୧୧, ମଇ, ୨୦୨୦ । ଶ୍ରମିକ ଏବେ ନୂଆ ଅପରାଧୀ !!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଠିକ କହିଥିଲେ, କରୋନା ପୂର୍ବର ସମାଜ ଓ ପରବର୍ତ୍ତୀ ସମାଜ ଭିତରେ ଆକାଶ ପାତାଳ ପ୍ରଭେଦ ରହିବ। ତେବେ ତାଙ୍କ କଥା କରୋନା ପ୍ରକୋପ ସମୟରେ ହିଁ ସତ ହୋଇ ଯାଇଛି। କରୋନା ଭୂତାଣୁର ଭୟ ଭାରତୀୟ ସମାଜର ମାନସିକ ଚେହେରାକୁ ଅଧିକ କୃର ଓ ନିର୍ଦ୍ଦୟ କରି ଦେଇଛି। “ଆପେ ବଞ୍ଚିଲେ ବୋପାର ନାଁ” ବୋଲି ଓଡିଆରେ ଯେଉଁ କଥାଟି ରହିଥିଲା, ତାହା ଆଜି ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି। କୋଟି କୋଟି ଲୋକ ଯେଉଁମାନେ ଖଟିଲେ ଖାଉଥିଲେ, ସେମାନେ ଆଜି ଭାରତୀୟ ସମାଜର ନୂଆ ଅପରାଧୀ। ସେମାନେ ଆଜି ଚୋରଙ୍କ ଭଳି ଲୁଚି ବୁଲୁଛନ୍ତି। ପୋଲିସର ଡର ଓ ନିଜ ଲୋକଙ୍କ ଘୃଣା, ତା ସହିତ ଜୀବିକା ଚାଲି ଯାଇଥିବାର ଦୁର୍ଭାଗ୍ୟ, ଏହାରି ଭିତରେ ପୂରା ଶ୍ରମଜୀବୀ ସମାଜ ଆଜି ଅପରାଧୀ ପାଲଟି ଯାଇଛି ।

ସେମାନେ ଲକ ଡାଉନର ନିୟମ ମାନୁ ନାହାନ୍ତି, ତେଣୁ ସେମାନେ ଅପରାଧୀ। ସେମାନେ ରେଳଧାରଣାରେ ଶୋଇପଡି ମରୁଛନ୍ତି, ତେଣୁ ସେମାନେ ଅପରାଧୀ। ସେମାନେ ଗାଁକୁ ଫେରିବାକୁ ବିକଳ ହୋଇ ବିଭିନ୍ନ ବାଟ ଅଣ୍ଡାଳୁଛନ୍ତି, ତେଣୁ ସେମାନେ ଅପରାଧୀ। ଟ୍ରେନ ରୁ ଖସି ପଳାଇଯିବାର ଉଦ୍ୟମ କରୁଛନ୍ତି, ତେଣୁ ସେମାନେ ଅପରାଧୀ। ଏମିତି ସେମାନଙ୍କର ଅପରାଧର ତାଲିକା ଏବେ ବହୁତ ଲମ୍ବା। କେହି କହୁନାହାନ୍ତି ଯେ ଗତ ଚାଳିଶ ଦିନ ଧରି ସେମାନଙ୍କୁ ବାଧ୍ୟ କରି ରୋଜଗାରରୁ ବଞ୍ଚିତ କରିବା ଅପରାଧ କି ନୁହେଁ। ଘରଭଡା ଦେଇ ନ ପାରିବାରୁ ଯେଉଁ ମାଲିକମାନେ ସେମାନଙ୍କୁ ଘରୁ ତଡିଦେଲେ, ସେମାନେ ଅପରାଧୀ କି ନୁହନ୍ତି। ଯେଉଁ କାରଖାନା ମାଲିକମାନେ ସେମାନଙ୍କ ଶ୍ରମରୁ କୋଟି କୋଟି ଟଙ୍କାର ଲାଭ ଉଠାଉଥିଲେ, ଆଜି ଲକ ଡାଉନ ବେଳେ ସେମାନେ ଏମାନଙ୍କୁ ନିରାଶ୍ରୟ କରି ଛାଡିଦେବାଟା ଅପରାଧ କି ନୁହେଁ। ଆଜି ଶ୍ରମିକ ଓ ତାର ପରିବାର ଏ ଦେଶର ସବୁଠୁ ବଡ ଅପରାଧୀ।

