ଫଟୋ ସମ୍ପାଦନା: ୱିକି କମନ୍ସ

(ସମରେନ୍ଦ୍ର ପ୍ରସାଦ ଦାସ, ଏ ନାଁଟି ସହ ଆଜିର ଓଡିଆ ପାଠକ ହୁଏତ ପରିଚିତ ନୁହନ୍ତି । ହେଲେ ସତୁରୀ ଦଶକରେ ସେ ଥିଲେ ଓଡିଆ ଗଳ୍ପର ଏକ ଦୁର୍ଦ୍ଦାନ୍ତ ସମ୍ଭାବନା । ଗଳ୍ପର ଶୈଳୀ ଓ ସାମର୍ଥ୍ୟ ଦୃଷ୍ଟିରୁ ସେତେବେଳେ ତାଙ୍କୁ ଓଡିଆ ଗପର ଭବିଷ୍ୟତ ବୋଲି ଅନେକ କହୁଥିଲେ । ସେ ଲେଖିଛନ୍ତି ବହୁତ ଅଳ୍ପ, ହେଲେ ଯାହା ବି ଲେଖିଛନ୍ତି, ସେତିକି ଯଥେଷ୍ଟ ଓଡିଆ ସାହିତ୍ୟରେ ତାଙ୍କର ପାଦଚିହ୍ନ ପାଇଁ। ସତୁରୀ ଦଶକରେ ତାଙ୍କର ଏକମାତ୍ର ଗଳ୍ପ ସଂକଳନ “ନିର୍ଲିପ୍ତ ପ୍ରତିଯୋଗୀ” ବେଶ ଚହଳ ସୃଷ୍ଟି କରିଥିଲା । ତାଙ୍କ କଥା କହିବାର ଶୈଳୀରେ ଥିଲା ଏକ ଅଭିନବ ଯାଦୁକରୀ । ଖୁବ ଅଳ୍ପ ଶବ୍ଦରେ ଗହନ କଥାର ରହସ୍ୟ ନିର୍ମାଣ, ଏହା ଥିଲା ତାଙ୍କ ଗଳ୍ପର ବିଶେଷତ୍ଵ । ଗତ ସପ୍ତାହରେ ଦିଲ୍ଲୀରେ ଏହି କଥାଶିଳ୍ପୀଙ୍କର ପରଲୋକ ଘଟିଛି । ହୃଦଘାତ କାରଣରୁ ତାଙ୍କର ଦେହାବସାନ ଘଟିଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆମେ ପ୍ରକାଶ କରୁଛୁ ତାଙ୍କର ଏକ ଗଳ୍ପ "ସାମ୍ରାଜ୍ଞୀ"। )

ନିର୍ଲିପ୍ତ ପ୍ରତିଯୋଗୀ ନିର୍ଲିପ୍ତ ପ୍ରତିଯୋଗୀ

ସିରିଂଜ ଭାଙ୍ଗିଗଲା । ଏଧରଣର ସିରିଂଜ ଏ ସହରରେ ମିଳିବନି । ତେଣୁ କର୍ମବ୍ୟସ୍ତତାର ଯେଉଁ କୋଳାହଳ ଆରମ୍ଭ ହୋଇ ଆସୁଥିଲା ତାହା ଅଚାନକ ବନ୍ଦ ହୋଇଗଲା । ଆଜି ଦିନର କର୍ମସୂଚୀରେ ଏନ୍‌ଗେଜମେଣ୍ଟ ଡାଏରୀର ଯେଉଁ ପୃଷ୍ଠା ଭର୍ତ୍ତି ହୋଇଥିଲା ତାକୁ ଚିରି ଅଳିଆଗଦାରେ ଫିଙ୍ଗିଦେଲେ କିଛି କ୍ଷତି ନାହିଁ । ପ୍ରମୁଖ ବ୍ୟକ୍ତିଙ୍କୁ ସ୍ଵାଗତ ଜଣାଇବା ପାଇଁ ତା’ର ଉପସ୍ଥିତି କେଇ ମିନିଟ୍‌ ପୂର୍ବରୁ ଯେତେ ଅପରିହାର୍ଯ୍ୟ ଥିଲା ବର୍ତ୍ତମାନ ଆଉ ତା’ର କିଛି ମୂଲ୍ୟ ନାହିଁ । ସମ୍ମିଳନୀରେ ତା’ର ଗୁରୁତ୍ଵପୂର୍ଣ୍ଣ ଭୂମିକା କିମ୍ବା ପ୍ରମୁଖଙ୍କ ସହ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ଭଳି କୌଣସି ଗୋଟିଏ ହେଲେ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ସମ୍ଭବ ହବନି । ଆରଘରକୁ ଯାଇ ଏସବୁ କାମ ତୁଲାଇବା ପାଇଁ ଟେଲିଫୋନ୍‌ରେ ଆଉ କାହାକୁ ଅନୁରୋଧ କରିବା ଲାଗି ମଧ୍ୟ ସେ ସମର୍ଥ ନୁହେଁ । ନିଜର ନିତ୍ୟକର୍ମ ଭିତରୁ ଅନେକ ବିଛଣା ଉପରେ ସାରିବାକୁ ହେବ । ମୋଟ୍‌ ଉପରେ ଆଉ ଗୋଟିଏ ସିରିଂଜ ନ ଆସିବା ପର୍ଯ୍ୟନ୍ତ ତାକୁ ବିଛଣାରେ ଶୋଇ ରହିବାକୁ ପଡ଼ିବ ।

ସଦାନନ୍ଦ ଆଶ୍ଚର୍ଯ୍ୟ ହେଉଥିଲା ତଥାପି ଡାକ୍ତରମାନେ ତାକୁ କହିଛନ୍ତି, ଏକ ସାଧାରଣ ଲୋକ ଭଳି ଜୀବନଯାପନ କରିବାରେ ତା’ର କୌଣସି ଅସୁବିଧା ନାହିଁ । ରୋଗ ହୋଇନଥିଲେ ଯେତେଦିନ ସେ ବଞ୍ଚିଥାନ୍ତା ଏମିତି ବି ସେତେଦିନ ବଞ୍ଚିପାରିବ । ସ୍ଵାଭାବିକ ଜୀବନଯାପନ ପାଇଁ ଯାହା କରିବାକୁ ପଡ଼ିବ ତାହା ହେଲା, ସକାଳୁ ଉଠିବା ପରେ ଦିନର କାମ ଆରମ୍ଭ କରିବା ପୂର୍ବରୁ ତାକୁ ଗୋଟାଏ ଇଞ୍ଜେକସନ୍‌ ନବାକୁ ହବ । ବିନା ଇଞ୍ଜେକସନ୍‌ରେ ବିଛଣା ଛାଡ଼ିବା ପୂରାପୂରି ନିଷେଧ ।

ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଅର୍ଦ୍ଧରାତ୍ରି ଯାଏ ବିଭିନ୍ନ କାମ ଧନ୍ଦାରେ ବ୍ୟସ୍ତ ରହିବା ଥିଲା ସଦାନନ୍ଦ ପାଇଁ ଜୀବନଯାପନ । ସକାଳୁ ଗୋଟାଏ ଇଂଞ୍ଜକେସନ୍‌ ନେଇ ଯଦି ଏସବୁ କାମଧନ୍ଦା କରିହୁଏ । ତେବେ ତା’ ପାଇଁ ବ୍ୟସ୍ତତାର କିଛି କାରଣ ନଥିଲା । ଜୀବନଯାପନର ସମସ୍ତ ସ୍ଵାଭାବିକତା ଭିତରେ ଇଞ୍ଜେକସନ୍‌ ନବାଟା ହିଁ ଥିଲା ଅସ୍ଵାଭାବିକ, ଯାହାକୁ ସେ ମାନି ନେଇଥିଲା ଡାକ୍ତରଖାନାର ବିଛଣା ଉପରେ । ଡାକ୍ତରଖାନାର ଚିକିତ୍ସା ଭିତରେ ସଦାନନ୍ଦକୁ ଯେତେବେଳେ କୁହାଗଲା ଯେ ପ୍ରତିଦିନ ଗୋଟିଏ ଲେଖାଏଁ ଇଞ୍ଜେକସନ୍‌ ନେଇ ସାରା ଜୀବନ ତାକୁ ବଞ୍ଚିବାକୁ ହେବ, ସେ ଯେ ଭାଙ୍ଗିପଡ଼ି ନଥିଲା ତା’ ନୁହେଁ – ଛୋଟ ଛୋଟ ଘଟଣାରେ ବିବ୍ରତ ହୋଇ ପଡ଼ିଥିବା ତା’ ଭଳି ଏକ ଯୁବକ ସାରା ଜୀବନକୁ ଇଞ୍ଜେକସନ୍‌ ସିରିଂଜ୍‌ରେ ମାପିବାର ସାହସ ସଂଗ୍ରହ କରିବା କେତେ ଯେ କଷ୍ଟସାଧ୍ୟ ସେ କେବଳ ଜାଣିଥିଲା । ତେବେ ବିଶେଷଜ୍ଞମାନଙ୍କ ଉତ୍ସାହବାଣୀ ଭିତରେ ସେ ନିଜ ପାଇଁ ଯେଉଁଥିରୁ ସାହସ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା, ତାହା ହେଲା ଆଜିକାଲିକାର ମାଦକ-ଦ୍ରବ୍ୟ ସେବନକାରୀମାନଙ୍କର ପ୍ରତିଦିନ ଇଞ୍ଜେକସନ୍‌ ନବା ଘଟଣା । ଜୀବନକୁ ଭୁଲିଯିବା ପାଇଁ ଯଦି କେତେକଙ୍କ ପାଇଁ ଇଞ୍ଜେକସନ୍‌ ନବା ଜରୁରୀ, ତେବେ ଜୀବନକୁ ଜୀବନ ଭାବରେ ବିତାଇବା ଲାଗି ଇଞ୍ଜେକସନ୍‌ ନବା ଦରକାର ପଡ଼ିଲେ ହତୋତ୍ସାହ ହବାର କ’ଣ ଅଛି । ଯେହେତୁ ସେ ଲୋକହିତମୂଳକ କାର୍ଯ୍ୟରେ ନିଯୁକ୍ତ ଏବଂ ତା’ ଜୀବନ ତା’ ଚାରିପାଖର କେତେକଙ୍କ ପାଇଁ ମୂଲ୍ୟବାନ, ଇଞ୍ଜେକସନ୍‌ ନେଇ ସାରା ଜୀବନ ବଞ୍ଚିବାର ବିଶେଷ ଉଦ୍ଦେଶ୍ୟ ରହିଛି ବୋଲି ସେ ନିଜକୁ ବୁଝାଇଥିଲା ଏବଂ ସେଥିପାଇଁ ନିଜକୁ ପ୍ରସ୍ତୁତ ମଧ୍ୟ କରିଥିଲା ।

ଏଭଳି ଏକ ପ୍ରସ୍ତୁତି ପରେ ଡାକ୍ତରଖାନାରୁ ଆସିବା ଏବଂ ଆଜିର ସିରିଂଜ ଭାଙ୍ଗିବା ମଧ୍ୟରେ ବେଶ୍‌ ସ୍ଵାଭାବିକତା ବଜାୟ ରହିଥିଲା । ପ୍ରତ୍ୟହ ସକାଳୁ ବିଛଣା ଛାଡ଼ିବା ପରେ ଗୋଟାଏ ଛୁଞ୍ଚିଫୋଡ଼ା ତାକୁ ସମୟେ ସମୟେ ବିବ୍ରତ କରୁଥିଲେ ମଧ୍ୟ ତା’ ଜୀବନ ଯାପନର ସ୍ଵାଭାବିକତା ବ୍ୟାହତ ହୋଇ ନଥିଲା ।

ଜୀବନଯାପନ ସମ୍ପର୍କରେ ସଦାନନ୍ଦ କେବେ ହୁସିଆର ହୋଇ ପାରିନି ବୋଲି ସେ ବର୍ତ୍ତମାନ ବିଛଣାରେ ଶୋଇ ଶୋଇ ଭାବୁଛି ।

ଗୋଟିଏ ସିରିଂଜ ଉପରେ ଯେତେବେଳେ ତା’ ଜୀବନଯାପନର ସ୍ଵାଭାବିକତା ନିର୍ଭର କରୁଛି ସେ ନିଜ ପାଖରେ ଦୁଇଟି ସିରିଂଜ ତ ରଖି ପାରିଥାନ୍ତା ! ଜୀବନକୁ ଏଡ଼େଇ ଏଡ଼େଇ ଚାଲିବା ବୋଧହୁଏ ତା’ ଜୀବନଯାପନ ପ୍ରଣାଳୀର ଥିଲା ସବୁଠାରୁ ବଡ଼ ଦିଗ ଏବଂ ଏଇଥିପାଇଁ ବୋଧହୁଏ ଆଜିଠାରୁ କେତେ ମାସ ପୂର୍ବ ପର୍ଯ୍ୟନ୍ତ ସେ ଆନୁଷ୍ଠାନିକ ଭାବରେ ଜୀବନ ଆରମ୍ଭ କରିପାରୁନଥିଲା। ସେଇଭଳି ଏକ ଜୀବନ ଆଜିଯାଏଁ ଗଡ଼ି ଆସୁଥିଲେ ତା’ର ଶୋଚନାର କାରଣ କ’ଣ ଥିଲା !

ସଦାନନ୍ଦ ଖଟ ଉପରେ ପେଟେଇ ପଡ଼ି ତଳକୁ ଚାହିଁଲା । ଚଟାଣ ଉପରେ ଭଙ୍ଗା ସିରିଂଜ ଭିତରେ ସେ ଦେଖୁଛି ସେହି ସାମ୍ରଜ୍ଞୀଙ୍କୁ ଯାହାଙ୍କୁ ସେ ସ୍ପଷ୍ଟ ଦେଖିଥିଲା, ଆଜିଠାରୁ କେତେ ମାସ ପୂର୍ବେ । ହାତର ରାଜଦଣ୍ଡ ହଲାଇ ହଲାଇ ସେ ତାକୁ କହିଥିଲେ, ‘ଦେଖ୍‌ ସଦାନନ୍ଦ, ବଗୁଲିଆମି କଲେ ଲାଭ ନାହିଁ । ତୋର ସେ ବଗୁଲିଆମି ମଧ୍ୟ ମୋର ପରିକଳ୍ପନା । ତୁ ଭୂମିଷ୍ଠ ହେବାର ଅନେକ ଆଗରୁ ତୋ ଜୀବନୀ ଲେଖା ହୋଇ ମୋ’ ପାଖରେ ସୁରକ୍ଷିତ । ସେଥିରେ ମୁଁ ତୋ ଗତିବିଧିର ଯେଉଁ ଘର କାଟି ଦେଇଛି, ସେଥିରେ ତୁ ଗୋଟିଏ ବିନ୍ଦୁ ମଧ୍ୟ ଏପଟ ସେପଟ ହୋଇ ପାରିବୁନି । ତା’ପରେ ସଦାନନ୍ଦ ପାଖରେ ଆଉ କି ଯୁକ୍ତି ଥିଲା ତଥାକଥିତ ବଗୁଲିଆମି କରିବା ପାଇଁ । ସେଇ ମୁହୂର୍ତ୍ତରେ ସେ ନିଜକୁ ଯେତେ ଅସହାୟ ମନେକଲା, ତାହା ଥିଲା ତା’ ଜୀବନରେ ସେ ସମ୍ପର୍କିତ ପ୍ରଥମ ଅଭିଜ୍ଞତା ଏବଂ ତା’ପରେ ସେ ଆନୁଷ୍ଠାନିକ ଜୀବନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

ଆନୁଷ୍ଠାନିକ ଜୀବନର କ୍ରମ ପରିଣତି ସ୍ଵରୂପ ଯିଏ ଆସି ସଦାନନ୍ଦ ଆଗରେ ଠିଆହେଲା ସେ ହେଉଛି ତା’ର ସନ୍ତାନ । ସଦାନନ୍ଦର ସନ୍ତାନ ସଦାନନ୍ଦକୁ ଆହ୍ବାନ ଦେଉଛି । ସେ ପଚାରୁଛି ସଦାନନ୍ଦକୁ, ‘ତମର କି ଅଧିକାର ଥିଲା ମୋତେ ସୃଷ୍ଟି କରିବାପାଇଁ ? ନିଜ ରକ୍ଷଣ ଅସମ୍ଭାଳ ! ଅଥଚ ତୁମେ ପାଗ ଭିଡ଼ିଛ ଆଉ ଏକ ଜୀବନ ସୃଷ୍ଟି କରି ତା’ର ଦାୟିତ୍ଵ ନବାକୁ ?‘

‘ତୁମ ଯୁବକାବସ୍ଥାରେ ତୁମକୁ ଗୋଟାଏ ସିରିଂଜ ଧରାଇ ଦିଆଗଲା ସାରା ଜୀବନ ବଞ୍ଚିବା ପାଇଁ ତମେ କ’ଣ ଚିନ୍ତା କରି ପାରିଲନି, ଉତ୍ତରାଧିକାରର ଋଣ ଶୁଝିବା ପାଇଁ ମୋତେ ହୁଏତ ମୋ ଶୈଶବରୁ ଯୁଦ୍ଧ ଆରମ୍ଭ କରିବାକୁ ପଡ଼ିବ ।’

ସଦାନନ୍ଦ ସନ୍ତାନକୁ ପାଖକୁ ଡାକିଲା । ଭଙ୍ଗା ସିରିଂଜ ଭିତରକୁ ଚାହିଁବା ପାଇଁ କହିଲା ତାକୁ । ସନ୍ତାନ ଭଙ୍ଗା ସିରିଂଜ ଭିତରକୁ ଚାହିଁଲା । ବହୁତ ସମୟ ନିରେଖି ଦେଖିଲା ପରେ ମୁଣ୍ଡ ହଲାଇ ମନା କଲା, ନା ସେ କିଛି ଦେଖିପାରୁନି ।

ସଦାନନ୍ଦ ଜାଣିଥିଲା ସନ୍ତାନ କିଛି ଦେଖିପାରିବନି । ସଦାନନ୍ଦ ନିଜ କଥା ହେଜିଲା । ସେ କ’ଣ ଦେଖି ପାରିଥିଲା ତା’ ଶୈଶବରେ । ଆନୁଷ୍ଠାନିକ ଜୀବନ ଆରମ୍ଭ କରିବା ପୂର୍ବରୁ ସେ ତାଙ୍କୁ ଦେଖିଥିଲା ପ୍ରଥମଥର ପାଇଁ । ସେ କେବଳ ଦେଖି ନଥିଲା ସେହି ସାମ୍ରାଜ୍ଞୀଙ୍କୁ, ତାଙ୍କ ହାତର ରାଜଦଣ୍ଡ ଆଗରେ ସେ କେତେ ଛୋଟ ହୋଇ ଯାଇଥିଲା, କେତେ ଅସହାୟ ମଣିଥିଲା ନିଜକୁ । ନିଜକୁ ସେ ସାମ୍ରାଜ୍ଞୀଙ୍କୁ ସମର୍ପଣ କରିଦେବା ଛଡ଼ା ତା’ ଆଗରେ ଆଉ କିଛି ବାଟ ନଥିଲା ।

ତେଣୁ ସନ୍ତାନକୁ ସେ ଦୟା କଲା । ସନ୍ତାନର ସମସ୍ତ ବାକ୍ୟବାଣ ସେ ଗୋଟାଏ ଫୁତ୍କାରରେ ଉଡ଼ାଇ ଦେଲା। ନିକଟବର୍ତ୍ତୀ ବଡ଼ ସହରରୁ ଇତି ମଧ୍ୟରେ ସଦାନନ୍ଦ ପାଇଁ ସିରିଂଜ ଅଣାଯାଇସାରିଥିଲା । ଦୁଇଟି ସିରିଂଜ ଅଣାଯାଇଛି । ଗୋଟିଏ ସିରିଂଜ ଲୋଡ୍‌ କରାଯାଇ ସାରିଲାଣି । କ୍ଷଣକେ ସଦାନନ୍ଦ କର୍ମଠ ହୋଇଉଠିବ ।

ସଦାନନ୍ଦ ଇଞ୍ଜେକସନ୍‌ ନେଲା । ଦ୍ଵିତୀୟ ସିରିଂଜଟି ହାତରେ ଧରି ସନ୍ତାନକୁ ପାଖକୁ ଆସିବା ପାଇଁ ନିର୍ଦ୍ଦେଶ ଦେଲା । ସନ୍ତାନ ଆସନ୍ତେ ସିରିଂଜଟି ତା’ ହାତକୁ ବଢ଼ାଇଦେଇ କହିଲା – ‘ନେ, ଏଇଟା ପାଖରେ ରଖ । ଦରକାର ବେଳେ କାମରେ ଲାଗିବ।’