ହସବହିର ନାଆଁ ଫିଲୋଜିଲସ୍ ।

ଆଉ ଥରେ କହୁଛି ଏହି ବହିଟି ପୃଥିବୀର ସର୍ବ ପ୍ରଥମ ହସ ବହି ନୁହଁ । ଏହା ଅବିକୃତ ଭାବରେ ସଂଗୃହିତ ସର୍ବ ପୁରାତନ ହସବହି । ଏହି ବହିଟିର ସମୟ କାଳ ହେଉଛି ଆନୁମାନିକ ଖ୍ରୀଷ୍ଟୀୟ ତୃତୀୟ ରୁ ଚତୁର୍ଥ ଶତାବ୍ଦୀ । ଦୁଇଜଣ ଗ୍ରୀକ୍ ହାଇରୋକଲେସ୍ ଏବଂ ଫିଲାଗ୍ରିଅସ୍ ହେଉଛନ୍ତି ଏହି ଫିଲୋଜିଲସ୍ ଶୀର୍ଷକରେ ଥିବା ହସ ବହିର ସଂକଳକ ।

ଏହି ବହିଟି ସଂକଳିତ ହେବାର ସମୟ କାଳ ଗ୍ରୀକ୍ ଇତିହାସ ଦୃଷ୍ଟିରୁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ବିଶେଷ ସମୟରେ ଗ୍ରୀସ୍ ରୋମାନ ସାମ୍ରାଜ୍ୟର ଅନ୍ତର୍ଭୂକ୍ତ ଥିଲା । ତେଣୁ ଏହି ସମୟ ହେଉଛି ସୁମହାନ ଗ୍ରୀସ୍ ସମାଜର ଏକ ଜଟିଳ ବିରୋଧାଭାସର ସମୟ । ସେତେବେଳେ ସେମାନେ ମହାନ ଗ୍ରୀକ୍ ସଭ୍ୟତା ଯଥା ସକ୍ରେଟିସ ଆଉ ପ୍ଲାଟୋ ପ୍ରଭୃତିଙ୍କ ବିଖ୍ୟାତ ଚିନ୍ତନମାଳା, ଆଲେକଜାଣ୍ଡରଙ୍କ ରାଜ୍ୟବିସ୍ତାରର ଆଭିଜାତ୍ୟ, ବୀରତ୍ୱ ଆଦି ଅତୀତ ସହିତ ରୋମାନ ସାମ୍ରାଜ୍ୟରେ ବର୍ତ୍ତମାନ ରହିବା ଭଳି ସ୍ଥିତିରେ ନିଜକୁ ବେଶ୍ ଅସହଜ ମଣୁଥିଲେ । ସାଧାରଣତଃ ଗ୍ରୀକ୍ ମାନେ ନିଜକୁ ପୃଥିବୀର ଶ୍ରେଷ୍ଠ ଜାତି ବୋଲି ବିଚାର କରୁଥିଲେ ଏବଂ ସେହି ଅନୁସାରେ ସେମାନେ ସମଗ୍ର ପୃଥିବୀର ଗ୍ରୀକ୍-କରଣ ବା ଯାହାକୁ ଇଂରେଜୀରେ କହନ୍ତି ହେଲେନାଇଜେସନ୍ ସେଇ କାମ କରିବାର ପ୍ରଚେଷ୍ଟାରେ ଥିଲେ । ଗ୍ରୀକ୍ ବୀର ଆଲେକଜାଣ୍ଡରଙ୍କର କଳ୍ପିତ ରାଜ୍ୟ ଜୟରେ କେବଳ ତାଙ୍କ ସହିତ ବିପୁଳ ସୈନ୍ୟବାହିନୀ ନଥିଲେ, ଇତିହାସ, ଦର୍ଶନ, ଭୂଗୋଳ ଓ ବିଜ୍ଞାନର ମନୀଷୀମାନେ ବି ରହିଥିଲେ । ସେମାନଙ୍କର କାମ ଥିଲା କୌଣସି