ତେଣୁ କରୋନା ସଂକ୍ରମଣ ଚାଲିଥିବା ବେଳେ ଭାରତ ସରକାର ଶ୍ରମିକମାନଙ୍କ ସ୍ଵାର୍ଥରେ ପ୍ରଣୟନ କରିଥିବା ସବୁ ଶ୍ରମ ଆଇନକୁ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଗୁଜରାଟ ସରକାର ପ୍ରଥମେ ନିଲମ୍ବିତ ରଖିଛନ୍ତି। ଅର୍ଥାତ ଆଗାମୀ ୩ ବର୍ଷ ପାଇଁ ଶ୍ରମିକର କୌଣସି ଆଇନଗତ ଅଧିକାର ଏହି ତିନୋଟି ରାଜ୍ୟରେ ଆଉ ରହିବ ନାହିଁ। ମାଲିକର ମର୍ଜି ହିଁ ଏବେ ବିଜେପି ସରକାରରେ ଶ୍ରମ ଆଇନ। କରୋନା ସଂକ୍ରମଣର ଭୟ ଦେଖାଇ ଆଜି କୋଟି କୋଟି ଶ୍ରମିକଙ୍କର ପେଟରେ ଗୋଇଠା ମାରିଥିବା ଏ ସରକାର, ଅର୍ଥନୈତିକ ପ୍ରଗତିର ସ୍ଵପ୍ନ ଦେଖିବା ସବୁଠୁ ବଡ ବିଡମ୍ବନା। ଶ୍ରମଜୀବୀଙ୍କୁ କ୍ରୀତଦାସ ସଜାଇ ପୁଞ୍ଜି ଆବାହନ କରାଯିବ ବୋଲି ଏବେ ବିଜେପି ସରକାର ମାନେ ଆଶା ବାନ୍ଧିଛନ୍ତି। ଭୋକ ଏବଂ ଦାରିଦ୍ର୍ୟ କାରଣରୁ ଶ୍ରମିକମାନେ ସରକାରଙ୍କର ସବୁ ନିୟମକୁ ମୁଣ୍ଡପାତି ମାନିନେବେ ବୋଲି ସରକାର ଭାବୁଛନ୍ତି। ତେବେ ଏ ପ୍ରକାର ଅମାନବୀୟ ଆଇନ ଯେ ଶ୍ରମିକମାନଙ୍କ ଭିତରେ ପ୍ରବଳ ଅସନ୍ତୋଷର ଭାବନା ବଢାଇବ, ସେକଥା ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୁଝି ପାରୁନାହାନ୍ତି।

ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ବା ଗୁଜରାଟରେ କୌଣସି ବିଦେଶୀ ପୁଞ୍ଜି ନିବେଶ ହେବାର ବାତାବରଣ ସତରେ ରହିଛି କି? ଏହି ତିନୋଟି ରାଜ୍ୟ ଦେଶର ସବୁଠୁ ଅଧିକ କରୋନା ସଂକ୍ରମିତ ଏବଂ ଏହି ତିନୋଟି ଯାକ ରାଜ୍ୟରେ ସଂକ୍ରମଣ କମିବାର କୌଣସି ସମ୍ଭାବନା ଦିଶୁନାହିଁ। ସବୁଠୁ ହାସ୍ୟାସ୍ପଦ ସ୍ଥିତି ହେଉଛି ଗୁଜରାଟରେ। ଦେଶର ଦ୍ଵିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଏହି ରାଜ୍ୟରେ ଅଛନ୍ତି। ରାଜ୍ୟର ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ସବୁଠୁ ଖରାପ ସ୍ଥିତିରେ ରହିଛି। ଗୁଜରାଟର ରାଜଧାନୀ ଅହମଦାବାଦରେ ଦେଶର ସବୁଠୁ ସଙ୍ଗୀନ ସ୍ଥିତି ରହିଛି। ସେଠାରେ କ୍ଷୀର ଓ ଔଷଧ ଦୋକାନ ବ୍ୟତୀତ ଆଉ କିଛି ଖୋଲା ନାହିଁ। ପରିସ୍ଥିତି ସମ୍ଭାଳିବାରେ ଗୁଜରାଟ ପୋଲିସ ବିଫଳ ହେବାରୁ ସେଠାରେ ପାରା ମିଲିଟାରୀ ସୈନିକଙ୍କୁ କାମରେ ଲଗା ଯାଇଛି। ଗୁଜରାଟର ରାଜକୋଟ, ସୁରତ, ବଧୋଦାରା ଇତ୍ୟାଦି ସହରରୁ ଯେଉଁ ଶ୍ରମିକମାନେ ଫେରୁଛନ୍ତି, ସେଥିରୁ ଅଧିକାଂଶ କରୋନା ଆକ୍ରାନ୍ତ ବୋଲି ଜଣା ପଡୁଛି। ସେଥିରେ ଗୁଜରାଟକୁ ବିଦେଶୀ ପୁଞ୍ଜିଲଗାଣକାରୀମାନେ ଧାଇଁ ଆସିବେ ବୋଲି ଭାବିବା, ମୂର୍ଖାମୀ ନୁହେଁ କି?

