ଯଦି ଜଣେ ସମୁଦ୍ରରେ ତିମିମାନଙ୍କ ସହ ପହଁରିବାର ଅପୂର୍ବ ସୁଯୋଗଟିଏ ପାଇଥିବ, ତେବେ ତାହା ପାଇଁ ସେଇଟା କୌଣସି ସ୍ୱପ୍ନ ଠାରୁ କମ ନୁହେଁ । ସମୁଦ୍ର ଜଳରେ ବିଶାଳକାୟ ତିମିମାନଙ୍କ ସାଙ୍ଗରେ ନିଜକୁ ଦେଖିବା ଏକ ସ୍ଵର୍ଗୀୟ ଅନୁଭବ । ଆକାରରେ ବିଶାଳ ହେଲେ ମଧ୍ୟ ଦେଖିବାକୁ ସେମାନେ ବେଶ ଆକର୍ଷଣୀୟ ଓ ମନ ମୁଗ୍ଧକର । ସେମାନଙ୍କର ପ୍ରକୃତି ବେଶ ନମ୍ର ।

ସେଟାସିଆନ୍ ଷ୍ଟ୍ରାଣ୍ଡିଂ - କିମ୍ବା ଵିଚିଙ୍ଗ ବୋଲି ଜଣାଶୁଣା - ସେତେବେଳେ ଘଟେ ଯେତେବେଳେ ତିମି ଏବଂ ଡଲଫିନ୍ ମାନେ ସ୍ଥଳଭାଗରେ ନିଜକୁ ବାନ୍ଧି ରଖନ୍ତି ବା ଫସି ଯାଆନ୍ତି |

ବେଳେବେଳେ ତିମି କିମ୍ବା ଡଲଫିନ ଉତ୍ତଳ ଜଳରାଶିରୁ ଚାଲିଆସି ଶୁଷ୍କ ଭୂମି କିମ୍ବା ସମୁଦ୍ର ତଟରେ ଫସି ଯାଇଥାନ୍ତି । ଆମମାନଙ୍କ ମଧ୍ୟରୁ କେହି କେହି ଏହି ଦୃଶ୍ୟ ଦେଖିଥିବେ । ଗୋଟିଏ ପଟେ ଆମେ ତିମି ଏବଂ ଡଲଫିନ୍ ଉପରେ ତିଆରି ହୋଇଥିବା ଡକ୍ୟୁମେଣ୍ଟାରୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଉ, ଅନ୍ୟ ପଟେ ପ୍ରକୃତିର ଏହି ଚିତ୍ର ମଧ୍ୟ ଆମେ ଦେଖୁ ଆଉ ଆହୁରି ଅଧିକ ବିବ୍ରତ ମଧ୍ୟ ହୋଇଯାଉ | ସମଗ୍ର ବିଶ୍ୱରେ, ପ୍ରାୟ ପ୍ରତିଦିନ ଏହିପରି ଘଟଣା (ସେଟାସିଆନ୍ ଷ୍ଟ୍ରାଣ୍ଡିଙ୍ଗ୍) ଘଟେ, ଯାହା ସମ୍ବାଦପତ୍ର ଏବଂ ଅନ୍ୟାନ୍ୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥାଏ । ଏହି ବିଶାଳକାୟ ଜଳଚର ସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ଅସହାୟ ଅବସ୍ଥାରେ ବେଳାଭୂମିରେ ପଡିଥିବାର ଦେଖି ମନରେ ଭାବପ୍ରବଣତା ସୃଷ୍ଟି ହୁଏ । ଏବଂ ଏଥିନେଇ ସ୍ଵାଭାବିକ ଭାବରେ ମନରେ ପ୍ରଶ୍ନ ଉଠେ ଯେ ଏହା କାହିଁକି ଘଟୁଛି ?

ପ୍ରକୃତିର ତଥ୍ୟ ?

