୫, ଜୁନ,୨୦୨୦ । ପ୍ୟାକେଜ ପରେ ପ୍ୟାକେଜ ର ଘୋଷଣା, ହେଲେ ସାଧାରଣ ଜନତାର ପେଟ ଖାଲି, ପକେଟ ବି ଖାଲି!!

ଆମେ ଯାହା କିଛି କରୁଛୁ ଆପଣମାନଙ୍କ ଜୀବନ ରକ୍ଷା ପାଇଁ କରୁଛୁ, ତେଣୁ ଆପଣମାନେ ଆମ କଥା ମାନିବାକୁ ବାଧ୍ୟ- ଏମିତି ଏକ ଧାରଣା ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ତରରେ ଦେଖିବାକୁ ମିଳୁଛି। ସରକାର ଭାବୁଛନ୍ତି, ଜୀବନ ବଞ୍ଚାଇବାକୁ ଯାଇ ଯାହା କିଛି କାଲେ ମଧ୍ୟ ଲୋକେ ଚୁପ ରହିବେ। କିଛିକାଂଶରେ ତାହା ସତ୍ୟ ମଧ୍ୟ। କରୋନାଜନିତ ମୃତ୍ୟୁ ଭୟ ଆମ ଲୋକଙ୍କୁ ଅଧିକ ଭୟାଳୁ କରି ଦେଇଛି। ଆମେରିକା, ଇଟାଲୀ, ଫ୍ରାନ୍ସ,, ବ୍ରାଜିଲ , ଇଂଲଣ୍ଡ ଭଳି ଦେଶରେ ମରିଥିବା ଲୋକମାନଙ୍କ ସଂଖ୍ୟା ଦେଖିଲେ ଏ ଭୟ ସ୍ଵାଭାବିକ। ତେବେ ଜୀବିକା ବଦଳରେ ଜୀବନ ବଞ୍ଚାଇବାରେ ଆମେ ସତରେ ସଫଳ ହୋଇଛୁ କି? ଶେଷତମ ତଥ୍ୟ ଅନୁଯାୟୀ ଇରାନ ପରେ ଭାରତରେ ଏସିଆ ମହାଦେଶର ର ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି। ପାଖାପାଖି ୬୫୦୦ କରୋନା ଆକ୍ରାନ୍ତ ଭାରତୀୟ ଇତି ମଧ୍ୟରେ ମୃତ୍ୟୁ ବରଣ କଲେଣି। ଆମେ ହୁଏତ ଗୋଟେ ଆନୁମାନିକ ସଂଖ୍ୟା ଦେଖାଇ ଖୁସି ହେଉଛୁ। ଆମକୁ କୁହା ଯାଉଛି ଯେ ସରକାର ଯଦି କଡା ପଦକ୍ଷେପ ନେଇ ନଥାନ୍ତେ ତାହେଲେ ଏହି ସଂଖ୍ୟା ଲକ୍ଷ ଟପିଥାନ୍ତା!! ତେବେ ୬୫୦୦ ମୃତ୍ୟୁ ଏକ ଛୋଟ ସଂଖ୍ୟା କି? ଆଗକୁ ଏହି ସଂଖ୍ୟା ଯେ କେତେ ଅଧିକ ହେବ, ତାର ହିସାବ ଏବଠୁ କରିବା ସମ୍ଭବ ନୁହେଁ। ଆପାତତଃ ବର୍ତ୍ତମାନ ସମୟରେ ୨୦୦-୨୫୦ ଲୋକ ରୋଜ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ତେଣୁ ଲୋକଙ୍କୁ ବଞ୍ଚାଇବାରେ ଆମେ ଯେ ସଫଳ ହୋଇନାହୁଁ, ଏକଥା ମାନିବାରେ ଅସୁବିଧା ଅଛି କି?

କରୋନା ସଂକ୍ରମଣ କୁ ଆମେ ଅଟକ ରଖିଛୁ ସିନା, ଏହାକୁ ତଡିବାରେ ଆମେ ସଫଳ ହୋଇନାହୁଁ। ସବୁଠୁ କଠୋର ତାଲାବନ୍ଦ ସତ୍ତ୍ୱେ ପ୍ରତିଦିନ ଦେଶରେ ୯-୧୦ ହଜାର ଆକ୍ରାନ୍ତ ବଢୁଛନ୍ତି। ଦେଶରେ ହାରାହାରି ଲକ୍ଷେ ଲୋକଙ୍କର ପରୀକ୍ଷା ଆମେ କରୁଛେ। ୧୩୦ କୋଟି ଲୋକଙ୍କ ଲାଗି ଏହା ଯଥେଷ୍ଟ କି? ଆଗକୁ ସଂକ୍ରମଣ ବଢିଲା ପରେ ହୁଏତ ଆମ ଉପରେ ପରୀକ୍ଷା ଓ ଚିକତ୍ସାର ପ୍ରବଳ ଚାପ ଫଡିବ। ଏ ଚାପ କେବଳ ପ୍ରଶାସନିକ ନୁହେଁ। ଆଗକୁ ଦେଶ ଉପରେ ସବୁଠୁ ଅଧିକ ଅର୍ଥନୈତିକ ଚାପ ପଡିବାକୁ ଯାଉଛି। କେବଳ କରୋନା ପରୀକ୍ଷା ଲାଗି ଦୈନିକ ଆମକୁ ୧୦୦ କୋଟି ଟଙ୍କାର ଆବଶ୍ୟକତା ପଡୁଛି। ଯଦି ଶହେ ଦିନ ଲାଗି ଆମକୁ ଦୈନିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡେ ତାହେଲେ ୧୦୦ ଦିନରେ ୧୦ ହଜାର କୋଟି କେବଳ ପରୀକ୍ଷାରେ ଚାଲିଯିବ। ସେହିପରି ଚିକତ୍ସା ଖର୍ଚ୍ଚ ବାବଦକୁ ଅତି କମରେ ଲକ୍ଷାଧିକ କୋଟି ଟଙ୍କାର ଆବଶ୍ୟକତା ପଡିବ। ଏତେ ବଡ ଖର୍ଚ୍ଚ ପୂରଣ କରିବା ଲାଗି ଆମ ପାଖରେ ସମ୍ବଳ ଅଛି ତ!!