ସବୁଠୁ ଗରିବ ଓ ଶ୍ରମିକ ବିରୋଧୀ ଭୂମିକା ନେଇଥିବା ଉତ୍ତର ପ୍ରଦେଶର ଆଦିତ୍ୟନାଥ ସରକାର କରୋନା ସଂକ୍ରମଣକୁ ସାମ୍ପ୍ରଦାୟିକ ରଙ୍ଗ ଦେବାରେ ବହୁ ଉଦ୍ୟମ କରିଥିଲେ। ଏବେ ଉତ୍ତର ପ୍ରଦେଶରେ ସାଢେ ତିନି ହଜାର ଆକ୍ରାନ୍ତ ରହିଛନ୍ତି। ଗୁଜରାଟ ତଥା ମହାରାଷ୍ଟ୍ରରୁ ଉତ୍ତର ପ୍ରଦେଶରୁ ଯେଉଁ ଶ୍ରମିକମାନେ ଫେରୁଛନ୍ତି, ସେମାନଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ଆଦିତ୍ୟନାଥ ସରକାର କହିଛନ୍ତି। ଓଡିଶାରେ ଆମେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥାରୁ ଯାହା ବୁଝୁଛୁ, ଶ୍ରମିକଙ୍କୁ ଘରେ ରହିବାକୁ କହିବାର ଅର୍ଥ ହେଉଛି, ସଂକ୍ରମଣ ବଢାଇବାର ବ୍ୟାପକ ସୁଯୋଗ ତିଆରି କରିବା। ସାଢେ ବାଇଶ କୋଟି ଲୋକ ସଂଖ୍ୟା ବିଶିଷ୍ଟ ଏହି ବିଶାଳ ପ୍ରଦେଶରେ ସରକାର ମାତ୍ର ୧ ଲକ୍ଷ ୩୦ ହଜାର ପରୀକ୍ଷା କରିଛନ୍ତି। ଆଜିକାର ସ୍ଥିତିରେ ଆଗାମୀ ସମୟ ପାଇଁ ଉତ୍ତର ପ୍ରଦେଶ କରୋନାର ସବୁଠୁ ବଡ ହଟ ସ୍ପଟ ହୋଇପାରେ। ଏଥିରେ ପୁଞ୍ଜି ଲଗାଣର ସ୍ଵପ୍ନ ବଡ ବିଚିତ୍ର। ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶର ସ୍ଥିତି ପ୍ରାୟ ସମାନ।

ନିଜ ସରକାରର ବିଫଳତାକୁ ଲୁଚାଇବାକୁ ଯାଇ ଏବେ ଭାରତ ସରକାର ଓ ରାଜ୍ୟ ସରକାରମାନେ ଉଦ୍ଦେଶ୍ୟମୂଳକ ଭାବରେ ଶ୍ରମିକମାନଙ୍କୁ ଅପରାଧୀ ଭଳି ପ୍ରଦର୍ଶିତ କରିବାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଆଳରେ ଶ୍ରମିକମାନଙ୍କ ପାଇଁ ଦେଶର ଆଇନରେ ଯେଉଁ ସୁରକ୍ଷା ବଳୟ ରହିଛି, ତାକୁ ସବୁଦିନ ପାଇଁ ଖତମ କରିଦେବାକୁ ଏହା ଏକ ସୁଚିନ୍ତିତ ପ୍ରୟାସ।