ଫଟୋ: କେଦାର ମିଶ୍ର

ତାଙ୍କ ଚାଲିବାରେ ଦିଶିଯାଏ ଗୋଟେ ଇତିହାସ । ସେ ଇତିହାସ, ଲେଖା ହୋଇ ନଥାଏ, ସେ ଇତିହାସ ଆମ ସମୟର ଜୀବନ ଇତିହାସ । ସାମାନ୍ୟ ଅଣ୍ଟା ବଙ୍କେଇ, ଲହର ଝପର ହୋଇ ସେ ଯେତେବେଳେ କ୍ୟାମେରାର ଗୋଟିଏ କୋଣରୁ ଆଉ ଗୋଟେ କୋଣକୁ ଚାଲି ଯାଆନ୍ତି, ସେଇଠି ସ୍ଥିର ହୋଇଯାଏ ଇତିହାସ । ସେ ଇତିହାସକୁ ନିଜ ଅଭିନୟରେ ଜୀବନ୍ତ କରନ୍ତି । ଓଡିଶାର ମୂଳନିବାସୀ ଆଦିବାସୀଙ୍କ ଜୀବନ ଇତିହାସର ସେ ଜୀବନ୍ତ ରୂପକାର । ଅଶି ବର୍ଷ ପରେ ସେ ସିନେମାକୁ ଆସିଲେ । ବୋଧେ ସିନେମାର ଇତିହାସରେ ଏହା ହିଁ ଗୋଟେ ନୂଆ ଇତିହାସ । ଅଶି ବର୍ଷର ଯୁଆନ ଅଭିନେତା ଅଟଳ ବିହାରୀ ପଣ୍ଡା । ସେଇଠି ହଠାତ ବଦଳିଗଲା, ଓଡିଶାର ସିନେମା ଚିତ୍ର । କୋଶଳୀ ଭାଷାରେ ନିର୍ମିତ ସବ୍ୟସାଚୀ ମହାପାତ୍ରଙ୍କ ତିନୋଟି ସିନେମା - “ଶଲାବୁଢା”, “ଆଦିମ ବିଚାର” ଓ “ଶଲାବୁଢାର ବଦଲା”ରେ ମୁଖ୍ୟନାୟକ ଅଟଳ ବିହାରୀ ପଣ୍ଡା । ଏ ସିନେମା ସବୁ ଜାତୀୟ ପୁରସ୍କାର ପାଇଛି । ତେବେ ଏଇ ତିନୋଟି ଯାକ ସିନେମାର ବୋଝ ଅଟଳ ବିହାରୀ ପଣ୍ଡାଙ୍କ କାନ୍ଧରେ ଇ ଲଦା ହୋଇଥିଲା । ସେ ଏଇ ସିନେମାର ନାୟକ କେବଳ ନଥିଲେ, ସେ ଥିଲେ ଏଇ ତିନୋଟି ଯାକ ସିନେମାର ପ୍ରାଣ । ଯେମିତି “ଗରମ ହୱା” ରେ ବଲରାଜ ସାହାଣୀ, ଯେମିତି “ଉନିଶେ ଏପ୍ରିଲ”ରେ ଅପର୍ଣ୍ଣା ସେନ, ଯେମିତି “ପିକୁ”ରେ ଅମିତାଭ ବଚ୍ଚନ, ସେମିତି “ଶଲାବୁଢା”ରେ ଅଟଳ ବିହାରୀ ପଣ୍ଡା । ତାଙ୍କର ପରିପକ୍ଵ ଓ ବହୁସ୍ତରୀୟ ଅଭିନୟ ଉପରେ ଇ ସିନେମାର ପ୍ରତିଷ୍ଠା । ସିନେମାର ପ୍ରଥମ ଦୃଶ୍ୟରୁ ଅନ୍ତିମ ଦୃଶ୍ୟ ଯାଏଁ କେବଳ ସେ ହିଁ ପ୍ରାଣଶକ୍ତି ।

ଅଭିନୟରେ ଅଟଳ ବିହାରୀ ପଣ୍ଡା ମୂଳତଃ ନାଟୁଆ । ସେ ରଙ୍ଗମଞ୍ଚରୁ ଆସିଥିଲେ । ତେବେ ଓଡିଆ ନାଟୁଆଙ୍କର ଗୋଟେ ମୌଳିକ ସମସ୍ୟା ହେଉଛି ଅତିରଞ୍ଜନ । ଅଭିନୟ ସେମାନଙ୍କ ପାଇଁ “ଲାର୍ଜର ଦେନ ଲାଇଫ” । ଅଟଳ ବିହାରୀ ପଣ୍ଡା ଏହାର ଠିକ ବିପରୀତ । ତାଙ୍କ ଅଭିନୟ “ପ୍ୟୁଓର ଲାଇଫ”। ଏତେ ଟିକେ ବି ଅତିରଞ୍ଜନ ବା କୃତ୍ରିମତା ନାଇଁ । ସବୁକିଛି ସହଜ ଓ ସ୍ଵାଭାବିକ । ତେବେ ଅଭିନୟରେ ଏଇ ସହଜପଣ ଓ ସ୍ଵାଭାବିକତା, ସବୁଠୁ କଠିନ କାମ । ଅଶି ବର୍ଷ ବୟସରେ ଜଣେ ଲେଖକ ହଠାତ ସିନେମାର ବୈଷୟିକ ଜଗତକୁ ଆସି, ପୂରା ଅଭିନୟର ଚେହେରାକୁ ବଦଳାଇ ଦେଇଛନ୍ତି । ତେଣୁ ଓଡିଶାର ଅଭିନୟ ଇତିହାସରେ ସେ କ୍ରାନ୍ତିପୁରୁଷ ।

ଅଶି ବର୍ଷ ପରେ ସେ ସବ୍ୟସାଚୀ ମହାପାତ୍ରଙ୍କ ଆଗ୍ରହରେ ସିନେମାକୁ ଆସିଲେ । ସବ୍ୟସାଚୀ ମହାପାତ୍ର ବି ଅଦ୍ଭୁତ ସିନେମା ନିର୍ମାତା । ନିଜର ସବୁ ସିନେମାରେ ନୂଆ, ଅପାକଳ ଓ ମୁଖତଃ ନାଟୁଆଙ୍କୁ ନେଇ ସେ କିଛି ଗୋଟେ ପରୀକ୍ଷା ନୀରୀକ୍ଷା କରୁଥାନ୍ତି । ସେଇ କ୍ରମରେ ଅଟଳ ବିହାରୀ ପଣ୍ଡା ଆସିଛନ୍ତି ସିନେମାକୁ । ହେଲେ ଅଶି ବର୍ଷ ଯାଏ ଅଟଳ ବିହାରୀ ଥିଲେ କେଉଁଠି ? ଏ ପ୍ରଶ୍ନର ଉତ୍ତର ବି ଗୋଟେ ଇତିହାସ । କୋଶଳୀ ତଥା ଓଡିଆ, ଉଭୟ ଭାଷାରେ ସେ ଥିଲେ ଅନ୍ୟତମ ସାର୍ଥକ ନାଟ୍ୟକାର । ଚାକିରି ଜୀବନରେ କଟକ ରହଣି ସମୟରେ ତାଙ୍କର ଅନେକ ନାଟକ ସୌଖୀନ ରଙ୍ଗମଞ୍ଚ ଓ ପେଷାଦାର ଯାତ୍ରା ରେ ମଞ୍ଚସ୍ଥ ହୋଇଥିଲା ।

ଆଜିର ତାରିଖରେ ଓଡିଶାରେ ସବୁଠୁ ପ୍ରଭାବଶାଳୀ ନାଟକ କୋଶଳୀ ଭାଷାରେ ଲେଖା ହେଉଛି ଓ ମଞ୍ଚସ୍ଥ ମଧ୍ୟ ହେଉଛି । ନୀରବରେ ଓ ତଥାକଥିତ ମୁଖ୍ୟଧାରାଠୁ ଦୂରରେ କୋଶଳୀ ନାଟ୍ୟ ଆନ୍ଦୋଳନର ପ୍ରଭାବ । ତେବେ ଏଇ ଆନ୍ଦୋଳନର ଉତ୍ସ ଥିଲା ଅଟଳ ବିହାରୀ ପଣ୍ଡାଙ୍କ ପ୍ରଥମ ନାଟକ । ସେ କୋଶଳୀ ଭାଷାର ଆଦି ନାଟ୍ୟକାର । ତା ପରେ ପଚାଶରୁ ଅଧିକ ନାଟକ ସେ ଓଡିଆ ଏବଂ କୋଶଳୀରେ ଲେଖିଛନ୍ତି । ସାମାଜିକ ସଙ୍କଟ ଓ ମାନବୀୟ ଆବେଦନକୁ ନେଇ ଲୋକଭାଷାରେ ନାଟକ ଲେଖିବାର ପରମ୍ପରା ସେ ଇ ଆରମ୍ଭ କରିଥିଲେ । ନାଟକ ସହିତ ସେ ଥିଲେ, କୋଶଳୀ ଭାଷାର ପ୍ରଥମ ଉପନ୍ୟାସ ଲେଖକ । ତାଙ୍କର କୋଶଳୀ ଉପନ୍ୟାସ “ଦେବୀ” କୁ ନେଇ ଆମେ ଅଧିକ ଚର୍ଚ୍ଚା କରିବାର ଆବଶ୍ୟକତା ରହିଛି । ଏ ଉପନ୍ୟାସ ଅନେକାଂଶରେ ଆତ୍ମଜୀବନୀମୂଳକ । ନିଜ ଜୀବନ କାହାଣୀକୁ ସେ ଗୋଟେ ଅଲଗା ଶୈଳୀରେ ଉପନ୍ୟାସ କରି ଲେଖିଥିଲେ ।

ଅଟଳ ବିହାରୀ ପଣ୍ଡା ଲେଖକ ଓ ଅଭିନେତା ଭାବରେ ଯେତିକି ପ୍ରତିଷ୍ଠିତ, ବ୍ୟକ୍ତିଗତ ଭାବରେ ସେତିକି ସାଧାରଣ । ସେ ମାଟିର କଳାକାର । ମାଟିରେ ଇ ତାଙ୍କର ବସତି ଓ ସ୍ଥାପନା । ଗୋଟେ ସମୟରେ ତାଙ୍କ କ୍ରୋଧୀ ସ୍ଵଭାବକୁ ନେଇ ଆମେ ସମସ୍ତେ ତାଙ୍କୁ ଡରୁଥିଲୁ । କାରଣ କଥା କହିବାରେ ସେ ରୋକଠୋକ । ପଛରେ ତାଙ୍କର ଅନେକ ଅନୁଗାମୀ ତାଙ୍କୁ କହୁଥିଲେ “ଦୁର୍ବାସା” । ତେବେ ହଠାତ ଏ କ୍ରୋଧୀ ଦୁର୍ବାସାଙ୍କର କୋମଳତମ ଚିତ୍ର ଆମେ ଦେଖିଲୁ ତାଙ୍କର ଅବସର ଗ୍ରହଣ ପରେ । ଚାକିରିରୁ ଅବସର ନେଇ ସେ ଫେରି ଆସିଲେ, ନିଜ ଜନ୍ମସ୍ଥାନ ବିନିକାକୁ । ସୋନପୁର ଜିଲାର ବିନିକା । ଶିଳ୍ପୀ ଓ କଳାକାରଙ୍କର ଏକ ଛୋଟିଆ ସହର । ଏଇଠି ପୁଣି ସେ ଆରମ୍ଭ କଲେ ନବନାଟ୍ୟ ଆନ୍ଦୋଳନ । ୧୯୯୩ରେ ସୋନପୁର ନୂଆ ଜିଲା ହେଲାପରେ ଅଟଳ ବିହାରୀ ପଣ୍ଡା ବି ଯୌବନ ଫେରି ପାଇଲେ । ବିନିକା ଓ ସୋନପୁରରେ ଆରମ୍ଭ ହେଲା ତାଙ୍କ ନାଟୁଆ ଜୀବନର ସବୁଠୁ ପ୍ରଭାବଶାଳୀ ଅଧ୍ୟାୟ । ନାଟକ ଓ ସିନେମା, ଏ ଦୁଇଟି ଯାକ କ୍ଷେତ୍ରରେ ସେ ସୋନପୁରରେ ରହି ହିଁ ନିଜର ପ୍ରଭାମଣ୍ଡଳ ତିଆରି କରିଥିଲେ ।