ସେଟାସିଆନ୍ ଷ୍ଟ୍ରାଣ୍ଡିଂ କିମ୍ବା ଵିଚିଙ୍ଗ କଣ ? ତିମି ବା ଡଲଫିନ୍ ମାନେ ସମୁଦ୍ର କୂଳରେ ଫସି ରହିବାକୁ ଵିଚିଙ୍ଗ କୁହାଯାଏ ।
ବେଳେବେଳେ ତିମି ଏବଂ ଡଲଫିନ ପରି ବୃହତକାୟ ଜଳଚର ପ୍ରାଣୀମାନେ ସ୍ଥଳଭାଗରେ ନିଜକୁ ବାନ୍ଧି ରଖନ୍ତି । କେତେବେଳେ ବ୍ୟକ୍ତିଗତ ଭିତ୍ତିରେ ତ ଆଉ କେତେବେଳେ ଦଳଗତ ଭିତ୍ତିରେ ଏହି ପ୍ରାଣୀମାନେ ଜଡିତ ରହିଥାନ୍ତି, ଏହାକୁ ତଥାକଥିତ 'ମାସ ଷ୍ଟ୍ରାଣ୍ଡିଙ୍ଗ୍' କୁହାଯାଏ । ୧୯୧୮ ମସିହାରେ ନ୍ୟୁଜିଲ୍ୟାଣ୍ଡର ଚାଥମ୍ ଦ୍ୱୀପପୁଞ୍ଜରେ ରେକର୍ଡ ସଂଖ୍ୟାରେ ଏପରି ଘଟଣା ଘଟିଥିଲା । ସମୁଦ୍ର କୂଳରେ ପ୍ରାୟ ୧୦୦୦ ପାଇଲଟ୍ ତିମି ମରି ପଡିଥିଲେ । ଏହି ବିଷୟ ଉପରେ ବିସ୍ତୃତ ଅନୁସନ୍ଧାନ ହୋଇଥିଲା ସତ କିନ୍ତୁ ଏହି ଘଟଣାଗୁଡ଼ିକର ପ୍ରକୃତ କାରଣ ବିଷୟରେ ଠୋସ୍ ପ୍ରମାଣ ମିଳିପାରିନଥିଲା ।

ତେବେ ଏହି ଘଟଣା ପାଇଁ ବିଭିନ୍ନ କାରଣ ଦାୟୀ ବୋଲି ବୈଜ୍ଞାନିକମାନେ ଦାବି କରନ୍ତି । ଏଥିପାଇଁ ପ୍ରାକୃତିକ ଘଟଣା ଯେତିକି ଦାୟୀ ମନୁଷ୍ୟକୃତ ଘଟଣା ମଧ୍ୟ ସମପରିମାଣରେ ଦାୟୀ । ବିଭିନ୍ନ ପ୍ରକାରର ରୋଗ, ଆଘାତ କିମ୍ବା ଶିକାରୀମାନଙ୍କ ଦ୍ଵାରା ଆଘାତପ୍ରାପ୍ତ ହୋଇ କିମ୍ବା ଦିଗହରା ହୋଇ ମଧ୍ୟ ଏହି ପ୍ରାଣୀମାନେ ବିପଦରେ ପଡିଥାନ୍ତି । ତିମି ଏବଂ ଡଲଫିନ୍ ସେମାନଙ୍କର ବୁଦ୍ଧି ପାଇଁ ବେଶ ଲୋକପ୍ରିୟ । ଏହି ପ୍ରାଣୀମାନଙ୍କ ମଧ୍ୟରେ ଅନେକ ପ୍ରଜାତି ଜଟିଳ ସାମାଜିକ ଆଚରଣ ପ୍ରଦର୍ଶନ କରନ୍ତି ଏବଂ ମନୁଷ୍ୟ ପରି ଘନିଷ୍ଠ ପରିବାର ମଧ୍ୟରେ ବାସ କରନ୍ତି ।

ପାଇଲଟ୍ ତିମି ଏହାର ଏକ ପ୍ରମୁଖ ଉଦାହରଣ । ୭ ମିଟର (୨୩ ଫୁଟ) ଲମ୍ବରେ ଏହି ତିମି ଟି ଡଲଫିନ୍ ପରିବାରର ସଦସ୍ୟ ଅଟନ୍ତି ଏବଂ ସାଧାରଣତଃ କୋଡ଼ିଏ ଜଣିଆ ଦଳରେ ଏମାନେ ଯାତ୍ରା କରନ୍ତି । କିନ୍ତୁ ଏହି ପ୍ରଜାତି ହିଁ ବହୁସଂଖ୍ୟାରେ ଷ୍ଟ୍ରାଣ୍ଡିଙ୍ଗ୍ ର ଶିକାର ହଉଥିବା ଦେଖାଯାଇଛି । ଏମାନଙ୍କ ମଧ୍ୟରୁ କେହି ଜଣେ ରୋଗରେ ପୀଡିତ ହେଲେ କିମ୍ବା ଗୁରୁତର ଭାବରେ ଆଘାତ ପ୍ରାପ୍ତ ହେଲେ, ଗୋଷ୍ଠୀର ଥିବା ଅନ୍ୟ ସଦସ୍ୟମାନେ ତାକୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥାନ୍ତି । ଯଦି ଏହି ଦଳରୁ କେହି ଜଣେ ବି ଦିଗହରା ହୁଏ, ସମଗ୍ର ଗୋଷ୍ଠୀ ମଧ୍ୟ ଆପେ ଆପେ ବିପଦ ଆଡକୁ ଟାଣି ହୋଇ ଅସୁରକ୍ଷିତ ହୋଇପଡନ୍ତି ।