ରାଜ୍ୟ ଜୟ ପରେ ସେଇ ଭୂଖଣ୍ଡର ପୂର୍ଣ୍ଣାଙ୍ଗ ଅଧ୍ୟୟନ କରିବା ଏବଂ ତାହାପରେ ଗ୍ରୀକ୍ - ଧାରଣାରେ ସେ ଅଂଚଳକୁ ପରିପୁଷ୍ଟ କରିବାରେ ଏକ ଉପଯୁକ୍ତ ଜାରଣଶକ୍ତି ବା କାଟାଲିଷ୍ଟ ସାଜିବା । ଗୋଟିଏ ଉଦାହାରଣ ଦେବାକୁ ମନ ବଳୁଛି । ଭିନସେଣ୍ଟ ଆର୍ଥର୍ ସ୍ମିଥ୍ ବୋଲି ଜଣେ ବ୍ରିଟିଶ୍ ଐତିହାସିକ "ଦି ଆର୍ଲି ହିଷ୍ଟୋରୀ ଅଫ୍ ଇଣ୍ଡିଆ" ଶୀର୍ଷକରେ ଭାରତର ପ୍ରାଚୀନ ଇତିହାସ ଉପରେ ଏକ ବୃହତ ଗ୍ରନ୍ଥ ଲେଖିଛନ୍ତି । ନିଜେ ଜଣେ ଗ୍ରୀକ୍ ହୋଇନଥିଲେ ମଧ୍ୟ ଗ୍ରୀକ୍ - ଚିନ୍ତନ ଦ୍ୱାରା ସେ ଏତେ ମାତ୍ରାରେ ପ୍ରଭାବିତ ଥିଲେ ଯେ ସେ ଏଇ ଇତିହାସ ଲେଖାରେ ଭାରତୀୟ ସଭ୍ୟତାକୁ ଗ୍ରୀକ୍ ସଭ୍ୟତାର ମାପଦଣ୍ଡରେ ସବୁବେଳେ ତଉଲି ତୁଳନାତ୍ମକ ଭାବରେ ତାହାକୁ ନ୍ୟୂନ ବୋଲି ପ୍ରତିପାଦନ କରିଛନ୍ତି। ଟିକିଏ ଅପ୍ରାସଙ୍ଗିକ ହେଲେ ମଧ୍ୟ ଭିନସେଣ୍ଟ ସ୍ମିଥ୍ ଙ୍କ ଭାରତ ଇତିହାସ ସଂପର୍କରେ ଗୋଟିଏ ରୋଚକ ତଥ୍ୟ ରଖୁଛି । ସେଇ ବହିରେ ସମ୍ରାଟ ଅଶୋକ ବା କଳିଙ୍ଗ ଯୁଦ୍ଧର ତାହାର ସାମାନ୍ୟ ଉଲ୍ଲେଖ ନାହିଁ । ତାହାର କାରଣ ହେଉଛି ଏହି ବହିଟି ୧୯୧୬ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା । ସେତେବେଳେ ସମ୍ରାଟ ଅଶୋକ ଅନ୍ଧାର ଘରେ ଥିଲେ । ଇତିହାସ ଦୃଷ୍ଟିରୁ ତାଙ୍କର ଆବିଷ୍କାର ହୋଇ ନଥିଲା । ଭାରତ ଇତିହାସରେ ସମ୍ରାଟ ଅଶୋକଙ୍କର ଆବିଷ୍କାର ହେଲା ଏଇ ଇତିହାସ ବହି ପ୍ରକାଶିତ ହେବାର ପ୍ରାୟ ତେର ବର୍ଷ ପରେ ଅର୍ଥାତ୍ ୧୯୨୯ ଖ୍ରୀଅରେ । ସେତେବେଳେ ସାର୍ ଜେମସ୍ ପ୍ରିନସେପ୍ ଙ୍କ ନେତୃତ୍ୱରେ ସମ୍ରାଟ ଅଶୋକ ବୋଲି ଭାରତ ଇତିହାସର ଏକ ପ୍ରମୁଖ ଅଧ୍ୟାୟ ଆବିଷ୍କୃତ ହୋଇଥିଲା ।

