ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍ ମହାମାରୀ ନିଜର ପ୍ରଭୁତ୍ୱ ବିସ୍ତାର କରିଚାଲିଛି । ଆମ ଦେଶରେ ଏହାର ପ୍ରଭାବ ଅଧିକ ରହିଛି । ଦିନକୁ ଦିନ ଲକ୍ଷ ଲକ୍ଷ ଲୋକେ ଏଥିରେ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଜୀବନ ଯାଉଛି । ଦେଶରେ କୋଭିଡ୍ ସ୍ଥିତି ପାଇଁ ତାଲାବନ୍ଦ ପରିସ୍ଥିତି ଜାରି ହୋଇଛି । ଶହଶହ ଲୋକେ ନିଜର ଜୀବିକା ହରାଇଛନ୍ତି । ମହାମାରୀ ସମୟରେ ଜୀବନ, ଜୀବିକା ବେଶ୍ ପ୍ରଭାବିତ ହୋଇଛି । କଳକାରଖାନା, ଦୋକାନ ବଜାର ଆଦି ଏକପ୍ରକାର ଠପ୍ ହୋଇଯାଇଛି । ନିଜର କାମଧନ୍ଦା ହରାଇ ଲୋକେ ଏବେ ନିଜ ଭିଟାମାଟିକୁ ଫେରୁଛନ୍ତି । ଅଭାବ ଅନଟନ ଭିତରେ କାଳାତିପାତ କରୁଛନ୍ତି । ତେବେ ଦେଶରେ ତାଲାବନ୍ଦ ଚାଲିଥିବାବେଳେ ରାଜ୍ୟ ସରକାର ହୁଅନ୍ତୁ ଅଥବା କେନ୍ଦ୍ର ସରକାର କୃଷିକ୍ଷେତ୍ରକୁ ଏହି କଟକଣାରୁ ମୁକ୍ତ ରଖିଛନ୍ତି । ଯାହାଦ୍ୱାରା ମହାମାରୀ ସମୟରେ ପ୍ରବାସୀମାନେ କୃଷିକ୍ଷେତ୍ରରେ ନିଜକୁ ନିୟୋଜିତ କରି ପାରିବା ସହିତ ନିଜର ଗୁଜୁରାଣ ମେଣ୍ଟାଇ ପାରିବେ ।

ଆମ ଦେଶ ଭାରତବର୍ଷ ଏକ କୃଷିପ୍ରଧାନ ଦେଶ ଅଟେ । ଆମ ଦେଶରେ ୭୦ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । କୃଷି ଓ କୃଷକ ଆମ ଦେଶର ଅର୍ଥନୀତିର ମେରୁଦଣ୍ଡ । ବିଜ୍ଞାନ କ୍ଷେତ୍ରରେ ଉନ୍ନତି ଆମ କୃଷିକାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିଛି । ଏଥିପାଇଁ ବହୁ ଯୁବପିଢି ଆଜି କୃଷିକ୍ଷେତ୍ର ପ୍ରତି ଆଗ୍ରହ ଦେଖାଇ କୃଷିକାର୍ଯ୍ୟରେ ନିଜକୁ ନିୟୋଜନ କରିଛନ୍ତି । ବିଭିନ୍ନ ପ୍ରକାର ଫସଲ ଚାଷ, ଉତ୍ପାଦନ ପାଇଁ ବିଭିନ୍ନ ଆଧୁନିକ କୃଷି ପ୍ରଣାଳୀର ବ୍ୟବହାର ଚାଷକୁ ବ୍ୟବସାୟରେ ପରିଣତ କରିପାରିଛି । ବର୍ତ୍ତମାନ କୋଭିଡ୍ ମହମାରୀ ସମୟରେ ଜୀବନ ଓ ଜୀବିକା ପାଇଁ ଛତୁ ଚାଷ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇପାରିଛି ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପୃଥିବୀରେ ଛତୁ ଚାଷର ଆରମ୍ଭ କରାଯାଇଥିଲା । ମାତ୍ର ଭାରତବର୍ଷରେ ଏହା ସତୁରୀ ଦଶକର ଶେଷ ଭାଗରେ ଆରମ୍ଭ ହୋଇଥିଲା । ସେହି ସମୟରେ ଲୋକେ ଛତୁଚାଷ ପ୍ରତି ବିଶେଷ ଆଗ୍ରହ ଦେଖାଉ ନଥିଲେ । କିନ୍ତୁ ବର୍ତ୍ତମାନ ଏହା ବେଶ୍ ଦ୍ରୁତଗତିରେ ବଢିବାରେ ଲାଗିଛି । ଚାଷୀ ଭାଇ ଭଉଣୀମାନେ ଏହି ଚାଷରେ ବିଶେଷ ଆଗ୍ରହ ଦେଖାଉଛନ୍ତି । ପାଳଛତୁ ଚାଷରେ ଓଡ଼ିଶାକୁ ସର୍ବଭାରତୀୟସ୍ତରରେ ଦ୍ୱିତୀୟ ସ୍ଥାନ ମିଳିଛି ।

