ଫିଲୋଜିଲସ୍, ପୃଥିବୀର ପ୍ରଥମ ଚର୍ଚ୍ଚିତ ହସକଥା, ଫଟୋ- ଗୁଗୁଲ୍

ହସବହିଟିର ନାଆଁ ଫିଲୋଜିଲସ୍।

ପ୍ରଥମରୁ କହିଦେବା ଉଚିତ ହେବ ଯେ ଏଠାରେ ଏଇ ଫିଲୋଗେଲସ୍ ଶୀର୍ଷକରେ ଯେଉଁ ବହିର ଉଲ୍ଲେଖ କରାଯାଉଛି ତାହାର ଚର୍ଚ୍ଚା କଲା ଭଳି ସେଭଳି କିଛି କଥା ଏଇଠି ରହିବ ନାହିଁ। ବିଶେଷରେ ଏଇ ଭଳି ବହିର କୌଣସି ପ୍ରକାର ପାଣ୍ଡିତ୍ୟପୂର୍ଣ୍ଣ ଚର୍ଚ୍ଚା ବହି ପାଇଁ ଏକ ପ୍ରକାର ଘାତକ। ତେଣୁ ଉପସ୍ଥିତ ଲେଖକର ଏହି ବହି ବିଷୟରେ କିଛି ଲେଖିବା ବେଳକୁ ତାହାର ସ୍ମରଣକୁ ଆଣୁଛି ଏକ ପିଲାଦିନର ଫୁଟବଲ ଖେଳ। ଧରାଯାଉ ଯେଉଁ ଦୁଇଟି ଦଳ ପଡିଆକୁ ଓହ୍ଲାଇଛନ୍ତି ସେମାନେ ଅତ୍ୟନ୍ତ ସାଧାରଣ ଦଳ। ମାତ୍ର ସେଇ ଦୁଇଟି ଦଳରୁ ଗୋଟିକରେ ଅତି ସ୍ୱାର୍ଥପର, ଜଣେ ସେଣ୍ଟର ଫରୱାର୍ଡ ରହିଛି। ସେ କ'ଣ କେବଳ ପ୍ରତିପକ୍ଷ ର ବିରୁଦ୍ଧରେ ଗୋଲ ପରେ ଗୋଲ୍ ସ୍କୋର୍ କରିବାରେ ନିଜର ଅଭିଳଷିତ ସୁଖକୁ ପ୍ଯାପ୍ତ ହେବ ? ପ୍ରକୃତିଜାତ ଭାବରେ ସେ ସ୍ୱାର୍ଥୀ ହୋଇଥିବା କାରଣରୁ ସେ ଅନେକ ସମୟରେ ନିଜର ଖେଳାଳୀପଣର ବିଶେଷତାକୁ ପ୍ରଦର୍ଶନ କରିବା ପାଇଁ ଫୁଟବଲ୍ କୁ ନିଜ ଆୟତ୍ତରେ ରଖିବା ଭଳି ନିଜର ଡ୍ରିବଲିଂ ର କୌଶଳକୁ କେବଳ ବିନିଯୋଗ କରୁଥିବ। ତେଣୁ ଏଠାରେ ଲେଖା କହିଲେ କେବଳ ଲେଖାକୁ ନିଜର ଆୟତ୍ତରେ ରଖିବାପାଇଁ କିଛି ଡ୍ରିବଲିଂ।

ଆପଣମାନେ ଜାଣନ୍ତି ଆମେ ସଚରାଚର ଗମ୍ଭୀର ପ୍ରକୃତିବିଶିଷ୍ଟ ତଥା ଗଂଭୀରବାଚକ ମାନଙ୍କ ଠାରୁ ନିଜକୁ ଯଥାସମ୍ଭବ ଦୂରରେ ରଖିବାକୁ ଅଧିକ ଭଲପାଉ। ସେହି ସବୁ ଗଂଭୀରପଣ ଏମିତିରେ କହିଲେ ଅତ୍ୟନ୍ତ ଅଭିଜାତ ପର୍ଯ୍ୟାୟର ଯାହା ଆମ ଭଳି ହସଖୁସିରେ ସରଳ ଜୀବନ ଅତିବାହିତ କରୁଥିବା ସବାଲଟର୍ଣ୍ଣ ଙ୍କ ଠାରୁ ଯୋଜନ ଯୋଜନ ଦୂରରେ ଏକ ବିଭାଜିତ ଦୂରତ୍ୱରେ ଥାଏ। ଏହି ସାଧାରଣ ଆଉ ହସଖୁସିର ଜୀବନକୁ ତାହାର ସାଧାରଣପଣ ପାଇଁ ହୁଏତ ସେତେ ଗୁରୁତ୍ୱ ର ସହ ଆମର ଶାସ୍ତ୍ରମତରେ ଗ୍ରହଣ କରାଯାଇ ନଥାଏ।ଉଦାହାରଣ ସ୍ୱରୂପ ବାଇବେଲ୍ ର ପ୍ରସିଦ୍ଧ ରାଜା ସଲୋମନଙ୍କର ହସ ଉପରେ କୌଣସି ଉଚ୍ଚମାନର ଧାରଣା ନଥିଲା। ସେ ସବୁବେଳେ ହସକୁ ମଣିଷର ଏକ ପ୍ରକାର ପାଗଳାମୀ ବୋଲି ମନେ କରୁଥିଲେ। ତେଣୁ ସୁସ୍ଥତା ପାଇଁ ହସ ସର୍ବଦା ପରିହାର୍ଯ୍ୟ ବୋଲି ତାଙ୍କର ଅତ୍ୟନ୍ତ ବିବେଚନାପୁର୍ଣ୍ଣ ମନ୍ତବ୍ୟ ରହୁଥିଲା। ଏକଦା ତାଙ୍କୁ ଯେତେବେଳେ ସୁଖ ସଂପର୍କରେ ପଚରାଗଲା ସେ କହିଥିଲେ,"ଏହାର ବସ୍ତୁତଃ ଉପକାରୀତା କ'ଣ କିଛି ରହିଛି ?"

ଯୀଶୁଖ୍ରୀଷ୍ଟ ନିଜ ଜୀବନରେ ଥରେ ହେଲେ କେବେ ହସି ନଥିବା କଥା ର ବିଭିନ୍ନ ଖ୍ରୀଷ୍ଟ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ତେଣୁ ସେଥିରୁ ଅବବୋଧ ଟି ଆସିଲା ଯେ,ହସ ଏକ ପ୍ରକାର ପାପବୋଧ । ଏବଂ କ୍ରମଶଃ ପାଶ୍ଚାତ୍ୟ ସମାଜରେ ଏହିଭଳି ଏକ ଧାରଣା ଅଲିଖିତ ଭାବରେ ବଳବତ୍ତର ହୋଇ ରହିଥିଲା ଜୁଲାଇ ମାସର ପାଞ୍ଚ ତାରିଖ ଏଗାରଶହ ବୟାଅଶି ସାଲ୍ ଯାଏଁ । ଏଇ ବିଶେଷ ଦିନରେ ଫ୍ରାନସିସ୍ ନାମକ ଜଣେ ସନ୍ଥଙ୍କର ଆସିସି ବୋଲି ଏକ ସହରରେ ଜନ୍ମ ଲାଭ ଘଟିଥିଲା। ସେ ଜନ୍ମ ହେଲା ବେଳକୁ ହସହସ ମୁହଁରେ ଜନ୍ମଗ୍ରହଣ କରିଥିଲେ ଆଉ ପରେ ସେ ନିଜର ଶିଷ୍ୟ ମାନଙ୍କୁ କହିଥିଲେ,"ହସ,ଯେତେ ପାରୁଛ ହସ,ଯେଉଁ ମୁହଁରେ ଦୁଃଖ ,ଭ୍ରୁକୁଟୀ ଆଉ ରୋଷପୂର୍ଣ୍ଣ ଚାହାଁଣୀ ରହିଛି ତାହାକୁ ପରିତ୍ୟାଗ କର"। ତେଣୁ କହିବାକୁ ଗଲେ ସାର୍ବଜନୀନ ଜୀବନରେ ହସର ଉପଯୋଗୀତାକୁ ସମର୍ଥନ କରୁଥିବା ଏବଂ ପାପବୋଧରହିତ ହସ-ଜୀବନରେ ମଣିଷର ପୂର୍ଣ୍ଣତଃ ଏବଂ ନ୍ୟାୟତଃ ଅଧିକାର ରହିଛି କହୁଥିବା ସନ୍ଥ ଫ୍ରାନସିସ୍ ହେଉଛନ୍ତି ସର୍ବ ପ୍ରଥମ ଖ୍ରୀଷ୍ଟୀୟ ସନ୍ଥ। ଏହି ସନ୍ଥଙ୍କର ଜୀବନକୁ ଆଧାର କରି ଏକ ସୁନ୍ଦର ଚରିତ ଉପନ୍ୟାସ ଲେଖିଛନ୍ତି,"ଜୋର୍ବା, ଦି ଗ୍ରୀକ୍" ର ପ୍ରଖ୍ୟାତ ଲେଖକ ନିକୋସ୍ କାଜାନଜାକିସ୍ ।

