ଫଟୋ: ପ୍ରୀତିରଞ୍ଜନ ତ୍ରିପାଠୀ

“ସୁର ହେଉଛି ଜୀବନରେ ଟୋକା! ତାକୁ ଗାଇଦେଲେ ହୁଏନି, ତାକୁ ବଞ୍ଚିବାକୁ ପଡେ’’- ପ୍ରାୟ ଦଶବର୍ଷ ତଳେ ତାଙ୍କର ଏକ ସାକ୍ଷାତ୍କାର ନେଲାବେଳେ ଏଇ ଧାଡିକ ମୋ ମନରେ ଛପା ହୋଇ ରହିଯାଇଛି । ତାଙ୍କ ଗୀତ, ସ୍ଵୟଂ ସରସ୍ଵତୀର ଶୁଦ୍ଧ ପ୍ରବାହ । ତେଣୁ ତାଙ୍କୁ ସଙ୍ଗୀତ ବିଷୟରେ କଣ ବା ପଚାରିଥାନ୍ତି । ହେଲେ, ତାଙ୍କୁ କିଛି ପଚାରିବାକୁ ପଡେନି । ଆପେ ଆପେ ସେ କହି ଯାଆନ୍ତି । ଯେତେ ତାଙ୍କର ଭାବ-ଅଭାବ, ରାଗ, ରୁଶା, ଅଭିମାନକୁ ଅଜାଡି ଦିଅନ୍ତି । ହଁ, ତାଙ୍କର ସଦାବେଳେ ଗୋଟେ ଅଭିମାନ ଥିଲା ଓଡିଶା ଉପରେ, ଓଡିଆଙ୍କ ଉପରେ । ଘରର ସବୁଠୁ ପ୍ରତିଭାଶାଳୀ ଝିଅଟିକୁ ଅଣଦେଖା କଲେ, ଯେଉଁ ଅଭିମାନ ସେ ଅଭିମାନ ତାଙ୍କର ଥିଲା । ବେଳେବେଳେ ରାଗିକି କହିବେ - ଯାଃ ମ, ତମେ ସବୁ କେଉଁ ସଙ୍ଗୀତ ଶୁଣ ବା ବୁଝ । ସେ ଅଭିମାନ ପ୍ରବଳ ଭଲ ପାଇବାରୁ ଆସୁଥିଲା । ନା କି କ୍ରୋଧ ବା ପ୍ରତ୍ୟାଖ୍ୟାନରୁ । ସାରା ଜୀବନ ତାଙ୍କର ବିତିଲା କଲିକତାରେ । ଅଥଚ ସବୁବେଳେ ଅଭିମାନିନୀ ଓଡିଆ ଝିଅ ସେ । ଅଦ୍ଭୁତ ଭଲପାଇବା ଥିଲା ନିଜ ମାଟି ଓ ମଣିଷ ପାଇଁ । ଓଡିଆ ଭାଷାରେ ତାଙ୍କର ଯେଉଁ ଶୁଦ୍ଧ ସାଙ୍ଗୀତିକ ଉଚ୍ଚାରଣ, ତାହା ତ ଏକ ଇତିହାସ ।

ସେ ସୁନନ୍ଦା । ସୁରର ମହାନନ୍ଦା ସୁନନ୍ଦା ପଟ୍ଟନାୟକ । (ନଭେମ୍ବର ୭, ୧୯୩୪ - ଜାନୁଆରୀ ୧୯, ୨୦୨୦, ଜନ୍ମସ୍ଥାନ:ପୁରୀ) କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର ସେ ଝିଅ । ବାପା ଓ ଝିଅ, କିଏ କାହା ଲାଗି ପ୍ରସିଦ୍ଧ କହିବା ମୁସ୍କିଲ । ସୁନନ୍ଦାଙ୍କ କଣ୍ଠରେ କବି ବୈକୁଣ୍ଠନାଥଙ୍କର “ଜୀବନ ପାତ୍ର ମୋ ଭରିଛ କେତେ ମତେ” କବିତା ଅମୃତ ପାଲଟି ଯାଇଛି । ସେ କବିତା ଜୀବନର ମହାରାଗିଣୀ ପାଲଟି ଯାଇଛି ପ୍ରତିଟି ସଂବେଦନଶୀଳ ଓଡିଆ ପାଇଁ । ଥରେ ତାଙ୍କୁ କହିଥିଲି - ଜୀବନପାତ୍ର ର ବିକଳ୍ପ ନାହିଁ ମାଉସୀ । ଚିଡି ଉଠି କହିଲେ- “ହଇରେ ଟୋକା, ମୁଁ କଣ ଖାଲି ସେ ଜୀବନ ପାତ୍ର ଗାଇଛି । ତମେ ସବୁ ସେଇ ଗୋଟେ ଗୀତରେ ସୁନନ୍ଦା ପଟ୍ଟନାୟକକୁ ଦେଖୁଛ” । ନିରାଟ ସତକଥା । ତାଙ୍କର ବିଶାଳ ସଙ୍ଗୀତ ଭଣ୍ଡାରରେ “ଜୀବନ ପାତ୍ର” ସୁଗମ ସଙ୍ଗୀତ ଟିଏ ମାତ୍ର । ତାଙ୍କ କଣ୍ଠରେ “ଯୌନପୁରୀ ତରାନା’’ ବା “ରାଗ ରାମକଲି”, ତାଙ୍କ ନିଜସ୍ଵ ସୃଷ୍ଟ “ରାଗ ନୀଳମାଧବ’ ଅବା “ସୁବର୍ଣ୍ଣମୁଖୀ”, ତାକୁ ଆମେ ବା ଶୁଣିଲୁ କେବେ ?

ସଙ୍ଗୀତ ସିନ୍ଧୁରେ ପ୍ରବହମାନ ଏକ ଧାରା

ସୁନନ୍ଦା ପଟ୍ଟନାୟକ ସଙ୍ଗୀତ ବ୍ୟତୀତ ଜୀବନରେ ଆଉ କିଛି ଜାଣି ନଥିଲେ । ଜେଜେବାପା ଓ ବାପା ଚାହୁଁଥିଲେ, ସେ ଭଲ ପାଠ ପଢନ୍ତୁ । ସୁନନ୍ଦା କିନ୍ତୁ ଗୀତ ବାୟାଣୀ । ପ୍ରଥମ ସଙ୍ଗୀତ ଶିକ୍ଷା କୁଣ୍ଡଳ ଆଦି ନାରାୟଣଙ୍କ ପାଖରୁ । ବଡ ଅଦ୍ଭୁତ କଳାକାର କୁଣ୍ଡଳ ଆଦି ନାରାୟଣ । ଓଡିଶାର ସବୁ ମହାନ ସଙ୍ଗୀତଜ୍ଞଙ୍କର ଆଦିଗୁରୁ ସେ । ଅଥଚ ତାଙ୍କୁ ଆଜି କେହି ବି ଜାଣନ୍ତି ନାହିଁ । ୧୯୫୨ରେ ଭାରତର ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ସୁନନ୍ଦାଙ୍କ ଗୀତ ଶୁଣି ମୁଗ୍ଧ ହୁଅନ୍ତି ଆଉ ସଙ୍ଗୀତରେ ଉଚ୍ଚ ଶିକ୍ଷା ଲାଗି ବୃତ୍ତିର ବ୍ୟବସ୍ଥା କରିଦିଅନ୍ତି । ସରକାରୀ ବୃତ୍ତି ପାଇ ସୁନନ୍ଦା ଯାଆନ୍ତି ପୁନା । ୧୯୫୨ରେ ସଙ୍ଗୀତ ପାଇଁ ସୁନନ୍ଦା ପଟ୍ଟନାୟକ ଓ ନୃତ୍ୟ ପାଇଁ ମିନତି ମିଶ୍ରଙ୍କୁ ରାଜ୍ୟପାଳ ବୃତ୍ତି ମିଳିଥିଲା । ସୁନନ୍ଦା ଗଲେ ବିନାୟକ ପଟ୍ଟବର୍ଦ୍ଧନଙ୍କ ଠାରୁ ସଙ୍ଗୀତ ଶିଖିବାକୁ ପୁନା ଓ ମିନତି ଗଲେ କଳାକ୍ଷେତ୍ର, ମାଡ୍ରାସ । ସଂଯୋଗ ଦେଖନ୍ତୁ, ଦୁଇ ସଖୀ ହାତ ଧରାଧରି ହୋଇ ଏକା ସାଙ୍ଗରେ ଚାଲିଗଲେ ଏଇ ପନ୍ଦର ଦିନର ବ୍ୟବଧାନରେ ।

ଗୁରୁ ବିନାୟକ ପଟ୍ଟବର୍ଦ୍ଧନ ଥିଲେ ଗ୍ଵାଲିଆର ଘରାନାର ତୁଙ୍ଗ ଶିଳ୍ପୀ । ଭାରତୀୟ ସଙ୍ଗୀତ ପରମ୍ପରାର ସବୁଠୁ ସମୃଦ୍ଧ ଘରାନାର ଶିଷ୍ୟା ଭାବରେ ସୁନନ୍ଦାଙ୍କର ତାଲିମ ଓ ରିୟାଜ ଆରମ୍ଭ ହୋଇଥିଲା । ବିଶୁଦ୍ଧ ଧ୍ରୁପଦୀୟ ଅଙ୍ଗ ସହିତ ନୂଆ ରାଗର ଆବିଷ୍କାର ଏହି ଘରାନାର ସବୁଠୁ ବଡ ଅବଦାନ । ଓମକାର ନାଥ ଠାକୁର, କୁମାର ଗନ୍ଧର୍ବଙ୍କ ପରି ଶିଳ୍ପୀ ଯେଉଁ ଘରାନାର ଦାୟାଦ, ସେଠି ଏଇ ଓଡିଆ ଝିଅ ସୁନନ୍ଦା ନିଜର ପାଦ ଦୃଢ କରିଥିଲେ । ତାଙ୍କ ସ୍ଵରରେ ମାଧୁର୍ୟ, ଗାମ୍ଭୀର୍ୟ ଓ ବିଶୁଦ୍ଧ ଭାବ ସଞ୍ଚାରର ତୀବ୍ରତା ରହିଥିଲା । ଉଦାତ୍ତ ସ୍ଵର (high notes) ରେ ତାଙ୍କର ତୀବ୍ରତା ଓ ନିୟନ୍ତ୍ରଣ ସଙ୍ଗୀତ ରସିକଙ୍କୁ ଚକିତ କରି ପକାଏ । ତୀବ୍ର ଓ ଶୁଦ୍ଧ ସ୍ଵରରେ ଅପୂର୍ବ ତାଙ୍କର କାରୁକାର୍ୟ । ଆପଣ ସଙ୍ଗୀତ ବୁଝନ୍ତୁ ବା ନ ବୁଝନ୍ତୁ, କେବେ ଥରେ ସୁନନ୍ଦାଙ୍କର ତରାନା ଶୁଣିବେ । ତରାନାର ତୀବ୍ର ଲୟକାରୀ ଆପଣଙ୍କୁ ତନ୍ମୟ ହେବାକୁ ବାଧ୍ୟ କରିବ ।

ନୀଳମାଧବର ଆର୍ତ୍ତି ଓ କାରୁଣ୍ୟ

ସୁନନ୍ଦା ପଟ୍ଟନାୟକ ନିଜେ ପ୍ରାୟ ଛଅଟି ରାଗ ସୃଷ୍ଟି କରିଥିଲେ । ସେଥିରୁ ଦୁଇଟି ରାଗ ହିନ୍ଦୁସ୍ତାନୀ ପରମ୍ପରାରେ ବେଶ ଚର୍ଚ୍ଚିତ - ରାଗ ନୀଳମାଧବ ଓ ସୁବର୍ଣ୍ଣମୁଖୀ । ନୀଳମାଧବର ବୋଲ ଥିଲା- “ରାମ ଗୟେ ବନବାସ, ଅବଧ ପୁରୀ କେ ସବ ନରନାରୀ ଭୟେ ବିକଲ ଉଦାସ”। ସୁର, ଭାବ, ତାନ ଓ ଲୟର କାବ୍ୟିକ ଗତି ଭିତରେ ଅପୂର୍ବ ରଚନା “ନୀଳମାଧବ” । ଗୋଟେ ବିକଳ ମାନବାତ୍ମାର ଆକୁଳ ଉଦାସପଣ ଏହି ରାଗରେ ବଡ କରୁଣ ଶୁଭେ । ଅନେକ ସମୟରେ ସୁର ଯେମିତି ବ୍ୟାକରଣର ବନ୍ଧନୀରେ ରହୁନି । ସୁନନ୍ଦାଙ୍କୁ ମୋର ପ୍ରଶ୍ନ ଥିଲା - ନୀଳମାଧବରେ ଆପଣ ପରମ୍ପରା ଭାଙ୍ଗିଛନ୍ତି ବୋଲି କେହି କେହି କହନ୍ତି । ତାଙ୍କର ଚିରାଚରିତ ଠାଣିରେ ଉତ୍ତର - କି ପରମ୍ପରାରେ ଟୋକା ! ଗୋଟେ ଭକ୍ତର ଆକୁଳ ଆବେଦନ ଓ ଶୂନ୍ୟ ଅନୁଭବ ଆଗରେ ପରମ୍ପରା ମୋ ସୁରକୁ ବାନ୍ଧିବ, ବାନ୍ଧି ପାରିବ ? ସୁର ସାମ୍ରାଜ୍ୟରେ ସେ ଏକ ବିପ୍ଲବ । ବ୍ୟାକରଣ ଆଗରେ “ନୀଳମାଧବର” ତାନକାରୀ ଏକ ପ୍ରଚଣ୍ଡ ବିଦ୍ରୋହ । ନୀଳମାଧବରେ ଆର୍ତ୍ତି, ଆକୁଳତା ଓ ଶୂନ୍ୟତାର ଅପୂର୍ବ ଗୁମ୍ଫନ ହିନ୍ଦୁସ୍ତାନୀ ପରମ୍ପରାରେ ବିରଳ ।

“ସୁବର୍ଣ୍ଣମୁଖି”କୁ ନେଇ ତାଙ୍କର ଏକ ସୁତୀବ୍ର ଅନୁଭବର କାହାଣୀ ରହିଛି । ଥରେ କେଉଁ ଏକ ଅନ୍ଧାରୀ-ପୁରୁଣା ମନ୍ଦିରରେ ତାଙ୍କୁ ଦୃଶ୍ୟ ହୁଅନ୍ତି ଏକ ଉଜ୍ଜଳ ସୁବର୍ଣ୍ଣର ପୁରୁଷ । ଅନ୍ଧାରରେ ସୁବର୍ଣ୍ଣ ପରି ଦାଉ ଦାଉ ସେ ମୁହଁ ଟି ଅନେକ ଦିନ ଧରି ତାଙ୍କୁ ଆକ୍ରାନ୍ତ କରିଥିଲା । ସେଇ ଆଚ୍ଛନ୍ନତାରୁ ସୁବର୍ଣ୍ଣମୁଖୀ ରାଗର ଜନ୍ମ । ତେଣୁ ସେଥିରେ କଳ୍ପନାର ଉଡାଣ ପ୍ରବଳ।

ପିତା ଓ ପୁତ୍ରୀ

ସୁନନ୍ଦା ଆକାଶବାଣୀ ଓ ଓଡିଆ ସିନେମାରେ ଅନେକ ଗୀତ ଗାଇଛନ୍ତି । ଅନେକ ଗୀତ ଶ୍ରୋତାଙ୍କ ଆଦର ପାଇଛି । ହେଲେ ତାଙ୍କ ଗୀତ ସହିତ ପିତା ବୈକୁଣ୍ଠନାଥ ପଟ୍ଟନାୟକଙ୍କର କବିତା ଏକାକାର ହୋଇ ରହିଆସିଛି ସବୁବେଳେ । “ଜୀବନ ପାତ୍ର ମୋ ଭରିଛ କେତେ ମତେ”, “ନିଶବଦ ଶରତ ପ୍ରାତେ”, “ଜୀବନ ବନ୍ଧୁ ଜୟ ଜୟ ହେ”, “ମୋତେ ଦେବ ବୋଲି ଏହି ଦୀକ୍ଷା’ , ଏମିତି କିଛି ଗୀତ କବିତାକୁ ଅମରତ୍ଵ ଦେଇଛି । ପିତାଙ୍କର ଶବ୍ଦ ପୁତ୍ରୀଙ୍କର କଣ୍ଠରେ ଅମୃତମୟ ହୋଇଯାଇଛି ।

ତାଙ୍କ କଣ୍ଠରେ କବିର, ମୀରା ବାଇ, ନାନକ, ସାଲବେଗ, ସୁରଦାସ ପ୍ରମୁଖ ମହାନ ଭାରତୀୟ ଭକ୍ତି କବିତାର ସୁର ଆମେ ଦେଖିଛୁ । ହେଲେ ଶଙ୍କାରାଚାର୍ୟଙ୍କ “ଶ୍ରୀ ଜଗନ୍ନାଥାଷ୍ଟକମ” ଏବଂ “ଭଜ ଗୋବିନ୍ଦମ” ତାଙ୍କର ଦୁଇଟି ଆମର ଗାୟନ । ଗାୟନରେ ଶବ୍ଦ, ଅର୍ଥ, ଭାବ ଓ ସଙ୍ଗୀତର କାରୁକାର୍ୟକୁ ସମନ୍ଵିତ କରି ପାରିବାର ଯେଉଁ ଦକ୍ଷତା ତାଙ୍କର ଥିଲା, ତାହା ହିଁ ସୁନନ୍ଦାଙ୍କର ବିଶେଷତ୍ଵ ।

ମା ଓ ମାଟି ପ୍ରତି ଅଭିମାନ

ଓଡିଶା ମୋ ମା, ହେଲେ ମୁଁ ବଙ୍ଗଳାରେ କାଇଁ ପଡି ରହିଲିରେ ଟୋକା - ଏ କଥା କହିଲା ବେଳେ ତାଙ୍କ କଣ୍ଠ ଥରି ଉଠୁଥିବାର ମୁଁ ଦେଖିଛି । ବିଜୁ ବାବୁ ତାଙ୍କୁ ପୁରୀରେ ଜାଗା ଖଣ୍ଡେ ଦେଇଥିଲେ ଗୁରୁକୁଳ କରିବା ପାଇଁ । ସେ ଘର ଯେତେଥର ଗଢା ହୋଇଛି ସେତେଥର ଭାଙ୍ଗିଛି । ଲୋକେ ସେ ଘରର କବାଟ ଝରକା ତାଡି ନେଇ ଯାଇଛନ୍ତି । ତେବେ ବର୍ଷର ଅନେକ ସମୟ ସେ ତାଙ୍କର ଛାତ୍ରଛାତ୍ରୀଙ୍କୁ ନେଇ ସେ ଘରେ ରିୟାଜ କରୁଥିଲେ । ଓଡିଶା ଆଉ କେତେ ଶହ ବର୍ଷରେ ସୁନନ୍ଦାଙ୍କ ଉଚ୍ଚତାର ଆଉ ଏକ ଶିଳ୍ପୀ ଦେଇ ପାରିବ କେଜାଣି ! ତାଙ୍କୁ ପଦ୍ମଶ୍ରୀ ଟିଏ ଆମେ ଦେଇ ପାରିଲୁ ନାହିଁ, ସେ ଆମର ଦୁର୍ଭାଗ୍ୟ । ହେଲେ ସେ ଶୁଦ୍ଧ ସରସ୍ଵତୀର ଗୋପନ ପ୍ରବାହ । ସେ ଥିଲେ ଓ ରହିବେ । ଆମ ରକ୍ତରେ ସଙ୍ଗୀତ ହୋଇ, ଭକ୍ତିର ମନ୍ତ୍ର ହୋଇ ଓ ଭାବର ନୀରବତା ହୋଇ।

ତାଙ୍କ ମୃତ୍ୟୁ ପରେ ଗତ ବର୍ଷ ଓଡିଶା ସରକାର ତାଙ୍କ ସ୍ମୃତି ରକ୍ଷା ଲାଗି କିଛି ପଦକ୍ଷେପ ଘୋଷଣା କରିଥିଲେ । ସେସବୁ ଆଜି ବି କେବଳ ଘୋଷଣାରେ ରହିଛି ।