ଫଟୋ: ୱିକିପିଡିଆ

ଭୋଜଭାଜି ବା ଇନ୍ଦ୍ରଜାଲ ବା ହାବୁ ବିଦ୍ୟା ବା ମ୍ୟାଜିକ୍ ଦେଖିବାକୁ କାହାକୁ ବା ଭଲଲାଗେନି ? ଆମେ ସ୍କୁଲରେ ପଢୁଥିବା ବେଳେ ଦୁଇ ପ୍ରକାରର ମ୍ୟାଜିକ୍ ଦେଖୁଥିଲୁ । ଗୋଟେ ହେଲା ଗାଁ ଦାଣ୍ଡରେ କେଳାର, ଅନ୍ୟଟି କେବେ କେବେ ସ୍କୁଲକୁ ଆସୁଥିବା ମ୍ୟାଜିସିଆନ୍ ମାନଙ୍କର । ଗାଁ ଦାଣ୍ଡରେ କେଳା ଆମ୍ବ ଟାକୁଆ ଲଗେଇ ଆମ୍ବ ଫଳାଉଥିଲା । କାହାର ଗୋଟେ ହାତ ମୁଦିକୁ ଆଉ କାହା ବାଡ଼ିର ଅମୃତଭଣ୍ଡା ଭିତରୁ ବାହାର କରୁଥିଲା । ସ୍କୁଲକୁ ଆସୁଥିବା ମ୍ୟାଜିସିଆନ୍ ବେଲୁନ୍ ଭିତରେ ଛୁଞ୍ଚି ଫୋଡୁଥିଲା, ଅନ୍ଧ ପୁଟୁଳି ବାନ୍ଧି ବ୍ଲାକବୋର୍ଡରେ ଅଧା ଚିତ୍ରକୁ ପୁରା କରୁଥିଲା । ବୋତଲ ଭିତରେ ପୁରେଇ ପାରୁଥିଲା ଅଣ୍ଡା ଆଉ ପାଟି ଭିତରୁ ବାହାର କରୁଥିଲା ଅସରନ୍ତି ରିବନ୍ । ଆମକୁ ସବୁଗୁଡା ଭଲଲାଗୁଥିଲା ଓ ଆମେ କିଛିଦିନ ଆମ ପ୍ରକାରେ ଅନେକ କୁହୁକ ମ୍ୟାଜିକ୍ ର ଖେଳ ଖେଳୁଥିଲୁ ।

ଭାରତରେ କୁହୁକ କିମିଆଁ ଖେଳର ଇତିହାସ ଖୁବ୍ ପ୍ରାଚୀନ । ପ୍ରାଚୀନ ଲୋକଗପ ଓ ସାହିତ୍ୟରେ ଯାଦୁକର ମାନଙ୍କର ବର୍ଣ୍ଣନା ରହିଛି । ଜଣାଯାଏ ୧୮୧୩ରେ ଜନୈକ ଇଂରେଜ ଜାହାଜର କ୍ୟାପଟେନ୍ କିଛି ଭାରତୀୟ ଯାଦୁକରଙ୍କୁ ୟୁରୋପ ନେଇଥିଲେ । ଭାରତର ପ୍ରମୁଖ ଯାଦୁକରମାନେ ମୁଖ୍ୟତଃ ପଶ୍ଚିମ ବଙ୍ଗଳା, କେରଳ, ଗୁଜୁରାଟ, କର୍ଣ୍ଣାଟକ, ମୁମ୍ବାଇ, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶରୁ ଆସିଛନ୍ତି । ଭାରତରେ ଏଇ ବର୍ଷପୁରୁଣା ହାବୁ ବିଦ୍ୟାକୁ ଆଧୁନିକ ଢଙ୍ଗରେ ଲୋକଙ୍କ ଆଗକୁ ପ୍ରଥମ କରି ଆଣିଥିଲେ ପ୍ରତୁଲ ଚନ୍ଦ୍ର ସରକାର, ସଂକ୍ଷିପ୍ତରେ ପି.ସି.ସରକାର ।

