ବିଶ୍ଵ ମହାମାରୀ କୋଭିଡରେ ସାରା ପୃଥିବୀ ଆଜି ପ୍ରପୀଡ଼ିତ । ବିଶେଷକରି ଭାରତରେ ଏହାର ତାଣ୍ଡବ ଅତୀବ ହୃଦୟବିଦାରକ । ଏହି ରୋଗକୁ ପରାସ୍ତ କରିବା ପାଇଁ ଲୋକଙ୍କୁ ସତର୍କ ରହିବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି । ସମ୍ପ୍ରତି ଦେଶରେ କରୋନା ସ୍ଥିତି ସମସ୍ତଙ୍କୁ ଘରେ ରହିବା ପାଇଁ ବାଧ୍ୟ କରିଛି । ଏହି ମହାମାରୀ ଜୀବନ ଜୀବିକା ଉପରେ ଏପରି ପ୍ରଭାବ ପକାଇଛି ଯେ ଲୋକେ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ମାସ ମାସ ଧରି ଘରେ ରହିବା, ଏବଂ ଅର୍ଥ ଅଭାବ ଚାପ ଏବଂ ଚିନ୍ତା ସ୍ତରକୁ ବୃଦ୍ଧି କରିଛି । ଆମ ମନ ଏବଂ ଶରୀର ଉପରେ ଏହି ଚାପ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ଅନେକ ପ୍ରତିକୂଳ ପ୍ରଭାବ ପକାଇଥାଏ |

ମାନସିକ ଚାପ କିପରି ଆମ ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ପ୍ରଭାବିତ କରିଥାଏ ଜାଣନ୍ତୁ ।

ମାନସିକ ଚାପ ଆମ ଶରୀରର ଲଢେ଼ଇ କରିବା କ୍ଷମତାକୁ ପ୍ରଭାବିତ କରିବା ସହିତ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ହ୍ରାସ କରିଥାଏ । ଆମ ଶରୀରକୁ ସୁରକ୍ଷା ପ୍ରଦାନ କରୁଥିବା ହରମୋନ ଯେପରିକି କାର୍ତିସୋଲ ଆଉ ଆଡ଼ରେନାଲିନ୍କୁ ବଢାଇବାର ଆବଶ୍ୟକତା ରହିଛି । ଅତିରିକ୍ତ ଭାବେ ଏହି ହରମୋନ ଗୁଡିକ ମସ୍ତିଷ୍କକୁ ରକ୍ତ ପ୍ରବାହ ବଢ଼ାଇଥାଏ ଏବଂ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଗୁଡିକୁ ଆବଶ୍ୟକ ଅମ୍ଳଜାନ ପ୍ରଦାନ କରିଥାଏ । ଆହୁରି ମଧ୍ୟ ଏହି ମାନସିକ ଚାପ ଶରୀରରେ କ୍ରୋଧକୁ ବଢାଇବା ସହିତ ରୋଗ ପ୍ରତିରୋଧ ଶକ୍ତିକୁ ହ୍ରାସ କରି ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏ । ଆହୁରି ମଧ୍ୟ ଶ୍ଵେତ ରକ୍ତକଣିକାକୁ ହ୍ରାସ କରିଥାଏ ଏବଂ ପରିବେଶ ପ୍ରଦୂଷଣ ସହିତ ଲଢ଼ିବାକୁ ଶରୀର ସକ୍ଷମ ହୋଇ ପାରେ ନାହିଁ । ହାର୍ଟ ଆଟ୍ଟାକ, ମଧୁମେହ, ଜଲ୍ଦି ବୁଢା ହୋଇଯିବା ଭଳି ସମସ୍ୟାକୁ ଆମନ୍ତ୍ରଣ କରିଥାଏ ।

ମାନସିକ ଚାପ ହ୍ରାସ କରିବାର ଉପାୟ

ଯଦି ଆମେ ନିୟମିତ କିଛି ଯୋଗ, ବ୍ୟାୟାମ ତଥା ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରିବା ତେବେ ଆମେ ମାନସିକ ଚାପରୁ ମୁକ୍ତି ପାଇପାରିବା ।

  1. ଯୋଗ ବା ଧ୍ୟାନ: ଏହି ଅଭ୍ୟାସ ବର୍ଦ୍ଧିତ କର୍ଟିସୋଲ୍ ସ୍ତରକୁ ହ୍ରାସ କରିବା ସହିତ ମସ୍ତିଷ୍କ ଏବଂ ହୃଦୟ ପରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ସୁରକ୍ଷା ପ୍ରଦାନ କରେ । ଆପଣ ଶୋଇବା ପୂର୍ବରୁ କିମ୍ବା ଦିନରେ ଯେକୌଣସି ସମୟରେ ଏହା କରିପାରିବେ । ଦିନରେ ଅତି କମରେ ତିନିରୁ ଚାରି ଥର ୧୦ ମିନିଟ୍ ପାଇଁ ଧ୍ୟାନ କରିବା ଉଚିତ୍ । ଏପରି କରିବା ଦ୍ୱାରା ଶରୀରରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।

