୨୭, ଜୁନ, ୨୦୨୦ । ଲୋକଙ୍କୁ ହତ୍ୟା କରିବାର ଲାଇସେନ୍ସ ପୋଲିସ ହାତକୁ ଚାଲିଗଲା ପରେ ଆମେ କେତେ ଦୂର ନାଗରିକ ଭାବରେ ସୁରକ୍ଷିତ??

କିଛଦିନ ତଳେ ଯେତେବେଳେ ଆମେରିକାର ମିନିଆପୋଳିସରେ ଜଣେ କୃଷ୍ଣାଙ୍ଗ ଯୁବକ ଜର୍ଜ ଫ୍ଲଏଡଙ୍କୁ ସେଠାକାର ପୋଲିସ ତଣ୍ଟି ଚିପି ନିର୍ମମ ଭାବରେ ହତ୍ୟା କଳା, ତାର ପ୍ରତିବାଦରେ ପୂରା ଆମେରିକାର ଜନ ସାଧାରଣ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସରକାରୀ ନିବାସ ହ୍ଵାଇଟ ହାଉସ ଆଗରେ ଲୋକଙ୍କର ବିକ୍ଷୋଭ ଏତେ ପ୍ରବଳ ହେଲା ଯେ ରାଷ୍ଟ୍ରପତିଙ୍କୁ ଲୋକଭୟରୁ ବର୍ତ୍ତିବାକୁ ବଙ୍କର ଭିତରେ ଲୁଚିବାକୁ ପଡିଲା। ଆଜି ମଧ୍ୟ “କଳାଲୋକଙ୍କର ଜୀବନ ମୂଲ୍ଯବାନ” ବା ବ୍ଲାକ ଲାଇଫ ମେଟର୍ସ ନାମରେ ସାରା ପୃଥିବୀରେ ଆନ୍ଦୋଳନ ଚାଲିଛି। ସେମିତି ସମୟରେ ଆମ ଦେଶରେ ମଧ୍ୟ ସମାନ ଘଟନା ଘଟୁଛି। ଚଳିତ ସପ୍ତାହରେ ତାମିଲନାଡ଼ୁର ତୁଥୁକୁଡି ସହରରେ ଜୟରାଜ ଏବଂ ବେନିକ୍ସ ନାମକ ବାପା-ପୁଅ ଦୁଇ ଜଣଙ୍କୁ ସେଠାକାର ପୋଲିସ ପିଟି ପିଟି ମାରି ଦେଇଥିବାର ଅଭିଯୋଗ ହୋଇଛି। ଏହି ବାପା-ପୁଅଙ୍କର ଏକମାତ୍ର ଭୁଲ ଥିଲା ସେମାନେ କୋଭିଡ-୧୯ ପାଇଁ ଜାରି କରା ଯାଇଥିବା ରାତ୍ରି କାଳୀନ କର୍ଫ୍ଯୁ ଆରମ୍ଭ ହେବା ପରେ ମଧ୍ୟ ନିଜର ମୋବାଇଲ ଦୋକାନ ବନ୍ଦ କରିନଥିଲେ।

ଗତ ଜୁନ ୧୮ ତାରିଖ ସନ୍ଧ୍ୟାରେ ତୁଥୁକୁଡି ସହରର ଏକ ମୋବାଇଲ ଦୋକାନରୁ ଜୟରାଜ ନାମକ ଜଣେ ୫୮ ବର୍ଷ ବୟସ୍କ ଲୋକଙ୍କୁ ସ୍ଥାନୀୟ ପୋଲିସ ରାତ୍ରୀ କାଳୀନ କର୍ଫ୍ଯୁ ନିୟମ ଭାଙ୍ଗିଥିବାରୁ ଉଠାଇ ନେଇଥିଲା। ଥାନାରେ ତାଙ୍କୁ ଶାରୀରିକ ନିର୍ୟାତନା ଦିଆ ଯାଉଥିବାର ଖବର ପାଇବା ପରେ ତାଙ୍କ ପୁଅ ବେନିକ୍ସ ଓ ତାଙ୍କର କିଛି ବନ୍ଧୁ ଥାନାରେ ପହଞ୍ଚିଥିଲେ। ସେଠାରେ ପୁଅ ବେନିକ୍ସଙ୍କୁ ମଧ୍ୟ ପୋଲିସ ଗିରଫ କରି ତାଙ୍କୁ ପ୍ରବଳ ମାଡ ମାରିଥିଲା। ଏହି ଘଟଣା ପରେ ବାପା-ପୁଅଙ୍କ ନାମରେ ପୋଲିସ ଉପରେ ଆକ୍ରମଣ ଅଭିଯୋଗର ଏତଲା କରି ପୋଲିସ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ମାଜିଷ୍ଟ୍ରେଟ ଙ୍କ ପାଖକୁ ନେଇଥିଲା। ସେତେବେଳେ ଏ ଉଭୟଙ୍କ ଦେହରୁ ପ୍ରବଳ ରକ୍ତ ଝରୁଥିବା ସତ୍ତ୍ୱେ ମାଜିଷ୍ଟ୍ରେଟ ସେମାନଙ୍କୁ ପୋଲିସ ରିମାଣ୍ଡରେ ନେବାକୁ ଆଦେଶ ଦେଇଥିଲେ। ତାର ଅଳ୍ପ କେଇ ଘଣ୍ଟା ପରେ ସେମାନେ ମୃତ୍ୟୁ ବରଣ କରିଥିଲେ।