ସେ ଯାହାହେଉ ଏଇଠି ଭିନସେଣ୍ଟ ସ୍ମିଥ୍ ଙ୍କ ବାହାନାରେ ଏମିତି କହିବା ସତ୍ୟର ଅପଳାପ ହେବନାହିଁ, ଯେ ଗ୍ରୀକ୍ - ଚେତନା ର ଏକ ପ୍ରଭାବୀ ଧାରା ଗ୍ରୀସ୍ ରୁ ଅନ୍ୟତ୍ର ବ୍ୟାପି ଯାଇଥିଲା । ଏହି ଆଲୋଚ୍ୟ ହସ ବହି ଫିଲୋଜିଲସ୍ ର ୨୬୫ ଟି ହସ କଥା ରେ ଏହା ସ୍ପଷ୍ଟ । ଆପଣ ଜାଣନ୍ତି କୌଣସି ହସକଥାର ପ୍ରମୁଖ ନାୟକ ପ୍ରାୟତଃ ଜଣେ ନିର୍ବୋଧ । ଏହା ସେତେବେଳର ହସକଥାରେ ଘଟୁଥିଲା ଆଉ ଆଜି ବି ଘଟୁଛି । ହସବହି ଫିଲୋଜିଲସ୍ ରେ ସ୍ଥାନେ ସ୍ଥାନେ ସେଇ ନିର୍ବୋଧ ମାନଙ୍କୁ ଏକ ଆଞ୍ଚଳିକ ବସତିରେ ବିନ୍ୟାସ କରାଯାଇଛି । ଆମର ଏଠିକାର ହସକଥାରେ ସ୍ଥାନ - ନିର୍ବୋଧ ମାନେ ବି ରହିଛନ୍ତି । ଯେଉଁ ତିନି ଚାରୋଟି ସ୍ଥାନକୁ ନେଇ ଆମେ ଆମର ହସକଥାରେ ଯେଉଁ ନିର୍ବୋଧ କାହାଣୀମାନ କହି ହସିହସି ଗଡିଯାଉ, ତାହା ଆମ ସମସ୍ତଙ୍କୁ ଜଣା । ସେଇ ସ୍ଥାନମାନଙ୍କ ଭିତରୁ ଯଦି ଗୋଟିଏ ନାଆଁ ଏଇଠି ଏଇଲେ ଉଲ୍ଲେଖ କରାଯିବ ତେବେ ଉପସ୍ଥିତ ଲେଖକ ପାଇଁ ଅଦିନ ଅଗ୍ନିପୂର୍ଣ୍ଣିମା ହେବା ଥୟ । ଏହି ଫିଲୋଗେଲସ୍ ରେ ସଂକଳକ ଦ୍ୱୟ ଙ୍କ ହସ-ଚରିତ୍ର ମାନେ ହେଉଛନ୍ତି କିମେନିଆନସ୍ (ସବୁଠୁ ଅଧିକ ନିର୍ବୋଧ), ସିଦୋନିଆନସ୍ (କିଛି ପରିମାଣରେ ନିର୍ବୋଧ) ଏବଂ ଆବଡେରାଟସ୍ (ଯେଉଁମାନେ ନିର୍ବୋଧ ରାଜ୍ୟରେ ଟିକିଏ ବୁଦ୍ଧିମାନ ଆଉ ସେଇଥିପାଇଁ ସଂକଳକ ମାନେ ସେମାନଙ୍କୁ କୌଣସି ବିଚିତ୍ର କାରଣ ଯୋଗୁ ହାର୍ଣ୍ଣିଆ ଭଳି ଅସୁଖ ଦେଇଛନ୍ତି) । ଏହି ଯେଉଁ ସ୍ଥାନ ବିଶେଷର ନିର୍ବୋଧ ମାନଙ୍କର କଥା ଫିଲୋଜିଲସ୍ ବହିରେ ବର୍ଣ୍ଣନା କରାଯାଇଛି ସେମାନେ କହିବାକୁ ଗଲେ ଏକ ପ୍ରକାର ସଫ୍ଟ ଟାର୍ଗେଟ୍ । ସେମାନେ କିଛି ପରିମାଣରେ ଉଗ୍ର ଗ୍ରୀକ୍ ହୋଇଥିବା କାରଣରୁ ରୋମାନ୍ ଶାସନର ସୁନଜରରେ ନଥିଲେ । ତେଣୁ ସେମାନଙ୍କ ଉପରେ ହସ କଥା କହିବା ସଂକଳକ ଦ୍ୱୟ ଙ୍କ ପାଇଁ ସହଜ ଥିଲା ।

ହସରେ ବି କ୍ଷମତା ଶାସ୍ତ୍ରର ଅଂକ ରହିଥାଏ ।

ଯଦି ଆମେ ଫିଲୋଜିଲସ୍ ହସ ବହିର ସବୁଠୁ ଭଲ ହସ କଥା ଗୁଡିକ ବାଛିବା ତେବେ ସେହି ଶୈଳୀଗୁଡ଼ିକ ଆମର ନିଜ ଶୈଳୀର ହସ କଥା ଭଳି ଲାଗିବ । ବିଶେଷତଃ ଏହି ହସବହିରେ ଥିବା ନିର୍ବୋଧକାହାଣୀ ତଥା ନିହାତି ବ୍ୟକ୍ତିପରକ ଖାମଖିଆଲି ପଣ ବା ଝୁଙ୍କ୍ ଏବଂ ଆଞ୍ଚଳିକତାକୁ ବାଦ ଦେଲେ ଆଉ ଯାହା ସେହି ହସକଥାକୁ ଆମ ପାଇଁ ସମସାମୟିକ କରିଥାଏ ତାହା ହେଉଛି ଚତୁର-ଉକ୍ତି । ସବୁ କାଳର ହସକଥାର ଅସଲ ବୌଦ୍ଧିକ ଆଧାର ହେଉଛି ସେଥିରେ ଥିବା ଚତୁର-ଉକ୍ତି । ସେହି ବହିରୁ କେତୋଟି ଚତୁର-ଉକ୍ତି ଏଇଠି ରଖୁଛି ।

ଥରେ ଜଣେ ନାପିତ ଜଣେ ଗରାଖକୁ ପଚାରିଲା, ଆଛା, ଆପଣଙ୍କର ଚୁଟି କେମିତି କାଟିବି ? ଗରାଖର ଗଂଭୀର ଉତ୍ତର ଥିଲା, ନୀରବରେ ।

ମରଣ ନିକଟ ହୋଇ ଆସିଲା ବେଳକୁ ଜଣେ ଧନୀକକୁ ପଚରା ଗଲା, ଆଛା ଆପଣଙ୍କର ଈଚ୍ଛାପତ୍ରରେ କିଏ ଉତ୍ତରାଧିକାରୀ ହେବ ? ତାଙ୍କର ସିଧା ସଳଖ ଉତ୍ତର, ମୁଁ ନିଜେ ।

ଗୋଟିଏ ସ୍ଥାନରେ ଦିଜଣ ଯମଜ ଭାଇ ଥିଲେ । ସେମାନଙ୍କ ଭିତରୁ ଜଣେ ମୃତ୍ୟୁ ବରଣ କଲା । ଆର ଜଣକୁ ରାସ୍ତାରେ ଦେଖି ଜଣେ ବାହାର ଲୋକ ପଚାରିଲା, ଆଛା ତମ ଦିଜଣଙ୍କ ଭିତରୁ କିଏ ଉପରକୁ ଗଲା, ତମେ ନା ତମର ଭାଇ ? ଏହାପରର ଉତ୍ତର ଥିଲା, ମୋ ଭାଇ ।

ସବୁ ହସ ବହିରେ ନିର୍ବୋଧ ମାନଙ୍କର ପରେ ଆଉ ଯେଉଁମାନେ ପ୍ରମୁଖ ସ୍ଥାନରେ ରହିଥାନ୍ତି ସେମାନେ ହେଲେ ପତ୍ନୀ । ପତ୍ନୀମାନଙ୍କୁ ନେଇ ହସ କଥା ମାଧ୍ୟମରେ ସେମାନଙ୍କୁ ନ୍ୟୂନ ପ୍ରତିପାଦନ କରିବା ପୁରୁଷତନ୍ତ୍ରର ଏକ ପ୍ରାଚୀନ କୌଶଳ । ସେ ଯାହାହେଉ ଫିଲୋଜିଲସ୍ ରେ ପତ୍ନୀମାନଙ୍କୁ ନେଇ ଅନେକ ହସ କଥା ରହିଛି । ସେଥିରୁ ଗୋଟିଏ ହସ କଥା ରଖୁଛି । ଏହାକୁ ପଢିଲେ ଆଜି ସେତେ ହସ ନମାଡିଲେ ମଧ୍ୟ ଏହା କିଛି ପରିମାଣରେ ଆମକୁ ଚିନ୍ତିତ କରିବ ।

ଥରେ ଜଣେ ଲୋକ ଆଉ ଜଣଙ୍କୁ କହିଲା, ମୁଁ ଗଲାକାଲି ତମ ପତ୍ନୀଙ୍କ ସହ ରାତ୍ରୀଯାପନ କରିଛି । ଲୋକ ଜଣକ ଏଥିରେ ଅତ୍ୟନ୍ତ ରାଗିଯାଇ କହିଲା, ମୋ ପତ୍ନୀ ସହ ରାତ୍ରୀଯାପନ ର ଅଧିକାର କେବଳ ମୋର । ଏଇଥି ପାଇଁ ତମର କେଉଁ ଅଧିକାର ରହିଛି ଆଗ କୁହ ?

ଶେଷରେ ଏତିକି କୁହା ଯାଇପାରିବ ଖ୍ରୀଷ୍ଟୀୟ ତୃତୀୟ ଚତୁର୍ଥ ଶତାବ୍ଦୀର ହସ ବହି ହେଲେ ମଧ୍ୟ ସେ ସମୟର ଲୋକଙ୍କର ଆମ ଭଳି ବ୍ୟଙ୍ଗ ଦୃଷ୍ଟି ରହିଥିଲା । ବ୍ୟଙ୍ଗଦୃଷ୍ଟି ହେଉଛି ଚିରାଚରିତ ସମାଜର ଅଭିଲାପଣର ଏକ ନିର୍ବିଷ ବଖାଣ । ଏହା ଯୁଗ ନିରପେକ୍ଷ । ଅନ୍ୟ ପକ୍ଷରେ ମଣିଷ ହେଉଛି ଯେତିକି ଯୁକ୍ତିପ୍ରବଣ ଜୀବ, ଠିକ୍ ସେତିକି ପରିମାଣରେ କୌତୁକପ୍ରିୟ ଜୀବ ମଧ୍ୟ । ହସ କଥାର ଗମ୍ଭୀର ବଖାଣ ପରିପ୍ରେକ୍ଷୀରେ ଆମ ଭିତରେ ଏଇ ବିରୋଧାଭାଷଟି ରହିବା ଅତି ଆମୋଦର ପ୍ରସଂଗ । ଦୁଇ ଜଣଙ୍କର କଥା ଉଲ୍ଲେଖ କରୁଛି । ଦୁଇଜଣଯାକ ଇତିହାସ ବିଚାରରେ ହସ-ଶହୀଦ । ପ୍ରଥମ ଜଣକ ହେଉଛନ୍ତି ଗ୍ରୀସ୍ ର ଜଣେ ସହିଷ୍ଣୁ ବା ଷ୍ଟୋଇକ୍ ଦାର୍ଶନିକ । ତାଙ୍କର ନାଆଁ ହେଉଛି କ୍ରିସିପୁସ୍ ଅଫ୍ ସୋଲି ବା ସୋଲି ସହରର କ୍ରିସିପୁସ୍ । ସେ ତାଙ୍କର ଶିଷ୍ୟମାନଙ୍କୁ ଗୋଟିଏ ହସ କଥା କହିଥିଲେ। ସେଇଟି ହେଉଛି, ଥରେ ଗୋଟିଏ ଗଧର ତଣ୍ଟିରେ ଖାଇଲାବେଳେ ଡାଳପତ୍ରରୁ କିଛି ଅଟକି ଗଲା ଆଉ ନିଜର ତଣ୍ଟିକୁ ସଫା କରିବା ପାଇଁ ଗଧ ଗୋଟିଏ ପାନାଳୟକୁ ଯାଇ ମଦ୍ୟପାନ କରିଥିଲା । କ୍ରିସିପୁସି ନିଜର ଏଇ ହସ କଥାଟିରେ ଏମିତି ହସି ହସି ବେଦମ ହୋଇଯାଇଥିଲେ ଯେ ତାଙ୍କର ପ୍ରାଣବାୟୁ ସେଇଠେ ଉଡିଯାଇଥିଲା । ତେଣୁ ହସକଥାର ସେ ପ୍ରଥମ ଆଉ ଏକମାତ୍ର ଶହୀଦ ।

ତାହା ହେଲେ ଦ୍ୱିତୀୟ ଜଣକ ?

ସେ କ୍ରିସିପୁସିଙ୍କ ଭଳି ହସି ହସି ଅମର୍ତ୍ତଲୋକ ପ୍ରାପ୍ତ ହେଲା ଭଳି ଶହୀଦ ନୁହଁନ୍ତି । ଜୀବନରେ ଥରେ ହସିଥିବା କାରଣରୁ ତାଙ୍କୁ ହସ-ଶହୀଦ ବୋଲି କୁହାଯାଇ ପାରେ । ତାଙ୍କୁ ଥରେ ପଚରାଯାଇଥିଲା, ଇଉକ୍ଲିଡ୍ ଙ୍କୁ ପଢିବାର କ'ଣ ଆବଶ୍ୟକତା ଅଛି ? ଆପଣ ଜାଣନ୍ତି ଇଉକ୍ଲିଡ୍ ହେଉଛନ୍ତି ଜ୍ୟାମିତି ବିଦ୍ୟା ର ଉଦ୍ଭାବକ । ତାହାର ଉତ୍ତରରେ ସେ କିଛି ନକହି କେବଳ ଥରେ ହସି ଥିଲେ । ସେମିତି ଜୋର୍ ରେ ନୁହଁ । ସେଇଟି ଥିଲା ତାଙ୍କର ଜୀବନର ଏକମାତ୍ର ହସ । ଏହି ଘଟଣା ପରେ ସେ ପ୍ରାୟ ଦଶ ବର୍ଷ ବଞ୍ଚିଥିଲେ ।

ଏହିଭଳି ଏକମାତ୍ର ହସର କୃତିତ୍ଵ ଯିବ ମହାନ ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନ୍ ଙ୍କ ନିକଟକୁ । ସେହି ହସର ପଛରେ ରହିଥିଲା କୌଣସି ଶୂନ୍ୟର ଭିତରକୁ କାଳର ପ୍ରବେଶ କରିବା ଭଳି ଦର୍ଶନର ଅସହଜ ଖେଳ । ସେହି ଅସହଜପଣକୁ ବୁଝିଥିଲେ ବୋଲି ଆଇନଷ୍ଟାଇନ୍ ଥରଟିଏ ହସିଥିଲେ ଆଉ ଆମେ ମହାମୁର୍ଖ ମାନେ ତାହାକୁ ନବୁଝିପାରୁ ବୋଲି ବାରଂବାର ହସୁ ।

ଏକଦା ଏକ ଦେଶ; ଗୋଟିଏ ହସବହିର ଗମ୍ଭୀର ଚର୍ଚ୍ଚା - ୧