ମାନବୀୟ ପ୍ରଭାବ

ଆଶ୍ଚର୍ଯ୍ୟର ବିଷୟ, ଏହି ଘଟଣା ପାଇଁ ମନୁଷ୍ୟକୃତ କାର୍ଯ୍ୟକଳାପ ମଧ୍ୟ ଦାୟୀ । ୧୯୯୦ ମସିହାରୁ ଲଣ୍ଡନର ଜୁଲୋଜିକାଲ୍ ସୋସାଇଟି ଅଫ୍ ଲଣ୍ଡନର ସେଟାସିଆନ୍ ଷ୍ଟ୍ରାଣ୍ଡିଙ୍ଗ୍ ଇନଭେଷ୍ଟିଗେସନ୍ ପ୍ରୋଗ୍ରାମ୍ ବ୍ରିଟେନର ଚାରିଆଡ଼େ ଘଟୁଥିବା ଷ୍ଟ୍ରାଣ୍ଡିଂ ଉପରେ ନଜର ରଖିଛି । ସେହି ସମୟରେ ରେକର୍ଡ ସଂଖ୍ୟକ ୧୨,୦୦୦ ଷ୍ଟ୍ରାଣ୍ଡିଂ ଘଟଣା ସାମନାକୁ ଆସିଥିଲା । ଏଥିରେ ୨୨ ପ୍ରକାରର ସେଟେସିୟାନ ପ୍ରଜାତି ଅନ୍ତର୍ଭୁକ୍ତ ଥିଲେ । ଏଥିରେ ଥିବା ୩,୩୮୦ ମାମଲା ମଧ୍ୟରୁ ୬୯୯ଟି ମାମଲାର ମୃତ୍ୟୁର ମୁଖ୍ୟ କାରଣରେ ମନୁଷ୍ୟକୃତ କାର୍ଯ୍ୟକଳାପ ଜଡିତ ଥିଲା ବୋଲି ସୂଚନା ରହିଛି । ସେହିପରି ୨୦୧୬ରେ ପ୍ରକାଶିତ ଜର୍ଣ୍ଣାଲ୍ ଅଫ୍ କୋଷ୍ଟାଲ୍ ରିସର୍ଚ୍ଚ ଅଧ୍ୟୟନ ମଧ୍ୟ ସମାନ ପ୍ରକାରର ଅନୁସନ୍ଧାନ କରିଥିଲା । ଏଥିରେ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ହମ୍ପବ୍ୟାକ୍ ତିମି ଷ୍ଟ୍ରାଣ୍ଡିଂକୁ ବିଶ୍ଳେଷଣ କରଯାଇଥିଲା । ଏଥିରେ ୨୫ ବର୍ଷ ମଧ୍ୟରେ ୨୧୪ଟି ଷ୍ଟ୍ରାଣ୍ଡିଂ ଘଟଣା ରିପୋର୍ଟ କରାଯାଇଥିଲା, ଯେଉଁଥିରେ ଏକ ତୃତୀୟାଂଶରୁ ଅଧିକ (୩୭%) ମାମଲା ମତ୍ସ୍ୟଜୀବୀଙ୍କ କାରଣରୁ ହୋଇଥିବାବେଳେ ଅନ୍ୟ କିଛି ମାମଲା ମନୁଷ୍ୟକୃତ ଆବର୍ଜନା ପାଇଁ ହୋଇଥିବାର ପ୍ରମାଣ ମିଳିଛି ।

ସମୟ ସହ ତାଳ ଦେଇ ଆମର ଜୀବନ ଜୀବିକା ବେଶ ପ୍ରଭାବିତ ହୋଇଛି । ଆମେମାନେ ଏବେ କୃଷି ହେଉ ଅବା ମତ୍ସ୍ୟ ଚାଷ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ଯନ୍ତ୍ରପାତି ବ୍ୟବହାର କରୁଛୁ । ମତ୍ସ୍ୟ ଧରାଳି ମାନେ ବ୍ୟବହାର କରୁଥିବା ମତ୍ସ୍ୟ ଜାଲ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଗଭୀର ଜଳରାଶିରେ ବାରମ୍ବାର ହଜିଯିବା କିମ୍ବା ଓଭରବୋର୍ଡରେ ଫୋପାଡି ଦିଆଯିବା ପରେ ଏହା ଜଳଚର ପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ବିଶେଷ କରି ବଡ଼ ତିମିମାନଙ୍କ ପାଇଁ ଏହା ଯଥେଷ୍ଟ ବିପଦ ସୃଷ୍ଟି କରୁଛି । କେତେକ କ୍ଷେତ୍ରରେ ତିମିମାନେ ଏହି ସବୁ ଜାଲ ଓ ଯନ୍ତ୍ରପାତି କବଳରେ ବାନ୍ଧି ହୋଇପଡିଥାନ୍ତି ତ କେତେବେଳେ ଗୁରୁତର ଆଘାତ ପାଆନ୍ତି । ଯାହା ସେମାନଙ୍କୁ ଦୁର୍ବଳ କରିବା ସହିତ ତାଙ୍କ ଗତିଶୀଳତାକୁ ପ୍ରତିରୋଧ କରେ ଏବଂ ପରିଶେଷରେ ତାଙ୍କର ମୃତ୍ୟୁ ଘଟାଇଥାଏ ।

ଅପରପକ୍ଷରେ ସମୁଦ୍ରରେ ଯାତାୟାତ କରୁଥିବା ଜାହାଜଗୁଡିକ ଏହି ଜଳଚର ପ୍ରାଣୀଙ୍କ ପାଇଁ ବହୁ ବିପଦ ସୃଷ୍ଟି କରିଥାନ୍ତି । ଉତ୍ତର ଆଟଲାଣ୍ଟିକରେ ତିମି ପରି ବୃହତ ପ୍ରଜାତିଗୁଡିକ ବହୁତ ଧୀର ଗତିଶୀଳ, ଅର୍ଥାତ୍ ସେମାନେ ବେଳେବେଳେ ଜାହାଜଗୁଡିକ ଯିବା ଆସିବା ସମୟରେ ଧକ୍କା ହୋଇ ବ୍ୟାପକ ଆହତ ହୋଇଥାନ୍ତି । ଏହି ପ୍ରାଣୀମାନେ ପ୍ରାୟତଃ ସମୁଦ୍ର କୂଳରେ ଆଘାତପ୍ରାପ୍ତ ହୁଅନ୍ତି ।

କେବଳ ଜାହାଜଗୁଡ଼ିକ ହିଁ ସମସ୍ୟା ସୃଷ୍ଟି କରନ୍ତି ତା ନୁହେଁ । ଅନ୍ୟାନ୍ୟ ଶବ୍ଦ ପ୍ରଦୂଷଣ ମଧ୍ୟ ଏହି ପ୍ରାଣୀମାନଙ୍କ ପାଇଁ ବାଧା ସୃଷ୍ଟି କରିଥାଏ । ୨୦୦୨ରେ ଘଟିଥିବା ଏକ ଘଟଣାରୁ ଜଣାପଡେ ଯେ, ନୌବାହିନୀର ଅଭ୍ୟାସ ପରେ କାନାରି ଦ୍ୱୀପପୁଞ୍ଜରେ ୧୪ଟି ଥଣ୍ଟଯୁକ୍ତ ତିମି ଫସି ରହିଥିଲେ । ଏହି ଘଟଣାରୁ ଜଣାପଡେ ଯେ - ଗୋଷ୍ଠୀ ଭାବରେ ସେଟାସିଆନ୍ ମାନେ ଶବ୍ଦ ବା ଧ୍ୱନି ପ୍ରତି ଅତ୍ୟଧିକ ସମ୍ବେଦନଶୀଳ । ଅର୍ଥାତ୍ ଉଚ୍ଚ, ହଠାତ୍ କୋଳାହଳ ସେମାନଙ୍କ ଯୋଗାଯୋଗ କରିବାର କ୍ଷମତାକୁ ବାଧା ଦେବା ସହ ସେମାନଙ୍କୁ ଭୟଭୀତ ଏବଂ ବିଚଳିତ କରିଥାଏ ।

ଯଦିଓ ଇତିହାସରେ ସେଟାସିଆନ୍ ଷ୍ଟ୍ରାଣ୍ଡିଂ ଘଟିଛି, ଆମେ ଯେତେ ଏହି ଅଦ୍ଭୁତ ଘଟଣାଗୁଡ଼ିକ ବିଷୟରେ ଅଧିକ ଜାଣୁଛେ, ଏହି ସବୁ ଘଟଣାରେ ମାନବ କାର୍ଯ୍ୟକଳାପର ପ୍ରଭାବ ସେତିକି ଅଧିକ ସ୍ପଷ୍ଟ ହେବାରେ ଲାଗିଛି । ସମୁଦ୍ରରେ ପ୍ରଦୂଷଣର ସ୍ତର ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ମତ୍ସ୍ୟ ଶିକାର ମଧ୍ୟ ପୂର୍ବାପେକ୍ଷା ବଢିଛି । ଯଦି ଏସବୁ କାର୍ଯ୍ୟ କ୍ରମାଗତ ଭାବରେ ବଢିବ ତେବେ ଆଗାମୀ ଦିନରେ ସିଟାସିଆନ ଷ୍ଟ୍ରାଣ୍ଡିଂ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ ।