ଫଟୋ: ୱିକି କମନ୍ସ

ଦୁଇ ବର୍ଷ ତଳର ଜୁନ ୧୦ ତାରିଖ, ସକାଳୁ ଯେତେବେଳେ ଖବର ମିଳିଲା ଯେ ଗିରୀଶ୍ କର୍ଣ୍ଣାଡ୍ (ମଇ ୧୯, ୧୯୩୮- ଜୁନ ୧୦, ୨୦୧୯, ଜନ୍ମ: ମାଥେରାନ, ମହାରାଷ୍ଟ୍ର, କନ୍ନଡ ସାହିତ୍ୟର ମହାନତମ ଲେଖକ ଓ ଭାରତୀୟ ସିନେମାର କିମ୍ବଦନ୍ତୀ ନାୟକ) ଚାଲିଗଲେ, ହଠାତ ମୋ ଆଖି ଆଗରେ "ନାଗ ମଣ୍ଡଳ" ନାଟକର ଶେଷ ଦୃଶ୍ୟଟି ଭାସିଗଲା । ନାଟକର ନାୟିକା ରାଣୀ ନାଟକର ନାୟକ ନାଗ ପୁରୁଷକୁ କହୁଛି - 'ଆ, ତୁ ମୋର ଗଭାର କେଶରାଶି ଭିତରେ ଲୁଚିରହିଥା’ । ନଚେତ ସେମାନେ ତୋତେ ମାରିଦେବେ । ହଠାତ ମୋତେ କାଇଁ ଲାଗୁଛି ଆଜି ମୃତ୍ୟୁ “ନାଗ ମଣ୍ଡଳ”ର ନାୟିକା ରାଣୀ ହୋଇ ଆସିଛି ଓ ଗିରୀଶଙ୍କୁ ତା ଗଭାରେ ଲୁଚେଇ ଧୀରେ ଧୀରେ ଅପସରି ଯାଉଛି । ୮୧ ବର୍ଷର ପରିପକ୍ଵ ଜୀବନରେ ଗିରୀଶ୍ କର୍ଣ୍ଣାଡ୍ ମୃତ୍ୟୁବରଣ କରିବାର କିଛି ବର୍ଷ ଆଗରୁ ତାଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିଲା । ଯେଉଁ ଆତତାୟୀମାନେ କାଲବୁର୍ଗୀ ଓ ଗୌରୀ ଲଙ୍କେଶଙ୍କୁ ହତ୍ୟା କରିଥିଲେ, ସେମାନେ ଗିରୀଶଙ୍କର ରକ୍ତ ମଧ୍ୟ ମାଗୁଥିଲେ । ଗତ ଦଶ ବର୍ଷ ଭିତରେ କର୍ଣ୍ଣାଟକରେ ଉଗ୍ରବାଦୀ ହିନ୍ଦୁତ୍ଵ ଗୋଷ୍ଠୀ ଅନେକ ପ୍ରଗତିଶୀଳ ଲେଖକ ଓ ବୁଦ୍ଧିଜୀବୀଙ୍କୁ ହତ୍ୟା ଧମକ ଦେଇ ଆସୁଛନ୍ତି । ଗିରୀଶ୍ ସେମାନଙ୍କ ହିଟ ଲିଷ୍ଟରେ ରହିଥିଲେ ବି ତାଙ୍କର ସ୍ଵର ସବୁବେଳେ ସେମିତି ତୀକ୍ଷ୍ନ ଓ ଶାଣିତ ରହିଥିଲା । ମୃତ୍ୟୁ ପର୍ୟନ୍ତ ଭାରତୀୟ ଜୀବନବୋଧର ଜୀବନ୍ତ ବିବେକ ଭାବରେ ଗିରୀଶ୍ କର୍ଣ୍ଣାଡ୍ ସ୍ବାଭିମାନର ସହିତ ବଞ୍ଚିଥିଲେ ।