ପୋଲିସ ହେପାଜତରେ ଥାଇ ମୃତ୍ୟୁ ବରଣ କରିଥିବା ଏହି ବାପା-ପୁଅଙ୍କ ଏକମାତ୍ର ଦୋଷ ଥିଲା, ସେମାନେ ଭାରତୀୟ ପିଙ୍ଗଳ କୋଡର ଧାରା ୧୮୮(କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ଆଦେଶର ଅବମାନନା) ଏବଂ ଧାରା ୩୫୩(ବଳପୂର୍ବକ ସରକାରୀ କର୍ମଚାରୀଙ୍କୁ କର୍ମଚାରୀଙ୍କୁ ଦାୟିତ୍ଵ ନିର୍ବାହରେ ବାଧାଦେବା)ର ଉଲ୍ଲଂଘନ କରିଥିଲେ। ଏଥିଲାଗି ଉଭୟଙ୍କୁ ପିଟି ପିଟି ମାରି ଦିଆଗଲା। ଆମେରିକାରେ ଘଟିଥିବା ଜର୍ଜ ଫ୍ଲଏଡ ଘଟଣାଠୁ ଏହା ବିଶେଷ ଅଲଗା ନୁହେଁ। ଏହାକୁ ନେଇ ତାମିଲନାଡୁରେ ଅବଶ୍ୟ ପ୍ରବଳ ପ୍ରତିବାଦ ଆରମ୍ଭ ହୋଇଛି। ଘଟଣା ସମ୍ପର୍କରେ ତାମିଲନାଡୁ ହାଇ କୋର୍ଟର ମଦୁରାଇ ବେଞ୍ଚ ନିଜ ତରଫରୁ ମାମଲା କରି ଏ ସମ୍ପର୍କରେ ତଥ୍ୟ ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ, ଏ ଘଟଣାରେ ଆମେ ଭାରତୀୟମାନେ ବାସ୍ତବରେ ଚିନ୍ତିତ ବା ବ୍ୟଥିତ କି? ପୋଲିସ ର ମାତ୍ରାଧିକ ବଳ ପ୍ରୟୋଗ ଏବଂ ପୋଲିସ ହେପାଜତ ରେ ଘଟୁଥିବା ନିର୍ୟାତନା ପ୍ରସଙ୍ଗକୁ ନେଇ ଆମେମାନେ ଗୋଟେ ପ୍ରକାର କାମଚଳା ଆଚରଣ ପ୍ରଦର୍ଶନ କରିଥାଉ। ଯାହାକୁ ମାଡ ପଡିଛି ବା ଯିଏ ମରିଛି, ତା କଥା ସେ ବୁଝୁ ବୋଲି ଏକ ଧାରଣା ଆମ ମନରେ ରହି ଆସିଛି। ଯାହା ଫଳରେ ଆଇନର ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ମଧ୍ୟ ପୋଲିସ ଅତ୍ୟାଚାର ବଢୁଛି ଓ ନିରୀହ ଲୋକଙ୍କର ଜୀବନ ନେବାକୁ ପୋଲିସ ଦୁଃସାହସ କରିପାରୁଛି।