ଛତୁ ହେଉଛି ଫିମ୍ପିଜାତୀୟ କବକ । ଏହା ସାଧାରଣତଃ ବର୍ଷାଦିନ ମାନଙ୍କରେ ପାଳ ଗଦା, ନଡ଼ା ଗଦା, ଜଙ୍ଗଲରେ ଫୁଟିଥାଏ । ଏହା ଏକ ସ୍ୱାଦିଷ୍ଟ ତଥା ପୁଷ୍ଟିକର ଖାଦ୍ୟ । ପ୍ରତି ୧୦୦ ଗ୍ରାମ ଛତୁରେ ପ୍ରାୟ ୫-୬ ଗ୍ରାମ ପ୍ରୋଟିନ୍ ଥାଏ । ଛତୁରେ ଶ୍ୱେତସାର, ସ୍ନେହସାର, ଆମିନୋଏସିଡ୍‌, ଧାତବଲବଣ ଭରପୂର ମାତ୍ରାରେ ରହିଥାଏ । ଛତୁର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଏଥିରେ ଥିବା ପଲିସାକାରାଇଡ ଶରୀରରେ କୋଲେଷ୍ଟ୍ରୋଲ୍‌କୁ ରୋକିଥାଏ । ଛତୁ ଶରୀରରେ ମେଦବହୁଳତା, କୋଷ୍ଠକାଠିନ୍ୟ, ମଧୁମେହ ଆଦି ରୋଗକୁ ନିୟନ୍ତ୍ରଣ ରଖିବାରେ ଏବଂ ସ୍ମୃତିଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

