ କିଣିଲାବେଳକୁ ଆମକୁ ପରାମର୍ଶଦାତା ଦରକାର ନାହିଁ, ତେବେ ଘରକଥା କି ସମାଜ କଥା ପଡ଼ିଲାବେଳକୁ ଆମକୁ ପରାମର୍ଶଦାତା ନଚେତ୍ ସାହାଯ୍ୟ ଦରକାର । ଆମ ମୁଣ୍ଡ ଯେମିତି କେଉଁଠି ଗୋଟେ ଶୋଇପଡ଼ିଛି । ଆଖପାଖରେ କଣ ଘଟୁଛି, କାହାରି ପରବାୟ ନାହିଁ । ନାଗରିକଟିଏ ଯେମିତି ସବୁବେଳେ କାହା ନିୟନ୍ତ୍ରଣରେ ଅଛି । ଏ ପରିସ୍ଥିତିରେ ତ ସରକାରକୁ ଦାୟୀ କରିହେବନି । ଆମ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ନେତୃତ୍ୱ ନେବାରେ ଅସାଧାରଣ ଲୋକ ଦେଖାଯାଉନାହାନ୍ତି । ଥିଲେ ବି ଜଣାପଡୁନାହାନ୍ତି । ସବୁଠୁ ଦୁଃଖର କଥା, ଆମ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ । ଆଗରୁ ସରକାରୀ ସ୍କୁ୍ଲ ଓ ସରକାରୀ ଡାକ୍ତରଖାନା ଉପରେ ଆମର ଅଗାଧ ବିଶ୍ୱାସ ଥିଲା । ଏବେ ପୂରା ଭାଙ୍ଗିଯାଇଛି । ଆଉ ଗୋଟେ କଥା ହେଲା, କୃଷି । ଏହା ମଧ୍ୟ ନଷ୍ଟ ହୋଇସାରିଛି । ପ୍ରଦର୍ଶନ ଓ ବିଜ୍ଞାପନରେ ଆଜିକାଲି ସବୁକିଛି ଚାଲିଛି ।