ଗୋଟେ ପକ୍ଷରେ ଅର୍ଥନୀତିକୁ ଆମେ ଏକ ପ୍ରକାର ସ୍ଥାଣୁ କରି ରଖିଛୁ। ଅର୍ଥନୀତି ସ୍ଥାଣୁ ହେଲେ ସରକାରୀ ଖଜଣା ଖାଲି ହେବା ସ୍ଵାଭାବିକ। ଆଜିର ତାରିଖରେ ସରକାରୀ ବଜେଟରେ ଘାଟାର ଅଙ୍କ ବଢି ଚାଲିଛି। ଆୟ ତୁଳନାରେ ବ୍ୟୟ ବହୁତ ଅଧିକ। ତେଣୁ ହିସାବ ଖାତାରେ ଏବେ ଗୋଟେ ବଡ ଫାଙ୍କ ଦିଶୁଛି। ଏହାକୁ ଅର୍ଥନୀତିର ଭାଷାରେ କୁହାଯାଏ “ଫିସ୍କାଲ ଡେଫିସିଟ”। ଅର୍ଥାତ ଖର୍ଚ୍ଚ ଲାଗି ହାତରେ ଧନର ଅଭାବ। ସେଥିଲାଗି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହିଲେ ଯେ ଆଗାମୀ ବର୍ଷେ ଲାଗି କୌଣସି ନୂଆ ସରକାରୀ ଯୋଜନା ଆଉ ହୋଇ ପାରିବ ନାହିଁ। କେବଳ ନୂଆ ଯୋଜନା ନୁହଁ, ଅନେକ ପୂରୁଣା ଯୋଜନାରୁ ମଧ୍ୟ ଅର୍ଥକାଟ କରିବାକୁ ସରକାର ବାଧ୍ୟ ହେବେ। ବିନା ପଇସାରେ ଯୋଜନା ଚାଲିବା ସମ୍ଭବ ନୁହେଁ। ଏବେ ସବୁ କ୍ଷେତ୍ରରୁ ସରକାରଙ୍କ ପାଖକୁ ଆସୁଥିବା ଅର୍ଥର ସ୍ରୋତ ଶୁଖି ଯାଉଛି। ତେଣୁ ସରକାର ଏବେ ନିଜ ପାଖରେ ଥିବା ସମ୍ପତ୍ତି ବିକି ଅର୍ଥ ଠୁଳ କରିବାର ଉଦ୍ୟମ କରୁଛନ୍ତି। ବିଭିନ୍ନ ସରକାରୀ ଉଦ୍ୟୋଗକୁ ବିକିବା, ବ୍ୟାପକ ଘରୋଇକରଣକୁ ପ୍ରୋତ୍ସାହନ ଦେବା ଏବଂ ବିଦେଶୀ ପୁଞ୍ଜି ଆସୁ ବୋଲି ଯାବତୀୟ ଲୋକ ବିରୋଧୀ ଆଇନ ତିଆରି କରିବା ପଛରେ ଏହି ଉଦ୍ଦେଶ୍ୟ ହିଁ ରହିଛି।

ହେଲେ ଆଜିର ପୃଥିବୀରେ ଅର୍ଥନୀତିର ଅବସ୍ଥା ସବୁଠି ଖରାପ। ତେଣୁ ବିଦେଶୀ ପୁଞ୍ଜି ଯେ ଆମ ଦେଶକୁ ମାଡି ଆସିବ ସେ ସମ୍ଭାବନା ନାହିଁ। କରୋନା ଆରମ୍ଭ ହେବାର ବହୁ ଆଗରୁ ଆମ ଅର୍ଥନୀତି ଗୋଟେ ଖରାପ ସମୟ ରେ ପହଞ୍ଚି ସାରିଥିଲା। କରୋନା ବିପଦ ତାକୁ ଅଧିକ ଘନୀଭୂତ କରିଛି। ତେଣୁ ଖାଲି ଖଜଣା ଧରି କାଗଜ କଲମରେ ଆମ ସରକାର ଗୋଟେ ପରେ ଗୋଟେ ପ୍ଯାକେଜ ଘୋଷଣା କରି ଚାଲିଲେ। ଲୋକେ ଜାଣିଛନ୍ତି, ପ୍ଯାକେଜ ଘୋଷଣାରେ ପେଟ ପୂରିବ ନାହିଁ କିମ୍ବା ଘର ଚଳିବ ନାହିଁ। କରୋନା ସଂକ୍ରମଣର ଭୟ ସତ୍ତ୍ୱେ ଲୋକ ଏବେ କାମକୁ ଫେରିବାକୁ ବିକଳ। ହେଲେ ସରକାର କାମ ଖୋଲିବାକୁ ଡରୁଛନ୍ତି। ଖାଲି ପକେଟ ଓ ଭୋକିଲା ପେଟ ନେଇ ଏବେ ପ୍ୟାକେଜର ଶୁଖିଲା କାଗଜ କୁ ଆମେ ଦେଖୁଛେ। ବୋଧେ ଆଗାମୀ ଦିନରେ ଆମକୁ ସରକାରୀ ଭାଷଣ ଶୁଣି ଅନେକ ଦିନ ଯାଏଁ ବଞ୍ଚିବାକୁ ପଡିବ!!