ପୃଥିବୀରେ ପ୍ରାୟ ୧୦,୦୦୦ ପ୍ରକାର ବିଭିନ୍ନ ଛତୁ ଦେଖାଯାଇଥାଏ । ଏଥିମଧ୍ୟରୁ ପ୍ରାୟ ୨୦୦୦ ପ୍ରକାର ଛତୁ ମନୁଷ୍ୟର ଖାଦ୍ୟ ଉପଯୋଗୀ ହୋଇଥାଏ । ଆମ ଦେଶରେ ପ୍ରାୟ ୨୦୦ ପ୍ରକାରର ଖାଇବାଯୋଗ୍ୟ ଛତୁ ରହିଛି । ଛତୁ ମଧ୍ୟରେ ବାଲି ଛତୁ, ନାଡ ଛତୁ, ହୁଙ୍କା ଛତୁ, ପାଳ ଛତୁର ବେଶ ଆଦର ରହିଛି । ମାତ୍ର ବ୍ୟବସାୟିକ ଦୃଷ୍ଟିକୋଣରୁ କେବଳ ୫ ପ୍ରକାରର ଛତୁ ଚାଷ କରାଯାଏ । ଆମ ଦେଶରେ ମୁଖ୍ୟତଃ ତିନି ପ୍ରକାରର ଛତୁ ବ୍ୟବସାୟିକ ଭିତ୍ତିରେ କରାଯାଇଥାଏ । ସେମାନଙ୍କ ମଧ୍ୟରେ ପାଳଛତୁ, ଧିଙ୍ଗିରି ଛତୁ ଓ ବୋତାମ ଛତୁ ଅନ୍ୟତମ । ଓଡ଼ିଶାର ମାତ୍ର ୨ ପ୍ରକାରର ଛତୁ ବହୁଳ ମାତ୍ରାରେ ଚାଷ କରାଯାଏ । ସେଗୁଡ଼ିକ ହେଉଛି - ପାଳ ଛତୁ ଓ ଧିଙ୍ଗିରି ଛତୁ । ଓଡ଼ିଶାରେ ସାଧାରଣତଃ ଗ୍ରୀଷ୍ମ ଋତୁରେ ପାଳ ଛତୁ ଓ ଶୀତ ଋତୁରେ ଧିଙ୍ଗିରି ଛତୁ ଚାଷ କରାଯାଏ । ଛତୁ ଏକ ସ୍ୱଳ୍ପ ଅବଧିଯୁକ୍ତ ଫସଲ ଓ ଶତପ୍ରତିଶତ ଲାଭକାରୀ ଚାଷ । ଯେତେପ୍ରକାରର ଫସଲ ଚାଷ କରାଯାଏ, ତାହା ମଧ୍ୟରେ ଛତୁ କମ୍ ଦିନରେ ଅମଳ କରାଯାଏ । ପାଳଛତୁ ୧୫ରୁ ୨୧ ଦିନରେ, ଧିଙ୍ଗିର ଛତୁ ୨୧ରୁ ୨୫ ଦିନ ମଧ୍ୟରେ ଅମଳ କରାଯାଇଥାଏ ।

ଆମ ରାଜ୍ୟରେ ପ୍ରଚୁର ପରିମାଣରେ କୃଷିଜାତ ବର୍ଜ୍ୟବସ୍ତୁ ଯଥା - ଧାନ ନଡ଼ା, ଗହମ ନଡ଼ା, ମକାପତ୍ର ଇତ୍ୟାଦିକୁ ନଷ୍ଟ କରିଦିଆଯାଇଥାଏ । ଏହା ପଚି ସଢି ଆମ ପରିବେଶକୁ ମଧ୍ୟ ନଷ୍ଟ କରିଥାଏ । କିନ୍ତୁ ଏହି ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଛତୁ ଉତ୍ପାଦନ କରିହେବ । ଛତୁ ଅମଳ ପରେ, ପଚିସଢି ଯାଇଥିବା ନଡ଼ାକୁ ଆମେ କମ୍ପୋଷ୍ଟ କରିପାରିବା । ଏହା ଆମ ଜମି ପାଇଁ ଆବଶ୍ୟକୀୟ ଜୈବସାର ରୂପେ ବ୍ୟବହାର ହୋଇଥାଏ । ଏବଂ ସେଥିରୁ ବାହାରୁଥିବା ନଡ଼ାକୁ ପୁଣି ଥରେ ଛତୁ ଚାଷରେ ଉପଯୋଗ କରିପାରିବା ।

ଛତୁ ଚାଷର ପ୍ରଣାଳୀ ଅତି ସହଜ । ମହିଳମାନେ ନିଜ ଘର କାମ ସହ ଛତୁ ଚାଷ ମଧ୍ୟ କରିପାରିବେ । ଆମ ରାଜ୍ୟର ସ୍ତ୍ରୀଲୋକମାନଙ୍କ ପାଇଁ ଛତୁଚାଷ ଏକ ବରଦାନ ସଦୃଶ । ବର୍ତ୍ତମାନ ରାଜ୍ୟ ସରକାର ମିଶନ ଶକ୍ତି ଓ ଉଦ୍ୟାନ କୃଷି ବିଭାଗର ସହଭାଗିତାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଛତୁ ଚାଷ ପାଇଁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଯାହାଦ୍ୱାରା ସେମାନେ ବୈଜ୍ଞାନିକ ପ୍ରଣାଳୀରେ ଛତୁ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି ।