୯ ଏପ୍ରିଲ୍ ୧୯୫୬ର କଥା । ବି.ବି.ସି ନିଜ ପପୁଲାର ସିରିଜ୍ ‘ପାନୋରମା’ର କାର୍ଯ୍ୟକ୍ରମରେ ଟିକେ ଅଦଳାବଦଳି କରି ଜଣେ ଭାରତୀୟ ମ୍ୟାଜିସିଆନଙ୍କୁ ୧୫ ମିନିଟ୍ ସମୟ ଦେଇଥାଏ କୁହୁକ ଖେଳ ଦେଖାଇବା ପାଇଁ । ଭାରତର ପ୍ରସିଦ୍ଧ ‘ହିନ୍ଦୁ ବାସ୍କେଟ୍ ଟ୍ରିକ୍’ର ରୂପାନ୍ତରଣ ଥିଲା ଏଇଟି । ମଣିଷକୁ ମୃତ ଓ ଜୀବନ୍ତ କରିପାରୁଥିବା ମ୍ୟାଜିକ୍ ର ମାୟାରେ କିଏ ବା ନ ପଡିବ! ଲାଇଭ୍ ଟିଭିରେ ହଜାର ହଜାର ଦର୍ଶକ ମ୍ୟାଜିକ୍ ଦେଖିବାକୁ ଅପେକ୍ଷା କରିଥାଆନ୍ତି । ଦେଖାଗଲା; ମ୍ୟାଜିସିଆନ୍ ଙ୍କ ସହକାରୀ ଜଣକ ଶୋଇ ଯାଉଛନ୍ତି, ସହକାରୀଙ୍କ ଉପରେ ଗୋଲାକାରରେ ଘୁରୁଛି ଗୋଟେ ଝୁଲନ୍ତା କରତ, ମ୍ୟାଜିସିଆନ୍ ସହକାରୀଙ୍କୁ ସମ୍ମୋହନ କରୁଛନ୍ତି, ତାପରେ ମେସିନ୍ ଦ୍ୱାରା ପରିଚାଳିତ କରତଟି ଧୀରେ ଧୀରେ ତଳକୁ ଆସି ସହକାରୀଙ୍କର ଶରୀରକୁ ଖଣ୍ଡ ଖଣ୍ଡ କରିଚାଲିଛି । ଭୟ ଓ ଉଦବେଗରେ ଦର୍ଶକମାନେ ଅପେକ୍ଷା କରିଛନ୍ତି ଆଗକୁ କ’ଣ ହେବ ଦେଖିବାକୁ । ହଠାତ୍ କିନା ମେସିନ୍ ର ସୁଇଚ୍ ଅଫ୍ ହୋଇଗଲା, କରତ ଉଠିଗଲା ଉପରକୁ, ମ୍ୟାଜିସିଆନ୍ ସହକାରୀଙ୍କୁ ଡାକିଲେ, ଉଠାଇବାକୁ ଚେଷ୍ଟା କଲେ, କିନ୍ତୁ କିଛି ପ୍ରତ୍ୟୁତ୍ତର ମିଳିଲାନି.. । ଏମିତି ଏକ ପରିସ୍ଥିତି ଦେଖି ପ୍ରସାରଣ ଅଧିକାରୀ ଫ୍ରେଡରିକ୍ ରିଚାର୍ଡ ଡିମ୍ବଲେବି କ୍ୟାମେରା ସାମ୍ନାକୁ ଆସି କାର୍ଯ୍ୟକ୍ରମ ସରିଗଲା ବୋଲି ଘୋଷଣା କଲେ । ସଙ୍ଗେ ସଙ୍ଗେ ଷ୍ଟୁଡିଓର ଫୋନ୍ ଘନଘନ ବାଜି ଉଠିଲା । ଗୋଟିଏ ପରେ ଗୋଟିଏ ବ୍ୟଗ୍ର ଦର୍ଶକଙ୍କର ଫୋନ୍ । ଏଇ ମାତ୍ର ଲାଇଭ୍ ଟିଭିରେ ସାରା ଦେଶର ଲୋକେ ଗୋଟେ ତରୁଣୀର ମୃତ୍ୟୁ/ହତ୍ୟା ଦେଖିଥାଆନ୍ତି ଯେ । ଆତଙ୍କିତ ନହେବେ ବା କେମିତି ?

