ଚିତ୍ର: ପୁରୁଣା ଖବର କାଗଜର ବିଜ୍ଞାପନ, ପିକାସା

ଚନ୍ଦନ ବାସ୍ନା ସହ ଭାରତୀୟ ମାନଙ୍କର ଏକପ୍ରକାର ଆତ୍ମିକ ସମ୍ପର୍କ ରହିଛି । ହିନ୍ଦୁ ଦେବାଦେବୀଙ୍କ ପୁଜାର୍ଚ୍ଚନାରେ ଚନ୍ଦନର ଭୂମିକା ଆମେ ଜାଣିଛେ । ତା’ ଛଡା ଚନ୍ଦନର ଆର୍ୟୁବେଦ ଓ ଘରୋଇ ଟୁଣୁକା ଟୁଣୁକି ଚିକିତ୍ସାରେ ମଧ୍ୟ ବ୍ୟାପକ ବ୍ୟବହାର ରହିଛି । ଗ୍ରୀଷ୍ମ ପ୍ରଧାନ ଦେଶ ଭାରତରେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଦେହରେ ଚନ୍ଦନର ପ୍ରଲେପ ଦିଆଯାଏ । ସମଗ୍ର ପୃଥିବୀରେ ଭାରତ ହିଁ ସବୁଠାରୁ ଅଧିକ ଚନ୍ଦନ କାଠ ଉତ୍ପାଦନ କରେ ଓ ବିଦେଶକୁ ରପ୍ତାନି ବି କରେ । ସେଥିରେ ପୁଣି ସବୁଠାରୁ ଆଗରେ ଥିଲା ମହୀଶୂର ରାଜ୍ୟ । ତେବେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବିଦେଶକୁ ଚନ୍ଦନ କାଠ ରପ୍ତାନି ବ୍ୟାହତ ହେବାରୁ ତତ୍କାଳୀନ ମହୀଶୂର ମହାରାଜା କୃଷ୍ଣ ରାଜ ୱାଡିୟାର ଓ ତାଙ୍କ ଦେୱାନ୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟ ନୂଆ କଥା ଗୋଟେ ଭାବିଲେ । ସେମାନେ ୧୯୧୬ରେ ମହୀଶୂରରେ ଚନ୍ଦନ କାଠରୁ ତେଲ ବାହାର କରିବା କାରଖାନା ଗୋଟେ ବସାଇଲେ ।

ଘଟଣାର ପ୍ରାୟ ଦୁଇ ବର୍ଷ ପରେ ଜଣେ ବିଦେଶୀ ଲୋକ ମହାରାଜାଙ୍କୁ ଚନ୍ଦନ ବାସ୍ନାର ସାବୁନ ଭେଟି ଦେଲେ । ଚନ୍ଦନ ବାସ୍ନାର ସାବୁନ ରାଜାଙ୍କୁ ଏତେ ଭଲ ଲାଗିଲା ଯେ, ରାଜା ତାଙ୍କ ଦେୱାନ୍ ଙ୍କୁ କହିଲେ ସେମାନେ କାହିଁକି ଏମିତି ସାବୁନ ତିଆରି କରିବେନି ? କରିତକର୍ମା ଦେୱାନ୍ ବିଶ୍ୱେଶ୍ୱରାୟ ଏଥର କାମରେ ଲାଗିଗଲେ । ବମ୍ବେରୁ ବିଶେଷଜ୍ଞ ଡକାହେଇ ଆସିଲେ । ଚନ୍ଦନ ସାବୁନ ତିଆରିର