ଫଟୋ ସୌଜନ୍ୟ: ସଙ୍ଗୀତ ନାଟକ ଏକାଡେମୀ

ପୃଥିବୀର ସବୁଠୁ ମଧୁର ମୂର୍ଛନାର ଚେହେରା ଠିକ ତାଙ୍କ ପରି । ମଣିଷ ଭାବରେ ନୁହଁ, ତାଙ୍କୁ ଆମେ ସବୁବେଳେ ଦେଖିଆସିଛୁ ଓଡିଆ ପ୍ରାଣର ସବୁଠୁ ସୁନ୍ଦର ଗୀତ ଭାବରେ । ଓଡିଆ ଏବଂ ଓଡିଶୀ ସଙ୍ଗୀତର ହଜାର ବର୍ଷର ପରମ୍ପରାରେ ସେ ଏକ କ୍ରାନ୍ତି । ସେ ଓଡିଶା ଓ ଓଡିଶୀକୁ ଆସିଥିଲେ ବୋଲି ଓଡିଶୀ ଗୋଟେ ନୂଆ ଜୀବନ ପାଇଥିଲା । କୋଣାର୍କ ମନ୍ଦିର କି ରାଜାରାଣୀ ମନ୍ଦିରରେ ପଥର ପାଲଟି ଯାଇଥିବା ଓଡିଶୀ ସଙ୍ଗୀତରେ ନୂଆ ପ୍ରାଣ ସଂଚାର କରିଥିଲେ ସେ । ଶାସ୍ତ୍ରୀୟ ଓ ଲୋକ ପରମ୍ପରାର ଏକ ସଂଗମ ବିନ୍ଦୁ ତିଆରି କରିଥିଲେ ସେ ନିଜେ । ସେ ନିଜେ ନିଜର ଇତିହାସ । ଓଡିଆ ଜାତି ତାଙ୍କୁ କେତେ ମନେ ରଖିଛି, ସେ କଥା ଏ ଜାତି ନିଜେ ନିଜକୁ ପଚାରୁ । ହେଲେ ଏ ଜାତିର ସବୁଠୁ ଅନ୍ଧାର ସମୟରେ ଆଲୋକର ନବନିର୍ମାଣ କରିଥିବା ସେ ନାୟକ, ଆଜି ବି ଆମକୁ ଗହନ ନିଦରୁ ଉଠେଇ ଶୁଣେଇ ଦିଅନ୍ତି - “ଉତ୍କଳ ମଉଡମଣି ହେ ନୀଳାଦ୍ରି ସିଂହ ଗୋସାଇଁ” ।

ସେ ଓଡିଆ ଜାତିର ସର୍ବଶ୍ରେଷ୍ଠ ଓ ସଫଳତମ ସୁରକାର ବାଳକୃଷ୍ଣ ଦାଶ । ଓଡିଶାର ସଙ୍ଗୀତ ଇତିହାସରେ ସବୁଠୁ ଉଜ୍ଜଳ ନକ୍ଷତ୍ର ସିଏ । ଶାସ୍ତ୍ରୀୟ, ଲୋକ, ସୁଗମ ଓ ଲୋକପ୍ରିୟ ସିନେମା - ଚାରୋଟି ଯାକ ସଙ୍ଗୀତଧାରାରେ ସେ ବିରଳତମ ନକ୍ଷତ୍ର । ଆଜି ବାଳକୃଷ୍ଣ ଦାଶ ବଞ୍ଚିଥିଲେ ତାଙ୍କୁ ୯୮ ବର୍ଷ ହୋଇଥାନ୍ତା । ମଇ ୧୫, ୧୯୨୩, ସାବିତ୍ରୀ ଅମାବାସ୍ୟାରେ ତାଙ୍କର ଜନ୍ମ । ତାରିଖ ଅପେକ୍ଷା ତିଥିକୁ ତାଙ୍କର ଜନ୍ମଦିନ ଭାବେ ସବୁ ବର୍ଷ ପାଳନ କରାଯାଏ । ଆଜିର ଓଡିଶୀ ସଙ୍ଗୀତର ସବୁ ଗୁରୁ ଓ ଗାୟକ ବାଳକୃଷ୍ଣ ଦାଶଙ୍କ ଦାୟାଦ । ତେଣୁ ଓଡିଶୀ ପରମ୍ପରାରେ ତାଙ୍କର ମାନ୍ୟତା ପ୍ରଶ୍ନାତୀତ । ଓଡିଶୀ ସଙ୍ଗୀତରେ ନୂଆ ପ୍ରୟୋଗ ଏବଂ ପରମ୍ପରାର ନବ କଳେବର ଲାଗି ତାଙ୍କୁ ବାରମ୍ବାର ଆମେ ଶ୍ରଦ୍ଧାଞ୍ଜଳି ଦେଇ ଆସୁଛୁ । ହେଲେ ସେ କଣ କେବଳ ଶାସ୍ତ୍ରୀୟ ପରମ୍ପରାର ପ୍ରତିନିଧି ? ଓଡିଆ ସଙ୍ଗୀତ ଯଦି ଲୋକପ୍ରିୟତାର ଆଧାର ତିଆରି କରିଛି, ତା ମୂଳରେ ବାଳକୃଷ୍ଣ ଦାଶଙ୍କ ବ୍ୟତୀତ ଆଉ କିଏ ବା ଅଛି ?