ସୋ ପରିଚାଳକଙ୍କର ଅଫିସିଆଲ୍ ମନ୍ତବ୍ୟ ଥିଲା ଯେ, ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇଯାଇଥିଲା । ମ୍ୟାଜିସିଆନ୍ ଙ୍କୁ ଦିଆଯାଇଥିବା ସମୟ ସରିଯାଇଥିଲା । କିନ୍ତୁ ଯେଉଁମାନେ ଏ ଚମତ୍କାର ମ୍ୟାଜିସିଆନ୍ ଙ୍କୁ ଚିହ୍ନିଥିଲେ ସେମାନେ ଜାଣିଥିଲେ ଯେ, ଏହା ସେଇ କୁହୁକ ବ୍ୟକ୍ତିତ୍ୱଙ୍କ ହାତସଫେଇର ପରାକାଷ୍ଠା । ସବୁ କିଛି ଯୋଜନାବଦ୍ଧ । ଯେଉଁ ଖେଳରେ ସମୟ ହିଁ ନିୟମ ଆଉ ଯେଉଁ ମଣିଷ ସମୟକୁ ବି ନିୟନ୍ତ୍ରଣ କରେ ସେ କେବେ ଖାଲି ଖାଲି ଭୁଲ୍ ବଶତଃ ସମୟ ସାରେନି । ସମୟକୁ ସରିଯିବାକୁ ଦେବା ବି ତାଙ୍କ ଲାଗି ସମୟ, ସମୟକୁ ଅଟକାଇ ରଖିବା ବି ତାଙ୍କ ପାଇଁ ସମୟ ।

ପରଦିନ ସମଗ୍ର ବ୍ରିଟେନ୍ ର ସବୁ ଗଣମାଧ୍ୟମର ହେଡଲାଇନ୍ ବିଗତ ରାତିରେ ଘଟିଥିବା ଅଭାବନୀୟ ଘଟଣା ଓ ଏଇ ମାତ୍ର କେଇ ଘଣ୍ଟା ତଳେ ଲାଇଭ୍ ଟିଭି ରେ ବିଶ୍ୱ ସାମ୍ନାରେ ଘଟିଥିବା ନିରୀହ ଝିଅର ହତ୍ୟା ବିଷୟକୁ ନେଇ ସରଗରମ ହୋଇଗଲେ । ଏସବୁ ଦେଖି ଅଫିସିଆଲି ସମସ୍ତଙ୍କୁ ଜଣାଇବାକୁ ହେଲା ଯେ, ସହାୟିକା ଜଣଙ୍କ (୧୭ ବର୍ଷିୟା ଦୀପ୍ତି ରାୟ) ମରି ନାହାଁନ୍ତି ବଞ୍ଚିଛନ୍ତି ଓ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ଅଛନ୍ତି । ଏଇ ଘଟଣା ପରେ ପରେ ମ୍ୟାଜିସିଆନ୍ ଜଣଙ୍କର ଲୋକପ୍ରିୟତା ରାତାରାତି ଆକାଶ ଛୁଇଁଗଲା । ସେଇ ଧୁରନ୍ଧର ଜଣକ ଥିଲେ କୁହୁକ ଜଗତର ମହାରାଜା, ପ୍ରସିଦ୍ଧ ଓ ଲୋକପ୍ରିୟ ଯାଦୁକର ପି.ସି. ସରକାର । ଫାଦର ଅଫ୍ ମଡର୍ଣ୍ଣ ଇଣ୍ଡିଆନ୍ ମ୍ୟାଜିକ୍ ଭାବରେ ମଧ୍ୟ ସେ ଜଣାଶୁଣା ।

ପ୍ରତୁଲ ଚନ୍ଦ୍ର ସରକାର ୨୩ ଫେବୃୟାରୀ ୧୯୧୩ ରେ ବ୍ରିଟିଶ୍ ଇଣ୍ଡିଆର ମୟମନସିଂ ସ୍ଥିତ ଗୋଟେ ଛୋଟିଆ ଗାଁ ଟାଙ୍ଗେଲ୍ (ଏବେ ବାଂଲାଦେଶ ଅନ୍ତର୍ଗତ) ରେ ଜନ୍ମ ହୋଇଥିଲେ । ଖୁବ୍ କମ୍ ବୟସରୁ ସେ ସର୍କସ, ଥିଏଟର୍ ଆଦିରେ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ପରେ ଘଟଣାକ୍ରମରେ ମଡର୍ଣ୍ଣ ମ୍ୟାଜିକ୍ ର ପାୟୋନିୟର ଗଣପତି ଚକ୍ରବର୍ତ୍ତୀଙ୍କ ପାଖରେ ମ୍ୟାଜିକ୍ ଶିଖିବାର ସୁଯୋଗ ତାଙ୍କୁ ମିଳିଥିଲା ।

୧୯୩୦ ବେଳକୁ ପି.ସି. ସରକାର ଭାରତରେ ପ୍ରସିଦ୍ଧ ଓ ଲୋକପ୍ରିୟ ତ ହୋଇସାରିଥିଲେ, କିନ୍ତୁ ୧୯୫୦-୬୦ ଦଶକ ବେଳକୁ ସେ ଆନ୍ତର୍ଜାତୀୟ ସ୍ତରରେ ଅପରାଜୟ ହୋଇ ଛିଡ଼ା ହୋଇଥିଲେ । ସେ ଏମିତି ଏକ ସମୟରେ ଲଣ୍ଡନ ଓ ଜାପାନରେ ନିଜ ପତିଆରା ଦେଖାଇବା ଆରମ୍ଭ କରିଥିଲେ, ଯେତେବେଳେ ଭାରତ ଉପନିବେଶବାଦରୁ ମୁକ୍ତି ପାଇ ଧୀରେ ଧୀରେ ନିଜ ଗୋଡ଼ରେ ଚାଲିବା ଆରମ୍ଭ କରୁଥିଲା । ବିଦେଶରେ ସେତେବେଳେ ଭାରତୀୟମାନଙ୍କର ପରିଚୟ ଥିଲା ସାପୁଆକେଳା, ଗରିବ, ଭିକାରୀ, ଅଧାପାଠୁଆ, ଆଧାଲଙ୍ଗଳା ମଣିଷ ହିସାବରେ । କିନ୍ତୁ ଏଇ ବିଚକ୍ଷଣ ମ୍ୟାଜିସିଆନ୍ ଜଣକ ନିଜକୁ ଏମିତି ପ୍ରଦର୍ଶିତ କରିଥିଲେ ଯେ, ବିଦେଶୀମାନଙ୍କର ଭାରତୀୟମାନଙ୍କ ପ୍ରତି ଥିବା ଏଇ ଧାରଣା ସବୁ ଧୂଳିସାତ୍ ହୋଇଯାଇଥିଲା । ପି.ସି. ସରକାରଙ୍କର ପୋଷାକରେ ଗରିବି ନଥିଲା କି ନଥିଲା ତାଙ୍କର କଥାକୁହାରେ, ନଥିଲା ବି ତାଙ୍କ ପାରଦର୍ଶିତା ଓ ପ୍ରଦର୍ଶନରେ । ମଞ୍ଚ ଉପରେ ସେ ନିଜକୁ ଏମିତି ପେଶ୍ କରୁଥିଲେ ଯେ, ଦର୍ଶକଙ୍କୁ ମନେ ହେଉଥିଲା ସିଧାସଳଖ ରାଜପ୍ରାସାଦରୁ କେହି ଜଣେ ଭାରତୀୟ ରାଜା ମହାରାଜା ଅବା କୌଣସି ଆରବ୍ୟ ରଜନୀର ଛାତି ଚିରି ଓହ୍ଲେଇ ଆସୁଛି ଅଦ୍ଭୁତ ଯାଦୁକରଟିଏ । ସୁଦ୍ଧ ଓ ସ୍ପଷ୍ଟ ଭାରତୀୟ ଉଚ୍ଚାରଣରେ ସେ କହୁଥିଲେ ଇଂରାଜୀ । କିନ୍ତୁ ତାଙ୍କ ସ୍ୱରରେ ଭରି ରହୁଥିଲା ନିଜ ଦର୍ଶକମାନଙ୍କୁ ଏକ ଅଦ୍ଭୁତ କୁହୁକ ଦୁନିଆକୁ ନେଇଯିବାର ଆମନ୍ତ୍ରଣ । କୁହୁକ ନଗରୀର ଆମନ୍ତ୍ରଣକୁ କିଏ ବା ଏଡେ଼ଇ ପାରେ ?

ତାଙ୍କର ‘ଇନ୍ଦ୍ରଜାଲ’ ବା ‘ଦ ମ୍ୟାଜିକ୍ ଅଫ୍ ଇଣ୍ଡିଆ’ ସୋ ରେ ସେ ଭାରତୀୟ କଳା କୌଶଳରେ ବାନ୍ଧି ରଖୁଥିଲେ ଦର୍ଶକଙ୍କୁ । ବାକ୍କେଟ୍ ଟ୍ରିକ୍ ରେ ଟିକେ ପରିବର୍ତ୍ତନ କରି ସେ କରୁଥିବା ‘ବନାରସର ମନ୍ଦିର’, ‘ଭାରତର ପାଣି’, ‘ଭାସମାନ ନାରୀ’, ‘ଏକ୍ସରେ ଦୃଷ୍ଟି’ ଆଦି ମ୍ୟାଜିକ୍ ଖୁବ୍ ଲୋକପ୍ରିୟ ଥିଲା ।

ଭାରତର ସାଂସ୍କୃତିକ ଦୂତ ଭାବରେ ପି.ସି. ସରକାର ସାରା ବିଶ୍ୱ ଭ୍ରମଣ କରିଛନ୍ତି । ଯାଇଛନ୍ତି ଆମେରିକା, ଚିନ୍, ଅଷ୍ଟ୍ରେଲିଆ, ଜାପାନ, ରୁଷିଆ, କାହିଁରେ କେତେ ଦେଶ । ସବୁଠି ଭେଟିଛନ୍ତି ଅଡିଟୋରିଅମ୍ ଓ ପ୍ରେକ୍ଷାଳୟ ଭର୍ତ୍ତି ଦର୍ଶକଙ୍କୁ । ବିଶ୍ୱଯୁଦ୍ଧ ସମୟରେ ସେ ଆମେରିକୀୟ ସୈନ୍ୟମାନଙ୍କ ପାଇଁ ମ୍ୟାଜିକ୍ କରୁଥିଲେ ଓ ମ୍ୟାଜିକ୍ ମେଗାଜିନ୍ ମାନଙ୍କରେ ବିସ୍ତୃତ ସ୍ତମ୍ଭମାନ ମଧ୍ୟ ଲେଖୁଥିଲେ । ୧୯୩୨ରେ ଜାପାନରେ ହୋଇଥିବା ତାଙ୍କ ପ୍ରଥମ ସୋ’ର ଆୟୋଜନ କରିଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ନେତାଜୀ ସେତେବେଳେ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ସେଠାରେ ପାଣ୍ଠି ସଂଗ୍ରହରେ ଲାଗିଥିଲେ । ସେଠାରେ ବି ତାଙ୍କ ସୋ ହିଟ୍ ହୋଇଥିଲା । ୧୯୫୦ରେ ଚିକାଗୋରେ ଇଣ୍ଟରନ୍ୟାସନାଲ୍ ବ୍ରଦରହୁଡ୍ ଅଫ୍ ମ୍ୟାଜିସିଆନ୍ ଓ ଦ ସୋସାଇଟି ଅଫ୍ ଆମେରିକାନ୍ ମ୍ୟାଜିସିଆନ୍ କନଭେନସନ୍ ରେ ମଧ୍ୟ ପ୍ରଦର୍ଶନ କରିଥିଲେ ପି.ସି. ସରକାର ।

ଲୋକପ୍ରିୟତା ସହ ସେ ଗୋଟେଇଛନ୍ତି ଅନେକ ପୁରସ୍କାର । ତାଙ୍କୁ ଦୁଇ ଦୁଇଥର ମ୍ୟାଜିକ୍ କ୍ଷେତ୍ରରେ ନୋବେଲ୍ ପୁରସ୍କାର ବୋଲି କୁହାଯାଉଥିବା ସ୍ପିନକ୍ସ ଆୱାର୍ଡ ମିଳିଥିଲା; ଥରେ ୧୯୪୬ ଓ ଆଉ ଥରେ ୧୯୫୪ରେ । ୧୯୬୪ରେ ଭାରତ ସରକାରଙ୍କ ପଦ୍ମଶ୍ରୀ ମଧ୍ୟ ପାଇଥିଲେ ସେ । କଲିକତାରେ ‘ଯାଦୁସମ୍ରାଟ ପି.ସି. ସରକାର ସରଣୀ’ ନାମରେ ସଡ଼କଟିଏ ଅଛି । ୨୦୧୦ରେ ଇଣ୍ଡିଆନ୍ ପୋଷ୍ଟ ତାଙ୍କ ସମ୍ମାନରେ ଗୋଟିଏ ୫ ଟଙ୍କିଆ ଷ୍ଟାମ୍ପ ମଧ୍ୟ ଜାରି କରିଥିଲା ।

ଏତେ ଭଲ ଯାଦୁକରଙ୍କର କେହି ପ୍ରତିଦ୍ୱନ୍ଦୀ ନଥିଲେ ବା ସେ କେବେ ଅସୁବିଧାରେ ପଡିନଥିଲେ ବୋଲି ଭାବିବା ଭୁଲ୍ ହେବ । ୧୯୪୫ରେ ହିଟଲର୍ ଙ୍କର ପ୍ରିୟ ମ୍ୟାଜିସିଆନ୍ ହଲମଟ୍ ଏୱାଲ୍ଡ ସ୍କ୍ରାଇବର୍ ପି.ସି.ସରକାର ତାଙ୍କ କୌଶଳ ଚୋରାଇଛନ୍ତି ବୋଲି ଦୋଷାରୋପ କରିଥିଲେ । କିନ୍ତୁ ତାଙ୍କ ଦୋଷାରୋପର ଫଳ ଓଲଟା ଫଳିଲା । ଅନେକ ମ୍ୟାଜିସିଆନ୍ ପି.ସି. ସରକାରଙ୍କ ସପକ୍ଷରେ ରାଲି କଲେ ଓ ସ୍କ୍ରାଇବର୍ ନିଜର ମଞ୍ଚପରିଚୟର ନାମ ‘କଳାନାଗ’ ବି ଭାରତରୁ ଚୋରି କରିଛନ୍ତି ବୋଲି ମନେ ପକାଇଦେଲେ । ସ୍କ୍ରାଇବର୍ ‘କଳାନାଗ’ ନାଁ ରେ ନିଜକୁ ପରିଚିତ କରେଇଥିଲେ ମ୍ୟାଜିକ୍ ଜଗତରେ । ଏତଦ୍ ବ୍ୟତୀତ ନିଜ ଜାତୀୟତାକୁ ଲୁଚେଇବାକୁ ଚେଷ୍ଟା କରିବା ସହ ଯେଉଁ କୌଶଳ ପି.ସି.ସରକାର ଚୋରେଇବା କଥା ସ୍କ୍ରାଇବର୍ କହୁଛନ୍ତି ସେସବୁ ଭାରତୀୟ ମ୍ୟାଜିକ୍ କୌଶଳ ଓ ସେ ନିଜେ ହିଁ ସେସବୁ ଚୋରି କରିଛନ୍ତି ବୋଲି ଦର୍ଶେଇଦେଲେ ସମର୍ଥକମାନେ । ସବୁ ଏକଛତ୍ରବାଦୀ ଶାସକଙ୍କ ପାଖଲୋକମାନଙ୍କର ଅଖଣ୍ଡ ବିଶ୍ୱାସ ଯେ, ସେମାନେ ଏମିତି କିଛି ବି କହିଦେଇ ପାରେଇ ଯାଇପାରିବେ । କିନ୍ତୁ ସେମିତି କ’ଣ ହୁଏ?

୧୯୭୦ ବେଳକୁ ପି.ସି ସରକାରଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟିବା ଆରମ୍ଭ ହୋଇଥିଲା । ତଥାପି ୧୯୭୧ରେ ସେ ଡାକ୍ତରମାନଙ୍କ କଥା ନମାନି ‘ଇନ୍ଦ୍ରଜାଲ’ ସୋ ପ୍ରଦର୍ଶନ କରିବା ପାଇଁ ଜାପାନ ଚାଲିଗଲେ । ପ୍ରଦର୍ଶନ ସାରି ଆସାହିକୱା, ହୋକ୍କାଇଡୋ ମଞ୍ଚରୁ ଓହ୍ଲେଇବା ବେଳେ ୬ ଜାନୁୟାରୀ ୧୯୭୧ରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରେ ପରେ ତାଙ୍କ ପୁଅ ପି. ସି ସରକାର ଜୁନିୟର ଓ ପି.ସି ସରକାର ୟଙ୍ଗ୍ ତାଙ୍କ କାର୍ଯ୍ୟକୁ ଆଗକୁ ନେଉଛନ୍ତି । ଏବେ ଏବେ ତାଙ୍କ ନାତିମାନେ ବି ସାମିଲ୍ ହେଲେଣି। ତାଙ୍କର ବଡପୁଅ ମାନିକ୍ ସରକାର ମଧ୍ୟ ଗୋଟେ ପରିଚିତ ନାମ । ୩ ପୁଅ, ଦୁଇ ଝିଅ ଇଲା ଓ ଗୀତା, ପତ୍ନୀ ବାସନ୍ତି ଦେବୀଙ୍କୁ ନେଇ ତାଙ୍କର ପରିବାର ।

ଭାରତୀୟ କୁହୁକ ବିଦ୍ୟାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ସତ୍ତ୍ୱେ, ଜଣେ ସଫଳ ଓ ପ୍ରସିଦ୍ଧ ମଣିଷ ହୋଇଥିବା ସତ୍ତ୍ୱେ ବି ତାଙ୍କୁ ସବୁବେଳେ ଜଣେ ବାହାରର ମଣିଷ ହିସାବରେ ଦେଖାଯାଇଛି ଭାରତରେ । ଚଳିତ ବର୍ଷ ତାଙ୍କର ୫୦ତମ ମୃତ୍ୟୁ ବାର୍ଷିକି ଉପଲକ୍ଷେ ତାଙ୍କର ବଡ଼ ପୁଅ ଭାରତ ବଂଶୋଦ୍ଭବ ଆମେରିକୀୟ ଶିଳ୍ପୀ ଆନିମେଟର ଓ ଲେଜର୍ ଆର୍ଟିଷ୍ଟ ମାନିକ ସରକାର ଲେଖିଛନ୍ତି ଯେ, ତାଙ୍କ ବାପାଙ୍କ ବ୍ୟକ୍ତିତ୍ୱର ଦୁଇଟି ଦିଗ ଥିଲା । “ଘର ଭିତରେ ସେ ଜଣେ ସାଦାସିଧା ମଣିଷ ଥିଲେ । ନିଜ ପରିବାରର ଯତ୍ନନେଉଥିଲେ; ବିଶେଷ କରି ମୋର ଓ ମୋର ୪ ଭାଇ ଭଉଣୀଙ୍କର । ଆମ ସହ ସେ ଖେଳୁଥିଲେ, ହସୁଥିଲେ, ମଜା କରୁଥିଲେ ସତ, କିନ୍ତୁ ଜଣେ କଠୋର ବାପା ବି ଥିଲେ, ଯିଏ ଆମ ପଢାପଢି ଓ ସ୍କୁଲ୍ ପାଠକୁ ନେଇ ବେଶ୍ ତାଗିଦ ବି କରୁଥିଲେ । ଏହା ବ୍ୟତୀତ ସେ ଥିଲେ ଦ ଗ୍ରେଟ୍ ପି.ସି ସରକାର, ଯାହାଙ୍କୁ ସାରା ବିଶ୍ୱ ଜଣେ ଯାଦୁକର ଭାବେ ଜାଣେ । ମଞ୍ଚ ଉପରେ ସେ ତାଙ୍କ ଚିରାଚରିତ ପୋଷାକ, ଉଜ୍ଜ୍ୱଳ ସେରୱାନୀ, ଅଳଙ୍କାର, ଲକେଟ୍, ଚମକଦାର କାନଫୁଲ, ପଗଡି, ରତ୍ନ ଆଦି ପିନ୍ଧି ମ୍ୟାଜିକ୍ ର ମହାରାଜା ଭାବରେ ନିଜର ମ୍ୟାଜିକ୍, ବିଶାଳ ମଞ୍ଚ, ପଣ ପଣ ସହାୟକ, ସଂଗୀତଜ୍ଞଙ୍କ ଭିତରେ ମଜ୍ଜି ରହି ସାରା ବିଶ୍ୱକୁ ସମ୍ମୋହିତ କରି ରଖୁଥିଲେ ।”

