ଗଛ ମଣିଷ ସୁନ୍ଦରଲାଲ ବହୁଗୁଣା, ଫଟୋ: ଟ୍ୱିଟର

ସୁନ୍ଦରଲାଲ ବହୁଗୁଣା (ଜାନୁଆରୀ ୯, ୧୯୨୭ - ମଇ ୨୧, ୨୦୨୧) ଚାଲିଗଲେ । ଗୋଟେ ପାକଳ ବୟସରେ ତାଙ୍କର ଚାଲିଯିବା ସ୍ଵାଭାବିକ । ବୟସ ବେଶ ଅଧିକ ହୋଇସାରିଥିଲା । ତେବେ ସେ ଯେଉଁ ପୃଥିବୀ ଆମ ପାଇଁ ଛାଡି ଯାଇଛନ୍ତି, ସେ ପୃଥିବୀ ପ୍ରତିଟି ମଣିଷ ଲାଗି ଏକ ଆହ୍ଵାନ ହୋଇ ରହିଛି । ସୁନ୍ଦରଲାଲ ବହୁଗୁଣା ଭାରତର ପ୍ରଥମ ପରିବେଶ କର୍ମୀ ଯିଏ ଆମକୁ କହିଥିଲେ ଯେ, ଯଦି ଗଛ ଓ ପାହାଡ ରହିବେ ନାହିଁ, ତାହେଲେ ମଣିଷର ଅସ୍ତିତ୍ଵ ରହିବ ନାହିଁ । ହିମାଳୟର ପରିବେଶ ସୁରକ୍ଷା ଲାଗି ୧୯୭୩ ମସିହାରେ ଯେତେବେଳେ ପ୍ରଥମେ "ଚିପକୋ ଆନ୍ଦୋଳନ" ଆରମ୍ଭ ହେଲା, ସେତେବେଳେ ତାର ଏକମାତ୍ର ଉଦ୍ଦେଶ୍ୟ ଥିଲା ହିମାଳୟର ପ୍ରତ୍ୟେକ ଗଛକୁ ସୁରକ୍ଷା ଦେବା । ଆଜିର ଉତ୍ତରାଖଣ୍ଡ ସେତେବେଳେ ଅବିଭକ୍ତ ଉତ୍ତର ପ୍ରଦେଶର ଅଂଶ ବିଶେଷ । ବିକାଶ ଲାଗି ଗଛ କାଟିବା, ପାହାଡ ଫଟେଇ ରାସ୍ତା ତିଆରିବା ବା ଖଣି ଖୋଳିବା, କିମ୍ବା ନଦୀର ପ୍ରାକୃତିକ ଗତିପଥକୁ ବଦଳାଇବା ଭଳି ପ୍ରକ୍ରିୟା ଯେତେବେଳେ ଅନ୍ଧ ଭାବରେ ଆଗେଇ ଚାଲୁଥିଲା ସେଇ ସମୟରେ ବିକାଶର ଏଇ ରାକ୍ଷସୀ ପ୍ରକ୍ରିୟାକୁ ଅଟକାଇବା ଲାଗି ସୁନ୍ଦରଲାଲ ବହୁଗୁଣା ଗାନ୍ଧୀ ମାର୍ଗରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ବିଧିବଦ୍ଧ ଭାବରେ ଗଛକୁ କୋଳେଇ ଧରି ତାକୁ ବଞ୍ଚାଇବା ପାଇଁ ଯେଉଁ ଐତିହାସିକ ଆନ୍ଦୋଳନ ଆରମ୍ଭ ହୋଇଥିଲା, ତାର ନାଁ "ଚିପକୋ ଆନ୍ଦୋଳନ" ଓ ସେ ଆଂଦୋଳନର ମହାନାୟକ ସୁନ୍ଦରଲାଲ ବହୁଗୁଣା ।