ସାଂସ୍କୃତିକ ଇତିହାସରେ ଅଟଳ ବିହାରୀ ପଣ୍ଡାଙ୍କର ଜୀବନକୁ ବହୁ ଦିଗରୁ ଅଧ୍ୟୟନ କରାଯିବା ଦରକାର । ବୃତ୍ତିରେ ସେ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ, ଆଚରଣ ଓ ଉଚ୍ଚାରଣ ରେ ସେ ବିଶୁଦ୍ଧ ବୈଷ୍ଣବ ବ୍ରାହ୍ମଣ, ହେଲେ ଅଭିନୟରେ ସେ କଞ୍ଚା ଆଦିବାସୀ ଓ ଦଳିତ । ଏ ଚିତା ଓ ପଇତା ପିନ୍ଧା ବ୍ରାହ୍ମଣ ବୁଢା ଭିତରେ ଜଗତକୁ ଭଲ ପାଉଥିବା ଆଦିବାସୀ “ଶଲାବୁଢା” ଟି ସମାନ୍ତରାଳରେ ବଞ୍ଚି ରହିଥିଲା । ପଶ୍ଚିମ ଓଡିଶାର ଲୋକଭାଷା ଓ ଆଦିବାସୀ ଭାଷା ଉପରେ ତାଙ୍କର ଅସାମାନ୍ୟ ଦଖଲ । “ଶଲାବୁଢା” ତ୍ରୟୀର ସଂଳାପକାର ଭାବରେ ସିନେମାରେ ଲୋକଭାଷାର ବ୍ୟବହାରକୁ ନେଇ ଏକ ଭିନ୍ନ ଆଲୋଚନା କରାଯାଇ ପାରିବ ।

ଓଡିଶାର ସିନେମା ଇତିହାସରେ ଅଟଳ ବିହାରୀ ପଣ୍ଡା ଏକ ବିସ୍ମୟ । ଲେଖକ ଓ ଗୀତିକାର ଭାବରେ ସେ ଗୋଟେ ଭିନ୍ନ ଧାରାର କଥକ । ଆଉ ମଣିଷ ଭାବରେ ସେ ନିରୁତା-ବିଶୁଦ୍ଧ-ପ୍ରେମରେ ତିଆରି ମଣିଷ ।

ଆଜି ୯୨ ବର୍ଷର ପରିପୂର୍ଣ୍ଣ ଜୀବନ ବିତାଇ ସେ ଆମଠୁ ସବୁଦିନ ଲାଗି ବିଦାୟ ନେଇଛନ୍ତି । ଅଭିନୟର ଏହି କ୍ରାନ୍ତିପୁରୁଷଙ୍କୁ ଆମର ବିନମ୍ର ଶ୍ରଦ୍ଧାଞ୍ଜଳି ।