ଫଟୋ: ୱିକି କମନ୍ସ

ଓଡିଶୀ ସଙ୍ଗୀତର ବିକାଶ ଓ ପ୍ରତିଷ୍ଠାରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଐତିହାସିକ ଭୂମିକାକୁ ନେଇ ପ୍ରଶ୍ନବାଚୀ ଅବଶ୍ୟ ନାହିଁ । ତେବେ ତାଙ୍କ ସଙ୍ଗୀତର ବାସ୍ତବ ଓ କଳାତ୍ମକ ମୂଲ୍ୟାୟନକୁ ନେଇ ଆଜି ମଧ୍ୟ ଆମ ପାଖରେ ବିଶେଷ କିଛି ବୌଦ୍ଧିକ ଉପାଦାନ ନାହିଁ । ଓଡିଶୀ ସଙ୍ଗୀତରେ ତାଙ୍କର ମୌଳିକ ଅବଦାନଟି କଣ ଓ ଓଡିଶୀ ପରମ୍ପରାରେ ତାଙ୍କର ନିଜ କ୍ଷେତ୍ର କେଉଁଟି, ସେ ବିଷୟରେ କ୍ଵଚିତ ଆଲୋଚନା ହୁଏ । କେବେ କେମିତି ଅଭିଯୋଗ କଲା ଭଳି ଆମେ କହିଦେଉ, ବାଳକୃଷ୍ଣଙ୍କ ସଙ୍ଗୀତ ମାଧ୍ୟମରେ ଓଡିଶୀ ଗୀତକୁ ହିନ୍ଦୁସ୍ତାନୀ ଗାୟକୀ ଅନୁପ୍ରବେଶ କଲା!! ଏ ଅଭିଯୋଗଟି ଏତେ ଅଧିକ ପିଲାଳିଆ ଯେ ୟାକୁ ନେଇ ବିଶେଷ ଆଲୋଚନାର ଆବଶ୍ୟକତା ନାହିଁ ।

ସଙ୍ଗୀତ ଓ ନୃତ୍ୟରେ ବିଭିନ୍ନ ଧାରା ପରଷ୍ପର ସହିତ ସମାବିଷ୍ଟ ହେବା ଓ ନିଜ ନିଜ ଭିତରେ ମିଶିଯିବା ଏକ ସାଧାରଣ ପ୍ରକ୍ରିୟା । ଭାରତର ତିନୋଟି ପ୍ରମୁଖ ମାର୍ଗୀ ବା ଶାସ୍ତ୍ରୀୟ ଗାୟନ ଶୈଳୀ - କର୍ଣ୍ଣାଟକୀ, ହିନ୍ଦୁସ୍ତାନୀ ଓ ଓଡିଶୀ ମଧ୍ୟରେ ଅନେକ ସାଧାରଣ ସାମଞ୍ଜସ୍ୟ ରହି ଆସିଛି । ଅନେକ ରାଗ ଏହି ତିନୋଟି ଧାରାରେ ସାଧାରଣ ଓ ସେମାନଙ୍କ ଗତି ଓ ପ୍ରକୃତି ମଧ୍ୟ ସମାନ । ତେଣୁ କେହି କାହା ଦ୍ଵାରା ପ୍ରଭାବିତ ହେବା ଅପେକ୍ଷା ଏହାକୁ ଏକ ପ୍ରକାର କଳାତ୍ମକ ରସାୟନ ବୋଲି ଆମେ କହିପାରିବା । ଓଡିଶୀ ବା ହିନ୍ଦୁସ୍ତାନୀ ମଧ୍ୟରେ ସେମିତି କିଛି ଲୁହାବାଡ ନାହିଁ । ଅନେକ ସମୟରେ ଏମାନେ ପରଷ୍ପରର ସମାଗୋତ୍ରୀୟ ବା ସହଯୋଗୀ ।

ଓଡିଶୀ - ହିନ୍ଦୁସ୍ତାନୀର ମେଳକ ପୃଷ୍ଠଭୂମିରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଗୀତଟି ହେଉଛି – “ବିତିଲା ତ ଯାମିନୀ, ମଉଳିଲା କାମିନୀ, ଗିରି ଶିଖେ ଚାହାଁ ଆରେ ଶଶୀ ମାଗେ ମେଲାଣି” । କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ରଚିତ ଏହି ଚର୍ଚ୍ଚିତ ଗୀତଟିକୁ ବଡେ ଗୁଲାମ ଅଲି ଖାନ ସାହେବଙ୍କ “କା କରୁ ସଜନୀ ଆୟେ ନା ବାଲମ” ସହିତ ବାରମ୍ବାର ତୁଳନା କରାଯାଇଛି । ନିକଟରେ ସଙ୍ଗୀତ ସୁଧାକରଙ୍କ ନାଁରେ ତିଆରି ହୋଇଥିବା ୱିକିପିଡିଆ ପୃଷ୍ଠାରେ କୁହାଯାଇଛି - "ବଡେ ଗୁଲାମ ଅଲ୍ଲୀ ଖାନଙ୍କ ଲୋକପ୍ରିୟ ଠୁମରୀ "କା କରୁ ସଜନୀ, ଆଏନା ବାଲମ" ଧାରାରେ, ବାଳକୃଷ୍ଣ କବିଚନ୍ଦ୍ର କାଲିଚରଣ ପଟ୍ଟନାୟକଙ୍କ ଲିଖିତ "ବିତିଲାତ ଯାମିନୀ, ମଉଳିଲା କାମିନୀ" ପଲ୍ଲୀଗୀତର ସଙ୍ଗୀତ ସଂଯୋଜନା କରିଥିଲେ” । ବାସ୍ତବରେ ଏ ଦୁହି ଗୀତର ଆଧାର ସମାନ ହୋଇଥିବା ବେଳେ ଗାୟକୀର ଠାଣି, ଗୀତର ଗତି ଓ ଭାବ ଦୃଷ୍ଟିରୁ ଦୁଇ ଗୀତ ପରଷ୍ପରଠାରୁ ଅନେକାଂଶରେ ଭିନ୍ନ । “କା କରୁ ସଜନୀ” ସିନ୍ଧୁ ଭୈରବୀ ରାଗ ଆଧାରିତ ଠୁମରି ହୋଇଥିବା ବେଳେ “ବିତିଲା ତ ଯାମିନୀ” ପ୍ରାୟ ସେହି ସମାନ ଅଙ୍ଗ ବା ଶୈଳୀର ରାଗ । ବଡେ ଗୁଲାମ ଅଲି ଓ ବାଳକୃଷ୍ଣଙ୍କ ଭିତରେ ଗୁରୁଶିଷ୍ୟର ସମ୍ପର୍କ ରହିଥିଲା । ହୁଏତ ପରୋକ୍ଷରେ ଗୁରୁଙ୍କ ପ୍ରଭାବ ଶିଷ୍ୟଙ୍କ ଉପରେ ଥାଇପାରେ । ହେଲେ “ବିତିଲା ତ ଯାମିନୀ” ର ଠାଣି, ଚାଲି ଓ ଚାହାଣୀ ବିଶୁଦ୍ଧ ଓଡିଶୀ ।

ହିନ୍ଦୁସ୍ତାନୀରେ ପଦଲାଳିତ୍ୟ ଓ ଭାବସିଦ୍ଧି ପ୍ରାୟ ବିରଳ । ରାଗର ଗତି ସହିତ ହିନ୍ଦୁସ୍ତାନୀର ଭାବ ପ୍ରକଟ ହୋଇଥାଏ । ଓଡିଶୀ କିନ୍ତୁ ଶବ୍ଦ - ଅର୍ଥ ଓ ଭାବ ଭିତରେ ରାଗକୁ ବାନ୍ଧିଥାଏ । ଶବ୍ଦ - ଅର୍ଥ - ଭାବକୁ ଗୋଟିଏ ସୂତ୍ରରେ ଗୁନ୍ଥିବାରେ ଓଡିଶୀ ଗାୟନର ସାର୍ଥକତା । ବାଳକୃଷ୍ଣ ଦାଶଙ୍କ ଗାୟକିରେ ପ୍ରତିଟି ଶବ୍ଦର ଉଚ୍ଚାରଣ, ଭବବିନ୍ୟାସ, ରାଗବିନ୍ୟାସ ଓ ଅର୍ଥ ସଂଯୋଗ ହିନ୍ଦୁସ୍ତାନୀ ଠାରୁ ସ୍ଵତନ୍ତ୍ର । ତାଙ୍କର ଆଳାପ ଓ ତାନକାରୀ, ଲୟ ପ୍ରଧାନ ନୁହେଁ, ବରଂ ଭାବ ପ୍ରଧାନ । ତେଣୁ ଓଡିଶୀର ଏକ ମୌଳିକ ଗୀତକୁ ଉପର ଠାଉରିଆ ଭାବେ ଠୁମରିର ପ୍ରଭାବ ବୋଲି କହିବା ଅସଙ୍ଗତ ।

ତେବେ ଓଡିଶୀର ଆଧୁନିକ ପର୍ବରେ ବାଳକୃଷ୍ଣ ଦାଶଙ୍କ ନିଜସ୍ଵ ଗାୟନ ଓ ସ୍ଵର ରଚନାର ସଂଖ୍ୟା ଶତାଧିକ । ଏହା ଗୋଟିଏ କି ପାଞ୍ଚୋଟି ଗୀତରେ ସୀମିତ ନୁହେଁ । ଛାନ୍ଦ, ଚଉପଦି, ଚମ୍ପୁ, ଜଣାଣ, ପ୍ରବନ୍ଧ ଗାୟନ ଓ ଓଡିଶୀର ଲଘୁଶୈଳୀରେ ଶହ ଶହ ଗୀତ ସେ ଗାଇଛନ୍ତି ଓ ସେସବୁର ସ୍ଵର ରଚନା କରିଛନ୍ତି । ସବୁ ଗୀତର ନିରୋଳା ଓଡିଶୀ ଠାଣି ଓ ଠାସ ଅଲଗା । ପାରମ୍ପରିକ ଗାୟନ ସହିତ ନୂଆ ସ୍ବରଗ୍ରାମର ସଂଯୋଜନା ତାଙ୍କ ଗୀତର ଆଉ ଏକ ବଡ ଅବଦାନ । ଓଡିଶୀ ଗୀତର ଅର୍କେଷ୍ଟ୍ରା କୁ ସଂପୂର୍ଣ୍ଣ ବଦଳାଇ ଦେବାରେ ସେ ଅଗ୍ରଣୀ ଭୂମିକା ନେଇଥିଲେ । କଟକ ରେଡିଓ ଷ୍ଟେସନରେ ସେ ରେକର୍ଡ କରିଥିବା ଅସଂଖ୍ୟ ଓଡିଶୀ ଗୀତ ଆଜି ମଧ୍ୟ ସେହି ସମାନ ସ୍ଵର ଓ ମୂର୍ଚ୍ଛନାରେ ଜୀବିତ ଅଛନ୍ତି ।

ବାଳକୃଷ୍ଣ ଦାଶଙ୍କ ଗଳାରେ ଗୀତର ପଦ ବା ଶବ୍ଦ ଅପେକ୍ଷା ଭାବର ପ୍ରାଧାନ୍ୟ ଅଧିକ । “ବସି କାନ୍ଦୁଥିବ ନବୀନା” ଗାଇଲା ବେଳେ କେଉଁଠି ନା କେଉଁଠି ଗୋଟେ ବିରହୀ କରୁଣ ମୂର୍ଚ୍ଚନା, ଶ୍ରୋତାର ଛାତିକୁ ଚିରି ପକାଉଥିବ । ଉପେନ୍ଦ୍ର ଭଞ୍ଜଙ୍କୁ ଗାଇଲା ବେଳେ ଛାନ୍ଦର ଯତିପାତକୁ ନେଇ ସେ ଅତ୍ୟନ୍ତ ସଚେତନ । ଓଡିଆ ଛାନ୍ଦ ଗାୟନରେ ଯତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେତୋଟି ଅକ୍ଷର ପରେ ସ୍ଵରର ବିରାମ ଘଟିବ ତାର ଏକ ନିର୍ଦ୍ଦିଷ୍ଟ ନିୟମ ରହି ଆସିଛି । ବାଳକୃଷ୍ଣ ଦାଶଙ୍କ ଗାୟକୀ ସେ ଦୃଷ୍ଟିରୁ “ଯତିର ଗତି” ବୋଲି ଆମେ କହିପାରିବା ।

ବାଳକୃଷ୍ଣ ଦାଶଙ୍କ ଓଡିଶୀ ଗାୟନର ଏକ ନିର୍ଦ୍ଦିଷ୍ଟ ବ୍ୟତିକ୍ରମ ମଧ୍ୟ ରହିଛି । ତାଙ୍କ ପୂର୍ବରୁ ଓଡିଶୀ ଗାୟନର ଧାରାଟି ମୂଳତଃ ଉଦାତ୍ତ ଓ ଏକସ୍ତରୀୟ (Unidimensional) । ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ସେ ଶୈଳୀର ମହାନାୟକ । ବାଳକୃଷ୍ଣ ଦାଶଙ୍କ ଗାୟକୀରେ ଏହାର ରୂପାନ୍ତରଣ ଘଟୁଛି । ଉଦାତ୍ତ, ଅନୁଦାତ୍ତ ଓ ସ୍ଵରିତର ସମାଗମ ସହିତ ଗୀତର ଆବେଦନ ବହୁସ୍ତରୀୟ (Multi-dimensional) ହେବା ଆରମ୍ଭ କରିଛି ।

ବାଳକୃଷ୍ଣଙ୍କ ସଙ୍ଗୀତରେ ଓଡିଶୀର ଏହି ନବଜନ୍ମକୁ ନେଇ ଆହୁରି ଅନେକ ଅନୁଶୀଳନର ଆବଶ୍ୟକତା ରହିଛି ।