୨୬, ଏପ୍ରିଲ, ୨୦୨୦ । କରୋନା ପାଇଁ ସାମାଜିକ ଦୂରତା, ଆମକୁ ଅସଭ୍ୟ ଓ ଅସାମାଜିକ କରି ଦେବନି ତ !!

ଆଜି ଯେତେବେଳେ ଏକ ଭୟଙ୍କର ବିପଦକୁ ଆମେ ସାମ୍ନା କରୁଛେ, ସେତେବେଳେ ସେହି ବିପଦରୁ ରକ୍ଷା ପାଇବାକୁ ଆମକୁ ଏକମାତ୍ର ଔଷଧ ଭାବରେ ସାମାଜିକ ଦୂରତାର ଚିଠା ଧରେଇ ଦିଆ ଯାଇଛି। ସ୍ପର୍ଶ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମିତ ହେଉଥିବାରୁ ଏବେ ପରଷ୍ପର ଠାରୁ ଦୂରତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି। ତେବେ ଶାରୀରିକ ଦୂରତାକୁ ଆମେ ସାମାଜିକ ଦୂରତା ବୋଲି କହୁଛେ କାହିଁକି? ଏହି ତଥାକଥିତ ସାମାଜିକ ଦୂରତାକୁ କଡାକଡି ଭାବରେ ଲାଗୁ କରିବାକୁ ଯାଇ ଆମ ଭିତରେ କ୍ରମଶଃ କେବଳ ସାମାଜିକ ଖାଇ ତିଆରି ହେଉଛି ତାହା ନୁହେଁ, ଏହା ଆମକୁ ଅନେକାଂଶରେ ଅମଣିଷ ଓ ଅସଭ୍ୟ କରି ଦେଉଛି। ସାମାଜିକ ଦୂରତା ପାଇଁ ଲକ ଡାଉନ ପାଳନ କରିବା ସମୟରେ ମାନବିକତାର ଛୋଟ ଛୋଟ ଦିଗ ପ୍ରତି ଆମେ ଯେଉଁ ଅବହେଳା କରିଛୁ, ସେଥିଲାଗି ଆମକୁ ଏକ ସମାଜ ଭାବରେ ଢେର ମୂଲ୍ୟ ଦେବାକୁ ପଡିବ ।

ଲକ ଡାଉନ ସମୟରେ ଆମେ ଗୋଟେ କଥା ଭୁଲିଗଲୁ ଯେ, ଆମ ସମାଜରେ ସାଧାରଣ ମୃତ୍ୟୁ ମଧ୍ୟ ଘଟିଥାଏ। ଲକ ଡାଉନ ସମୟରେ କେହି ଜଣେ ଯଦି ମୃତ୍ୟୁ ବରଣ କରନ୍ତି, ତାହେଲେ ତାଙ୍କ ପରିବାର ଲୋକ ଅନ୍ତିମ ଯାତ୍ରାରେ ସାମିଲ ହେବାର ସୁଯୋଗ ଅନେକ ଜାଗାରେ ପାଇ ନାହାନ୍ତି। ଏହାର ଏକ ଉଦାହରଣ ଦେଇ କେହି କେହି କହିପାରନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ପିତାଙ୍କ ଅନ୍ତିମ ଦର୍ଶନ ନ କରି ସେ ଏକ ଉଦାହରଣ ସୃଷ୍ଟି କଲେ। ଭାରତୀୟ ଆଶ୍ରମ ବ୍ୟବସ୍ଥାରେ ସନ୍ୟାସ ନେଇଥିବା ଲୋକଙ୍କର ପାରିବାରିକ ବନ୍ଧନ କିଛି ନଥାଏ। ସେ ପରିବାର ପାଇଁ ଏକ ପ୍ରକାର ମୃତ। କାରଣ ସନ୍ୟାସ ନେବା ପୂର୍ବରୁ ଆପଣଙ୍କୁ ଆପଣଙ୍କ ସପ୍ତ ପୁରୁଷ ଓ ନିଜର କାଳ୍ପନିକ ମୃତ୍ୟୁ ପାଇଁ ମଧ୍ୟ ଶ୍ରାଦ୍ଧ ଦେବାକୁ ପଡିଥାଏ। ତେଣୁ ଆଦିତ୍ୟନାଥଙ୍କ ପରିବାର ସହ ସମ୍ପର୍କ ଇ ନାହିଁ ।

ହେଲେ ସାଧାରଣ ଭାରତୀୟ ପାଇଁ ନିଜ ପରିବାର ଓ ପ୍ରିୟଜନଙ୍କ ମୃତ୍ୟୁ କୁ ଅଣଦେଖା କରି ରହିଯିବା ସହଜ କଥା ନୁହେଁ। ଲକ ଡାଉନ ସମୟରେ ଦୈନନ୍ଦିନ ମୃତ୍ୟୁକୁ ଏକ ମାନବୀୟ ବିଚାର ଭାବେ ଆମେ ଆଦୌ ଗ୍ରହଣ କରିନାହୁଁ। ଜନଗଣନାର ଏକ ତଥ୍ୟ ଅନୁଯାୟୀ ପ୍ରତି ଦିନ ଭାରତରେ ହାରାହାରି ୨୬,୭୦୩ ବ୍ୟକ୍ତି ମୃତ୍ୟୁ ବରଣ କରନ୍ତି। ସେଥିରୁ ଅର୍ଦ୍ଧାଧିକ ଲୋକଙ୍କର ପରିବାର ଓ ପରିଜନ ବାହାରେ ରହନ୍ତି। ପ୍ରିୟ ଲୋକଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ନିକଟ ସମ୍ପର୍କୀୟଙ୍କୁ ଏଥିପାଇଁ ଅନୁମତି ଦେବା ତଥା ଏଥିଲାଗି ସୁଯୋଗ ସୃଷ୍ଟି ନ କରିବା, ଆମର ସଂବେଦନା ବିଷୟରେ ଅନେକ କଥା କହୁଛି !

କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସ୍ଥିତି ଆହୁରି ଗମ୍ଭୀର। କରୋନା ପୀଡିତ ବ୍ୟକ୍ତିଙ୍କ ଦାହ ସଂସ୍କାର ଲାଗି ସରକାରଙ୍କର ନିର୍ଦ୍ଦିଷ୍ଟ ଗାଇଡ ଲାଇନ ରହିଥିବା ସତ୍ତ୍ୱେ ଅନେକ ମୃତକଙ୍କୁ ଶ୍ମଶାନ ଓ କବରଖାନାରେ ଜାଗା ଦେବାକୁ ଲୋକ ବିରୋଧ କରୁଛନ୍ତି। ଶବ ପୋଡିଲେ ବା ପୋତିଦେଲେ କରୋନା ଭୂତାଣୁ ସଂକ୍ରମିତ ହେବାର କୌଣସି ସମ୍ଭାବନା ନାହିଁ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରି ସାରିଛନ୍ତି। ତା ସତ୍ତ୍ୱେ ଶବଦାହ ପାଇଁ ଅନେକ ସମସ୍ୟା ଉପୁଜୁଥିବାର ଖବର ମିଳୁଛି। ମେଘାଳୟରେ ଜଣେ ଲୋକପ୍ରିୟ ଡାକ୍ତରଙ୍କର ଶବଦାହ କରାଇ ନଦେବାକୁ ସେଠାରେ ଏକ ପ୍ରକାର ଆଂଦୋଳନର ଆରମ୍ଭ ହୋଇଥିଲା। କରୋନା ପୀଡିତଙ୍କ ପ୍ରତି ଆମର ଅହେତୁକ ଭୟ ଆମକୁ ଅଧିକରୁ ଅଧିକ ଅମଣିଷ କରି ଦେଉଛି। ଏ କଥା ଆମର ସରକାର ବୁଝିବା ଦରକାର। ସଂକ୍ରମଣ ରୋକିବାକୁ ଯାଇ ବିଧି ବ୍ୟବସ୍ଥାକୁ ଅମାନବୀୟ କରିଦେବା ଆଦୌ ଉଚିତ ହେବନାଇଁ ।