ପରୀକ୍ଷା ଆରମ୍ଭ ହେଲା ୧୯୧୧ରେ ମହୀଶୂରରେ ସ୍ଥାପିତ ହେଇଥିବା ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ରେ । ପରୀକ୍ଷାର ଦାୟିତ୍ୱ ନେଇଥା’ନ୍ତି ଭାରତର ପ୍ରଥମ ଇଣ୍ଡଷ୍ଟ୍ରିଆଲ୍ କେମିଷ୍ଟ୍ ସୋସାଲେ ଗରାପୁରୀ ଶାସ୍ତ୍ରୀ । ସାବୁନ ତିଆରି ବିଷୟରେ ସବିଶେଷ ଜ୍ଞାନ ଅର୍ଜନ ପାଇଁ ଦେୱାନ୍ କେମିଷ୍ଟ ଗରାପୁରୀଙ୍କୁ ବିଲାତ ପଠାଇଲେ । ବିଦେଶରେ ସାବୁନ ତିଆରିରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା । ଶାସ୍ତ୍ରୀଜୀ କିନ୍ତୁ ଚାହୁଁଥିଲେ ବିନା ପଶୁ ଚର୍ବିରେ ସାବୁନ ପ୍ରସ୍ତୁତ କରିବାକୁ । କିନ୍ତୁ ବିଲାତିମାନେ ତାଙ୍କୁ ଆବଶ୍ୟକୀୟ ଜ୍ଞାନ ଯୋଗାଇ ନଦେବାରୁ ତାଙ୍କୁ ଆମେରିକା ଯିବାକୁ ହେଇଥିଲା ବୋଲି କୁହାଯାଏ । ତେବେ ସେ ଯା’ ହେଉ ବିଦେଶରୁ ସୁଗନ୍ଧିତ ସାବୁନ ତିଆରିର ପ୍ରଣାଳୀ ଶିକ୍ଷା କରି ଶାସ୍ତ୍ରୀ ଭାରତ ଫେରିଲେ । ପ୍ରଥମେ ପରୀକ୍ଷାଗାରରେ ଚନ୍ଦନ କାଠର ତେଲରୁ ଚନ୍ଦନ ବାସ୍ନାର ସାବୁନ ତିଆରି ହେଲା ପରେ ବାଙ୍ଗାଲୋରର କେ.ଆର୍. ସରକଲ୍ ଠାରେ ସାବୁନ ତିଆରି କାରଖାନା ବସାଗଲା ।

ସାବୁନ କାରଖାନା ପାଇଁ ନିରନ୍ତର ଆବଶ୍ୟକୀୟ ଚନ୍ଦନ ତେଲ ଯୋଗାଇ ଦେବା ପାଇଁ ମହୀଶୂରରେ ଆଉ ଏକ ଚନ୍ଦନ କାଠରୁ ତେଲ ତିଆରି କାରଖାନା ବସାଗଲା । ତାପରେ ୧୯୪୪ରେ ଶିବମୋଗା ରେ ଆଉ ଏକ କାରଖାନା ବସିଲା । କାରଣ, ଚନ୍ଦନ ବାସ୍ନାର ସାବୁନ ସେତେବେଳକୁ ବଜାରରେ ମିଳିଲାଣି ଓ ଲୋକମାନେ ନୂଆ ସାବୁନକୁ ପସନ୍ଦ ବି କଲେଣି ।