ଗାନ୍ଧୀଜୀଙ୍କର ସତ୍ୟାଗ୍ରହ ମାଧ୍ୟମରେ ହିମାଳୟକୁ ବଞ୍ଚେଇ ହେବ, ଏ ବିଶ୍ଵାସ ତାଙ୍କର ଥିଲା । ତେହେରି - ଗଡୱାଲ ଅଞ୍ଚଳର ପ୍ରତ୍ୟେକକ ଗଛକୁ କାଠ ଓ ଖଣି ମାଫିଆ ତଥା ସରକାରୀ ବାବୁମାନଙ୍କର ଲୋଲୁପ ଦୃଷ୍ଟିରୁ ବଞ୍ଚାଇବାକୁ ସେ ଥିଲା ଏକ ଐତିହାସିକ ଅଭିଯାନ । ବୈଚାରିକ ଦୃଷ୍ଟିରୁ ସୁନ୍ଦରଲାଲ ବହୁଗୁଣାଙ୍କର ଭୂମିକା ଆମ ସମୟରେ ସବୁଠୁ ଅଧିକ । ବିକାଶ କହିଲେ, ପ୍ରକୃତି ବିରୋଧରେ ସଂଘର୍ଷ ନୁହେଁ, ବରଂ ପ୍ରକୃତି ସହ ସହାବସ୍ଥାନ ବୋଲି ଆମକୁ ବହୁଗୁଣା ସ୍ଵାଧୀନ ଭାରତରେ ପ୍ରଥମେ ଚେତାଇ ଦେଇଥିଲେ । ସ୍ଵାଧୀନତା ପରେ ବିକାଶର ନୂଆ ମଡେଲ ଭାବେ ଆମେ ଯେଉଁ ସବୁ ବିରାଟ କାରଖାନା ଓ ନଦୀବନ୍ଧ ସବୁ ନିର୍ମାଣ କଲୁ, ସେଥିରେ ପ୍ରକୃତି ଅନେକାଂଶରେ ଧ୍ଵଂସ ପାଇଥିଲା । ସେତେବେଳେ ଆମ ଲାଗି ଜୀବିକା ଥିଲା ବଡ କଥା, ଜୀବନ ନୁହେଁ । ଆମେ ଜାଣି ନଥିଲୁ ଯେ ବିକାଶ ଲାଗି ଆମେ ଆମର ଭବିଷ୍ୟତ ଗୋଡରେ କୁରାଢି ମାରୁଛୁ । ସେହି ସମୟରେ ସୁନ୍ଦରଲାଲ ବହୁଗୁଣା ଆମକୁ କହିଲେ - ପ୍ରକୃତି ହେଉଛି ଅର୍ଥନୀତିର ଚିରନ୍ତନ ସ୍ରୋତ । ପରିବେଶ ବଞ୍ଚିଲେ ମଣିଷ ବଞ୍ଚିବ । ସୁନ୍ଦରଲାଲଙ୍କ ନେତୃତ୍ବରେ ହଜାର ହଜାର ସ୍ୱେଚ୍ଛାସେବୀ ଗଛ ବଞ୍ଚାଇବାକୁ ପ୍ରାଣବଳି ଦେଇଛନ୍ତି । ମାଫିଆଙ୍କ ଆକ୍ରମଣରେ କିମ୍ବା ପୁଲିସ ଗୁଳିରେ ୩୬୩ ଜଣ ସତ୍ୟାଗ୍ରାହୀ ପ୍ରାଣ ହରାଇଥିଲେ ।

ଗଛ, ପାହାଡ ଓ ନଦୀକୁ ସୁରକ୍ଷା ଦେବା ଲାଗି ଜନ ଆଂଦୋଳନର ଆବଶ୍ୟକତା ସତୁରୀ ଦଶକରେ ଯେତିକି ଥିଲା, ତାଠୁ ବେଶୀ ଆଜି ରହିଛି । ସୁନ୍ଦରଲାଲ ବହୁଗୁଣାଙ୍କ ଉତ୍ତରାଧିକା ଭାବେ ସାରା ଦେଶରେ ଏକାଧିକ ଆନ୍ଦୋଳନ ଆରମ୍ଭ ହୋଇଛି । ସ୍ପଷ୍ଟତଃ ସେ ଥିଲେ ଭାରତୀୟ ପରିବେଶ ଆଂଦୋଳନର ଭୀଷ୍ମ ପିତାମହ । ଚିପକୋ ଆନ୍ଦୋଳନର ପ୍ରେରଣାରେ ଦେଶ ସାରା ବହୁ ଆନ୍ଦୋଳନ ଚାଲିଥିଲା ଓ ଆଜି ବି ଚାଲିଛି । ମେଧା ପାଟକରଙ୍କ ନେତୃତ୍ବରେ “ନର୍ମଦା ବଞ୍ଚାଅ ଆନ୍ଦୋଳନ” ହେଉ ବା ସ୍ଵର୍ଗତ କିଶନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାର “ଗନ୍ଧମାର୍ଦ୍ଦନ ଆନ୍ଦୋଳନ”- ସବୁଠି ଚିପକୋ ଆନ୍ଦୋଳନର ପ୍ରେରଣା ରହିଥିଲା ।

ଭାରତୀୟ ରାଜନୀତି ଓ ଶାସନରେ ଆଜି ମଧ୍ୟ ବିକାଶର ସେଇ ପୁରୁଣା ଢାଞ୍ଚା ରହିଛି । ଅନ୍ଧ ଭାବରେ ଗଛ କାଟିବା ଓ ଜଙ୍ଗଲ ନଷ୍ଟ କରିବାର ହିଂସା ବିରୋଧରେ ଅହିଂସା ଆନ୍ଦୋଳନର ମଞ୍ଜି ସୁନ୍ଦରଲାଲ ପୋତିଥିଲେ । ଆଜି ଭାରତରେ ଯଦି ପରିବେଶ ସୁରକ୍ଷା ଲାଗି କିଛି ତା ସଚେତନତା ଓ ଆଗ୍ରହ ରହିଛି, ତାର ସୂତ୍ରଧର ଥିଲେ ସୁନ୍ଦରଲାଲ ବହୁଗୁଣା ।

ଗଛ ଓ ପାହାଡ ଯଦି ନ ରହିବେ, ତା ହେଲେ ଆମେ ପ୍ରଳୟକୁ ସାମ୍ନା କରିବାକୁ ବାଧ୍ୟ ହେବା । ସେ କଥା ଘଟିଛି ମଧ୍ୟ । ଉତ୍ତରାଖଣ୍ଡର ହିମାଳୟ କ୍ଷେତ୍ରରେ ରାସ୍ତା ନିର୍ମାଣ, ଖଣି ଖନନ ଓ ଜଙ୍ଗଲ ଧ୍ବଂସର ପରିଣତି ସ୍ୱରୂପ ବାରମ୍ବାର ଏହି ଅଞ୍ଚଳ ପ୍ରକୃତିର କୋପକୁ ସାମ୍ନା କରୁଛି । ନିୟମିତ ଭାବରେ ବନ୍ୟାର ତାଣ୍ଡବ ଓ ଭୂ-ସ୍ଖଳନ ଘଟୁଛି । ହିମାଳୟର ସୁରକ୍ଷା ଲାଗି ଆଜି ମଧ୍ୟ ଅନେକ ସତ୍ୟାଗ୍ରହୀ ପ୍ରାଣ ହରାଉଛନ୍ତି । ଏମାନେ ସମସ୍ତେ ଚିପକୋ ଆନ୍ଦୋଳନର ଉତ୍ତର ଦାୟାଦ । ହେଲେ ଏମାନଙ୍କ ତ୍ୟାଗ ଓ ବଳିଦାନର ମୂଲ୍ୟ ବୁଝୁଛି କିଏ ? ପ୍ରକୃତି ଓ ପରିବେଶର ରକ୍ଷା ଲାଗି କେବଳ ଜନ ଆନ୍ଦୋଳନ ନୁହେଁ, ଏକ ଜନ କର୍ତ୍ତବ୍ୟର ଆବଶ୍ୟକତା ରହିଛି ବୋଲି ସୁନ୍ଦରଲାଲ ବହୁଗୁଣା କହିଥିଲେ । ଆଜିର ରାଜନୀତିର ଭାଷାରେ ତାଙ୍କୁ ହୁଏତ କୁହା ଯାଇଥାନ୍ତା - "ଚିରସ୍ଥାୟୀ ଆନ୍ଦୋଳନଜୀବୀ"। ତାଙ୍କ ଜୀବନର ଏକମାତ୍ର ବ୍ରତ ଓ ସଂକଳ୍ପ ଥିଲା ଆନ୍ଦୋଳନ କରିବା । ଏ ପୃଥିବୀକୁ ବଞ୍ଚାଇବା ଲାଗି ଆନ୍ଦୋଳନା ବ୍ୟତୀତ ଅଲଗା ବାଟ କିଛି ଅଛି କି ?

ସୁନ୍ଦରଲାଲ ବହୁଗୁଣା ଆମକୁ ପୁଣିଥରେ ସତ୍ୟାଗ୍ରହ ଓ ଆନ୍ଦୋଳନର ବାଟ ଦେଖାଇଥିଲେ । ଜୀବନକାଳରେ ସେ ଥିଲେ ହିମାଳୟର ସୁପୁତ୍ର । ପରିବେଶ ଆନ୍ଦୋଳନ କେବଳ ରାଜନୈତିକ ନୁହେଁ, ଏହା ମଣିଷ ଜୀବନର ଆଧ୍ୟାତ୍ମିକ ଆବଶ୍ୟକତା ବୋଲି ସେ ଆମକୁ ଶିଖେଇ ଯାଇଛନ୍ତି । ତାଙ୍କ ମୃତ୍ୟୁ ପରେ ପ୍ରତ୍ୟେକ ଭାରତୀୟ ପାଇଁ ନିଜର ଗଛ, ପାହାଡ ଓ ନଦୀକୁ ବଞ୍ଚାଇବାର ନିର୍ଦ୍ଦିଷ୍ଟ ଆହ୍ଵାନ ରହିଛି ।