ଭାରତର ସାଂସ୍କୃତିକ ଇତିହାସରେ ଗିରୀଶ୍ କର୍ଣ୍ଣାଡ୍ ବହୁ ଆକାଶରେ ତାରକାର ମର୍ଯାଦା ପାଇବେ । ସିନେମା ଓ ମଞ୍ଚରେ ସେ ଥିଲେ ଅନନ୍ୟ ଅଭିନେତା । ତାଙ୍କର ଶତାଧିକ ଅଭିନୀତ ସିନେମା ଭିତରୁ ମାତ୍ର ତିନୋଟି ସିନେମା କଥା ମୁଁ କହିବାକୁ ଚାହିଁବି । ସଂସ୍କାର (୧୯୭୦), ସ୍ଵାମୀ (୧୯୭୭) ଓ ସୁର୍ ସଙ୍ଗମ୍ (୧୯୮୫) । ତାଙ୍କ ଅଭିନୟର ଯାଦୁକରୀ ହେଉଛି ଚରିତ୍ର ସହିତ ଏକାକାର ହୋଇଯିବାର ଅପୂର୍ବ ଦକ୍ଷତା । “ସୁର୍ ସଙ୍ଗମ୍” ରେ ଶାସ୍ତ୍ରୀୟ ସଙ୍ଗୀତ ବିଦ୍ଵାନ ଶିବଶଙ୍କର ଶାସ୍ତ୍ରୀ ଭୂମିକାରେ ତାଙ୍କୁ ଯେ ଦେଖିଛି, ସେ ସାରା ଜୀବନ ତାକୁ ଭୁଲି ପାରିବ ନାହିଁ । ମଞ୍ଚରେ ରାଗ ମାଲକୋଷ ପରିବେଷଣ କରିବା ବେଳେ ତାଙ୍କର ଯେଉଁ ଠାଣି ଓ ଚାହାଣୀ, ସେ କୌଣସି ଅଭିନେତାର ନୁହଁ, ବରଂ ଖୋଦ କେହିଜଣେ ଓସ୍ତାଦର । ମଞ୍ଚ ଓ ସିନେମାରେ ତାଙ୍କର ଅଭିନୟ ଗୋଟେ ଭିନ୍ନ ଶ୍ରେଣୀର ଅନୁଭବ ଦେଇଥାଏ । ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସେ ଅଭିନୟ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କର ୪ଟି କାନ୍ନାଡ଼ା ଓ ଗୋଟିଏ ତେଲୁଗୁ ସିନେମା ମୁକ୍ତିଲାଭ କରିବା ଅପେକ୍ଷାରେ ରହିଥିଲା । ଅଭିନୟ ତାଙ୍କ ରକ୍ତରେ ଥିଲା ଓ ସେ ରକ୍ତ ଶୁଦ୍ଧ ଭାରତୀୟତାର ରକ୍ତ । ଯେଉଁ ଆତତାୟୀମାନେ ଗିରୀଶ୍ କର୍ଣ୍ଣାଡ୍ଙ୍କ ହିନ୍ଦୁବିରୋଧୀ ବୋଲି କହି ହତ୍ୟା ଧମକ ଦେଉଥିଲେ, ସେମାନେ ବୋଧେ ଗିରୀଶଙ୍କୁ କେବେ ଦେଖିନଥିବେ ବା ପଢିନଥିବେ। ସେଇ “ସୁର୍ ସଙ୍ଗମ୍” ସିନେମାରେ ଯେତେବେଳେ ସେ ଶିବ ବନ୍ଦନା ଗାନ କରୁଛନ୍ତି, ତାଙ୍କ ଆଖିରେ ଭକ୍ତି ଓ ସମର୍ପଣର ଅଦ୍ଭୁତ ଅଭିବ୍ୟକ୍ତି ଫୁଟି ଉଠୁଛି । ଅଭିନୟରେ ଚରିତ୍ର ସହ ଏକାକାର ହୋଇ ପାରିବାର ଦକ୍ଷତା ଯୋଗୁଁ, ସେ ତାଙ୍କ ସମୟର ସବୁ ଅଭିନେତାଙ୍କଠୁ ଭିନ୍ନ ।