ରସାୟନବିତ୍ ଶାସ୍ତ୍ରୀ ମହାଶୟ ଚନ୍ଦନ ତେଲରୁ ଅତର ବି ତିଆରି କରିବା ଆରମ୍ଭ କଲେ ଓ ଚନ୍ଦନ ସାବୁନକୁ ଲୋକପ୍ରିୟ କରିବାକୁ ତା’ର ଆକାରକୁ ବଦଳାଇଦେଲେ । ଆଗରୁ ଅନ୍ୟ ସାବୁନ ପରି ତାହା ଚାରିକୋଣିଆ ଖଣ୍ଡ ଆକାରରେ ମିଳୁଥିଲା । ଶାସ୍ତ୍ରୀ ତାକୁ ଅଣ୍ଡାକୃତିକୁ ଆଣିଦେଲେ । ଗହଣା ବାକ୍ସ ପରି ସୁନ୍ଦରିଆ ଫୁଲ ପକା କାଗଜ ବାକ୍ସରେ ପତଳା ଧଳା କାଗଜ ଗୁଡେଇ ରଖିଲେ, ଯେମିତି ଗହଣା ରଖାଯାଏ ଏକଦମ୍ ସେମିତି । ଏଉଠୁ ଭାରତରେ ମହୀଶୂର ସାଣ୍ଡଲ୍ ସୋପ୍ ର ଯୁଗ ଆରମ୍ଭ ହେଲା । ଖୋଳ ଉପରେ ‘ସରବା’ର ଚିତ୍ରକୁ ଲୋଗୋ ଭାବରେ ବ୍ୟବହାର କରି ଛାପିଦେଲେ । ‘ସରବା’ ସ୍ଥାନୀୟ ଅଞ୍ଚଳରେ ଲୋକକଥା ଓ ପୁରାଣରେ ହାତୀ ମୁଣ୍ଡ ଓ ସିଂହର ଦେହ ଥିବା ଏକ ଜୀବ । ଆମ ନବଗୁଞ୍ଜର ପରି ଚରିତ୍ର । ‘ସରବା’ ନାମକ ଜୀବକୁ ଜ୍ଞାନ ଓ ସାହାସର ପ୍ରତୀକ ଭାବରେ ଗ୍ରହଣ କରାଯାଏ । ସାବୁନ ଖୋଳ ଉପରେ ‘ଚନ୍ଦନ କାଠର ଏନ୍ତୁଡି ଶାଳରୁ’ ବୋଲି ଛପା ଯାଇଥିଲା । ସାବୁନ ଭଲ ବିକ୍ରୀ ହେଉଥିଲେ ମଧ୍ୟ ବିଜ୍ଞାପନରେ ମଧ୍ୟ ଲୋକଙ୍କୁ ସାବୁନର ସୁଗୁଣ ବିଷୟରେ କୁହାଗଲା । ସାବୁନ ଖୋଳର ଛବି ଟ୍ରେନ୍ ଟିକେଟରେ, ଦିଆସିଲି ଉପରେ, ସାଇନ୍ ବୋର୍ଡରେ ବ୍ୟବହାର କରାଗଲା । କରାଚିରେ ସାବୁନ ବିଜ୍ଞାପନ ପାଇଁ ଥରେ ଓଟ ଦୌଡ଼ର ଆୟୋଜନ କରାଯାଇଥିଲା । ବିଜ୍ଞାପନର ଫଳ ସ୍ୱରୂପ ଦେଶ ଓ ବିଦେଶରେ ସାବୁନର ଚାହିଦା ବେଶ୍ ବଢିଗଲା । ରାଜ ପରିବାରରୁ ଓ ବିଦେଶରୁ ସାବୁନ ପାଇଁ ସ୍ୱତନ୍ତ୍ର ଭାବରେ ବରାଦ ବି ଆସିଲା ।

୧୯୮୦ରେ ମହୀଶୂର ଓ ଶିବମୋଗାରେ ଥିବା ସାବୁନ, ତେଲ କମ୍ପାନୀ ସହ କର୍ଣ୍ଣାଟକ ସୋପ୍ ଆଣ୍ଡ ଡିଟରଜେଣ୍ଟ ଲିମିଟେଡ୍ କମ୍ପାନୀ ମିଶିଗଲେ । ୧୯୯୦ ମସିହା ବେଳକୁ ଅର୍ଥାତ୍ ଗ୍ଲୋବାଲାଇଜେସନ୍ ଓ ଆର୍ଥିକ ଉଦାରୀକରଣ ଫଳରେ ଭାରତକୁ ବହୁଦେଶୀୟ କମ୍ପାନୀ ମାନେ ଆସିବା ଆରମ୍ଭ କଲା ପରେ ମହୀଶୂର ସାଣ୍ଡଲ୍ ସାବୁନ ତୀବ୍ର ପ୍ରତିଯୋଗିତାର ସାମ୍ନା କଲା । କିଛିଦିନ କ୍ଷତି କଲା ପରେ ଅବଶ୍ୟ ୨୦୦୩ ବେଳକୁ କମ୍ପାନୀ ଲାଭ କରିବା ଆରମ୍ଭ କଲା । ତାପରେ କମ୍ପାନୀ ଅଲଗା କିଛି ସାବୁନ, ଚନ୍ଦନ ଧୂପକାଠୀ, ବିଭିନ୍ନ ପ୍ରକାରର ଏସେନସିଆଲ୍ ଅଏଲ୍, ଦେହଲଗା ପାଉଡର ଓ ହ୍ୟାଣ୍ଡ ୱାସ୍ ତିଆରି ଆରମ୍ଭ କଲା । କମ୍ପାନୀ ଦାବି କରେ ଯେ, ମହୀଶୂର ସାଣ୍ଡଲ ସୋପ୍ ଶହେ ପ୍ରତିଶତ ଚନ୍ଦନ ତେଲରୁ ତିଆରି ହେଉଥିବା ପୃଥିବୀର ଏକମାତ୍ର ଚନ୍ଦନ ବାସ୍ନା ଯୁକ୍ତ ସାବୁନ । ବଙ୍ଗ ପ୍ରଦେଶରେ ଘରେ ଘରେ ବରୋଲିନ୍ ପରି କନ୍ନଡ ଲୋକଙ୍କ ଘରେ ମହୀଶୂର ସାଣ୍ଡଲ୍ ସାବୁନର କାଟତି ରହିଛି । ମହୀଶୂର ସାଣ୍ଡଲ ଅନ୍ୟ ବହୁଦେଶୀୟ ସାବୁନ ତିଆରି କମ୍ପାନୀମାନଙ୍କ ପରି ବିଜ୍ଞାପନରେ ଅଧିକ ଟଙ୍କା ଖର୍ଚ୍ଚ କରେନି । କମ୍ପାନୀ ବର୍ଷକୁ ବିଜ୍ଞାପନରେ ମାତ୍ର ପାଞ୍ଚ କୋଟି ଖର୍ଚ୍ଚ କଲା ବେଳେ ଲକ୍ସ ତା’ ସାବୁନ ବିଜ୍ଞାପନ ପାଇଁ ବର୍ଷକୁ ୨,୭୦୦ କୋଟି ଖର୍ଚ୍ଚ କରେ । ୨୦୦୬ ରେ ମହୀଶୂର ସାଣ୍ଡଲ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ତା’ର ବ୍ରାଣ୍ଡ ଆମ୍ବାସଡର ଭାବରେ ଅନୁବନ୍ଧନ କରିଥିଲା । ସାରା ଭାରତରେ ମହୀଶୂର ସାଣ୍ଡଲ୍ କିଛି କିଛି ବିକ୍ରୀ ହେଉଥିଲେ ମଧ୍ୟ ଅଶୀ ଭାଗରୁ ଅଧିକ ବିକ୍ରୀ କେବଳ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ହିଁ ହେଇଥାଏ । ମାନବ ସଭ୍ୟତାରେ ସାବୁନର ବ୍ୟବହାର ବେଶ୍ ପୁରୁଣା । ଖ୍ରୀ.