୨୮, ଜୁନ, ୨୦୨୦ । ଶହେ ବର୍ଷ ତଳର ଏକ ରଥଯାତ୍ରା ରିପୋର୍ଟ, ହଇଜା ଓ କରୋନାର ସଂଯୋଗ !!

ଇତିହାସ ଅନେକ ସମୟରେ ବର୍ତ୍ତମାନ ସମୟର ଦର୍ପଣ ଭଳି ହଠାତ ଠିଆ ହୋଇପଡେ। ଲାଗେ, ସମୟ ସହିତ ଘଟନା ଓ ଚରିତ୍ରମାନେ ନିଜକୁ ପୁଣି ଥରେ ସମାନ ଭାବରେ ସାବ୍ୟସ୍ତ କରୁଛନ୍ତି। ଶହ ଶହ ବର୍ଷ ଧରି ସମାନ ଘଟନା ଯେମିତି ନିରନ୍ତର ଘଟି ଚାଲିଛି। ୨୦୨୦ ମସିହା ପୃଥିବୀର ଇତିହାସରେ ଗୋଟେ ଭୟଙ୍କର ବିପଦ ଧରି ଠିଆ ହୋଇଛି। ଏହି ବିପଦ ସମୟରେ ଶହେ ବର୍ଷ ତଳର ଗୋଟେ ଘଟନା କୁ ନେଇ ଆମେ ଚିନ୍ତା କରିବା। ଚଳିତ ବର୍ଷ କରୋନା ଭୂତାଣୁର ସଂକ୍ରମଣ ଯୋଗୁଁ ଓଡିଶାର ପ୍ରସିଦ୍ଧ ପର୍ବ ରଥଯାତ୍ରା ପାଳିତ ହେବ କି ନାହିଁ, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଭକ୍ତଙ୍କ ବିନା ଉପସ୍ଥିତିରେ, ଖାଁ ଖାଁ ବଡ ଦାଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନଯାତ୍ରା ସମାପ୍ତ ହୋଇଛି। ଆଗକୁ ରଥଯାତ୍ରା ହେବ କି ନାହିଁ, ଯାତ୍ରା ହେଲେ ଭକ୍ତମାନେ ପୁରୀ ସହରକୁ ଆସିବେ କି ନାହିଁ- ତାକୁ ନେଇ ଏବେ ଚିନ୍ତା ବଢୁଛି। ସଂକ୍ରମଣ ରୋକିବାକୁ ରଥଟଣା ନ ଯାଇ ଯନ୍ତ୍ର ସାହାଯ୍ୟରେ ରଥ ଟଣା ହେଉ ବୋଲି କେହିଜଣେ ହାଇ କୋର୍ଟରେ ମକଦ୍ଦମା କରିଛନ୍ତି। ଏକବିଂଶ ଶତାବ୍ଦୀରେ ଏମିତି ଗୋଟେ ସମୟ ଆସିବ, ଯେବେ ରଥଯାତ୍ରା ନ ହେଉ ବୋଲି ଦାବି ଉଠିବ, ସେ କଥା କେବେ କିଏ କଳ୍ପନା କରିଥିଲେ କି?

ଏ ପ୍ରଶ୍ନ ପଚାରିବା ବେଳେ ଠିକ ଶହେ ବର୍ଷ ତଳକୁ ଫେରିଯିବାକୁ ଆମେ ଚାହୁଁଛୁ। ୧୯୨୦ ମସିହା ରଥଯାତ୍ରା ସମୟକୁ କରୋନା ଭଳି ସମାନ ଏକ ବିପଦ ମାଡି ଆସିଥିଲା। ସେଥିପାଇଁ ପୁରୀରେ ଯାତ୍ରୀ ସଂଖ୍ୟା କମାଇବାକୁ ବ୍ରିଟିଶ ପ୍ରଶାସନ ଚାହୁଁଥିଲେ। ସେ ବର୍ଷ ବ୍ୟାପକ ହଇଜା ସଂକ୍ରମଣ ଆରମ୍ଭ ହୋଇଥିଲା ଓ ହଜାର ହଜାର ଯାତ୍ରୀ ଏଥିରେ ମୃତ୍ୟୁ ବରଣ କରିଥିଲେ। ସେ ବର୍ଷ ରଥଯାତ୍ରାରେ ହଇଜା ସତ୍ତ୍ୱେ ଯାତ୍ରୀ ସମାଗମ ପ୍ରବଳ ହୋଇଥିଲା। ସେ ବର୍ଷ ରଥଯାତ୍ରାର ରିପୋର୍ଟ ଲେଖିବାକୁ ଯାଇ “ଉତ୍କଳ ଦୀପିକା” ଲେଖିଥିଲା:

"ସିଭିଲ କର୍ତ୍ତୃପକ୍ଷଙ୍କ ନିଷେଧ ସତ୍ତ୍ୱେ ରଥଯାତ୍ରା ଦର୍ଶନାଭିଳାଷୀ ଯାତ୍ରୀଙ୍କର ପରିମାଣ ଆଶାତୀତ ବୃଦ୍ଧି ହୋଇଥିଲା ଏବଂ ସମୟେ ସମୟେ ସ୍ପେଶିଆଲ ଟ୍ରେନ ମଧ୍ୟ ଆସିଥିଲା। ଦେଖୁ ଦେଖୁ ସହର ଓ ସାହିମାନଙ୍କରେ ଥିବା ସାନ ବଡ ପକ୍କା ଘର, ଧର୍ମଶାଳା ଓ ଗୁଣ୍ଡିଚା ପାଖ ଟିଣଘର ମାନ ଯାତ୍ରୀପୂର୍ଣ୍ଣ ହୋଇଥିଲା।" (ପୁରୀ ରଥଯାତ୍ରା, ୨୬, ଜୁନ,୧୯୨୦, ଉତ୍କଳ ଦୀପିକା)

ଉତ୍କଳ ଦୀପିକାର ଏହି ରଥଯାତ୍ରା ରିପୋର୍ଟ ରେ ରଥଯାତ୍ରା ଓ ସେହି ସମୟରେ ହଇଜା ରୋଗର ସଂକ୍ରମଣକୁ ମିଶାଇ ଏକ ଦୀର୍ଘ ବର୍ଣ୍ଣନା ପ୍ରକାଶ ପାଇଥିଲା। ଓଡିଶାରେ ହଇଜା ବା କଲେରାର ଆଉ ଦୁଇଟି ବିଚିତ୍ର ପ୍ରତିଶବ୍ଦ ବ୍ୟବହାର ହେଉଥିଲା- “ବାଡି” ଓ “ଓଲା ଉଠା”। ଉତ୍କଳ ଦୀପିକା ହଇଜାକୁ ଓଲା ଉଠା ଭାବେ ବର୍ଣ୍ଣନା କରିଛି। ସେହି ରିପୋର୍ଟ ର ଆଉ କିଛି ଅଂଶ ପଢିବା ଆସନ୍ତୁ:

"ଶ୍ରୀଗୁଣ୍ଡିଚା ଦିନ ବିଦେଶୀ ଯାତ୍ରୀ ସଂଖ୍ୟା ୪୦/୫୦ ହଜାର ହୋଇଥିଲା। ଦୋକାନୀମାନେ ବେଶ ଦୁଇ ପଇସା ଲାଭ କରିଥିଲେ। କଂସାରି ଦୋକାନମାନଙ୍କରେ ଅଧିକ ବିକ୍ରୀ ହୋଇଥିଲା। ରାସ୍ତା, ପାଇଖାନା ମ୍ଯୁନିସିପାଲିଟି ତରଫରୁ ଦୁଇ ବେଳା ସଫା ହେଉଥିଲା ଏବଂ ନର୍ଦ୍ଦମା ଓ ନାଳମାନଙ୍କରେ ଦୁର୍ଗନ୍ଧ ନିବାରକ ଚୂନ ପ୍ରଭୃତି ନିକ୍ଷିପ୍ତ ହେଉଥିଲେ ହେଁ ସ୍ଥାନେ ସ୍ଥାନେ ଦୁର୍ଗନ୍ଧ ବାହାରୁଥିଲା। ...............ଯାତ୍ରା ପୂର୍ବରୁ ଓଲା ଉଠାର ଆବିର୍ଭାବ ହୋଇଥିଲା। ଦୁଇ ତିନି ଦିନ ମଧ୍ୟରେ ଶତାଧିକ ଯାତ୍ରୀ ଏହି ରୋଗରେ ଆକ୍ରାନ୍ତ ହୋଇ କଲେରା ହସପିଟାଲକୁ ଆନୀତ ଓ ଚିକିତ୍ସିତ ହୋଇଥିଲେ। ରୋଗର ପ୍ରଥମାବସ୍ଥାରେ ଅଯଥା ବିଳମ୍ବ କରି ଯଥା ସମୟରେ ସମ୍ବାଦ ନଦେଇ ରୋଗୀର ମୂମୂର୍ଷୁ ଅବସ୍ଥାରେ ଏତଲା ଦେଉଥିବାରୁ ଅନେକ ସ୍ଥଳରେ ରୋଗୀ ହାସପାତାଳକୁ ପହଞ୍ଚିଲା ବେଳକୁ ତାହାର ପ୍ରାଣାନ୍ତ ବା ତଦ୍ରୁପ ଅବସ୍ଥା ହୋଇଥାଏ। ମୃତ୍ୟୁ ସଂଖ୍ୟା ବୃଦ୍ଧିର ଏହା ପ୍ରଧାନ କାରଣ ଅଟେ। ଘରବାଲା ଓ ପଣ୍ଡାମାନେ ଏପ୍ରତି ସତର୍କ ଦୃଷ୍ଟି ରଖିବା ଆବଶ୍ୟକ। ବିଦେଶରେ କେହି ସହଯାତ୍ରୀ ହଠାତ ହଇଜାରେ ଆକ୍ରାନ୍ତ ହେଲେ ସଙ୍ଗୀ ଲୋକେ ଭୟରେ କିଂକର୍ତ୍ତବ୍ୟବିମୂଢ ହୋଇପଡନ୍ତି। ସେମାନଙ୍କୁ ସାହସ ଦେଇ ଶୀଘ୍ର ରୋଗୀକୁ ହସ୍ପିଟାଲ କୁ ପଠାଇଦେଲେ ସେଠାରେ ଚିକିତ୍ସାର ସୁବିଧା ଘଟେ ଏବଂ ଅଧିକାଂଶ ସ୍ଥଳରେ ରୋଗୀ ବଞ୍ଚି ଯାଇଥାଏ।"

ଠିକ ଶହେ ବର୍ଷ ତଳେ ପ୍ରକାଶିତ “ଉତ୍କଳ ଦୀପିକା”ର ଏ ରିପୋର୍ଟକୁ ଆମେ ସଂଯୋଗ କହିବା ନା ଇତିହାସର ବର୍ତ୍ତୁଳ ଗତି ସମ୍ପର୍କରେ ଏହା ହିଁ ଏକମାତ୍ର ପ୍ରମାଣ? ରଥଯାତ୍ରା ସମୟରେ ମହାମାରୀକୁ ନେଇ ଅନେକ ସଙ୍କଟ ଆସିଛି। ତେବେ ମହାମାରୀ ଯୋଗୁଁ ରଥଯାତ୍ରା କେବେ ବନ୍ଦ ହୋଇନାହିଁ। ରଥଯାତ୍ରା ଯେବେ ବି ବନ୍ଦ ହୋଇଛି ତାର କାରଣ ଭିନ୍ନ। ବୈଦେଶିକ ଆକ୍ରମଣ କାରଣରୁ ଅନେକ ଥର ରଥଯାତ୍ରା ବନ୍ଦ ହୋଇଛି। ଏପରିକି ଶ୍ରୀମନ୍ଦିରରୁ ଦାରୁବ୍ରହ୍ମଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ହେଲେ ମହାମାରୀ ବା ପ୍ରାକୃତିକ ବିପର୍ୟୟ କାରଣରୁ ରଥଯାତ୍ରା ଅଟକି ନାହିଁ।

ଶହେ ବର୍ଷ ତଳେ ହଇଜାର ସଂକ୍ରମଣ ଓ ଆଜିର କରୋନା ସଂକ୍ରମଣ ଭିତରେ ଏ ଅଦ୍ଭୁତ ସଂଯୋଗ ଓ ସମାନତା ଆମକୁ ଚକିତ କରିଦେବ। ହେଲେ ଇତିହାସରେ ତାହା ହିଁ ସତ୍ୟ। ସମୟ ବାରମ୍ବାର ଏମିତି ସଂଯୋଗ ତିଆରି କରେ। ମଣିଷ ସଭ୍ୟତା ଏମିତି ସମାନ ସଙ୍କଟକୁ ବାରମ୍ବାର ସାମ୍ନା କରୁଥାଏ ଓ ସେହି ସଙ୍କଟକୁ ଅତିକ୍ରମ କରି ଜିଣିବାରେ ସଫଳ ମଧ୍ୟ ହୁଏ। ୧୦୦ ବର୍ଷ ତଳେ ହଇଜା ସଂକ୍ରମଣ ଯେମିତି ଖବର କାଗଜର ଏକ ପୁରୁଣା ସମ୍ବାଦ ହୋଇ ରହିଛି, ସେମିତି ଆଜିର କରୋନା ଆତଙ୍କ ମଧ୍ୟ ପୁରୁଣା ଇତିହାସ ପାଲଟିଯିବ।

ଏ ଜାତି ନନ୍ଦିଘୋଷର ଜୟଯାତ୍ରା ଅବ୍ୟାହତ ରହିଥିଲା, ଆଗକୁ ମଧ୍ୟ ରହିଥିବ!!