ତେବେ ଅଭିନେତା ତୁଳନାରେ ସେ ଭାରତୀୟ ସାହିତ୍ୟର ଅନ୍ୟତମ ମହାସର୍ଜକ । ଭାରତୀୟ ନାଟକର ଆଧୁନିକ ପରମ୍ପରାରେ ସେ ଅନନ୍ୟ ଓ ଶ୍ରେଷ୍ଠତମ । କୋଡିଏରୁ ଅଧିକ ନାଟକ ତାଙ୍କର ରହିଛି । ତେବେ ଯେଉଁ ଚାରୋଟି ନାଟକ ଭାରତୀୟ ରଙ୍ଗମଞ୍ଚର ଇତିହାସ ବଦଳାଇ ଦେଇଥିଲା, ସେ ହେଲେ - ଯଯାତି (୧୯୬୧), ତୁଗଲକ (୧୯୬୪), ହୟବଦନ (୧୯୭୧) ଓ ନାଗ ମଣ୍ଡଳ (୧୯୮୮) । ଚାରୋଟି ଯାକ ନାଟକର ମୂଳ ଆଧାର ହେଉଛି ଲୋକକଥା, ପୁରାଣ ଓ ଇତିହାସ । ଅଥଚ ସବୁ ନାଟକ ସମକାଳୀନ ଜୀବନର ସଙ୍ଘାତକୁ ନୂଆ ଭାଷାରେ ବ୍ୟକ୍ତ କରୁଛନ୍ତି । ୧୯୬୪ ମସିହାରେ ଲେଖାଯାଇଥିବା ନାଟକ ତୁଗଲକ ଆଜିର ରାଜନୀତିରେ କିଛି କମ ପ୍ରାସଙ୍ଗିକ ନୁହେଁ । ମୁହମ୍ମଦ-ବିନ-ତୁଗଲକ ଆମ ସମୟ ଓ ଶାସନରେ ବାରମ୍ବାର ନୂଆ ରୂପ ନେଇ ଆସୁଛି । ନାଗ ମଣ୍ଡଳରେ ପ୍ରତିବାଦର ଏକ ସୂକ୍ଷ୍ମ ଓ କଳାତ୍ମକ ମାଧ୍ୟମ ଆମେ ଦେଖିଛୁ । ସାମାଜିକ ଜୀବନର ଜଡତା ଭାଙ୍ଗିବା ଲାଗି ପ୍ରେମ ଯେ ଏକ ବଡ ପ୍ରତିବାଦ ହୋଇପାରେ, ନାଗ ମଣ୍ଡଳ ତାର ଏକ ଉଦାହରଣ । ଏଇ ଚାରୋଟି ନାଟକ ଆଧୁନିକ ସମୟର କ୍ଲାସିକ ଭାବରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି । ସମକାଳୀନ ଭାରତୀୟ ନାଟକରେ ଜୀବନ୍ତ କିମ୍ବଦନ୍ତୀ ବୋଲି କୁହା ଯାଉଥିବା ଗିରୀଶ୍ କର୍ଣ୍ଣାଡଙ୍କର ମୃତ୍ୟୁ ସମ୍ଭବ ନୁହେଁ ।

ସାହିତ୍ୟ ଓ ସିନେମା ବାହାରେ ସେ ଥିଲେ ଆମ ସମୟର ଅଗ୍ରଣୀ ଲୋକ ଚିନ୍ତକ । ଲୋକଙ୍କ କଥା, ଲୋକଙ୍କ ପ୍ରତିବାଦ ଓ ଲୋକତନ୍ତ୍ରର ସୁରକ୍ଷା ଲାଗି ସେ ସବୁବେଳେ ସ୍ଵର ଉତ୍ତୋଳନ କରି ଆସିଛନ୍ତି । ତାଙ୍କର ଜ୍ଞାନ ଓ ପ୍ରଜ୍ଞାନର