ପୂ ୨୨୦୦ ବେଳକୁ ବେବିଲୋନ୍ ସଭ୍ୟତାରେ ସାବୁନର ସର୍ବପ୍ରାଚୀନ ବ୍ୟବହାର ବିଷୟରେ ଉଲ୍ଲେଖ ମିଳେ । ପ୍ରାଚୀନ ଇଜିପ୍ଟରେ ମଧ୍ୟ ସାବୁନର ବ୍ୟବହାର ହେଉଥିଲା । ପ୍ରସାଧାନ ସାବୁନରେ ବାସ୍ନା ମିଶିଥିଲା ମଧ୍ୟ ପ୍ରାଚ୍ୟରେ । ବିଶେଷ କରି ଇସଲାମିକ୍ ସୁବର୍ଣ୍ଣ ଯୁଗରେ । ବ୍ରିଟିଶ ରାଜ ସମୟରେ ଇଂଲଣ୍ଡର ଲିଭର ବ୍ରଦର୍ ଭାରତର ବଜାରରେ ଆଧୁନିକ ସାବୁନ ବିକ୍ରୀ ଆରମ୍ଭ କରିଥିଲେ । ତେବେ ନର୍ଥ ୱେଷ୍ଟ ସୋପ୍ କମ୍ପାନୀ ଉତ୍ତର ପ୍ରଦେଶର ମିରଟରେ ୧୮୯୭ରେ ପ୍ରଥମ ସାବୁନ ତିଆରି କାରଖାନା ବସାଇଥିଲେ । ଜାମସେଦ ଟାଟା ୧୯୧୮ରେ ପ୍ରଥମ ଭାରତୀୟ ସାବୁନ କାରଖାନା କେରଳର କୋଚିରେ ବସାଇଥିଲେ । ଆଜିର କରୋନା ସମୟରେ ପାଣି ସାବୁନର ବ୍ୟବହାର ବଢିଯାଇଛି । ତା’ର ଉଦ୍ଭାବନ ହେଇଥିଲା ଗଲା ନବମ ଶତାବ୍ଦୀରେ ।

ଆମ ପିଲା ଦିନରେ ଦୁଇଟି ସାବୁନ ଗାଁ ଗହଳରେ ବେଶୀ ପରିଚିତ ଥିଲା । ଗୋଟେ ହେଲା ‘ସନ୍ଲାଇଟ୍’ ଓ ଅନ୍ୟଟି ହେଲା ‘ଲାଇଫବୋଇ’ । ‘ଲାଇଫବୋଇ ଯେଉଁଠି ସ୍ୱାସ୍ଥ୍ୟ ସେଇଠି’ ବିଜ୍ଞାପନ ଜିଙ୍ଗଲ୍ଟି ଅନେକଙ୍କର ନିଶ୍ଚୟ ମନେଥିବ । ସନ୍ଲାଇଟ୍ରେ କପଡା ସଫା କରାଯାଉଥିଲା କିନ୍ତୁ ଲାଇଫବୋଇକୁ ଉଭୟେ ଲୁଗାଧୁଆ ଓ ଗାଧେଇବା ସାବୁନ ଭାବରେ ବ୍ୟବହାର କରାଯାଉଥିଲା । ପରେ ପରେ ‘ଲକ୍ସ’ ଓ ‘ଲିରିଲ୍’ ଆଦି ସାବୁନ ଆସିଲା । କେହି କେହି ଅବଶ୍ୟ ମହୀଶୂର ସାଣ୍ଡାଲ ବ୍ୟବହାର କରୁଥିଲେ ଓ ପୋଖରୀ ତୁଠକୁ ଚନ୍ଦନ ଚନ୍ଦନ ବାସ୍ନାରେ ମହକାଇ ଦେଉଥିଲେ । ବିଶେଷ କରି ନୂଆକରି ବାହା ହୋଇ ଆସିଥିବା ନୂଆ ବୋହୂମାନେ ସେମାନଙ୍କ ବାକ୍ସରେ ମହୀଶୂର ସାଣ୍ଡଲ ସାବୁନ ନିଶ୍ଚୟ ଆଣୁଥିଲେ । ମିଲିଟାରି ଚାକିରି କରିଥିବା ଗାଁ ପିଲାଏ ଗାଁକୁ ‘ହମାମ୍’ ସାବୁନ ଆଣି ଆସୁଥିଲେ ଓ ସେମାନଙ୍କ ଚିହ୍ନା ପରିଚିତମାନଙ୍କୁ ଗାଁ ରେ ବାଣ୍ଟୁଥିଲେ । କିଛି ଝିଅ ଭୁଆଶୁଣୀ ବିନା ସାବୁନରେ ସିକାକାଇ, ରିଠା ଫଳ ଓ ବନ ମାଟିରେ ମୁଣ୍ଡ ସଫା ବି କରୁଥିଲେ । ଦେହ ମଳିକୁ ବଟା ହଳଦି ଲଗେଇ ଛଡାଉଥିଲେ । ଲୁଗା ସଫା କରିବା ପାଇଁ ସୋଡ଼ା ଓ ଶୁଖିଲା କଦଳୀ ପାଟୁଆକୁ ଜଳେଇ ତା’ ପାଊଁଶରେ ରଜକମାନେ ଲୁଗା ସଫା କରିଥିଲେ ।

ମୋ ପିଲା ଦିନେ ଡିଟରଜେଣ୍ଟର ବ୍ୟବହାର ପ୍ରାୟ ନଥିଲା । ‘ସର୍ଫ’ ର ବ୍ୟବାହର ବହୁତ ପରେ ଗାଁ ଗହଳରେ ପଶିଲା । ଏବେବି ଅନେକ ଡିଟରଜେଣ୍ଟ ର ଓଡ଼ିଆ ଅନୁବାଦ ଭାବରେ ‘ସର୍ଫ’ ଶବ୍ଦର ବ୍ୟବହାର କରନ୍ତି । ତେବେ ୧୯୮୬ ବେଳକୁ ୱାସିଂ ପାଉଡର ‘ନିରମା’ ଓ ‘ଜରାସା ରିନ୍’ ଲୁଗା ଧୁଆ ସାବୁନ ପ୍ରଚୁର ଲୋକପ୍ରିୟ ହେଇଥିଲା । କର୍ଷଣ ଭାଇ ପଟେଲ ନାମକ ଜଣେ ଗୁଜରାଟି ଲୋକ ୧୯୬୯ରେ ବିନା ଫସଫେଟ୍ ର ସିନ୍ଥେଟିକ ଡିଟରଜେଣ୍ଟ ତିଆରି କରି ତାଙ୍କ ଘରର ଆଖପାଖର ଲୋକଙ୍କୁ ବିକିବା ଆରମ୍ଭ କରିଥିଲେ । ପଟେଲ ମୋଟା ଭାଇ ହଳଦିଆ ରଙ୍ଗର ନିରମା ପାଉଡରକୁ କିଲୋ ପିଛା ୩.୫୦ରେ ବିକୁଥିଲେ, ଯେତେବେଳେକି ସର୍ଫ କିଲୋ ୧୩ ଟଙ୍କାରେ ବଜାରରେ ବିକ୍ରି ହେଇଥିଲା । ପଟେଲ ତାଙ୍କ ଝିଅ ନିରୁପମା ନାମରେ ପାଉଡର ନାଁ ‘ନିରମା’ ରଖିଥିଲେ । ୧୯୮୫ ମସିହାରେ ସେ ସାଇକେଲ ଧରି ଆଖପାଖର ପନ୍ଦର କିଲୋମିଟର ଭିତରେ ଦିନକୁ ପନ୍ଦରରୁ କୋଡିଏ ପକେଟ ପାଉଡର ବିକୁଥିଲେ ।

ଏବେ ବଜାରରେ କାହିଁରେ କେତେ ରଙ୍ଗର କେତେ ଢଙ୍ଗର ସାବୁନ ର ପସରା । ପିଲାଙ୍କ ପାଇଁ ଅଲଗା ବଡ଼ଙ୍କ ପାଇଁ ଅଲଗା । ଦେହ ପାଇଁ ଅଲଗା ଆଉ ମୁହଁ ପାଇଁ ଅଲଗା । ଆମ ଆଖପାଖକୁ ଓ ଆମ ଗାଧୁଆ ଘରକୁ ଆଖିପକେଇଲେ ଏତକ ଜାଣିପାରିବା ।