ଏ ସମ୍ପର୍କରେ ଦୁଇଟି ଅମାନବୀୟ ଖବର କଥା ଆମେ ଉଲ୍ଲେଖ କରିବୁ। କୋରାପୁଟ ଜିଲ୍ଲାର ଶିଶୁଗୁଡା ଗାଁର ଜୁଗୁଲୁ ରିଆ। ଲକ ଡାଉନ ପୂର୍ବରୁ ଆନ୍ଧ୍ରରେ ଦାଦନ ଖଟୁଥିଲେ। ଲକ ଡାଉନ ଯୋଗୁଁ ତାଙ୍କର ଜୀବିକା ଯାଇଥିଲା। ସେଇ ସମୟରେ ତାଙ୍କର ବାପାଙ୍କ ମୃତ୍ୟୁ ଘଟିଲା। ଲକ ଡାଉନ ସମୟରେ କୌଣସି ଯାନ ବାହନ ନଥିବାରୁ, ଜୁବୁଲୁ ଚାଲି ଚାଲି ଗାଁରେ ପହଞ୍ଚିଥିଲେ। ହେଲେ ଗାଁ ଲୋକେ ତାଙ୍କୁ ପ୍ରବେଶ ଅନୁମତି ଦେଲେ ନାଇଁ। ଏହାକୁ ଆମେ କଣ ବୋଲି କହିବା? ଲୋକେ କରୋନା କୁ ନେଇ ଅଧିକ ସତର୍କ ବା ସଚେତନ, ନା ମାନବୀୟ ସମବେଦନାର ଅଭାବ? ଏମିତି ଆହୁରି ଅନେକ ଖବର ରହିଛି, ଯେଉଁଥିରେ ଲକ ଡାଉନ ସମୟରେ ମୃତ୍ୟୁ ପ୍ରତି ଆମର ଅମାନବୀୟ ଚେହେରା ସ୍ପଷ୍ଟ ବାରି ହୋଇ ପଡିବ ।

ସବୁଠୁ ମର୍ମନ୍ତୁଦ ଖବର ହେଉଛି, ଏହି ସମୟରେ ଭାରତୀୟ ବିମାନ ବନ୍ଦର ଗୁଡିକ ବିଦେଶରୁ ଆସୁଥିବା ଶବ ଗୁଡିକୁ ଫେରାଇ ଦେଉଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପବନ କପୁର କହିଛନ୍ତି ଯେ ଆବୁଧାବିରେ ମୃତ୍ୟୁବରଣ କରିଥିବା ତିନିଜଣ ଭାରତୀୟ ନାଗରିକ କମଲେଶ ଭଟ୍ଟ, ସଂଜୀବ କୁମାର ଓ ଯଶଗିର ସିଂଙ୍କ ଶବକୁ ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ ଫେରାଇ ଦେଇଛନ୍ତି। ଏଇ ତିନିଜଣ କରୋନାରେ ମୃତ୍ୟୁ ବରଣ କରିନାହାନ୍ତି ଓ ସେମାନଙ୍କ ଶବ ସବୁ ପରୀକ୍ଷା ପରେ ଭାରତ ପଠାଯାଇଥିଲା। ତଥାପି ଲକ ଡାଉନ ପ୍ରଟୋକଲ ଅନୁଯାୟୀ ବିଦେଶରୁ ଆସୁଥିବା କୌଣସି ଶବକୁ ଅନୁମତି ଦିଆ ଯାଉନାଇଁ ।

ଏହା ଆମର ମାନବୀୟ ଚରିତ୍ର ଉପରେ ପ୍ରଶ୍ନ ଚିହ୍ନ ଲଗାଉ ନାହିଁ କି ? ସାମାଜିକ ଦୂରତା ଆଳରେ ସମାଜକୁ ଅଧିକ ଅମାନବୀୟ ଓ ଅସଭ୍ୟ ହେବାର ନିୟମ ଆମକୁ ପୁଣିଥରେ ମଧ୍ୟଯୁଗୀୟ ବର୍ବରତା ଆଡକୁ ନେଇ ଯାଉନି ତ !!!