୨୦୧୮ରେ ପ୍ରକାଶିତ ହୋଇଥିବା ‘ଦ ମହାରାଜା ଅଫ୍ ମ୍ୟାଜିକ୍’ ପୁସ୍ତକର ରଚୟିତା ଓ ପି.ସି ସରକାରଙ୍କ ପୁଅ ଜୁନିଅର୍ ପି.ସି ସରକାର ସାରା ବିଶ୍ୱରେ କେମିତି ତାଙ୍କ ବାପାଙ୍କ ମ୍ୟାଜିକ୍ ଲିଗାସିର ପ୍ରଭାବ ରହିଛି ସେ ବିଷୟରେ ଲେଖିଛନ୍ତି । ସେ ଲେଖିଛନ୍ତି, “ଜାପାନରୁ ଯେତେବେଳେ ବାପାଙ୍କର ମରଶରୀର ଆସିଲା, ସେତେବେଳେ ରାତିରେ ବି ଲୋକେ ଆମ ଘର ଆଗରେ ରୁଣ୍ଡ ହୋଇଥାଆନ୍ତି ବାପା ଜୀବନ୍ତ ଫେରିଆସିବେ ବୋଲି ଦେଖିବାକୁ । ସେମାନଙ୍କୁ ଲାଗୁଥାଏ, ସବୁଥର ମ୍ୟାଜିକ୍ କଲାବେଳେ ଅଦୃଶ୍ୟ ହୋଇ “ମୁଁ ଏଇଠି ଅଛି” କହି ବାପା ଯେମିତି ପୁଣି ଉଭା ହୋଇଯାଆନ୍ତି ସାମ୍ନାରେ, ଏଥର ବି ସେମିତି ଫେରିଆସିବେ ।”

ମ୍ୟାଜିକ୍ ବି ସେମିତି ଚିଜଟାଏ । ହୋଇପାରୁନଥିବା କଥାଟି ବି ହୋଇପାରିବ ବୋଲି ପ୍ରତ୍ୟୟ ଦିଏ, ଅସମ୍ଭବ ଚିଜଟି ବି ସମ୍ଭବ ବୋଲି ମନେହୁଏ । ପିଲାବେଳେ ମ୍ୟାଜିକ୍ କରି ଖେଳନା ମିଳିଯିବ ବୋଲି, ପରୀକ୍ଷାରେ ଭଲ ମାର୍କ ରହିଯିବ ବୋଲି, ମୋର ଦି ଟା ଡେଣା ଲାଗିଯିବ ଆଉ ମୁଁ ଉଡିପାରିବି ବୋଲି ମୁଁ ସତରେ ବିଶ୍ୱାସ କରୁଥିଲି । ସତସତିକା ଲାଗୁଥିଲା କୁହୁକ ଦୁନିଆଁ । ହାତପାହାନ୍ତାର ନହେଲେ ବି ଅପହଞ୍ଚ ଲାଗୁନଥିଲା । ଏବେକାର ସମୟ ହୋଇଥିଲେ କିଏ ଜଣେ ମ୍ୟାଜିକ୍ କରି ବିଶ୍ୱରୁ କରୋନାକୁ ଉଭାନ୍ କରିଦିଅନ୍ତା ବୋଲି ଇଚ୍ଛା କରିଥାଆନ୍ତି ।