ଶାସ୍ତ୍ରୀୟ ବା ମାର୍ଗୀ ସହିତ ଦେଶୀ ବା ଲୋକଧାରାର ମହାସଙ୍ଗମ ସିଏ । ଷାଠିଏ ଦଶକରେ ଓଡିଆ ସିନେମା ସଙ୍ଗୀତର ସବୁଠୁ ଲୋକପ୍ରିୟ ଧାରାର ନିର୍ମାତା ଓ ନିର୍ଦ୍ଦେଶକ କେବଳ ସେ ହିଁ । ଷାଠିଏ ଦଶକର ଓଡିଆ ସିନେମା ସଙ୍ଗୀତ କହିଲେ, କେବଳ ବାଳକୃଷ୍ଣ ଦାଶ । ଏହି ସମୟର ସବୁଠୁ କାଳଜୟୀ ଗୀତର ସୁରକାର ଓ ଗାୟକ ଭାବରେ କେବଳ ତାଙ୍କୁ ଇ ଆମେ ଦେଖିଛୁ । ୧୯୫୦ ମସିହାରେ ତାଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରେ “ଶ୍ରୀଜଗନ୍ନାଥ” ସିନେମାର ସଙ୍ଗୀତ । ସେତେବେଳକୁ ତାଙ୍କ ବୟସ ୨୭ । ସଙ୍ଗୀତ ଲାଗି ସଂଘର୍ଷ କରି କରି ସିନେମାରେ ପ୍ରଥମ କରି ପାଦ ଥାପୁଛନ୍ତି ସେ । ଏହି ସିନେମାରେ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ କଣ୍ଠରେ “ନୀଳସିନ୍ଧୁ ତୀରେ ନୀଳ ଅଚଳ, ନୀଳ ବନ ରାଜି ଘେରା ଦେଉଳ” ର ସୁର ଆଜି ମଧ୍ୟ କୁହୁକ ଭଳି ପୁରୀକ୍ଷେତ୍ରର ମହିମା କହି ଚାଲିଛି । “ଶ୍ରୀ ଜଗନ୍ନାଥ” ସିନେମାରେ ଓଡିଶୀ ଛାନ୍ଦ ଓ ଜଣାଣ ସହିତ ଲୋକଗୀତର ମିଶ୍ରଣ କେବଳ ଘଟି ନଥିଲା, ଏଥିରେ ହିନ୍ଦୀ ଏବଂ ବଙ୍ଗଳା ସଙ୍ଗୀତର ମିଶ୍ରଣ ମଧ୍ୟ ଆରମ୍ଭ ହୋଇଥିଲା । ସିନେମା ସଙ୍ଗୀତ ସବୁବେଳେ ବହୁ ପରମ୍ପରାର ମିଶ୍ରଣ ମାଧୁରୀ ତିଆରି କରିଛି । ଓଡିଆ ସଙ୍ଗୀତରେ ଏହି ଧାରାର ପ୍ରଥମ ଦିଗପାଳ ବାଳକୃଷ୍ଣ ଦାଶ ।

