୩୦, ମାର୍ଚ୍ଚ, ୨୦୨୦ । ରାସ୍ତା ଯାହାର ଘର, ଲକ ଡାଉନ ସମୟରେ ସେ ରହିବ କେଉଁଠି, ତା କଥା ବୁଝିବ କିଏ??

ଆମର ମଧ୍ୟବିତ୍ତମାନେ ଭାବନ୍ତି, ସେମାନେ ଇ ଦେଶ। ସେମାନେ ଆୟକର ଦେଇ ସରକାର ଚଳାଉଛନ୍ତି, ତେଣୁ ସରକାର ସେମାନଙ୍କର ବଶଂବଦ। ସରକାର ସେମାନଙ୍କୁ ଯେତିକି ଚାବୁକ ମାରେ ସରକାରକୁ ସେମାନେ ସେତେ ବେଶୀ ଭଲ ପାଆନ୍ତି। ଇଂରାଜୀରେ ଏହାକୁ କହନ୍ତି Masochist citizenry ବା ପୀଡାପ୍ରେମୀ ନାଗରିକତ୍ଵ। ନାଗରିକତାରେ ଭକ୍ତି ଓ ସମର୍ପଣର ଭାବନା ମିଶେଇଦେଲେ ଏ ପ୍ରକାର ଭାବନା ସୃଷ୍ଟି ହୁଏ। ଭାରତୀୟ ସମ୍ବିଧାନ ଆମକୁ ଯେଉଁ ନାଗରିକତାର କଥା କହେ ତାହା ସକ୍ରିୟ ନାଗରିକତା (proactive citizenry)। ନାଗରିକର ଅଧିକାର ସାମାନ୍ୟ କ୍ଷୁଣ୍ଣ ହେଲେ ତାକୁ ବରଦାସ୍ତ ନକରିବା ନାଗରିକର ପ୍ରଥମ ମୌଳିକ କର୍ତ୍ତବ୍ୟ। ହେଲେ ନାଗରିକଙ୍କୁ ପ୍ରଜା ଓ ଭକ୍ତ ବନାଉଥିବା ଶାସକ ଲୋକଙ୍କ ପାଖରେ ସମ୍ବିଧାନକୁ ପହଞ୍ଚାଇବାର ସୁଯୋଗ ଦିଏନାହିଁ। ଆଜି ଯେତେବେଳେ ଦେଶ ଏକ ଭୟଙ୍କର ବିପଦର ସାମ୍ନା କରୁଛି, ସେତେବେଳେ ଆମେ ସକ୍ରିୟ ନାଗରିକ ହେବା ନା ସମର୍ପିତ ଭକ୍ତ ହୋଇ ରହିବା, ସେ ନିର୍ଣ୍ଣୟ ଉପରେ ଆମର ଭବିଷ୍ୟତ ନିର୍ଭର କରେ ।

କରୋନାସଂକ୍ରମଣର ଯେଉଁ ବିପଜ୍ଜନକ ଶିକୁଳୀ ତାକୁ ଛିଣ୍ଡାଇବାକୁ ହେଲେ ଦେଶରେ ସାମାଜିକ ଦୂରତା ଏକମାତ୍ର ପନ୍ଥା, ସେଥିରେ କୌଣସି ଦ୍ଵିମତ ନାହିଁ। ଲୋକଙ୍କୁ ଘରେ ରହିବାକୁ ପଡିବ। ସାମାଜିକ ଦୂରତ୍ବ ଆଜିର ଏକମାତ୍ର ଔଷଧ। ଯାହାର ଘର ଅଛି ସେ ଘରେ ତାଲା ବନ୍ଦ କରି ରହିବ। ହେଲେ ଯାହାର ଘର ନାଇଁ ସେ ଯିବ କୁଆଡେ? ଏ ଦେଶରେ ଅତିକମରେ ୧୭ ଲକ୍ଷ ପରିବାର ପାଖରେ ରହିବା ପାଇଁ ଘର ନାଇଁ ବୋଲି ଖୋଦ ଭାରତ ସରକାରଙ୍କ ଜନଗଣନା ରିପୋର୍ଟ କହୁଛି। ତେବେ ବିଭିନ୍ନ ସଂସ୍ଥାର ରିପୋର୍ଟ ଆଧାରରେ ଜଣା ପଡୁଛି ଯେ ଦେଶର ପ୍ରମୁଖ ମହାନଗରୀଗୁଡ଼ିକରେ ଅତିକମରେ କୋଟିଏରୁ ଅଧିକ ଲୋକ ଗୃହଶୂନ୍ୟ ଭାବରେ ରାସ୍ତାରେ ବଞ୍ଚନ୍ତି। କେବଳ ଦିଲ୍ଲୀରେ ୨ ଲକ୍ଷ ଓ କଲିକତାରେ ଦେଢ ଲକ୍ଷ ଲୋକ ରାସ୍ତାରେ ଜୀବନ ନିର୍ବାହ କରନ୍ତି। ଏମାନେ ଫୁଟପାଥରେ ପଲିଥିନ ଟାଣି କିମ୍ବା ଓଭର ବ୍ରିଜ ତଳେ ଅଖା ଟାଣି ଜୀବନ କାଟନ୍ତି। ଆଜିର ଲକ ଡାଉନ ସମୟରେ ଏମାନେ ଯିବେ କୁଆଡେ?