ଧାରା ବଡ ବିଚିତ୍ର । ପାଠ ପଢିଲା ବେଳେ ସେ ଥିଲେ ଗଣିତଜ୍ଞ । ଗଣିତ ଥିଲା ତାଙ୍କର ଯୁକ୍ତିବାଦୀ ସାହିତ୍ୟିକ ଜୀବନର ଆଧାର । ଗଣିତରୁ ସେ ସାହିତ୍ୟକୁ ଆସିଛନ୍ତି । ତେଣୁ ସାହିତ୍ୟ ତାଙ୍କଲାଗି କେବଳ ଭାବପ୍ରବଣ ଭାଟଗିରି ନଥିଲା । କନ୍ନଡ ସାହିତ୍ୟର ମହାନାୟକ ୟୁ.ଆର.ଅନନ୍ତମୂର୍ତି ଓ ପି. ଲଙ୍କେଶଙ୍କ ଧାରାରେ ସେ ନିଜକୁ ସାମିଲ କରିଛନ୍ତି । ସାହିତ୍ୟରେ ଲୋକପକ୍ଷକୁ ଅତି ସ୍ପଷ୍ଟ କରିବାରେ ଏହି ଧାରା ତାଙ୍କର ସହଯୋଗୀ ହୋଇଛି । ସତୁରୀ ଦଶକରେ ବି.ଭି. କରନ୍ଥ ଗିରୀଶଙ୍କ ନାଟକକୁ ହିନ୍ଦୀରେ ଅନୁବାଦ କଲାପରେ, ଏହା ଭାରତୀୟ ରଙ୍ଗମଞ୍ଚ ଉପରେ ଗଭୀର ପ୍ରଭାବ ପକାଇଛି । ଇବ୍ରାହିମ ଆଲକାଜି ଓ କରନ୍ଥଙ୍କ ନିର୍ଦ୍ଦେଶନାରେ ତାଙ୍କର ନାଟକ ଗୁଡିକ କ୍ରାନ୍ତିକାରୀ ବିବେଚିତ ହୋଇଛନ୍ତି ।

ଗିରୀଶ୍ କର୍ଣ୍ଣାଡ୍ ନିଜେ ଏକ ମହାମଞ୍ଚ । ତାଙ୍କ ବିଷୟରେ ଲେଖିବା ହୁଏତ ଆରମ୍ଭ କରିହେବ, ହେଲେ ସେ ଲେଖାର ସମାପ୍ତି ସମ୍ଭବ ନୁହଁ । ତାଙ୍କର ବହୁ ସଫଳ ସୃଷ୍ଟି ଭିତରୁ “ଉତ୍ସବ” ସିନେମା କଥା ଉଲ୍ଲେଖ ନ କଲେ, କଥା ଅଧୁରା ରହିଯିବ । ଶୂଦ୍ରକଙ୍କ ମହାନ ସଂସ୍କୃତ ନାଟକ “ମୃଚ୍ଛକଟିକମ” ଆଧାରରେ ଏହି ସିନେମାର ପରିକଳ୍ପନା ଓ ନିର୍ଦ୍ଦେଶନା ଦାୟିତ୍ଵ ନେଇଥିଲେ ଗିରୀଶ୍ କର୍ଣ୍ଣାଡ୍ । ରେଖାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟର ସଫଳତମ ରୂପାୟନ ଏ ସିନେମାରେ ଗିରୀଶଙ୍କର ଏକ ବଡ ସଫଳତା । କଳା ଓ ପ୍ରତିବାଦର ସୂକ୍ଷ୍ମସୂତ୍ର ଆବିଷ୍କାର କରିବାରେ ତାଙ୍କପରି ଲେଖକ ବିରଳ । ଗୋଟିଏ ଧାଡିରେ କୁହା ଯାଇପାରେ – ଗିରୀଶ୍ କର୍ଣ୍ଣାଡ୍, ଆମ ସମୟର ସବୁଠୁ ବଡ ଲୋକନାୟକ - ଲେଖକ ।