  2. ଗଭୀର ନିଶ୍ୱାସ ପ୍ରଶ୍ୱାସ ନେବା: ମୁଖ୍ୟତ ଯୋଗ କରିବା ସମୟରେ ଗଭୀର ନିଶ୍ୱାସ ପ୍ରଶ୍ୱାସ ନିଆଯାଇଥାଏ । ଏହାଦ୍ୱାରା ମନକୁ ଶାନ୍ତି ମିଳିବା ସହିତ ହଜମ ପ୍ରକ୍ରିୟାରେ ଉନ୍ନତି ଏବଂ ଫୁସଫୁସ କ୍ଷମତା ବୃଦ୍ଧି କରିବାରେ ଏହା ସାହାଯ୍ୟ କରିଥାଏ । ଏହାଦ୍ଵାରା ନିଶ୍ଵାସ ନେବାର ପ୍ରକ୍ରିୟା ସୁଧୁରିବା ସହିତ ଅଧିକରୁ ଅଧିକ ଅମ୍ଲଜାନ ଶରୀର ଭିତରେ ପ୍ରବେଶ କରିଥାଏ । ଏହି ଅମ୍ଲଜାନ ଶରୀର ଭିତରେ ପଶି ରକ୍ତ ପ୍ରବାହକୁ ରେଗୁଲେଟ କରି ଦେହରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

  3. ଡିଜିଟାଲ ଉପବାସ ବା ସୋସିଆଲ ମିଡିଆ ଏବଂ ଡିଜିଟାଲ ଦୁନିଆଠାରୁ ଦୂରରେ ରହିବା: ପ୍ରତିଦିନ ଫୋନ୍, ଟେଲିଭିଜନ ଏବଂ ଲାପଟପରୁ ୨/୩ ଘଣ୍ଟା ବିରତି ନେବା ଜରୁରୀ । ଏହା ସାମାଜିକ ଚିନ୍ତା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିବ ।

  4. ସଙ୍ଗୀତ ଶୁଣିବା: ସଙ୍ଗୀତ ଶୁଣିବା ଦ୍ୱାରା ଷ୍ଟ୍ରେସ୍ ସ୍ତର କମିଯାଇଥାଏ । ସଙ୍ଗୀତ ମନକୁ ଆରାମ ଦେବା ସହିତ ଷ୍ଟ୍ରେସ ହରମୋନ୍ ଉତ୍ପାଦନକୁ ହ୍ରାସ କରିଥାଏ ।

କରୋନା ସମୟରେ ମାନସିକ ସ୍ଥିତିକୁ ଉନ୍ନତ ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ ରଖିବା ଅତ୍ୟନ୍ତ ଆବ୍ୟଶକ । ଏଥିପାଇଁ ଆପଣ ନିଜର ଜୀବନଚର୍ଯ୍ୟାରେ ମଧ୍ୟ କିଛି ପରିବର୍ତ୍ତନ କରିପାରିବେ ।

କେଉଁ କେଉଁ ଖାଦ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ

ଲେମ୍ବୁ ସହିତ ଉଷୁମ ପାଣି: ଏହା ଏକ ଉତ୍ତମ ପାନୀୟ । କରୋନା କାଳରେ ଏହାର ଉପଯୋଗ ରାମବାଣ ପରି । ସକାଳେ ଏବଂ ଦିନର ଯେକୌଣସି ସମୟରେ ଆପଣ ଏହାକୁ ପିଇ ପାରିବେ । ସକାଳେ ଖାଲି ପେଟରେ ଏହି ପାନୀୟ ବ୍ୟବହାର କରିବା ଦ୍ୱାରା ଏହା ଶରୀରକୁ ହାଇଡ୍ରେଟେଡ଼୍ ରଖିଥାଏ । ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ କାଢିବାରେ ସାହାର୍ଯ୍ୟ କରେ । ଏହା ଆଣ୍ଟିଅକ୍ସିଡାଣ୍ଟ ଏବଂ ହୃଦରୋଗ ମୁକ୍ତ କରି ଉଚ୍ଚ ରକ୍ତଚାପ ଏବଂ ଶୀଘ୍ର ବାର୍ଦ୍ଧକ୍ୟ ହେବାର ସମ୍ଭାବନାକୁ ହ୍ରାସ କରିଥାଏ | ଏହି ଜଳ ଶରୀରର ମେଟାବୋଲିଜିମ୍ ରେ ଉନ୍ନତି ଆଣିବା ସହ ଯକୃତକୁ ସଫା କରିବାରେ ସାହାଯ୍ୟ କରେ ।

ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା: ଅଳ୍ପ ସୂର୍ଯ୍ୟକିରଣ ଶରୀରରେ ଭିଟାମିନ୍ ଡି ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହା ଆଣ୍ଟିବଡି ଉତ୍ପାଦନ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।

ଖାଦ୍ୟ ଏବଂ ମସଲା: ହଳଦୀ, ଜିରା, ଧନିଆ, କଞ୍ଚା ଲଙ୍କା, ଏବଂ ରସୁଣ ପରି କିଛି ଖାଦ୍ୟ ଏବଂ ମସଲା ବ୍ୟବହାର ଶରୀରକୁ ଡିଟକ୍ସିଫାଏ କରିବାରେ ସାହାଯ୍ୟ କରିଥାଏ । ଏହା ପ୍ରତିରକ୍ଷା କୋଷ ସଂଖ୍ୟା ବଢାଇଥାଏ ଏବଂ ଶରୀରକୁ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଯୋଗାଇଥାଏ । ମସଲା ହଜମ କ୍ରିୟାକୁ ବଢାଇବା ସହ ଶରୀରକୁ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ମଧ୍ୟ ଯୋଗାଇଥାଏ । କେତେକ ମସଲାଗୁଡିକୁ ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଏ ।

ହଳଦୀରେ ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ମାନସିକ ଚାପକୁ ରୋକିଥାଏ । ଏହା ହାର୍ଟ ପାଇଁ ବେଶ ଭଲ ଏବଂ ଏହା ଗଳା ଯନ୍ତ୍ରଣାରୁ ଉପଶମ କରିଥାଏ ।

ଗୋଲମରିଚରେ ପିପେରାଇନ୍ ଥାଏ, ଯାହା ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଏହା ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିଥାଏ ।

ଆଲିସିନ୍ ହେଉଛି ରସୁଣ ଏବଂ ପିଆଜରେ ଥିବା ଏକ ସଲଫର୍ । ଏଥିରେ ଅନେକ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରିରହିଛି ।

ଲବଙ୍ଗ ଦନ୍ତ ଚିକିତ୍ସାରେ ବ୍ୟବହାର କରାଯାଏ; ଏହା ଏକ ଯନ୍ତ୍ରଣା ଉପଶମକାରୀ ଭାବରେ କାମ କରେ । ଏହାର ଗୁଣ୍ଡ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ।

କଞ୍ଚା ଲଙ୍କାରେ କ୍ୟାପସାଇସିନ୍ ଥାଏ । ଏହା ଥଣ୍ଡା ଏବଂ ସାଇନସାଇଟିସ୍ ରୋକିବାରେ ସାହାଯ୍ୟ କରିଥାଏ ।

ଚୱନପ୍ରାଶ୍: ଏଥିରେ ଅଁଳା ଥାଏ, ଯାହା ଶ୍ବେତ ରକ୍ତକଣିକା ଏବଂ ହେମୋଗ୍ଲୋବିନ୍ ବୃଦ୍ଧି କରିଥାଏ । ଚୱନପ୍ରାଶ୍ ଶରୀରକୁ ଡିଟକ୍ସିଫାଏ କରିବାରେ ସାହାଯ୍ୟ କରିଥାଏ ଏବଂ ଯକୃତ, ଫୁସଫୁସ, ରକ୍ତ ଆଦିକୁ ସଫା କରିଥାଏ । ଏହା ମାଂସପେଶୀକୁ ମଧ୍ୟ ଉନ୍ନତ କରିଥାଏ ।

ହର୍ବାଲ୍ ଚା: ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । ଏହି ଚା’ରେ ତୁଳସୀ, ଗୋଲମରିଚ ଗୁଣ୍ଡ, ଅଳେଇଚ, ଗୁଡ/ମହୁ, ଏବଂ ଲେମ୍ବୁ ଥାଏ । ଆସନ୍ତୁ ଜାଣିବା ଏହି ଚା’ର ସମସ୍ତ ଉପାଦାନଗୁଡ଼ିକର ଉପକାରିତା ସମ୍ପର୍କରେ ।

ତୁଳସୀ ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଅଟେ । ଏହା ଗଳା ଏବଂ ଶ୍ଵାସକ୍ରିୟା ସଂକ୍ରମଣକୁ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଏହା ଜ୍ୱରକୁ କମ କରିବାରେ ମଧ୍ୟ ସାହାଯ୍ୟ କରେ ।

