ଦିନ ପରେ ଦିନ, ମାସ ପରେ ମାସ ବୀତି ଚାଲିଛି। ମଶାଣୀରେ ମଣିଷ ଜଳିବାର ଦୃଶ୍ୟ ବଢି ଚାଲିଛି। ଭାରତରେ ଆଜି ସୁଦ୍ଧା ଲକ୍ଷେ ଦଶ ହଜାର ଲୋକ କରୋନା ଆକ୍ରମଣରେ ମୃତ୍ୟୁବରଣ କରି ସାରିଲେଣି। ପୃଥିବୀ ସାରା ମୃତ୍ୟୁ ସଂଖ୍ୟା ପ୍ରାୟ ୧୧ ଲକ୍ଷ। ବିଜ୍ଞାନ ଓ ବିକାଶକୁ ଉପହାସ କରି କରୋନା ଭୂତାଣୁ ମଣିଷ ଜାତିକୁ ଅସହାୟ କରି ଠିଆ କରେଇ ଦେଇଛି। ମରଣ ଆଗରେ ଆଜି ଅସହାୟ ଆମର ବିଜ୍ଞାନ ଓ ଦର୍ଶନ,ଆମର କଳା ଓ କବିତା, ଆମର ସଂକଳ୍ପ ଓ ବିକଳ୍ପ। ଏ ଅସହାୟତା ଭିତରେ କେବଳ ଧାରେ ପ୍ରାର୍ଥନା ହିଁ ବଞ୍ଚେଇ ରଖିବ ମଣିଷକୁ -

ଏକ କାତର ପ୍ରାର୍ଥନାର କବିତା

ଆଜି ତୋ ପାଇଁ କବିତା ଲେଖିଲା ବେଳେ
ମୋ ପାଖରେ ଉଦାସିନୀ ମା ପରି
ତୁ ଠିଆ ହୋଇଛୁ ମୋର ପୃଥିବୀ।

ତୋତେ ପ୍ରବଳ ଜ୍ଵର
ତୋର ଶ୍ଵାସ ପ୍ରଶ୍ବାସରେ ପ୍ରବଳ ବାଧା
ତୋର ମୁହଁରେ ଚାପି ହୋଇ ରହିଛି ଭେଣ୍ଟିଲେଟରର ମୁଖା
ଆଜି ତୁ ଅନେକ ମୃତ୍ୟୁର
ଶ୍ମଶାନ ନାୟିକା।

ତୋତେ ଖୋଜୁଛି, ଖୋଜି ବୁଲୁଛି ମୁଁ
ତୁ ଅଛୁ କି ଭୂତ ପରି ଉଲଗ୍ନ ନୀରବତାରେ କାନ୍ଦୁଥିବା ଏ ସହରରେ?
ତୁ ଅଛୁ କି ଉଡି ପାରୁନଥିବା ଶହ ଶହ ଉଡାଜାହାଜର ଅଚଳନ୍ତି ବିମାନ ବନ୍ଦରରେ ?
ତୁ ବାଜୁଛୁ କି ଆମ୍ବୁଲାନ୍ସର ସାଇରନ ପରି ଏ ମଲା ଅଜଗରର ରାସ୍ତାରେ?
ତୁ ଅଛୁ କି ଏ ଦେଶ ନା ସେ ଦେଶ, ଏ ଶ୍ମଶାନ ନା ଆଉ କେଉଁ କବରଖାନାରେ?

ତୋତେ ମୁଁ ଖୋଜୁଛି ଆଜି ମୋର ପ୍ରାଣରେ
ଏ ପ୍ରାଣ, ତୁ ତିଆରି କରିଥିଲୁ
ତୋର ମାଟି ଓ ପାଣିରେ, ଅଗ୍ନି,ବାୟୁ ଓ ଆକାଶରେ
ଏ ପ୍ରାଣ ତୁ ଇ ରଚନା କରିଥିଲୁ
କେତେ ରଙ୍ଗକୁ ଏକାକାର କରି ଏଇ ଦେହରେ।

ଏ ପ୍ରାଣ ଆଜି ତୋର ଗୋ ମା
ମୋର ପ୍ରାଣ ବଦଳରେ ବଞ୍ଚିଯାଉ ଏଇ ଜଗତ?
ମୋର ମାଟି ନେ ଗୋ
ନେ ମୋର ଅଗ୍ନି ଓ ପବନ
ନେ ମୋର ବାୟୁ ଓ ଗଗନ
ମୋର ରକ୍ତ,ମାଂସ, ହାଡ ଓ ପ୍ରାଣର ବିନିମୟରେ
ବଞ୍ଚିରହୁ ତୋର ମଣିଷ!!