୨, ଏପ୍ରିଲ, ୨୦୨୦ । ମହାମାରୀର ଧର୍ମ ଏବଂ ଧର୍ମ ଆଧାରରେ ମହାମାରୀର ରାଜନୀତି ।

ମାତ୍ର ସପ୍ତାହେ ତଳେ ପାଞ୍ଚ ଶହ ଆକ୍ରାନ୍ତଙ୍କ କଥା ଆମେ କହୁଥିଲୁ। ସାତ ଦିନ ଭିତରେ ଏହା ଦୁଇ ହଜାର ଛୁଇଁବାକୁ ବସିଲାଣି।ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କରୋନାରେ ମୃତ୍ୟୁ ସଂଖ୍ୟା ୩୮ ବୋଲି କହୁଥିବା ବେଳେ କୋଭିଡ ଇଣ୍ଡିଆ ଏହା ୫୩ ବୋଲି କହିଛି। ଆଜି ତାମିଲନାଡୁରେ ସର୍ବାଧିକ ୧୧୦ ଜଣ ନୂଆ ଆକ୍ରାନ୍ତଙ୍କ ପରୀକ୍ଷା ପୋଜିଟିଭ ଆସିଛି। ଏହି ଭୂତାଣୁ ସଂକ୍ରମଣ ସାରା ପୃଥିବୀ ଲାଗି ଏକ ବଡ ବିପଦ ପାଲଟିଥିବା ବେଳେ ଆମ ଦେଶରେ ଏହାକୁ ନେଇ ଧାର୍ମିକ ଓ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବାର ଉଦ୍ୟମ ଆରମ୍ଭ ହୋଇଯାଇଛି। ନୂଆଦିଲ୍ଲୀର ଏକ ଧାର୍ମିକ ସମାବେଶରେ ଯୋଗ ଦେଇଥିବା ପାଖାପାଖି ୨୦୦୦ ଲୋକ ଏହି ସଂକ୍ରମଣର ଶିକାର ହୋଇଥାଇପାରନ୍ତି ବୋଲି କୁହାଯାଉଛି। ତେବେ ଏହି ସମାବେଶ ଯେଉଁ ଧର୍ମର ଲୋକେ ଆୟୋଜନ କରିଥିଲେ, ସେମାନଙ୍କୁ ଏଥିପାଇଁ ଦାୟୀ ବୋଲି କହିଲା ବେଳେ, ଏହାର ସତ୍ୟାସତ୍ୟ ଆମକୁ ବୁଝିବାକୁ ପଡିବ।

ପ୍ରଥମ କଥା ହେଉଛି, ମହାମାରୀ ଦ୍ଵାରା ଆକ୍ରାନ୍ତ କୌଣସି ବ୍ୟକ୍ତିଙ୍କର ପରିଚୟ ଦେବା ଅନୈତିକ। ଧର୍ମ, ଜାତି ବା ସାମାଜିକ ଗୁରୁତ୍ଵ ଦେଖି ଭୂତାଣୁ କାହା ଶରୀରକୁ ଆକ୍ରମଣ କରେନାହିଁ। ସ୍ପେନ ର ରାଜକୁମାରୀ, ଇଂଲଣ୍ଡର ରାଜକୁମାର ଓ ପ୍ରଧାନମନ୍ତ୍ରୀ, କାନାଡା ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ, ହଲିଉଡର ବହୁ ନାମୀ ତାରକା, ୟୁରୋପର ନାମକରା ଫୁଟବଲ ଖେଳାଳୀ, ଏମିତି ଆହୁରି ଅନେକ ଏହି ଭୂତାଣୁର ଶିକାର। ସାରା ପୃଥିବୀର ୮ ଲକ୍ଷ ଅଶି ହଜାରରୁ ଅଧିକ ଲୋକ ଏହାର ଶିକାର ହୋଇଥିବା ବେଳେ ୪୪,୧୫୦ ବ୍ୟକ୍ତି ପ୍ରାଣ ହରାଇ ସାରିଲେଣି। ଆକ୍ରାନ୍ତ ଲୋକଙ୍କ ଭିତରେ ସବୁ ଧର୍ମ, ସବୁ ଦେଶ ଓ ସବୁ ବର୍ଗର ଲୋକ ରହିଛନ୍ତି। କରୋନା ଭଳି ମହାମାରୀକୁ ସାମ୍ନା କରିବା ବେଳେ ଆମକୁ ମଣିଷ ଭାବରେ ଏକ ହେବାକୁ ପଡିବ। ତାହା ନକରି, ଏହାକୁ ଧର୍ମ ଓ ଜାତୀୟତାର ଆଧାରରେ ବିଭାଜନ କଲେ, ଆମେ ଆହୁରି ଏକ ବଡ ବିପଦ ତିଆରି କରିବା ।

ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ଭାରତରେ କରୋନା ଖୁବ ବେଶୀ ପ୍ରଭାବ ପକାଇବ ନାହିଁ ଓ ଏ ବିଷୟରେ ଆଦୌ ଚିନ୍ତିତ ହେବାର ଦରକାର ନାହିଁ ବୋଲି ଭାରତ ସରକାର କହୁଥିଲେ। ତେବେ ସେହି ସମୟରେ ମହାରାଷ୍ଟ୍ର, ଓଡିଶା, କେରଳ, ଦିଲ୍ଲୀ ଓ ରାଜସ୍ଥାନ ସରକାର ସାମାଜିକ ଦୂରତା ପ୍ରସଙ୍ଗ ଆରମ୍ଭ କଲେ। ମାର୍ଚ୍ଚ ୨୦ ତାରିଖ ପର୍ୟନ୍ତଦେଶରେ ଜୀବନ ଯାତ୍ରା ବେଶ ସ୍ଵାଭାବିକ ରହିଥିଲା। କରୋନା ପ୍ରକୋପ କାରଣରୁ ମଧ୍ୟ ପ୍ରଦେଶ ବିଧାନସଭାର ବିଶେଷ ଅଧିବେଶନ ଘୁଞ୍ଚାଯାଉ ବୋଲି ବାଚସ୍ପତିଙ୍କର ରାୟକୁ ସେତେବେଳେ ସୁପ୍ରିମକୋର୍ଟ ଗ୍ରହଣ କରିନଥିଲେ। ମାର୍ଚ୍ଚ ୨୨ର ଜନତା କର୍ଫ୍ୟୁ ପର୍ୟନ୍ତ ସବୁକିଛି ସ୍ଵାଭାବିକ ଓ ସହଜ ଅଛି ବୋଲି ଭାରତ ସରକାର ଆମକୁ କହୁଥିଲେ ।

ଆଜିର ସ୍ଥିତିରେ, ଧର୍ମକୁ ଆଧାର କରି ଆକ୍ରାନ୍ତଙ୍କର ପରିଚୟ ଦେଖାଇବା ଓ ସେହି ଆଧାରରେ ସାମାଜିକ ବିଭାଜନ ସୃଷ୍ଟି କରିବାକୁ ଗଣମାଧ୍ୟମ ତଥା ସୋସିଆଲ ମିଡିଆ ଯାହା କରୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ଓଡିଶା ସରକାର ମହାମାରୀ ଆଇନ ୧୮୯୩ ଅନୁସାରେ କରୋନା ଆକ୍ରାନ୍ତଙ୍କ ପରିଚୟ ଓ ଠିକଣା ନ ଜଣାଇବାକୁ ଗଣମାଧ୍ୟମ ତଥା ସାଧାରଣ ଲୋକଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହାର ବିପରୀତରେ ଜାତୀୟ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମ ତଥା ଅନୁଷ୍ଠାନକୁ ଆକ୍ରୋଶମୂଳକ ଭାବେ ଚିହ୍ନେଇ ଦିଆ ଯାଉଛି। ଦାୟିତ୍ଵହୀନ ଭାବରେ ଦେଶର ପ୍ରମୁଖ ଗଣମାଧ୍ୟମ ଗୁଡିକ ଏହାକୁ ନେଇ ଧାର୍ମିକ ବିଭାଜନ ସୃଷ୍ଟି କରିବାର ଉଦ୍ୟମ କରୁଛନ୍ତି। ବିଶେଷକରି ଟୁଇଟରରେ ଏ ପ୍ରସଙ୍ଗରେ ଘୃଣା ଓ ହିଂସାର ବାତାବରଣ ତିଆରି ହୋଇ ସାରିଛି। ମହାମାରୀର ଭୂତାଣୁ ଅପେକ୍ଷା ସାମ୍ପ୍ରଦାୟିକ ବିଦ୍ଵେଷର ମହାମାରୀ ଆମକୁ ଅଧିକ କ୍ଷତିଗ୍ରସ୍ତ କରିବ, ଏକଥା ନ ବୁଝିଲେ, ଆମେ ନିଜେ ନିଜ ଗୋଡରେ କୁରାଢି ମାରିବା ସାର ହେବ!!