ଆଫ୍ରିକୀୟ ମାନଙ୍କ ପାଇଁ ଏଇଟି ଏକମାତ୍ର ହସପିଟାଲ୍ । ଲୋକଟି ହସପିଟାଲ୍ ଗେଟ୍ ର ବାହାରେ ବସିଛି ଆଉ କାଠକୁ ଖୋଳି ଖେଳଣା କରୁଛି । ହେଇଯାଇଥିବା ଖେଳଣାଗୁଡିକୁ ନିଜ ଚାରିପଟରେ ବିଛା ହୋଇଥିବା ପୁରୁଣା ଖବରକାଗଜ ଉପରେ ରଖୁଛି । ଡାହାଣପଟରେ ବସିଛି ଜଣେ ଚିତ୍ରକର । ଅଙ୍କା ଶେଷ ହୋଇଥିବା ଚିତ୍ରଗୁଡିକୁ ସେ ହସପିଟାଲ୍ ର କାନ୍ଥରେ ଟାଙ୍ଗି ଦଉଛି । ସହରର ବ୍ୟସ୍ତ ଇଲାକା, ଯାନବାହନ ଶବ୍ଦ, ମଣିଷର ଭୀଡ, କଥାବାର୍ତ୍ତା ସବୁ ମିଳିମିଶି କୋଳାହଳମୟ ।ହସପିଟାଲ୍ ର ଜରୁରୀ ବିଭାଗରୁ ଆମ୍ବୁଲାନ୍ସ ଉପରେ କମଳାରଂଗର ବତୀ ଜଳାଇ ସାଇରନ୍ ବଜାଇ ସାମନା ଲୋକକୁ ସତର୍କ କରି ଛୁଟି ଯାଉଛି । ଆଉ ଏହି ସବୁ ଭିତରେ ଭାସ୍କରଟି ଏକମନରେ କାଟଖୋଦାଇ କରି ହାତୀ ଆଉ ଜିରାଫ୍ ତିଆରି କରି ପୂରା ବଣଟିକୁ ଆଣି ସାରିଛି ଏଇ ବ୍ୟସ୍ତ ସହରକୁ । ଯଦିଓ ତାହାର ତିଆରି ପ୍ରାଣୀ ମାନଙ୍କର ଦେହଟି ଭାରି ବେଢଙ୍ଗରେ ଖୋଦାଇ କରାଯାଇଛି । ତାହାର ତିଆରି ପ୍ରାଣୀମାନେ ପୁରୁଣା ସଂବାଦପତ୍ରର ଛାପା ଅକ୍ଷର ଉପରେ ଛୁଟି ଚାଲିଛନ୍ତି । ଲୋକଟିର ଭାରି ଅବସୋସ ହୁଏ,ଏହାର କାହାର ପ୍ରାଣ ନାହିଁ । କେତେବେଳେ କେତେବେଳେ ରାଗିଗଲେ ପାଖରେ ଥିବା ବାକ୍ସ ଭିତରକୁ ଫୋପାଡି ଦିଏ ଏଇ ପ୍ରାଣୀ ଗୁଡିକ ଭିତରୁ କାହାକୁ କାହାକୁ । ହସପିଟାଲ୍ ଗେଟ୍ ର ସାମ୍ନାରେ କୋଳାହଳ ପୂର୍ଣ୍ଣ ଜାଗାରେ ଏଇ ଖେଳଣାଗୁଡିକର ପ୍ରାଣହୀନତା ଦେଖିବାକୁ ଇଚ୍ଛା ହୁଏନାହିଁ ତାହାର ।

"ଏଇ କୁମ୍ଭୀରକୁ ନବୁ ? ଦେଖ୍, କେତେ ଭଲ ଏଇ କୁମ୍ଭୀରଟି । ନବୁ ?" ହସପିଟାଲ୍ ରୁ ଫେରିବା ବେଳକୁ କାନ୍ଦୁଥିବା ପିଲାର ମନ ଭୁଲେଇବା ପାଇଁ ମାଆଟି ଭାରି ଆଦରରେ କହୁଛି । ପୁଅର ଡାହାଣହାତ ବାହୁରେ ସାଦା ବ୍ୟାଣ୍ଡେଜ୍, ସେଇ ହାତଟିକୁ ଧରି ରଖିଛି ଆର ହାତରେ । ମାଆର କଥା ଶୁଣି ତାହାର ମନଯୋଗ ଚାଲି ଆସେ ଖେଳଣା ଗୁଡିକ ଆଡକୁ । ମାଆ ଆଣ୍ଠୁମାଡି ବସିଗଲାଣି ତଳେ, ଅନୁନୟ କରୁଛି ।

"ଇଂଜେକସନ୍ ନବାକୁ ପଡିଛି । ଜାଣିଛ ତ ଆଜିକାଲିର ପିଲାଏ ଛୁଂଚିକୁ କେତେ ଡରନ୍ତି ?" ସ୍ତ୍ରୀଲୋକ ଜଣକ ଭାସ୍କରକୁ କହିଲା । ତାହାପରେ କୁମ୍ଭୀରକୁ କିଣି ପୁଅ ହାତକୁ ବଢେଇଦେଲା । ଲୋକଟି ନିରେଖି ନିରେଖି ନିଜର ପ୍ରାଣୀ ଟି ଚାଲିଯିବାର ଦେଖିଲା, ପିଲାଟିର ଛୋଟଛୋଟ ଆଙ୍ଗୁଳି ଗୁଡିକ ଧରିରଖିଛି କୁମ୍ଭୀରକୁ । ଜନ୍ତୁଗୁଡିକ ପ୍ରାଣହୀନ, ଭାବିବାରୁ ତା'କୁ ଆହୁରି ରାଗ ମାଡିଲା; ଇଚ୍ଛା ହେଉଛି ସବୁକୁ ବାକ୍ସ ଭିତରେ ବନ୍ଦ କରି ତାଲା ଠୁଙ୍କି ଦେବାକୁ । ଭାବିଲେ ଭାରି ଆଶ୍ଚର୍ଯ୍ୟ, ଏଇ ପିଲାଟି ଯଦି କେବେ ଜୀଅନ୍ତା କୁମ୍ଭୀର ଦେଖେ,ଏ ଇ ସହରରେ, ତାହାର ଚାରିପଟକୁ ଘେରି ରହିଛି, ଏଇ ରାସ୍ତାଗୁଡିକ ପ୍ରବହମାନ ନଦୀ ।

ସାଦା କୋଟ ପିନ୍ଧା ଜଣେ ଆଗନ୍ତୁକ ଆସି ଥରେ ହାତୀଗୁଡିକୁ ଚାହୁଁଥିଲେ ତ ଥରେ ଚାହୁଁଥିଲେ ଭାସ୍କରକୁ । ଭାସ୍କର କାଠରେ ଖୋଳୁଛି ଜିରାଫ୍ । ଆଗନ୍ତୁକ ଗୋଟିଏ ଲାଲହାତୀ ଉଠାଇନେଲେ,ତାହାର ଶୁଣ୍ଢଟି ଏକଦମ ଶରୀର ସହ ଲେପି ହୋଇ ଯାଇଛି ଯାହା ଫଳରେ ଶୁଣ୍ଢଟି ଜମାରୁ ଟେକି ପାରିବନାହିଁ ସେ । ତାହାବୋଲି ଲାଲରଂଗର ହାତୀ ? ଆଗନ୍ତୁକ ଏପଟ ସେପଟ କରି ଦେଖୁଥାଏ, ଆମୋଦିତ ବି ହେଉଥାଏ । ହାତୀ କିଣିବାର ସିଦ୍ଧାନ୍ତ ନିଏ, ଯଦିଓ ଖୋଦାଇ କାମ ତାହାର ପସନ୍ଦର ନୁହଁ, ଦାନ୍ତ ଦିଇଟା ଭାରି ଅଦ୍ଭୁତ । ଏଇଟାକୁ ନେଇ ସେ ତା'ଅଫିସ୍ ର ଝରକାରେ ରଖିବ, ଯାହା ଯୋଗୁ ହାତୀଟି ଦେଖିପାରିବ ବାହାରର ମୁକ୍ତ ପୃଥିବୀକୁ । କିନ୍ତୁ ହାତୀର ଆଖି କାହିଁକି ନାହିଁ ? ହୁଏତ ରଂଗ କଲା ବେଳେ ଛପି ଯାଇଛି ।

ଭାସ୍କର ଲୋକଟା ଅଚାନକ ଗୋଟିଏ ଦିଅକ୍ଷରି କହିଲା ।

"କ'ଣ ହେଲା ?" ପାଖ ଚିତ୍ରକର ପଚାରିଲା ।

"ଜିରାଫ୍ ର ଗଣ୍ଡିଟା ଦେଖ୍ ।"

ଚିତ୍ରକର ଜିରାଫ୍ର ଦେହକୁ ଚାହିଁଲା ଆଉ ଦିଜଣଯାକ ସଂଗେ ସଂଗେ ଅଟ୍ଟହାସ୍ୟରେ ଫାଟି ପଡିଲେ, ଇତସ୍ତତଃ । ଇତସ୍ତତଃ କାରଣ, ହସପିଟାଲ୍ ପାଖରେ,ଏତେ ଅସୁସ୍ଥ ରୋଗୀଙ୍କ ନିକଟରେ ଏଇଭଳି ହସିବା ସହଜ କାମ ନୁହଁ । ଭାସ୍କର ଭାବିଲା, ନିଜର ଗୋଟିଏ ମଡେଲ୍ ତିଆରି କରାଯାଇ ପାରେ, କିମ୍ବା ଠିଆ ହୋଇଥିବା କେଉଁ ଲୋକଟିର ମଡେଲ୍ ଟିଏ, ଯିଏ ଛିଡା ହୋଇ ତାହାର ପ୍ରାଣହୀନ ଏଇ ଜନ୍ତୁ ଗୁଡିକୁ ଦେଖୁଛି । ପାଖର ବାକ୍ସଟିକୁ ଦେଖେ, ସିଦ୍ଧାନ୍ତ ନିଏ, ଏଇଟିକୁ ଛାଇରେ ରଖିବାକୁ ହେବ, ଦୃଷ୍ଟିସୀମାର ଆଢୁଆଳରେ ।

"ତୁ ଅନ୍ୟ ପ୍ରାଣୀ ତିଆରି କରୁନୁ କାହିଁକି, ସିଂହ କି ଶିମ୍ପାଞ୍ଜି?" ଚିତ୍ରକର ପଚାରେ । "ସବୁବେଳେ ଖାଲି ଜିରାଫ୍ ଆଉ ଜିରାଫ୍ ।ଯେଉଁ ଗୋଟିଏ କୁମ୍ଭୀର ଥିଲା ସେଇଟିତ ବିକ୍ରି ହୋଇଗଲା ?" ଚିତ୍ରକରର ପ୍ରଭାବ ରହିଛି ଏଇ ଖେଳଣା ଗୁଡିକରେ । ତିଆରି ପ୍ରାଣୀମାନଙ୍କୁ ବେଳେବେଳେ ସେ ହିଁ ରଂଗ କରିଦେଇଥାଏ । ଲାଲରଂଗର ହାତୀ, ବୁଦ୍ଧିଟି ତାହାର ।

"ବଣଜଙ୍ଗଲକୁ ଦୀର୍ଘଦିନ ହେଲା ଶାସନ କରି ଆସିଛି ଏଇ ହାତୀ । ହାତୀ ବଣଜଙ୍ଗଲଠୁ ବେଶି ବଡ ବୟସରେ । ପୁଣି ଦେଖିବ, ଜିରାଫ୍ ତାହାର ଲମ୍ବା ବେକ ବଢେଇଦେଇ ଗଛଲତା ଉପରୁ ପୂରା ବଣଜଂଗଲକୁ ଦେଖି ପାରେ, ଯେମିତି ପୂରା ଜଂଗଲର ମାଲିକ ସେ ନିଜେ । ସବୁଠୁ ଉଚ୍ଚ ଡାଳର ପତ୍ର ସେ ଖାଏ, ସେତିକିବେଳେ ହାତୀ କ'ଣ କରୁଥାଏ ଜାଣିଛୁ ? କାଦୁଅ ଭିତରେ ଗଡାଗଡି ହୋଇ ବିତାଉଥାଏ ସାରାଟି ଦିନ । କଥାଟି ଭାରି ମଜାର, ନୁହଁ ? ହାତୀ ଆଉ ଜିରାଫ୍ର ଲଢେଇଟି କେଉଁଠି ଦେଖିଛ, ଜଙ୍ଗଲର ସବା ଉଚ୍ଚ ଡାଳ କିଏ ଖାଇ ପାରିବ ?" ଆମ୍ବୁଲାନ୍ସ ସାଇରନ୍ ବଜାଇ ବଜାଇ ଛୁଟି ଚାଲିଛି ଆଫ୍ରିକୀୟ ମାନଙ୍କର ଏଇ ଗୋଟିଏ ବୋଲି ହସପିଟାଲ୍ର ଜରୁରୀ ବିଭାଗକୁ।

ଚିତ୍ରକର ସବିସ୍ତାରେ ଭାବେ, ଏକାସଂଗରେ ସେ ନିଜ ଛବିରେ ଫାଇନାଲ୍ ଟଚ୍ ଦେଉଥାଏ । ସେ ଭିକ୍ଟୋରିଆ ଜଳପ୍ରପାତର ଛବି ଆଙ୍କିଛି । ଖବର କାଗଜରେ, ମ୍ୟାଗାଜିନ୍ରେ କେବଳ ଛବି ଦେଖିଛି, ନିଜ ଆଖିରେ କେବେହେଲେ ଦେଖିନି କେଉଁଠି ଗୋଟିଏ ଅସଲ ଜଳପ୍ରପାତ । ଜଳର ରଂଗ ଅବଶ୍ୟ ନୀଳ ହେବ ଛବିରେ ଆବେଗ ଫୁଟେଇବା ପାଇଁ, ଭାବେ ସେ । ଯେତିକି ତାହାର ମନେ ପଡେ, ମାନଚିତ୍ର ବା ଛବିରେ ସବୁ ସମୟ ଜଳର ରଂଗ ନୀଳବର୍ଣ୍ଣ ହୁଏ । ଯେଉଁଠି ଜଳର ପରିମାଣ ବେଶି, ଯେମିତି ସମୁଦ୍ର, ସେଇଠି ଜଳ ହେବ ଏକଦମ ଆକାଶ ପରି ରଂଗର । ଆଙ୍କି ବସିଲା ବେଳେ ସେ ଛୋଟଛୋଟ ତଥ୍ୟ ଗୁଡିକୁ ବେଶ୍ ମନଯୋଗ ଦେଇ ଭାବି ନେଇଥାଏ । ଯାହାଫଳରେ ତାହାର ଏଇ ଛବିଟିରେ ଗୋଟିଏ ଉତ୍କଟ ରକମର ନୀଳ, ଢେଉତୋଳା ଜଳପ୍ରପାତ ପ୍ରାୟ ଅପ୍ରାକୃତିକ କୌଶଳରେ ଗୋଟିଏ ପଥୁରିଆ ଗିରିସଂକଟ ଉପରେ ଝୁଲି ରହିଛି ।

"ଜିରାଫ୍ ରାଜକୀୟ ଭଂଗୀରେ ଗର୍ବର ସହ ଚାଲେ କାରଣ ତାହାର ସାରା ଶରୀର ଏତିକି ମୌଳିକ କାରୁକାର୍ଯ୍ୟ ରହିଛି ଯାହାକୁ ବହନ କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହଁ । ଏଇଟିତ ପ୍ରକୃତ ସଂଗ୍ରାମ । ଅନ୍ୟଥା ଏମାନେ ସମସ୍ତେ ସମାନ, ହାତୀର ରହିଛି ଲମ୍ବା ଶୁଣ୍ଢ, ଚାହିଁଲେ ସେ ଉଚ୍ଚଡାଳର ପତ୍ର ପାଖକୁ ପହଂଚି ପାରିବ, ଆଉ ପୁଣି ଜିରାଫ୍ ବି ନିଜର ଲଂବା ବେକକୁ ସେମିତି ବ୍ୟବହାର କରିପାରିବ ।"

ଛବିର ଗୋଟିଏ କୋଣରେ ହଳେ ପ୍ରେମିକ ପ୍ରେମିକା ଆଙ୍କି ଦିଏ । ଦୁଇଜଣ ଦୁଇଜଣଙ୍କ ହାତ ଧରାଧରି ହୋଇ ଅଛନ୍ତି, ତାଙ୍କ ଆଖି ସାମ୍ନାରେ ନୀଳଜଳର ପ୍ରପାତ । ଚିତ୍ରକରର ଇଚ୍ଛା, ଏଇ ଜଳଧାର ଏଥର ସୁରରେ ଗୀତଟିଏ ଗାଇ ଉଠୁ ଏଇ ପ୍ରେମିକ ପ୍ରେମିକାଙ୍କ ପାଇଁ । ତେଣୁ ଛବିର ଉପର ଆଡକୁ ଗୋଟିଏ ଚଢେଇ ଆଙ୍କି ଦେଲା ସେ । ଚଢେଇଟି ଡେଣା ମେଲାଇ ଜଳପ୍ରପାତ ଆଡକୁ ଉଡିଯାଉଛି, ଚଂଚୁ ମେଲା, ଗୀତ ଗାଉଛି । ତାହାର ମନେ ହେଲା, ଏହା ବଦଳରେ ଗୋଟିଏ ପାରା ଆଙ୍କିଥିଲେ ଭଲ ହୋଇଥାନ୍ତା । ଏଇ ଚଢେଇଟା କଳା କିଟିକିଟି । ଦେଖିବାକୁ କୁଆ ଭଳି ।

ଭାସ୍କରଟି କିଛି ରଂଗ ତାହାଠୁ ଧାର୍ ମାଗିଲା । ଗୋଟିଏ ଛୋଟବେକବାଲା ଜିରାଫ୍ ଦେହରେ ହଳଦିଆ ଆଉ କଳା ରଂଗର ବିନ୍ଦୁମାନ ଆଙ୍କୁଛି ସେ । ଅନେକ ଦିନର ବୁଝାମଣା ପରେ ସେ ଅସଲରେ ମାନି ନେଇଛି ଯେ ନିଖୁଣ ଜନ୍ତୁ ଖୋଦାଇ କରିପାରିବା ତାହାର ସାଧ୍ୟରେ ନାହିଁ । ତାହା ବୋଲି ସେ ସେଗୁଡିକୁ ଫୋପାଡି ଦେଇ ପାରିବ ନାହିଁ । ତାହାର ଧାରଣା, ଆଫ୍ରିକୀୟ ମାନଙ୍କ ପାଇଁ ଏଇ ଗୋଟିଏ ବୋଲି ହସପିଟାଲ୍ରୁ ବାହାରିବା ସମୟରେ କେହି ନା କେହି ଏଇ ଖୁଣଥିବା ହାତୀ ବା ଜିରାଫ୍ କୁ ଦେଖି ଉଲ୍ଲସିତ ହୋଇ ଉଠିବ । ଜିରାଫ୍ ର ଦେହରେ ବିନ୍ଦୁ ଆଙ୍କିବା ଯେତେବେଳେ ଶେଷ, ଦେଖା ଗଲା, ତାହାର ଗୋଡରେ ବେଶି ରଂଗ । ସେଇଥିପାଇଁ ଜେବ୍ରା ଭଳି ମନେ ହେଉଛି ।

"କୁକୁର କି ବିରାଡି କାହିଁକି ବନାଉ ନାହୁଁ ? ଆଉ କିଛି ଜନ୍ତୁ ବନା ଯାହାକୁ ସହର ଲୋକେ ଆଗରୁ ଦେଖିଛନ୍ତି । ମୂଷା ହେଲେ ଭଲ, ସହରରେ ଏବେ ଢେର୍ ମୂଷା" କହି ଦୁଇଜଣଯାକ ହସି ଉଠିଲେ । ଚିତ୍ରକରର ମନେ ହେଲା, ଜଳପ୍ରପାତରୁ ନିଶ୍ଚୟ ଜଳ ଛିଟିକି ଆସି ପ୍ରେମିକ-ପ୍ରେମିକା ଦୁଇଜଣଙ୍କୁ ଭିଜେଇ ଦେଉଛି । ତେଣୁ ସେ ଦୁଇଜଣଙ୍କ ମୁଣ୍ଡ ଉପରେ ଛତାଟିଏ ଆଙ୍କି ଦେଲା । ତାହାର ମନେ ହେଲା ଛବିଟିରେ କ'ଣ ଯେମିତି ନାହିଁ । ଟିକିଏ ଭାବି ପ୍ରେମିକ-ପ୍ରେମିକା ଯୁଗଳରୁ ଗୋଟିଏ ହାତ ଲଂବେଇ ଦେଇ ସେଇ ହାତରେ ଆଙ୍କିଦେଲା ହଳଦିଆ ରଂଗର ଆଇସକ୍ରିମ୍ । ଏଥର ଛବିଟି ଜୀବନ୍ତ ହୋଇ ଉଠିଲା, ଏକଦମ୍ ପ୍ରାଣବନ୍ତ ।

"ଗୋଟିଏ କୁକୁର ଖୋଦାଇ କରି ତିଆରି କରିବାରେ କ'ଣ ମାନେ ଅଛି ? ବରଂ ତୁ କାହିଁକି ଛବିରେ କୁକୁର, ବିରାଡି, ମୂଷା,ଏଇ ସବୁକୁ ଆଙ୍କୁନୁ କାହିଁକି ?" କହିଲା ଭାସ୍କର । ସେ ଆଗରୁ ଏତିକି ଉତ୍ସାହରେ ହାତୀ ବା ଜିରାଫ୍ ତିଆରି କରିନାହିଁ । ଖଣ୍ଡିଏ କାଠ ବାହାର କଲା ଆଉ ଗୋଟିଏ ଖେଳଣା ତିଆରି କରିବା ପାଇଁ ।

କାଠ ଖଣ୍ଡଟି ହାତୀ ହେବ କି ଜିରାଫ୍ ? ଏଇ କାମଟି ତାହାର ଏକମାତ୍ର ସ୍ୱପ୍ନ ।