୨, ମାର୍ଚ୍ଚ, ୨୦୨୦। ଦିନ ୧୨ଟା। ଏଇ ସମୟ ଗହଳି ଓ କୋଳାହଳର ସମୟ। କାମ ଓ ଫୁରସତ ନଥିବାର ସମୟ। ଅଥଚ ଆଜି ସବିକିଛି ଚୁପଚାପ, ନୀରବ। ଯେମିତି କେହି ନାହାନ୍ତି ଏତେ ବଡ ଗୋଟେ ସହରରେ। ଗୋଟେ ମଲା ଅଜଗରର ପିଠି ପରି ଶୂନଶାନ ରାସ୍ତା। କେହି କୁଆଡେ ନାହାନ୍ତି। କେବଳ ଭୟ ଓ ନୀରବତାର ରାଜୁତି ଆଜିର ସହରରେ। ତେବେ ଏ ଭୟ ଓ ନୀରବତା କେବଳ ଭୁବନେଶ୍ୱର ନୁହଁ, ସାରା ପୃଥିବୀର। ଆଜି ପୂରା ପୃଥିବୀ ଭୟଙ୍କର ଭାବରେ ନୀରବ। ମୁଁ ଯେଉଁ ପୃଥିବୀକୁ ଦେଖିଛି, ସେ ପୃଥିବୀ ଯେମିତି ହଠାତ ବଦଳି ଯାଇଛି। ପୃଥିବୀର ସବୁ ସହର ଆଜି ଗୋଟେ ଅଦୃଶ୍ୟ ଭୂତାଣୁର ଭୟକୁ ନେଇ ଥରହର। ଇଟାଲୀ, ଆମେରିକା, ଫ୍ରାନ୍ସ, ଲଣ୍ଡନ, ଜର୍ମାନୀ, ଏମିତି ଦୁଇ ଶହ ଦେଶ। ସବୁଠି ଗୋଟେ ଭୂତାଣୁ-କରୋନା-କୋଭିଡ-୧୯। ମାତ୍ର ଅଢେଇ ମାସ ତଳେ ଚୀନରୁ ଆରମ୍ଭ ହୋଇ ସାରା ପୃଥିବୀର ପଚାଶ ହଜାର ଲୋକଙ୍କୁ ମାରି ସାରିଥିବା ଏ ଭୂତାଣୁ ଆଜି କେତେ ହଜାର ମାଇଲ ଅତିକ୍ରମ କରି ପହଞ୍ଚିଛି ମୋର ଦେଶରେ। ମୋର ରାଜ୍ୟରେ ।

ଆଜି ଜନତା କର୍ଫ୍ୟୁ।ଗୋଟେ ଅଜଣା ଭୟରେ ନିଜେ ନିଜକୁ ବନ୍ଦୀ କରି ରଖିଛନ୍ତି ସଭିଏଁ। ଏତେ ନୀରବତା ଜୀବନର ମେରୁଦଣ୍ଡକୁ ଶିଥିଳ କରିଦେଉଛି। ହେଲେ ଏ ନୀରବତା ଲାଗି, କେତେ ଝୁରି ହେଇଛୁ ଆମେ। ଜୀବନ ଗୋଟେ ଦୁଃସହ କୋଳାହଳ ବୋଲି ଆମେ ବାରମ୍ବାର ନୀରବତାକୁ ଖୋଜିଛୁ। ଆଜି ସବୁକିଛି ନୀରବ, ହେଲେ ଏ ନୀରବତାରେ ଜୀବନ କାହିଁ।

ଅପରାହ୍ନ ୫.୦୫ ମିନିଟ। ହଠାତ ନୀରବତାର ଛାତି ଚିରି ଶହ ଶହ କୁକୁର ଭୁକି ଉଠିବାର ବିକଳ ଅନୁଭବ। କି କୋଳାହଳ ଇଏ। ଥାଳି, ଗିନା, ଶଙ୍ଖ, ଘଣ୍ଟ।ର ଧ୍ବନୀ ସହିତ ବାଣ ଫୁଟା ଓ କୁକୁରମାନଙ୍କର ସମବେତ ଭୁକିଉଠିବା। ଏ କେଉଁ ଅଦେଖା ବିପଦର ସଙ୍କେତ କେଜାଣି। ଏମିତି ଦେଖିଲେ, ଏ କୋଳାହଳ ରାଜନୀତି ଦ୍ଵାରା ପ୍ରାୟୋଜିତ ଏକ କୋଳାହଳ। କରୋନା ଭୂତାଣୁକୁ ଅଟକାଇବା ଲାଗି ଓ କରୋନା ଯୋଦ୍ଧାଙ୍କ ସମ୍ମାନ ଲାଗି ଅପରାହ୍ନ ୫.୦୫ଘଣ୍ଟାରେ ପାଞ୍ଚ ମିନିଟ ଲାଗି ଏମିତି ଏକ କୋଳାହଳ ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ଵାନ ଦେଇଥିଲେ। ଏହି ଅପଶକୁନର କୋଳାହଳ ସେ ଆହ୍ୱାନର ପରିଣତି।

ଏହି କୋଳାହଳ ଭିତରେ ମୋର କାଇଁ ହଠାତ ମାନେ ପଡିଲା- ଜଗନ୍ନାଥ ପ୍ରସାଦ ଦାସଙ୍କ ପ୍ରସିଦ୍ଧ ଉପନ୍ୟାସ “ଦେଶ-କାଳ-ପାତ୍ର” ର ପ୍ରଥମ ଅଧ୍ୟାୟ। ଉପନ୍ୟାସର ପ୍ରଥମ ବାକ୍ୟଟି ଥିଲା- “ବିଲୁଆମାନେ ହଠାତ ଏକସ୍ଵରରେ ଭୁକିବା ଆରମ୍ଭ କରିଦେଲେ, ସତେ ଯେମିତି ସେମାନେ ପୁରୀ ସହରକୁ ଦଖଲ କରିବାକୁ ବଦ୍ଧ ପରିକର।‘’ ଆଜି ର ସମବେତ କୁକୁର ଭୁକିବାର ଶବ୍ଦ ସେମିତି ହିଁ ଲାଗୁଛି। ଯେମିତି, ଏହି କୁକୁରମାନେ ପୂରା ଦେଶକୁ ହଠାତ ଦଖଲ କରିନେବେ!! ଦେଶ ନୁହଁ ତ, ବୋଧେ ପୂରା ପୃଥିବୀ!!