ଏମାନଙ୍କ ବ୍ୟତୀତ ଦେଶରେ ପାଖାପାଖି ୧ କୋଟି ୨୦ ଲକ୍ଷ ଦାଦନ ଶ୍ରମିକ ଅଛନ୍ତି। ଏମାନେ ନିଜ ଗାଁ ଓ ଘର ଛାଡି ବିଭିନ୍ନ ସମୟରେ ସହରକୁ କାମ କରିବାକୁ ଆସିଥାନ୍ତି। ବସ୍ତୁତଃ ଏମାନେ ମଧ୍ୟ ବାସହୀନ। ଏମାନେ ଇଟାଭାଟିରେ, ନିର୍ମାଣ ସ୍ଥଳୀରେ କିମ୍ବା ଖୋଲା ପଡିଆରେ ଅସ୍ଥାୟୀ ପଲିଥିନ ତଳେ ରହନ୍ତି। ସେହିପରି ଭାରତର ସହରୀ ନାଗରିକଙ୍କ ମଧ୍ୟରୁ ପ୍ରତି ଛ ଜଣରୁ ଜଣେ ଝୋପଡି ବସ୍ତିରେ ରହନ୍ତି। ଝୋପଡି କୁ ଘର ବୋଲି କହିବା, ଘର ଶବ୍ଦ ପ୍ରତି ଅନ୍ୟାୟ ହେବ। ମୋଟାମୋଟି ଏ ଦେଶର ୩୦ କୋଟି ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ଘର ବୋଲି କିଛି ନାଇଁ। ଏମାନେ କେଉଁ ଘରେ ରହିବେ ଓ କେଉଁ ଦୁଆରରେ ଲକ୍ଷ୍ମଣ ରେଖା ଟାଣିବେ? (ଯଦିଓ ମୂଳ ରାମାୟଣରେ ଲକ୍ଷ୍ମଣ ରେଖା ବୋଲି କିଛି ନାଇଁ ଓ ଏହା ଏକ ଭ୍ରମାତ୍ମକ ପ୍ରୟୋଗ।)

ଆଜି କରୋନା ମୁକାବିଲା ଲାଗି ଦେଶକୁ ୨୧ ଦିନ ପାଇଁ “ଲକ ଡାଉନ” ଘୋଷଣା କରିବା ବେଳେ ଏଇ ଲୋକମାନେ ଯିବେ କୁଆଡେ? ଆଜି ସେମାନେ ହିଁ ରାସ୍ତାରେ ଭିଡ ହୋଇ ଠିଆ ହୋଇଛନ୍ତି। ଲକ୍ଷ ଲକ୍ଷ ସଂଖ୍ୟାରେ ଦାଦନ ଶ୍ରମିକ ଆଜି ରାସ୍ତାରେ ଚାଲି ଚାଲି ନିଜ ଗାଁକୁ ଫେରୁଛନ୍ତି।

ଏ ଯେଉଁ ୩୦ କୋଟି ବାସହୀନ ଜନତା ଏବେ ଚାଲି ଚାଲି ଗାଁକୁ ଫେରୁଛନ୍ତି, ଗାଁ ରେ ସେମାନଙ୍କ ଲାଗି ଆହୁରି ବଡ ବିପଦ ଅପେକ୍ଷା କରିଛି। ଗାଁ ଲୋକେ ସେମାନଙ୍କୁ ଗାଁରେ କିମ୍ବା ପରିବାରରେ ପୂରେଇ ଦେବେ ନାଇଁ। ୧୪ ଦିନ କ୍ଵାରେଣ୍ଟାଇନରେ ରହିବାକୁ ତାଙ୍କୁ କୁହା ଯାଉଛି। କଣ ସେ କ୍ଵାରେଣ୍ଟାଇନ? ଗାଁ ବାହାରେ ସ୍କୁଲ ବା ପଞ୍ଚାୟତ ଘରେ ସେମାନେ ରହିବେ। ସେଠି ପାଣି ବା ଖାଦ୍ୟ ମିଳିବ ନାଇଁ। ଶୌଚାଳୟ କଥା ନ କହିଲେ ଭଲ। ଏଇ ଦରିଦ୍ର ଲୋକମାନେ ଆଜି ଦେଶରେ କରୋନା ଆଶଙ୍କାରେ ଯେତିକି ନୁହେଁ ନିଜ ଜୀବନ ବିକଳରେ ମୃତ୍ୟୁ ସହିତ ଲଢୁଛନ୍ତି। ଗୋଟେ ପଟେ କରୋନା ସଂକ୍ରମଣର ଆଶଙ୍କା ଓ ଅପର ପକ୍ଷେ ଏକ ଅବିବେକୀ-ମାନବିକତା ବିହୀନ ସରକାରର ପ୍ରହାର, ଏ ଦୁଇଟି ମାଡକୁ ମାଦଳ ପରି ସହିବା ବ୍ୟତୀତ ଗରୀବଙ୍କ ପାଖରେ ଆଉ ବାଟ ବା କାହିଁ!!