ଚିତ୍ର: ଗଣିକା, ପ୍ରାଚୀନ ରୋମାନ ସ୍ଥାପତ୍ୟ, ୱିକି କମନ୍ସ

ଏଇଠି ତାହାକୁ ପ୍ରେମ ବୋଲି ବିକ୍ରି କରାହୁଏ ବୋଲି କୁହାଯାଏ ମାତ୍ର ତାହା ଅସଲରେ ହେଉଛି ଦେହ । ଏଇଠି ପ୍ରେମ କହିଲେ ଯୌନକର୍ମ ପାଇଁ ଆବଶ୍ୟକ ହେଉଥିବା ଦେହ । ମଣିଷର ଯୌନତା ଏକ ପ୍ରମୁଖ ପ୍ରବୃତ୍ତି ଆଉ ଯେହେତୁ ତାହାକୁ କେହି ଅସ୍ୱୀକାର କରିପାରିବ ନାହିଁ ସେହି କାରଣରୁ ଯେହେତୁ ସଭ୍ୟତାର ବିକାଶରେ ଏହି ଯୌନତା କ୍ରମଶଃ ସଂଯମିତ ହୋଇଛି ତଥାପି ଏହାକୁ ସମାଜର ଲକ୍ଷ୍ମଣଗାର ଭିତରେ ରଖିବା ସେତେ ସହଜ ହୋଇନାହିଁ । ପୃଥିବୀର ଆଦିମତମ ପେଶା ହିସାବରେ ଏହି ଦେହବିକ୍ରୀକୁ ନିଆଯାଇପାରେ ।ସଭ୍ୟତା ର ଆରମ୍ଭରୁ ଦେହର ଚାହିଦା ରହିଆସିଛି । ଆଉ ଏହି ଚାହିଦାକୁ ସବୁ ସମୟରେ ପୂରଣ କରିବା ଭଳି ବିକ୍ରିଯୋଗ୍ୟ ଦେହ ସବୁ ସମୟରେ ବି ଅକୁଳାଣ ରହିଛି । ତେଣୁ ଚାହିଦା ଅଧିକ ଏବଂ ଯୋଗାଣ କମ୍ ରହିଥିବା କାରଣରୁ ଏହି ଭଳି ପେଶା ଯେଉଁଠି ଯୌନକର୍ମ ପାଇଁ ଶରୀରକୁ ବିକ୍ରି କରାଯାଏ, କିଣାଯାଏ, ଭଡାରେ ଦିଆଯାଏ, ତାହା ପ୍ରତି ଆଦିମକାଳରୁ ମଣିଷ ଉତ୍ସାହିତ ହୋଇ ଆସିଛି । ଏଇ ଭଳି ଦେହ ବିକ୍ରୀ କଥାଟି ଆମର ଟଙ୍କାକଉଡି ବଳି କିଣାବିକାର ବିନିମୟ ଏକକ ମାନ ନିର୍ଦ୍ଧାରିତ ହୋଇ ନଥିବା ଭଳି ସମୟରୁ ବି ଚଳି ଆସୁଛି । ତାହାହେଲେ ପ୍ରଶ୍ନ ଉଠୁଛି ଯଦି ଟଙ୍କାକଉଡି ଭଳି ବିନିମୟ ଏକକ ନଥିବା ବେଳେ ଯେଉଁମାନେ ଏଇଭଳି ଦେହ ବିକ୍ରୀ ପେଶାରେ ଥିଲେ ସେମାନେ ବିନିମୟ ମୂଲ୍ୟ ହିସାବରେ ଅର୍ଜନ କରୁଥିଲେ କ'ଣ ? ବା ଯେଉଁମାନେ ସେମାନଙ୍କର ଦେହକୁ ଉପଭୋଗ କରୁଥିଲେ ସେମାନେ ଏହି ସୁଖ ର ସେବା ପ୍ରଦାନକାରୀଙ୍କୁ ବିନିମୟରେ ଦେଉଥିଲେ କ'ଣ ?

ପ୍ରାଚୀନ ସଭ୍ୟତା ସାରା ଆମେ ଅନେକ କ୍ରୀତଦାସ ମାନଙ୍କୁ ଦେଖିବା ଯେଉଁ କ୍ରୀତଦାସମାନଙ୍କୁ "ହାଇରୋଦୁଲେସ୍" ବା ମନ୍ଦିର-କ୍ରୀତଦାସ ବୋଲି କୁହାଯାଉଥିଲା । ସେମାନେ ଦେବତାଙ୍କ ସେବାରେ ନିଯୁକ୍ତ ଏକପ୍ରକାର "ଦେବ-ଗଣିକା" କହିଲେ ଅତ୍ୟୁକ୍ତି ହେବନାହିଁ । ନୀଳନଦୀର ସଭ୍ୟତା ରେ ଏଇଭଳି ଭିନ୍ନ ଭିନ୍ନ ମନ୍ଦିର ସହ ଜଡିତ ଅନେକ ଦେବ-ଗଣିକା ରହୁଥିଲେ । ସେମାନେ ସ୍ତ୍ରୀ-ପୁରୁଷ ଲିଙ୍ଗ ନିର୍ବିଶେଷରେ ଦେବତାଙ୍କ ଶରୀରୀ ଚାହିଦା ମେଣ୍ଟାଇବାପାଇଁ ନିଯୁକ୍ତ ଥିଲେ ବି ଅସଲରେ ସେମାନେ ରାଜା, ସଂଭ୍ରାନ୍ତ ଓ ଯୋଦ୍ଧାର ଶରୀର କ୍ଷୁଧା ମେଣ୍ଟାଇବା ପାଇଁ ଉପଲବ୍ଧ ହେଉଥିଲେ । ତେଣୁ ସେମାନଙ୍କର ଶରୀର ଦାନର ବିନିମୟ ମୂଲ୍ୟ ହିସାବରେ ସେମାନଙ୍କର ଦୈନନ୍ଦିନ ଚଳଣି ଆଉ ରୂପବର୍ଦ୍ଧକ ଉପାଦାନମାନ ସେମାନେ ନିଯୁକ୍ତ ଥିବା ମନ୍ଦିରରୁ ମିଳୁଥିଲା । ଏଇ ଭଳି କ୍ରୀତଦାସ ଦଳ ଯେଉଁମାନେ ଦେବ-ଗଣିକା ଥିଲେ ସେମାନଙ୍କ ସହିତ ଆଉ ଏକ ପ୍ରକାର କ୍ରୀତଦାସ ରହିଥିଲେ । ସେମାନଙ୍କର କାମଥିଲା ନୃତ୍ୟ ଓ ସଂଗୀତ ଅଥବା ଭିନ୍ନ ଭିନ୍ନ କାମଉତ୍ତେଜକ ଉପସ୍ଥାପନାରେ ଦେବତାଙ୍କ ମନୋରଞ୍ଜନ କରିବା । ସେମାନଙ୍କ ମଧ୍ୟରୁ ବି ଅନେକ ସଂଭ୍ରାନ୍ତ ମାନଙ୍କୁ ଇଚ୍ଛାମତେ ଶରୀର-ସେବା ପ୍ରଦାନ କରୁଥିଲେ । ଅନ୍ୟଭାବରେ କହିଲେ ଟଙ୍କାକଉଡି ଆଦି ବିନିମୟ ଏକକ ର ପ୍ରାକ୍-ଅର୍ଥନୈତିକ କାଳରେ ସଂଭ୍ରାନ୍ତ ମାନଙ୍କ ଦ୍ୱାରା ଏହି ଜାତୀୟ ଶରୀରବୃତ୍ତି କ୍ରୀତଦାସ ପ୍ରଥାର ଏକ ଦୈବିକ ଆନୁଷ୍ଠାନିକତା ଭିତରେ ସଂଗୁପ୍ତ ହୋଇ ରହିଥିଲା ଆଉ ସେହି ସଂଭ୍ରାନ୍ତ ମାନେ ଏହି ଭଳି ଦୈବିକ-ଗଣିକାବୃତ୍ତିର ଆଦ୍ୟନ୍ତ ପୃଷ୍ଠପୋଷକ ଥିଲେ ।

ଏହାପରର ବିବର୍ତ୍ତନରେ ଯେଉଁ ପ୍ରମୁଖ ବିଭାବଟି ଆମେ ଦେଖୁ ତାହା ମେସୋପୋଟାମିଆର ଉର୍ବର ଅଂଚଳରେ ,ଯେଉଁଠି ପ୍ରାଚୀନ ସୁମେରୀୟ ମାନେ ଶରୀରବୃତ୍ତିର ଏକ ଆନୁଷ୍ଠାନିକ ଉତ୍ସବର ଆୟୋଜନ କରୁଥିଲେ । ଏହା ପ୍ରାୟତଃ ଖ୍ରୀପୂ ୨୪୦୦ ର କଥା । ସେଇ ଉତ୍ସବ ଦେବତା ଆଢୁଆଳରେ ସାଧାରଣ ସୁମେରୀୟମାନଙ୍କର ମଦନୋତ୍ସବ ଭଳି ଏକ ଉତ୍ସବ ଥିଲା ।ସେଇଠି ନାରୀ ପୁରୁଷମାନେ ନାଚଗୀତରେ ସାଧାରଣ ଲୋକଙ୍କର କାମଉତ୍ତେଜନା ବୃଦ୍ଧି କରିବା ସହ ମନୋରଞ୍ଜନ କରୁଥିଲେ । ଏହି ଉତ୍ସବଟି କହିବାକୁ ଗଲେ ଏକ ଗଣ ବିବାହ ଉତ୍ସବ ଥିଲା ।ଏ ହାକୁ "ଉର୍" ଉତ୍ସବ ବୋଲି କୁହାଯାଉଥିଲା ।ସେଠିକାର "ଜିଗୁରାତ" ବା ସୁମେରୀୟମାନଙ୍କର ମନ୍ଦିରରେ ମୂଖ୍ୟ ପୁରୋହିତ ଯିଏ କି ଜଣେ ନାରୀ ଥିଲେ ସେ ଆଉ ସେଠିକାର ପୁରୁଷ ରାଜା ଉଭୟେ ଏହି ପବିତ୍ର ଗଣବିବାହରେ ପୌରହିତ୍ୟ କରୁଥିଲେ । କହିବା କଥା ହେଉଛି ଏହି ପ୍ରକାର ବିବାହପୂର୍ବ ମଦନୋତ୍ସବରେ ଉଭୟ ନାରୀ ଆଉ ପୁରୁଷ ପରସ୍ପର ପ୍ରତି ନିଜର ଶରୀରୀ ଆକର୍ଷଣକୁ ପ୍ରଦର୍ଶନ କରି ନିଜ ପାଇଁ ଏକ ପ୍ରକାର ସମାଜସାଥି ର ବଣ୍ଡିଙ୍ଗ୍ କୁ ସବୁ ସମୟ ପାଇଁ ସ୍ଥିର କରି ରଖିବା ପାଇଁ ପଦକ୍ଷେପ ନେଉଥିଲେ । ବିବାହ କହିବାକୁ ଗଲେ ଆଦିମ କାଳରୁ ଏକ ସଂଜତ ଯୌନାଚାର । ଏବଂ ସେହି ସଂଯତ ଯୌନାଚାରକୁ ପରବର୍ତ୍ତି ସମୟରେ ପାଳନ କରିବା ପୂର୍ବରୁ ଏହି "ଉର୍" ଉତ୍ସବ ର ଗଣ ବିବାହ ଏକ ଅସଂଜତ ଯୌନାଚାର ର ଉତ୍ସବ ଥିଲା । ଯେମିତି ଏହା ସେମାନଙ୍କର ଉତ୍ସୃଙ୍ଖଳ ଯୌନଆଚରଣର ଶେଷ ପର୍ଯ୍ୟାୟ । ତେଣୁ ଏହି ବାର୍ଷିକ ଆୟୋଜନରେ ଶରୀର ଖେଳ ଅଧିକ ଥିଲେ ବି ଏଠାରେ କ୍ରୀତଦାସ ନଥିଲେ, କି ଏଠାରେ ଶରୀରଦାନ ପାଇଁ କୌଣସି ବିନିମୟ ମୂଲ୍ୟ ଦେବାକୁ ପଡୁନଥିଲା । ପାନାହାର ଆଉ ଆନନ୍ଦରେ ଏଇ ଉତ୍ସବ ସଂପୂର୍ଣ୍ଣ ହେଉଥିଲା । ଏହି ଘଟଣାର ପ୍ରାୟ ଏକ ହଜାର ବର୍ଷ ପରେ ଅର୍ଥାତ୍ ଆନୁମାନିକ ଖ୍ରୀପୂ ୧୪୦୦ ବେଳକୁ ଏହି "ଉର୍" ଉତ୍ସବ ବା ଗଣ ବିବାହ ଉତ୍ସବରେ ଏକ ପ୍ରକାର ପରିବର୍ତ୍ତନ ଦେଖାଗଲା । ଏଠିକୁ ଗଣିକା ମାନେ ଆଗରୁ ଆସୁଥିଲେ । ଏଇଠି କହିବା ଉଚିତ ହେବ ଯେ ଆମେ ଗଣିକା ତଥା ଯେଉଁ ଶରୀରଗତ ନୈତିକତାର ଆଧାରରେ ପବିତ୍ରତତାର କଥା ହେଉ, ସେଇ ସମୟରେ ସେଠିକାର ସମାଜରେ ଦେହଜ ପାପପୁଣ୍ୟର ଆମ ଭଳି କଥା ନଥିଲା । ଗଣିକା ମାନଙ୍କୁ ସେମିତି ନୀତିଗତ ଭାବରେ ନ୍ୟୁନ କରିଦିଆଯାଉ ନଥିଲା । ମାତ୍ର ଖ୍ରୀପୂ ୧୪୦୦ ବେଳକୁ ଉର୍ ର ମଦନୋତ୍ସବରେ ସାଧାରଣ ନାରୀ ଏବଂ ଗଣିକା ମାନଙ୍କ ଭିତରେ ଏକ ବିଭାଜକ ରେଖା ଟଣାଯାଇଥିଲା । ସଂସାରରେ ବିବାହ ପରବର୍ତ୍ତୀ ଯେଉଁ ନାରୀ ମାନେ ରହିଲେ ସେମାନଙ୍କୁ ଉତ୍ତମ ସଂତାନ ର ଜନ୍ମଦାତ୍ରୀ ହିସାବରେ ଏକ ଉଚ୍ଚ ସ୍ଥାନ ମିଳିବାକୁ ଲାଗିଲା ଆଉ କେବଳ ଦେହଜ ସୁଖ ପ୍ରଦାନ କରୁଥିବା କାରଣରୁ ଗଣିକା (ଏଇଠି ଲିଙ୍ଗଗତ ବିଭାଜନ ହୋଇଗଲାଣି) ର ସ୍ଥାନ ନ୍ୟୁନ ହେବାକୁ ଲାଗିଲା । ଖ୍ରୀଷ୍ଟ ପୂର୍ବ ୧୪୦୦ ରେ ଉର୍ ର ଜିଗୁରାତ୍ ଠାରେ ନାରୀମାନଙ୍କ ଭିତରେ ପୋଷାକକୁ ଆଧାର କରି ଏକ ବିଭାଜନ କରାଯାଇଥିଲା । ସାଧାରଣ ନାରୀ ମାନେ ଏଇ ଉତ୍ସବରେ ଯୋଗ ଦେବା ବେଳେ ନିଜର ମଥାକୁ ଓଢଣାରେ ଢାଙ୍କି ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଗଣିକାମାନେ ଯେଉଁମାନେ ସେହି ଉତ୍ସବରେ ଯୋଗ ଦେବେ ସେମାନଙ୍କୁ ନିଜର ମଥାକୁ ଢାଙ୍କି ରଖିବାପାଇଁ ବାରଣ କରାଯାଇଥିଲା । ଯେଉଁ ଗଣିକାମାନେ ଏଇ ନିର୍ଦ୍ଦେଶ ମାନୁନଥିଲେ ଅର୍ଥାତ୍ ନିଜର ମଥାକୁ ଓଢଣୀରେ ଆବୃତ୍ତ କରି ରଖୁଥିଲେ ସେମାନଙ୍କୁ ପଚାଶ ବେତ୍ରାଘାତ ଅଥବା ସେମାନଙ୍କ ମଥାରେ ପିଚୁ ଭଳି ଏକ ପଦାର୍ଥ ବୋଳାଯାଉଥିଲା । ଓଢଣୀକୁ ନେଇ ଏଇ ବ୍ୟବସ୍ଥା ସଂସାରରେ ପୁରୁଷର ସଂଯମ ଦେହାଚାର ଆଉ ଗଣିକା ସହ ଅସଞ୍ଜତ ଯୌନାଚାର ଏକ ସହଜ ଉପାୟ ବୋଲି କହିଲେ କଥାଟି ସେତେ ଭୁଲ୍ ହେବ ନାହିଁ ।

ସଞ୍ଜତ ଆଉ ଅସଞ୍ଜତ ଯୌନାଚାର କଥା ଭିତରେ ଯେଉଁ ପ୍ରମୁଖ କଥାଟି ରହିଛି ତାହା ହେଉଛି ଆଦ୍ୟକାଳରେ ଗ୍ରୀସ୍ ରେ ନାରୀର ସାମାଜିକ ଅଧିଷ୍ଠାନ ର ପ୍ରସଙ୍ଗ। କ୍ଲାସିକାଲ୍ ଗ୍ରୀସ୍ ରେ ପୁରୁଷ ହେବା ଅତ୍ୟନ୍ତ ଆନନ୍ଦର କଥା ଥିଲା । ପୁରୁଷ ସମସ୍ତ କାମ ପାଇଁ ସ୍ୱାଧୀନ ଓ ମୁକ୍ତ ଥିଲା । ମାତ୍ର ନାରୀର ପ୍ରସଂଗରେ ସେକଥା ନୁହଁ । ସେଠିକାର ସେ ସମୟରେ ବିବାହିତା ସମ୍ମାନାସ୍ପଦ ନାରୀ ହୋଇ ରହିବାକୁ ହେଲେ ଜଣକୁ ସଂପୂର୍ଣ୍ଣ ଭାବରେ ଯାହାକୁ କହନ୍ତି ଶାରୀରିକ ଶୁଦ୍ଧତା ବା ଚାଷ୍ଟିଟି ବଜାୟ ରଖିବାକୁ ହେବ ଆଉ ସେହି କାମଟି ପାଇଁ ସେ ଯଥା ସମ୍ଭବ ଅସୂର୍ଯ୍ୟମ୍ପଶ୍ୟା ହେବା ଉଚିତ । ତାହାହେଲେ ଯାଇ ଜଣେ ତାହାର ସ୍ୱାମୀକୁ ଗୋଟିଏ ପୁରୁଷ ସଂତାନର ବୈଧ ଉତ୍ତରାଧୀକାର ଦେବାପାଇଁ ସକ୍ଷମ । ତେଣୁ ସେ ସମୟର ବିବାହିତା ନାରୀମାନେ ସବୁ ସମୟରେ ଘର ଭିତରେ ରହୁଥିଲେ ଆଉ ସେମାନଙ୍କୁ ସେଇଠି ଅନ୍ୟ ସେଇ ସମସ୍ତ ନାରୀ ମାନଙ୍କ ସହ ଏକାଠି ରହିବାକୁ ପଡୁଥିଲା ଯେଉଁମାନଙ୍କୁ ତାଙ୍କର ସ୍ୱାମୀମାନେ "ସୋସିଆଲାଇଜିଂ(?)" ଉଦ୍ଦେଶ୍ୟରେ ଆଣି ରଖୁଥିଲେ । ଗ୍ରୀସ୍ ରେ ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀ ବେଳକୁ କୌଣସି ଦଂପତ୍ତି ଏକାଠି ବସି ଭୋଜନ କରିବା ନିଷେଧ ଥିଲା । ଏଥିରୁ ଅନୁମାନ କରାଯାଇ ପାରେ ଯେ ବିବାହ ପରେ ଗୋଟିଏ ବୈଧ ଦଂପତ୍ତିର ସେମିତି କୌଣସି ସାମାଜିକ ଅନୁଷ୍ଠାନରେ ଏକାଠି ଯୋଗଦାନ ନଥିଲା । ଏହା ସହିତ ସେ ସମୟରେ ନାରୀର କୌଣସି ରାଜନୈତିକ ଓ ଆଇନଗତ ଅଧିକାର ନଥିଲା । ତାହାର କାମ ଥିଲା କେବଳ ଚାରିକାନ୍ଥ ଭିତରେ ଶୁଦ୍ଧ ରହି ଆଇନସମ୍ମତ ପୁରୁଷସଂତାନ ଭଳି ଉତ୍ତରାଧୀକାର ର ଉତ୍ପାଦନ। ଅନ୍ୟ ପକ୍ଷରେ ଯେଉଁମାନେ ଏହି ବିବାହ ବନ୍ଧନରେ ରହିବାକୁ ଚାହୁଁନଥିଲେ, ବାରାଙ୍ଗନା ବା ଗଣିକାବୃତ୍ତିରେ ରହୁଥିଲେ ସେମାନେ ଅଧିକ ମୁକ୍ତ ଆଉ ସ୍ୱତନ୍ତ୍ର ରହୁଥିଲେ । ଆଉ ସେଇ ସମୟର ସେଠିକାର ଆଇନରେ ବ୍ୟଭିଚାରର ଏକ ବିଚିତ୍ର ପରିଭାଷା ଥିଲା । ଜଣେ ପୁରୁଷ ଅନ୍ୟ କାହାର ପତ୍ନୀ ସହିତ ଯୌନ ସଂପର୍କ ରଖିବାକୁ ବ୍ୟଭିଚାର ବୋଲି ବିବେଚନା ଯାଉଥିଲା ଆଉ ତାହା ପୂର୍ଣ୍ଣତଃ ନିଷିଦ୍ଧ ଥିଲା, ମାତ୍ର ଅନ୍ୟ ପକ୍ଷରେ ଯଦି ଜଣେ ବାରାଙ୍ଗନା କି ଗଣିକା ସଂଶ୍ରବ କରୁଥିଲା ତାହାକୁ ସ୍ୱାଭାବିକ ପୁରୁଷ-କର୍ମ ବୋଲି କୁହାଯାଉଥିଲା ଆଉ ସେଥିରେ ଆଇନଗତଃ ବା ନୀତିଗତ କୌଣସି ପ୍ରଶ୍ନ ବା ବାଧକ ନଥିଲା । ଏହା ପଛରେ ପୁରୁଷତନ୍ତ୍ରର ଏକ ବୈଧ ସଂତାନର ଉତ୍ତରାଧିକାରକୁ ନିର୍ଦ୍ଦିଷ୍ଟ କରିବା ପାଇଁ ବିକଳପଣକୁ ଦେଖାଯାଇ ପାରେ ।

ସେ ଯାହାହେଉ ସେତେବେଳେ ବିବାହିତା ନାରୀର ଚାରିକାନ୍ଥର ଜୀବନ ଏବଂ ପାପବୋଧ ରହିତ ଗୋଟିଏ ଗଣିକାବୃତ୍ତି ର ମୁକ୍ତ ଜୀବନ ଭିତରେ ଦ୍ୱନ୍ଦ୍ୱ ରହୁଥିଲା । ଏବଂ ନାରୀ ମାନେ ବିବାହ ଅପେକ୍ଷା ଗଣିକାବୃତ୍ତିରେ ନିଜକୁ ଅଧିକ ସ୍ୱଚ୍ଛନ୍ଦ ମନେକରୁଥିଲେ । ଗୋଟିଏ ପରିବାରରେ ସ୍ୱାମୀ ଆଉ ସ୍ତ୍ରୀ ମଧ୍ୟରେ ସାମାଜିକ ଚଳଣି ର ସଂପୂର୍ଣ୍ଣ ଅଭାବ ଏବଂ ଅନ୍ୟପକ୍ଷରେ ସ୍ୱାମୀର ଅବାଧ ଯୌନାଚାରର ଏକ ବିଷମ ପରିଣାମ ତତ୍କାଳୀନ ସମାଜରେ ଦେଖିବାକୁ ମିଳିଥିଲା । ବିବାହ ଭଳି ଏକ ଅନୁଷ୍ଠାନ ପ୍ରତି ନାରୀର ବିମୁଖତା ତ ଗୋଟିଏ ବଡ ସମସ୍ୟା ଥିଲା ତାହା ସହିତ ଯେଉଁ ବିଶେଷ ସମସ୍ୟା ଉପସ୍ଥିତ ହେଲା ତାହା ହେଉଛି ଗ୍ରୀସ୍ ରେ ଜନ୍ମସଂଖ୍ୟା ହାରରେ ଦ୍ରୁତ ଅବନତି । ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରେ ଗ୍ରୀସ୍ ର ଜଣେ ଦାର୍ଶନିକ ତଥା ଐତିହାସିକ ଜେନୋଫେନନ୍ ଏହିଭଳି ଜନ୍ମସଂଖ୍ୟାହାରରେ ଦ୍ରୁତ ଅବନତିକୁ ଏକ ରାଷ୍ଟ୍ରୀୟ ସମସ୍ୟା ବୋଲି ଅଭିହିତ କରିଥିଲେ । ଆଉ ତାଙ୍କର ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା । ତାଙ୍କର ପ୍ରସ୍ତାବ ଅନୁସାରେ ଘୋଷଣାନାମା ପ୍ରସ୍ତୁତ ହୋଇଥିଲା , "ଆଇନ ଅନୁସାରେ ଯେଉଁ ଦମ୍ପତ୍ତି ମାନଙ୍କର ବୈଧ ପୁରୁଷ ଉତ୍ତରାଧିକାରୀ ନାହାଁନ୍ତି, ସେମାନେ ଯେଉଁ ପର୍ଯ୍ୟନ୍ତ ସେମାନଙ୍କର ପତ୍ନୀ ଗର୍ଭବତୀ ହୋଇନାହାଁନ୍ତି ସେ ପର୍ଯ୍ୟନ୍ତ ସେମାନେ ମାସରେ ଅନ୍ୟୁନ ତିନିଥର ନିଜର ପତ୍ନୀ ସହ ଯୌନସଂପର୍କ ସ୍ଥାପନ କରିବା ବାଧ୍ୟତାମୂଳକ କରାଗଲା" । ଏହି ଘୋଷଣାନାମାରୁ ସେ ସମୟର ଯୌନାଚାରକୁ ସହଜରେ ବୁଝି ହେବ । ପୁରୁଷ ପାଇଁ ଘରର ଚାରିକାନ୍ଥର ବାହାରେ ସହଜ ଆଉ ଅବାଧରେ ବିକଳ୍ପ ଯୌନାଚାର ର ପରିଣାମ କୁ ବୁଝିହେବ ।

ଘରେ ବିବାହିତା ନାରୀ, ବାହାରେ ବାରାଙ୍ଗନା ବ୍ୟତୀତ ସେଇ ସମୟର ପୁରୁଷ ପାଇଁ ବିକଳ୍ପ ଯୌନାଚାରର ଆଉ ଏକ ପରିସ୍ଥିତି ରହିଥିଲା । ପ୍ରାଥମିକ ଶିକ୍ଷା ପରେ ଗ୍ରୀକ୍ ମାନେ ସେମାନଙ୍କର ସନ୍ତାନମାନଙ୍କୁ ଉତ୍ସୃଙ୍ଖଳତା ରୁ ଦୂରେଇ ରଖି ସୁସ୍ଥ ଜୀବନର ଅବବୋଧ ଦେବାପାଇଁ ଭିନ୍ନ ଭିନ୍ନ ଦାର୍ଶନିକ ମାନଙ୍କ ତତ୍ୱାବଧାନରେ ଛାଡି ଦେଉଥିଲେ । ଗ୍ରୀକ୍ ଦାର୍ଶନିକ ମାନେ ଏଇ ଛାତ୍ର ମାନେ ପରବର୍ତ୍ତୀ ଜୀବନରେ ଅର୍ଥାତ୍ ଭବିଷ୍ୟତର ଉତ୍ତମ ନାଗରିକ ଭାବରେ ଏହି ଦିଗଦର୍ଶକ ବା ମେଣ୍ଟର ମାନଙ୍କ ଦ୍ୱାରା ପ୍ରଶିକ୍ଷିତ ହେଉଥିଲେ । ଉଦାହରଣ ସ୍ୱରୂପ ଆମେ ଗ୍ରୀକ୍ ବୀର ଆଲେକଜାଣ୍ଡର ଆଉ ତାଙ୍କର ଶିକ୍ଷକ ଆରିଷ୍ଟୋଟଲଙ୍କ ନିୟମିତ ସଂପର୍କର କଥା ଜାଣୁ । ଯଦିଓ ଆଲେକଜାଣ୍ଡାର ଆଉ ଆରିଷ୍ଟୋଟଲଙ୍କ ମଧ୍ୟରେ ସେପରି କୌଣସି ଶରୀରୀ ସଂପର୍କ ନଥିଲା ମାତ୍ର ସେ ସମୟର ମେଣ୍ଟର୍ ମାନେ ବିପରୀତଲିଙ୍ଗୀ, ସମଲିଙ୍ଗୀ ତଥା ଯୌନାଚାର ସଂପର୍କରେ ପ୍ରାୟତଃ ଉଦାର ରହୁଥିଲେ । ଫଳରେ ଗ୍ରୀକ୍ ଯୁବକମାନଙ୍କ ଉପରେ ଯୌନାଚାରକୁ ନେଇ କୌଣସି ନୈତିକ ଚାପ ନଥିଲା । ଏବଂ ଶରୀରକର୍ମରେ ସେମାନେ ଯଥେଷ୍ଟ ଉତ୍ସୃଙ୍ଖଳ ଥିଲେ ।

ସେ ଯାହାହେଉ ଖ୍ରୀପୂ ୬୦୦ ବେଳକୁ ଏଥେନ୍ସରେ ଗଣିକା ମାନଙ୍କୁ ଏକ ପ୍ରକାର ରାଷ୍ଟ୍ରୀୟ ମର୍ଯ୍ୟଦା ଦିଆଗଲା । ଏହାର ପଛରେ ଥିବା ରାଜନୀତିଟି ସ୍ପଷ୍ଟ । ସମାଜରେ ପରିବାରଟି ସମଲୈଙ୍ଗିକ ସଂପର୍କ ଆଉ ଗଣିକା ସଂପର୍କକୁ ନେଇ କୌଣସି ପ୍ରତିବନ୍ଧକ ନଥିବା କାରଣରୁ ଯେତିକି ଅସଂଜତ ହୋଇ ଆସୁଥିଲା ତାହା ଏକପ୍ରକାର ପାରିବାରିକ ବିଘଟନ ଦିଗରେ କାମ କରୁଥିଲା ।

ସ୍ୱାଭାବିକ ଭାବରେ ପରିବାରର ବାହାରେ ମଣିଷର ଲଗାମଛଡା ଯୌନାଚାର ଉତ୍ସୃଙ୍ଖଳ ହୋଇ ପଡିବା ଫଳରେ ଜନସଂଖ୍ୟା ରେ ଦ୍ରୁତ ଅବନତି ଘଟୁଥିଲା ।ସେ ସମୟ ଗଣିକା ମାନେ ଅବାଞ୍ଛିତ ଗର୍ଭଧାରଣ କୁ ପ୍ରତିହତ କରିବାପାଇଁ ଉପାୟ ମାନ ଜାଣିଥିଲେ । ଏହା ଯୋଗୁ ସେ ସମୟ ଗ୍ରୀକ୍ ସମାଜରେ ବୈଧ ଓ ବିଶୁଦ୍ଧ ପୁରୁଷ - ଉତ୍ତରାଧୀକାରୀଟିଏ ପାଇବା କଷ୍ଟକର ହୋଇ ଉଠୁଥିଲା । ତାହା ଛଡା ମୁକ୍ତ ଏବଂ ସମ୍ମାନଜନକ ଜୀବନ ପାଇଁ ପରିବାରର ବାହାରେ ଏକ ମୁକ୍ତ ଗଣିକା ଜୀବନ ପ୍ରତି ନାରୀ ମାନଙ୍କର ଆକର୍ଷଣ ଅଧିକ ରହୁଥିଲା ।

ତେଣୁ ପୁରୁଷର ଉତ୍ସୃଙ୍ଖଳ ଯୌନାଚାରକୁ ପ୍ରଶମିତ କରିବା ପାଇଁ ତଥା କ୍ରମବର୍ଦ୍ଧିଷ୍ଣୁ ଗଣିକାମାନଙ୍କ ସଂଖ୍ୟାରେ ଲଗାମ ଲଗାଇବା ପାଇଁ ଗଣିକାମାନଙ୍କୁ ଏଥେନ୍ସରେ ରାଷ୍ଟ୍ରୀୟ ମର୍ଯ୍ୟଦା ଦିଆଗଲା । ଏବଂ ବିଶ୍ୱାସ କରାଗଲା ଏଇ ଭଳି ରାଷ୍ଟ୍ରୀୟ ମର୍ଯ୍ୟଦା ଦିଆଗଲେ ହୁଏତ ଅନେକେ ଗଣିକାବୃତ୍ତିକୁ ରାଷ୍ଟ୍ରର ନିୟନ୍ତ୍ରଣରେ ରଖିବା ଦ୍ୱାରା ସେମାନଙ୍କର ସଂଖ୍ୟାକୁ ସଙ୍କୁଚିତ କରାଯାଇପାରିବ। ସେଇଥିପାଇଁ ଖ୍ରୀପୂ ୫୯୪ରେ ଏଥେନ୍ସର ଶାସନକର୍ତ୍ତା ସୋଲନ୍ ଯାହାଙ୍କର ଜଣେ ଉଚ୍ଚମାନର ଆଇନପ୍ରଦାୟକ ଶାସକ ହିସାବରେ ସୁଖ୍ୟାତି ରହିଛି ଏଇ ଗଣିକା-ପ୍ରଥାକୁ ରାଷ୍ଟ୍ରର ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଥିଲେ । ସେ ରାଷ୍ଟ୍ର ପ୍ରଯୋଜିତ ଗଣିକାଳୟ ମାନ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଗଣିକାମାନଙ୍କଠାରୁ କର ଆଦାୟ କରୁଥିଲେ ।ସେଇ ରାଷ୍ଟ୍ର - ଗଣିକାଳୟ ମାନଙ୍କରେ ସ୍ୱାସ୍ଥ୍ୟ, ପରିଚ୍ଛନ୍ନତା ଏବଂ ଯେପରି କୌଣସି କୌଣସି ଯୌନରୋଗ ସଂକ୍ରମଣ ନହୁଏ ତାହା ପ୍ରତି ଗୁରୁତ୍ୱ ଦିଆଯାଉଥିଲା । ସୋଲନ୍ଙ୍କର ସ୍ଥାପିତ ଗଣିକାଳୟ ତ୍ରିସ୍ତରୀୟ ଥିଲା । ପ୍ରଥମ ସ୍ତରର ବିକ୍ରୟ କୁ "ଏକ-ଓବୋଲ୍ ମୁଦ୍ରା" ଗଣିକାଳୟ ବୋଲି କୁହାଯାଉଥିଲା । ଓବୋଲ୍ ଥିଲା ସେସମୟର ଏକ ମୁଦ୍ରାବିଶେଷ ।ଏଇ ପ୍ରକାରର ଗଣିକାଳୟରେ ଘରର ବାହାରେ ଆଲୁଅ ରହୁଥିଲା, ଖାଦ୍ୟ, ପାନୀୟ, ଶେଜ ଓ ଜୁଆ ଖେଳର ବ୍ୟବସ୍ଥା ରହୁଥିଲା । ଏହି ଜାତୀୟ ଗଣିକାଳୟ ଯଥେଷ୍ଟ ଆୟ ଏଥେନ୍ସକୁ ଦେଉଥିଲା ଆଉ ଏହାର ଲାଭ ପ୍ରେମର ଦେବୀ ଆଫ୍ରୋଦିତ ଙ୍କ ଉତ୍ସବପାଳନରେ ବ୍ୟୟ କରାଯାଉଥିଲା । ଦ୍ୱିତୀୟ ସ୍ତରର ଗଣିକାଳୟ ପ୍ରଥମ ସ୍ତର ଠାରୁ ଟିକିଏ ଉଚ୍ଚମାନର ଥିଲା । ଏଠାରେ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ନୃତ୍ୟ, ଗୀତ ଓ ବିଦୂଷକ ଆଦିର ମନୋରଞ୍ଜନର ବ୍ୟବସ୍ଥା ରହୁଥିଲା । ଏହାର କରଭାର ମଧ୍ୟ ଅଧିକ ଥିଲା । ରାଷ୍ଟ୍ରର ଗଣିକାଳୟର ସର୍ବୋଚ୍ଚସ୍ତରରେ ଯେଉଁ ଗଣିକାମାନେ ରହୁଥିଲେ ସେମାନଙ୍କୁ "ହେତାରି" ବୋଲି କୁହାଯାଉଥିଲା । ସେମାନେ ଦେଖିବାକୁ ଅନିନ୍ଦ୍ୟ ରୂପସୀ ଥିବା ସହିତ ସଂପୂର୍ଣ୍ଣ ମୁକ୍ତ ତଥା ନୃତ୍ୟ, ଗୀତ ଆଦି କଳାରେ ପ୍ରବୀଣା ଥିଲେ । ସେମାନେ କାହାକୁ ନିଜର ମନୋରଞ୍ଜନ ପାଇଁ ବାଛିବେ ତାହା ସେମାନଙ୍କର ନିଜର ଅଧିକାରରେ ଥିଲା । ସେମାନେ ସଂଭ୍ରାନ୍ତ ବର୍ଗର ଅନ୍ତର୍ଭୂକ୍ତ ଥିଲେ ଓ ଶିକ୍ଷାଦୀକ୍ଷାରେ ଅତ୍ୟନ୍ତ ଋଚିଶୀଳ ଥିଲେ । ଗୋଟିଏ "ହେତାରୀ" ର ଉଦାହାରଣ ଦେଲେ ସେମାନଙ୍କର ସାମାଜିକ ଅବସ୍ଥାନର ସ୍ପଷ୍ଟ ଚିତ୍ରଟି ମିଳିପାରିବ । ସେ ସମୟରେ ଜଣେ ହେତାରୀ ଥିଲେ । ତାଙ୍କର ନାଆଁ ଥିଲା ଲାଇଜ୍ । ଲାଇଜ୍ ନିଜର ସମୟକୁ ଦୁଇଜଣଙ୍କ ମଧ୍ୟରେ ଭାଗ କରୁଥିଲେ । ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ସେ ସମୟ ପ୍ରଚଣ୍ଡ ଧନୀ ଦାର୍ଶନିକ ଆରିଷ୍ଟପସ୍ । ତାଙ୍କ ସହିତ ଲାଇଜ୍ ବର୍ଷକରେ ଦୁଇମାସ ସମୟ ଅତିବାହିତ କରୁଥିଲେ । ଠିକ୍ ସମାନ ସମୟ ସେ ଅତିବାହିତ କରୁଥିଲେ ଦାର୍ଶନିକ ଡାୟୋଜିନିସ୍ ଙ୍କ ସହ। ସେହି ଡାୟୋଜିନିସ୍ ଯିଏ ରାସ୍ତାରେ ଲଣ୍ଠଣ ଧରି ଭଲ ମଣିଷ ଖୋଜୁଥିଲେ । ଯାହାଙ୍କର ଦର୍ଶନ ଗୁରୁ ହେଉଛି କୁକୁର । କୁକୁର ଭଳି ସେ ସ୍ୱାଭାବିକ ଜୀବନ ବଞ୍ଚୁଥିଲେ । ଏଇ ଦୁଇଟି ସଂପର୍କରୁ ଆମେ ହେତାରୀ ର ସ୍ୱରୂପ କ'ଣ ତାହା ଜାଣିପାରିବା ।

ସେ ସମୟର ଗଣିକାବୃତ୍ତି ସଂପର୍କରେ ବିଶିଷ୍ଟ ବକ୍ତା ଡେମୋସ୍ଥାନିସ୍ ଖ୍ରୀପୂ ଚତୁର୍ଥ ଶତାବ୍ଦୀ ରେ କହିଥିଲେ,"ଆମର ସନ୍ତୋଷ ପାଇଁ "ହେତାରୀ" ଅଛନ୍ତି, ଆବଶ୍ୟକତା ପାଇଁ ଅଛନ୍ତି ଉପପତ୍ନୀ ଆଉ ଘରେ ବୈଧ ସନ୍ତାନ ପ୍ରଦାନ କରିବା ପାଇଁ ଅଛନ୍ତି ପତ୍ନୀ"। ଏହି ଗୋଟିଏ ବାକ୍ୟରୁ ଆମେ ଖ୍ରୀପୂ ୨୫୦୦ ଠାରୁ ଖ୍ରୀପୂ ୫୦୦ ଯାଏ ପୃଥିବୀର ପ୍ରାଚୀନ ତମ ସଭ୍ୟତା ତଥା ଟାଇଗ୍ରିସ ଆଉ ଇଉଫ୍ରେଟିସ୍ ନଈକୂଳ ସଭ୍ୟତାରେ ଗଣିକା ବୃତ୍ତିର ବିବର୍ତ୍ତନକୁ ଦେଖିପାରିବା । ସଂକ୍ଷେପରେ କହିଲେ କ୍ରମଶଃ ରାଷ୍ଟ୍ର ଆଉ ପରିବାର ସୁଦୃଢ ହେବା ଫଳରେ ଗଣିକାବୃତ୍ତିରେ ପାପବୋଧ ଆସିବା ସହିତ ତାହା ସଂକୁଚିତ ହେବାକୁ ଲାଗିଲା ।

ଶେଷରେ ଦୁଇଟି ତଥ୍ୟ ସହ ଏଇ ଲେଖାର ଉପସଂହାର । ପୃଥିବୀରେ ସର୍ବପ୍ରଥମ ଗଣିକା ବା ହୋର୍ ଶବ୍ଦର ବ୍ୟବହାର ହୋଇଛି ପୃଥିବୀର ପ୍ରଥମ ବୀରତ୍ୱବ୍ୟଞ୍ଜକ ବା ଏପିକ କାହାଣୀ ଏପିକ୍ ଅଫ୍ ଗିଲଗାମସ୍ ରେ । ଗୋଟିଏ ଚରିତ୍ର ଏନକିଡୁ ର ଦୁର୍ବିନୀତ ଯୌନାଚାରକୁ ସମ୍ଭାଳିବା ପାଇଁ ଦେବୀ ଇସ୍ତାର୍ ଗୋଟିଏ ନାରୀ କୁ ପଠାଇଛନ୍ତି ତାହାର ନାଆଁ ହେଉଛି ହାରିମତୁ, ସେ ନିଜକୁ ଦୈବିକ ଗଣିକା ବା ଡିଭାଇନ୍ ହୋର୍ ବୋଲି ପରିଚୟ ଦେଇଛି । ଆଲୋଚକମାନେ ମନେ କରନ୍ତି ହାରିମତୁ ନାଆଁ ଟି ପ୍ରସିଦ୍ଧ ଗ୍ରୀକ୍ ଶାସକ ତଥା ଆଇନ ନିର୍ମାତା ହାମ୍ମୁରାବୀଙ୍କ ନାଆଁରୁ ଆସିଛି ।

ଦ୍ୱିତୀୟ ତଥ୍ୟଟି ହେଉଛି, ଖ୍ରୀପୂ ଷଷ୍ଠ ଶତାବ୍ଦୀ ବେଳକୁ ରାଷ୍ଟ୍ରଗଣିକାଳୟ ର ଗଣିକାମାନେ ବାହାରକୁ ଗଲା ବେଳେ ଏକ ବିଶେଷ ପ୍ରକାରର ଯୋତା ପିନ୍ଧୁଥିଲେ । ଯୋତାତଳର ଛାଞ୍ଚରୁ ରାସ୍ତାର ଧୁଳୀରେ ପରିଷ୍କାର ଉକୁଟି ଉଠୁଥିଲା, "ମୋତେ ଅନୁଧାବନ କର ।"