ଅଦା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ଭାବରେ କାମ କରେ ଏବଂ କର୍କଟ ରୋଗର କେମୋଥେରାପି ରୋଗୀଙ୍କ ପାଇଁ ପ୍ରାକୃତିକ ପ୍ରତିରକ୍ଷା ବୃଦ୍ଧିକାରୀ ଭାବରେ ବ୍ୟବହୃତ ହୁଏ । ଏହା ବାନ୍ତି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।

ଅଳେଇଚ ହେଉଛି ଏକ ସୁଗନ୍ଧିତ ଏବଂ ସ୍ବାଦଯୁକ୍ତ ମସଲା । ଏହା ଫ୍ୟାଟି ଏସିଡ୍ ହ୍ରାସ କରି ରକ୍ତ ଜମାଟ ବାନ୍ଧିବାରେ ମଧ୍ୟ ସାହାଯ୍ୟ କରେ ।

ମୁଲେଥୀକୁ ଉଷୁମ ପାଣିରେ ବ୍ୟବହାର କରାଯାଏ । ଏହା କାଶ ଏବଂ ଥଣ୍ଡା ଚିକିତ୍ସାରେ ସାହାଯ୍ୟ କରିଥାଏ । ଏହା କଫ ଉତ୍ପାଦନ କରି ଶ୍ୱାସକ୍ରିୟା ସଫା କରିବାରେ ସାହାଯ୍ୟ କରେ । ଏହା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ହୋଇଥିବାରୁ ଏହା ଶରୀର ପାଇଁ ବେଶ ଉପଯୋଗୀ ।

ହଳଦୀ କ୍ଷୀରରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହା ବାର୍ଦ୍ଧକ୍ୟ, ଗଣ୍ଠି ଯନ୍ତ୍ରଣା ରୋକିଥାଏ, ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ, କର୍କଟ ରୋଗର ଆଶଙ୍କା ହ୍ରାସ କରିଥାଏ ଏବଂ ସଂକ୍ରମଣ ବିରୁଦ୍ଧରେ ଲଢେଇ କରିଥାଏ ।

ଅଶ୍ୱଗନ୍ଧା: ଏହା ଶକ୍ତି ଏବଂ ଦୃଢତା ବୃଦ୍ଧି କରିବାରେ ସାହାଯ୍ୟ କରେ ଏବଂ କର୍କଟ ରୋଗ ସହିତ ଲଢେଇ କରିବାରେ ମଧ୍ୟ ସାହାଯ୍ୟ କରେ । ଏହା ଶ୍ଵେତ ରକ୍ତକଣିକା ଗଣନା ଏବଂ ଆଣ୍ଟିଅକ୍ସିଡାଣ୍ଟ ସୁପରଅକ୍ସାଇଡ୍ ଡିସମ୍ୟୁଟେଜ୍ ଏବଂ ଗ୍ଲୁଟାଥିଅନ୍ ପେରୋକ୍ସିଡେଜ୍ ଆୟୁଷକୁ ବଢାଇଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହା ଏକ ପ୍ରକାର ଶରୀରରେ ନୂତନ ସୃଷ୍ଟିକାରୀ ଔଷଧ ରୂପେ କାର୍ଯ୍ୟ କରିଥାଏ ।

ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢାଇବା ପାଇଁ ଆବଶ୍ୟକୀୟ ଖାଦ୍ୟ ଖାଇବା ମଧ୍ୟ ଜରୁରୀ । ସୋରିଷ, ପାଳଙ୍ଗ, ଅମୃତଭଣ୍ଡା, ସେଓ, ଡାଳିମ୍ବ, ବ୍ରୋକୋଲି, ଫୁଲକୋବି, କୋବି, କ୍ୱିନୋଆ ଏବଂ ବାର୍ଲି ଭଳି ତନ୍ତୁଜାତୀୟ ଓ ଫଳଗୁଡିକ ନିଜ ଖାଦ୍ୟାରେ ସାମିଲ କରନ୍ତୁ ।

ପ୍ରୋବାୟୋଟିକ୍ସ ସାମିଲ କରନ୍ତୁ: ଦହି, କିଚି, ୟାକୁଲ୍ଟ ପରି ଖାଦ୍ୟ ହେଉଛି ପ୍ରୋବାୟୋଟିକ୍ସ କିମ୍ବା ଭଲ ବ୍ୟାକ୍ଟେରିଆର ଉତ୍ସ । ଏହା ହଜମ ଏବଂ ଅନ୍ତସ୍ଥଳର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ ।