କବି ଶୁଭେନ୍ଦୁ ମୁଣ୍ଡ (୧୯୫୧ - ୨୦୨୧), ଫଟୋ: ଫେସବୁକ୍

ଶୁଭେନ୍ଦୁ ମୁଣ୍ଡ ଚାଲିଗଲେ । ଗତ ପଚାଶ ବର୍ଷ ଧରି ଓଡିଆ ସାହିତ୍ୟରେ ନିଜର ଏକ ସ୍ପଷ୍ଟ ପରିଚୟ ସୃଷ୍ଟି କରିଥିବା ଏହି କବି, ସମାଲୋଚକ, ଗବେଷକ, ଭାଷାବିତ, ସମ୍ପାଦକ ଓ ଅନୁବାଦକଙ୍କର ପଦଚିହ୍ନ ଓଡିଆ ସାହିତ୍ୟରେ ଅତ୍ୟନ୍ତ ସ୍ପଷ୍ଟ । ସାହିତ୍ୟର ବହୁ ବିଭାଗ ଓ ବିଭାବରେ ତାଙ୍କର ହସ୍ତକ୍ଷେପ ରହିଥିଲେ ବି, ମୁଖ୍ୟତଃ ସେ କବି । ନିଜକୁ ଜଣେ ଅନିୟମିତ ଏବଂ ଉଦାସୀନ କବି ବୋଲି ଭାବୁଥିବା ଶୁଭେନ୍ଦୁ ମୁଣ୍ଡଙ୍କ କବିତାର ସ୍ଵର ଟିକେ ଅଲଗା । ସେ କବିତାରେ ନିଜକୁ କେବେହେଲେ ଏକଲା କରି ଦେଖିନାହାନ୍ତି । ସେ ଜଗତ ସହିତ, ଜଗତର ମଣିଷ ଓ ମଣିଷର ଦୁଃଖ ସହିତ ନିଜକୁ ସାମିଲ କରିଛନ୍ତି । ତାଙ୍କ ସମୟର କବିତାରେ ସେ ଏକ ଭିନ୍ନ ସମ୍ଭାବନା ଥିଲେ । ସତୁରୀ ଦଶକର ସମ୍ଭବନାମୟ ସ୍ଵରମାନଙ୍କ ଭିତରେ ସେ ଥିଲେ ଅଲଗା । ଶବ୍ଦକୁ ନେଇ ଖେଳିବା, ଶବ୍ଦର ମାୟାରେ ଘାଣ୍ଟିହେବା ଓ ଶବ୍ଦର ଲୁଚକାଳିରେ ତମାମ ଜୀବନ ହଜିଯିବା ଇ ତାଙ୍କର କବିତା ।

୨୦୦୫ ରେ ତାଙ୍କର ଶେଷ କବିତା ସଂକଳନ “ସ୍ଥିର ଉଡାଣ” ପ୍ରକାଶ ପାଇଥିଲା । ବ୍ୟକ୍ତିଗତ ସମ୍ପର୍କର ନିବିଡତା କାରଣରୁ ତାଙ୍କୁ ଅନେକଥର ପଚାରିଛି - ଦାଦା, କବିତା ବହି କାଇଁ ଆଉ କରୁନ । ତାଙ୍କର ସେଇ ଠୋ ଠୋ ଉତ୍ତର- “କବିତା ତ ଲେଖୁଛି, ବହି କଣ ହେବରେ ବାବୁ!!” । ଅଶି ଦଶକ ପରେ ତାଙ୍କର ସମୟ ସେ କବିତା ତୁଳନାରେ ଅଧିକ ଦେଲେ ଗବେଷଣା ପାଇଁ । ଓଡିଆ ସାହିତ୍ୟ, ବିଶେଷ କରି ଲୋକ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ ପାଇଁ ସେ ଗତ ତିରିଶ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାମ କରିଥିଲେ । ଇଂରାଜୀ ଏବଂ ଓଡିଆ ସାହିତ୍ୟର ଅଧ୍ୟାପନା ପାଇଁ ତାଙ୍କର ବୌଦ୍ଧିକ ଅବଦାନ ପ୍ରଚୁର । ଏଇ ବର୍ଷ ତାଙ୍କର ଇଂରାଜୀ ବହି “ଦ ମେକିଙ୍ଗ ଅଫ ଇଣ୍ଡିଆନ ଇଂଲିଶ ଲିଟରେଚର” ପ୍ରକାଶ ପାଇଥିଲା ।