ହସରୁ ଆମର ଅଲିଖିତ ଆଉ ବିଶ୍ୱାସର ପାପବୋଧ ଅପସରି ଗଲା ପରେ ଆମକୁ ଆଗ କେତୋଟି ହସ କଥା କୁ ତୁରନ୍ତ ପଢିପକାଇବା ଆବଶ୍ୟକ। ଆପଣ ମାନେ ଜାଣନ୍ତି ହସକଥାର ପ୍ରାଥମିକ ଉପାଦାନ ହେଉଛି ଜଣେ ନିର୍ବୋଧ ଚରିତ୍ର। ବିନା ନିର୍ବୋଧ ଚରିତ୍ରରେ ସମସ୍ତ ହସ ଜଗତରେ ଯେମିତି ମରୁଡି ବ୍ୟାପିଯାଏ ।

ଆଜିର ଏଇ ଅସୁଖ କାଳରେ ଏଇଭଳି କିଛି ହସ କଥା ର ଉଲ୍ଲେଖ ଆମକୁ ସେତେ ଖରାପ ଲାଗିବ ନାହିଁ ।

ଥରେ ଜଣେ ନିର୍ବୋଧ,ଜଣେ ନାପିତ ଆଉ ଜଣେ ଚନ୍ଦାଲୋକ ଏକାଠି ଏକ ତୀର୍ଥାଟନରେ ବାହାରିଲେ। ବାଟରେ ଗୋଟିଏ ଚଟିଘରେ ସେମାନେ ରାତ୍ରୀଯାପନ କଲାବେଳେ ସେମାନଙ୍କର ମୁଣ୍ଡକୁ ଏଇ କଥାଟି ଆସିଥିଲା। ଯଦି ସେମାନେ ନିଦରେ ଶୋଇପଡନ୍ତି ତାହାହେଲେ ଆଉ ଯଦି କେଉଁଠୁ ଜଣେ ଚୋର ଆସି ସେମାନଙ୍କର ଟଙ୍କାପଇସା ଚୋରିକରିନିଏ ତେବେ ସେମାନେ ଭାରି ଅସୁବିଧାରେ ପଡିବେ। ତେଣୁ ସେମାନେ ପ୍ରତ୍ୟେକେ ଚାରି ଘଣ୍ଟା ହିସାବରେ ପାଳି କରି ଚେତା ରହି ପହରା ଦେବାକୁ ନିଜ ଭିତରେ ଠିକ୍ କଲେ। ପ୍ରଥମ ପାଳି ପଡିଲା ନାପିତର। ପାଳି ସମୟକୁ କଟାଇବା ପାଇଁ ସେ ନିଜର କ୍ଷୁରମୁଠି ଧରି ଶୋଇଥିବା ନିର୍ବୋଧକୁ ଲଣ୍ଡା କରିଦେଲା। ନାପିତର ପର ପାଳି ଥିଲା ନିର୍ବୋଧ ର। ସେ ଉଠିଲା ଆଉ ତାହାପରେ କହିଲା,ଏ ନାପିତଟା କେତେ ବୋକା ? ସେ ମୋତେ ଉଠେଇବାର କଥା,ହେଲେ ସେ ଭୁଲ୍ ରେ ଉଠେଇଛି ଚନ୍ଦା ଲୋକଟାକୁ। କି ବୋକା।

ଏଇ ହସ କଥାଟି ଯଦି ବିଫଳ ହେଲା, ତେବେ ଆଉ ଗୋଟିଏ ହସ କଥା କହୁଛି। ଥରେ ଜଣେ ଖରିଦଦାର ଜଣେ କ୍ରୀତଦାସ ବିକ୍ରେତାଙ୍କ ପାଖକୁ ଯାଇ ଅଭିଯୋଗ କଲା, ଆପଣଙ୍କ ଠାରୁ ଯେଉଁ କ୍ରୀତଦାସକୁ ଗତ ସପ୍ତାହରେ କିଣିଥିଲି ସେଇଟା ମରିଗଲା। ତାହାପରେ କ୍ରୀତଦାସ ବିକ୍ରେତା ଜଣକ କହିଲା, କୁଆଡେ ଗଲା ସେ ବଦମାସ୍? ମୋ ପାଖରେ ଥିଲାବେଳେ ତ ସେ ଏମିତି କାମ ଥରେ ବି କରିନି !

ଏଇ ଦୁଇଟି ହସ କଥା ରେ ହସ ର ପରିମାଣ କେତେ ଅଛି ତାହା ଯେଉଁ ଲୋକଜଣକ ଏହାପରେ ହସିଥାଏ କେବଳ ତାହାକୁ ଏକା ହିଁ ଗୋଚର। ସେହି ସବୁ ମନସ୍ତାତ୍ତ୍ବିକ ପ୍ରଶ୍ନକୁ ଏଡାଇ ଯାଏ ଏଇ ଦୁଇଟି ହସ କଥା କୁ ବିଚାର କଲେ ଆମକୁ ଲାଗିବ ଏଇ ଦୁଇଟି ହସ କଥା ଆମର ସେତେ ପୁରୁଣା ହସ କଥା ନୁହଁ। ଆପଣ ଜାଣନ୍ତି ମଣିଷର ପୋଷାକ ଖାଦ୍ୟ ଆଉ ଚଳଣି ଇତ୍ୟାଦିରେ ପରିବର୍ତ୍ତନ ହୋଇଆସୁଥିବା ଭଳି ଆମର ଭଲ ହସ କଥାର ମୂଳପିଣ୍ଡଟିମାନ ସମାନ ଥାଆନ୍ତି, କେବଳ ହସକଥାକୁ ସମସାମୟିକ କରିବା ପାଇଁ ସେଥିରେ କିଛି ଆନୁସଙ୍ଗିକ ପରିବର୍ତ୍ତନର ସଂଯୋଜନ କରାଯାଇଥାଏ ।

ଇତିହାସ ଭଳି ହସକଥା ବି ସବୁବେଳେ ସମସାମୟିକ ।

ଟିକିଏ ଆଗରୁ ଯେଉଁ ଦୁଇଟି ହସକଥାର ଉଲ୍ଲେଖ କରାଗଲା ତାହା ଯେଉଁ ପୁସ୍ତକରୁ ଗୃହିତ ହୋଇଛି ସେଥିରେ ଦୁଇଶହ ପଅଁଷଠି ଟି ଏଇଭଳି ଅତି ଛୋଟ ଛୋଟ ହସକଥା ରହିଛି । ସେହି ବିଶେଷ ବହିର ରଚନା କାଳ ହେଉଛି ଖ୍ରୀଷ୍ଟୀୟ ତୃତୀୟରୁ ଚତୁର୍ଥ ଶତାବ୍ଦୀ ।ଇତିହାସରେ ଗ୍ରୀକ୍ ମାନେ ସେମିତି ହାସ୍ୟମୁଖ ଜାତି ହିସାବରେ ସୁଖ୍ୟାତି ଅର୍ଜନ କରିନାନାହାଁନ୍ତି ସତ ମାତ୍ର ଦୁଇଜଣ ଗ୍ରୀକ୍ ହେଉଛନ୍ତି ଏହି ବହିର ସଂକଳକ।ଆମର ସବୁବେଳେ ଦୁର୍ଭାଗ୍ୟ ଯେ ଆମେ ହସବହିର ଲେଖକମାନଙ୍କୁ ସଂକଳକ ହିସାବରେ ଦେଖିବାରେ ଅଭ୍ୟସ୍ତ। ସେ ଦୁଇଜଣଙ୍କର ନାଆଁ ହେଉଛି ହାଇରୋକ୍ଲେସ୍ ଏବଂ ଫିଲାଗ୍ରିଓସ ।

ସେହି ବହିର ଶୀର୍ଷକକୁ ଆକ୍ଷରିକ ଅନୁବାଦ କଲେ ତାହା ହେବ "ହସ ପ୍ରେମୀ" । ଅସଲରେ ସେଇ ବହିଟି ପୃଥିବୀର ପ୍ରାଚୀନତମ ହସବହି ନୁହଁ,ମାତ୍ର ସଂପୂର୍ଣ୍ଣ ଅବିକୃତ ହିସାବରେ ଉପଲବ୍ଧ ହେଉଥିବା ଏହି ହସବହିଟି ହେଉଛି ସର୍ବପୂରାତନ।

ହସବହିଟିର ନାଆଁ ଫିଲାଗେଲସ୍।