ତାମିଲନାଡୁ ଘଟଣା ଏକ ଉଦାହରଣ ମାତ୍ର। ସାରା ଦେଶରେ ଲକ ଡାଉନ ଆରମ୍ଭ ହେବା ପରେ ପୋଲିସର ମାତ୍ରାଧିକ ବଳ ପ୍ରୟୋଗ ଏବଂ ନିର୍ୟାତନାର ଅନେକ ଖବରକୁ ଆମେ ଅଣଦେଖା କରିଛୁ। ମାର୍ଚ୍ଚ ୨୫ ତାରିଖ ପରେ ଯେଉଁ ସାଧାରଣ ଲୋକେ ରାସ୍ତାରେ ଚାଲି ଚାଲି ଯାଉଥିଲେ ସେମାନଙ୍କ ଉପରେ ପୋଲିସର ଲାଠି ମାଡ ଆମେ ଦେଖିଛୁ। ସରକାରୀ ଲକ ଡାଉନକୁ ସଫଳ କରାଇବାର ସଂକଳ୍ପ ନେଇଥିବା ଆମର ଗଣମାଧ୍ୟମ ଏ ପ୍ରକାର ପୋଲିସ ଅତ୍ୟାଚାରକୁ ଯଥାର୍ଥ ବୋଲି ଚିତ୍ରଣ କରିଥିଲା। ଗୋଟେ ଟେଲିଭିଜନ ଆଲୋଚନାରେ ଓଡିଶାର ଜଣେ ସାମ୍ବାଦିକ କହିଲେ- ପୋଲିସ ଲୋକଙ୍କୁ ଆହୁରି ମାଡ ଦେବା ଦରକାର। ଆଉ ଜଣେ ସାମ୍ବାଦିକ ତାଙ୍କ ଫେସବୁକ ରେ ଲେଖିଲେ- ଅମାନିଆଁ ସବୁ ମାଡ ଖାଆନ୍ତୁ, ଆମେ କିଛି କହିବୁ ନାହିଁ।

ଏ ପ୍ରକାର ଅମାନବୀୟ ଆଚରଣ ଓ ଆଇନ ବିରୋଧୀ ମନୋଭାବ ପୋଲିସକୁ ଅଧିକ ଦୁର୍ଦ୍ଦର୍ଷ ହେବାର ସାହସ ଦେଇଛି। କିଛି ବି କରିପାରିବାର ଅଧିକାର ପୋଲିସ ପାଖରେ ରହିଛି ବୋଲି ଆମ ଲୋକଙ୍କ ମନରେ ଏବେ ଧାରଣା ତିଆରି ହୋଇ ଗଲାଣି। କୋଭିଡ-୧୯ ର ମୁକାବିଲା ଆଳରେ ଏକ ପୋଲିସ ରାଷ୍ଟ୍ରର ଚେହେରା ଆମେ ଏବେ ପ୍ରତିଦିନ ଅନୁଭବ କରୁଛୁ। ଦୁଇ ମାସ ହେଲାଣି ସନ୍ଧ୍ଯା ୭ ଟା ପରେ ସବୁକିଛି ବନ୍ଦ କରିବାକୁ ଲୋକେ ବାଧ୍ୟ। ଏହା ପଛରେ କି କାରଣ ରହିଛି, ତାହାର ଉତ୍ତର କେହି ଦେବାକୁ ନାରାଜ। ସନ୍ଧ୍ଯା ୭ ରୁ ସକଳ ୭ ଯାଏ ସବୁକିଛି ବନ୍ଦ ହେଲେ ସଂକ୍ରମଣ ରୋକିବାର ସେମିତି କିଛି ନିର୍ଦ୍ଦିଷ୍ଟ ସ୍ପଷ୍ଟତା ଅଛି କି? ନା ଏହା ଭାରତ ସରକାରଙ୍କ ପୋଲିସ ରାଷ୍ଟ୍ର ନିର୍ମାଣ ପାଇଁ ଏକ ପରୀକ୍ଷାମୂଳକ ପଦକ୍ଷେପ?

ତାମିଲନାଡୁରେ ଏବେ ଯାହା ଘଟିଛି, ତାହାର ଛୋଟିଆ ଉଦାହରଣ ଊଣା ଅଧିକ ସବୁ ରାଜ୍ୟରେ ଆମେ ଦେଖୁଛୁ। ହେଲେ, ଆଜିର ତାରିଖରେ ଏପ୍ରକାର ଅଗଣତାନ୍ତ୍ରିକ ଅତ୍ୟାଚାରରୁ ମୁକ୍ତି ପାଇବା ଲାଗି ଆମ ପାଖରେ କିଛି ବାଟ ସତରେ ଅଛି କି?