୧୯୫୪ରେ ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ସହିତ “କେଦାର ଗୌରୀ” ଓ ୧୯୫୬ରେ “ଭାଇ ଭାଇ” ସେତେବେଳର ସିନେମାରେ ଅନେକ ନୂଆ ଧାରା ତିଆରି କରିଥିଲା । ୧୯୬୦ରେ ପୁଣିଥରେ ବାଳକୃଷ୍ଣ ଦାଶ ଏକୁଟିଆ ସଙ୍ଗୀତ ନିର୍ଦ୍ଦେଶନାକୁ ଫେରିଥିଲେ । ୧୯୬୦ରେ “ଶ୍ରୀ ଲୋକନାଥ”, ୧୯୬୧ରେ “ଶ୍ରୀ ଜୟଦେବ”, ୧୯୬୨ରେ “ଲକ୍ଷ୍ମୀ”, “ନୂଆବୋଉ”, “ଦସ୍ୟୁ ରତ୍ନାକର”, ୧୯୬୩ ରେ “ମାଣିକଯୋଡି” ୧୯୬୪ରେ “ଜୀବନସାଥୀ”, “ଅମଡାବାଟ”, “ସାଧନା”, ୧୯୬୫ରେ “ନବଜନ୍ମ”, “ଅଭିନେତ୍ରୀ”, ୧୯୬୭ରେ “ଭାଇ ଭାଉଜ", ଇତ୍ୟାଦି ତାଙ୍କ ସଙ୍ଗୀତ ସାଧନାର ସର୍ବଶ୍ରେଷ୍ଠ କୃତି । ଏହି ସମୟକୁ ଓଡିଆ ସିନେମା ସଙ୍ଗୀତର “ସ୍ଵର୍ଣ୍ଣିମ ସମୟ” ବୋଲି ଆମେ କହିପାରିବା ଆଉ ଏହି ସ୍ଵର୍ଣ୍ଣିମ ସମୟର ମହାନାୟକ କେବଳ ସେଇ, ବାଳକୃଷ୍ଣ ଦାଶ । ପରବର୍ତ୍ତୀ ସମୟରେ ଯିଏ ବି ଓଡିଆ ସିନେମା ସଙ୍ଗୀତକୁ ଆସିଛନ୍ତି, ସେମାନେ ଦୀର୍ଘ ସମୟ ଧରି ସଙ୍ଗୀତ ସୁଧାକରଙ୍କ ଛାଇ ହୋଇ ରହିବାକୁ ବାଧ୍ୟ ହୋଇଛନ୍ତି ।

ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଶାସ୍ତ୍ରୀୟ ପରମ୍ପରା ଉପରେ ତାଙ୍କର ପକଡ ଯେତେ ଶକ୍ତିଶାଳୀ ଥିଲା, ଲୋକଙ୍କ ମନ ଜିଣିବାର କଳା ମଧ୍ୟ ସେ ସେତିକି ଜାଣିଥିଲେ । ଆଜି ଓଡିଶୀ ବୋଲି ଆମେ ଯାହା ଶୁଣୁଛୁ, ତାର ନବେ ଭାଗ ସୁର ବାଳକୃଷ୍ଣ ଦାଶଙ୍କର । ଗୁରୁ ଗୋକୁଳ ଶ୍ରୀଚନ୍ଦନଙ୍କଠାରୁ ସେ ଓଡିଶୀ ଶିଖିଥିଲେ । ସେହିପରି କ୍ଷିତିଶ ଚନ୍ଦ୍ର ମୈତ୍ର, ରାଇଚାନ୍ଦ ବରାଳ ଓ ବଡେ ଗୁଲାମ ଅଲି ଖାନଙ୍କ ଠାରୁ ଶିଖିଥିଲେ ହିନ୍ଦୁସ୍ତାନୀ । ପ୍ରାଚୀନ ଭାରତର ଦୁଇ ପ୍ରଭାବଶାଳୀ ସଙ୍ଗୀତଧାରା ଓଡିଶୀ ଓ ହିନ୍ଦୁସ୍ତାନୀର ରସାୟନ ପ୍ରସ୍ତୁତିରେ ବାଳକୃଷ୍ଣ ଦାଶଙ୍କର ସଫଳତା ଅନନ୍ୟ । କେହି କେହି କହନ୍ତି, ବାଳକୃଷ୍ଣଙ୍କ ସଙ୍ଗୀତରେ ହିନ୍ଦୁସ୍ତାନୀର ପ୍ରଭାବ ଅଧିକ । ବାସ୍ତବରେ ତାଙ୍କ ସମୟର ଆହ୍ଵାନ ଥିଲା ଓଡିଶୀରେ ନବ କଳେବରର ଆବଶ୍ୟକତା । ସେହି ଆହ୍ଵାନକୁ ଗ୍ରହଣ କରି ସେ ଓଡିଆ ସଙ୍ଗୀତରେ ବହୁ ଧାରାକୁ ମିଶେଇଛନ୍ତି ଓ ସେହି ମିଶ୍ରଣରୁ ଓଡିଆ ସଙ୍ଗୀତ ନୂଆ ପ୍ରାଣଶକ୍ତି ପାଇଛି ।

ଓଡିଆ ସଙ୍ଗୀତରେ ସେ ପ୍ରାଣପୁରୁଷ ଓ ନିର୍ବିକଳ୍ପ ନାୟକ ।