୧୬, ମଇ, ୧୯୫୧ରେ କଳାହାଣ୍ଡିର କାଶିବାହାଲ ଗାଁ ରେ ତାଙ୍କର ଜନ୍ମ । ବାପା ପର୍ଶୁରାମ ମୁଣ୍ଡ ଥିଲେ ଓଡିଶାର ଖ୍ୟାତନାମା ନାଟ୍ୟକାର ଓ ଲେଖକ । ତାଙ୍କର ପିଲାଦିନ ବିତିଛି କଳାହାଣ୍ଡି ଓ ଜୟପୁରରେ । ୧୯୭୧ରେ ଇଂରାଜୀ ସାହିତ୍ଯର ଅଧ୍ୟାପକ ଭାବେ ସେ ଯୋଗଦାନ କରନ୍ତି । ଅଧ୍ୟାପକ ଭାବେ ସେ ଯେଉଁଠିକି ଯାଇଛନ୍ତି, ସେଠାରେ ସାହିତ୍ୟିକ ପାଣିପାଗ ବଦଳାଇବାର ପ୍ରଚେଷ୍ଟା କରିଛନ୍ତି । ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜର ଅଧ୍ୟାପକ ଥିବା ସମୟରେ ପୁରୀର ସାଂସ୍କୃତିକ ପରିମଣ୍ଡଳ ଥିଲା ବେଶ କ୍ରିୟାଶୀଳ । ପୁରୀ ରହଣି ସମୟରେ ତାଙ୍କର ସାଙ୍ଗଠନିକ ଦାୟିତ୍ଵ ବେଶ ବାରି ହୋଇ ପଡିଥିଲା । ସମକାଳୀନ ଓଡିଆ କବିତାର ତିନୋଟି ଚମତ୍କାର ସଂକଳନ “ସମୁଦ୍ରର ସ୍ଵର” ସେତେବେଳେ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା ।

କବି ଭାବରେ ତାଙ୍କର ପ୍ରଥମ ବହି “ଶବ୍ଦ ନିଃଶବ୍ଦ”, ପ୍ରକାଶ ପାଏ ୧୯୮୦ରେ । ତା ପରେ “ମୁହୂର୍ତ୍ତଟିଏ ମୋହିନୀ”, “ସ୍ଵପ୍ନାବର୍ତ୍ତ”, “ଶବ୍ଦଫେଣା”, “ସ୍ଥିର ଉଡାଣ”, “ଛକ” ଓ “ସୀମାବଦ୍ଧ” । ସମୁଦାୟ ସାତଟି କବିତା ସଂକଳନ । ୨୦୦୫ ପରଠୁ ତାଙ୍କର ଗଦ୍ୟ ସଂକଳନ ଅନେକ ଆସିଛି, ହେଲେ କବିତା ପ୍ରତି ସେ ପ୍ରାୟ ଅନାସାକ୍ତ । ଅନେକ ଭାଷାତାତ୍ତ୍ଵିକ ଓ ସମାଜତାତ୍ତ୍ଵିକ ଗବେଷଣା ସେ କରିଛନ୍ତି । ବହୁ ଆନ୍ତର୍ଜାତିକ ଜର୍ଣ୍ଣାଲରେ ତାଙ୍କ ଲେଖା ସଂକଳିତ ହୋଇଛି ।

ସବୁ ପରିଚୟର ଉର୍ଦ୍ଧ୍ଵରେ ଶୁଭେନ୍ଦୁ ମୁଣ୍ଡଙ୍କର ଏକ ବଡ ପରିଚୟ ହେଉଛି, ସେ ଥିଲେ ଏକ ପରିପୂର୍ଣ୍ଣ ସାଂସ୍କୃତିକ ବ୍ୟକ୍ତିତ୍ବ । ସାହିତ୍ୟ, ସଙ୍ଗୀତ, ଚିତ୍ରକଳା, ଲୋକକଳା ଓ ମଞ୍ଚକଳା – ସବୁ କ୍ଷେତ୍ରରେ ତାଙ୍କର ଗଭୀର ଆଗ୍ରହ ଥିଲା । ବାପା ତ ସହଜେ ନାଟୁଆ । ତାଙ୍କ ସହଧର୍ମିଣୀ ପ୍ରଣତି ଭାଉଜ ଥିଲେ ସମ୍ବଲପୁର ଆକାଶବାଣୀର ଅତ୍ୟନ୍ତ ଲୋକପ୍ରିୟ ଗାୟିକା । ତେଣୁ ପାରିବାରିକ ଭାବେ ତାଙ୍କ ଘର ଥିଲା ସାହିତ୍ୟ ଓ ସଂସ୍କୃତିର ଏକ ମିଳନ ମଞ୍ଚ ।

ଶୁଭେନ୍ଦୁ ମୁଣ୍ଡଙ୍କ ପ୍ରତି ଆମର ଗଭୀର ଶ୍ରଦ୍ଧାଞ୍ଜଳି ।