ତେବେ ଛତୁ ଚାଷ ପାଇଁ ବିଭିନ୍ନ ପ୍ରକାରର ତାଲିମ୍ ନେବାର ଆବଶ୍ୟକତା ମଧ୍ୟ ରହିଛି । ଭୁବନେଶ୍ୱର ସ୍ଥିତ ଓୟୁଏଟିରେ ଗ୍ରୀଷ୍ମ ମଣ୍ଡଳୀୟ ଛତୁ ଗବେଷଣା କେନ୍ଦ୍ରରେ ଛତୁ ଉତ୍ପାଦନ, ଛତୁ ମଂଜି ଉତ୍ପାଦନ ଓ ଛତୁ ପ୍ରକ୍ରିୟାକରଣ ପାଇଁ ତାଲିମ୍ ଦିଆଯାଉଛି । ଏତଦ୍‌ବ୍ୟତୀତ ଜିଲ୍ଲାସ୍ତରରେ ଥିବା କୃଷିବିଜ୍ଞାନ କେନ୍ଦ୍ର (KVK)ରେ ମଧ୍ୟ ଛତୁ ଚାଷ ପାଇଁ ତାଲିମ୍ ଦିଆଯାଇଥାଏ ।

ରାଜ୍ୟସରକାରଙ୍କ ଉଦ୍ୟାନ କୃଷି ବିଭାଗ ଓ ଆତ୍ମା ମାଧ୍ୟମରେ ଆଜିର ଯୁବପିଢିଙ୍କୁ ଏହି କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ସେହିପରି ଆର୍ୟା (Arya - Attracting and Retaining Youth in Agriculture) ଯୋଜନାରେ ଯୁବପିଢିଙ୍କ ପାଇଁ ଛତୁ ଚାଷ ନିମନ୍ତେ ଭାରତ ସରକାର ସାହାଯ୍ୟ ପ୍ରଦାନ କରୁଛନ୍ତି । ଏହା କୃଷିବିଜ୍ଞାନ କେନ୍ଦ୍ର ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି । ଏହାବ୍ୟତୀତ ନାବାର୍ଡ ଓ କିଛି ବେସକରାରୀ ସଂସ୍ଥା ମଧ୍ୟ ଏନେଇ ତାଲିମ୍ ଓ ସହାୟତା ପ୍ରଦାନ କରୁଛନ୍ତି ।

କେବଳ ଛତୁ ଚାଷ କିମ୍ବା ଛତୁ ବିକ୍ରୟ କରି ଲୋକେ ଲାଭାନ୍ଵିତ ହେବା ସଙ୍ଗେ ସଙ୍ଗେ ଛତୁର ପ୍ରକ୍ରିୟାକରଣ ଓ ଏହାର ମୂଲ୍ୟ ବୃଦ୍ଧି ଯୋଗୁଁ ଏହାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି ।

ଛତୁ ଚାଷ ବ୍ୟତୀତ ଛତୁ ଚାଷର ପ୍ରସାର ପାଇଁ ଛତୁ ମଂଜିର ଆବଶ୍ୟକତା ରହିଅଛି । ଓଡ଼ିଶାରେ ବର୍ଷସାରା ଏହି ଚାଷ କରାଯାଉଥିବାରୁ ଛତୁ ମଂଜି ଉତ୍ପାଦନ ଯୋଜନା ମଧ୍ୟ ଏକ ଲାଭବାନ ବ୍ୟବସାୟରେ ପରିଣତ ହୋଇଅଛି । ସରକାରୀସ୍ତରରେ ଏଥିପାଇଁ ତାଲିମ୍ ଓ ଆର୍ଥିକ ସହାୟତାର ହାତ ବଢାଇଛି ଉଦ୍ୟାନ କୃଷି ବିଭାଗ । ଛତୁ ବିହନ ଉତ୍ପାଦନ ମଧ୍ୟ ଗ୍ରାମୀଣ ଅର୍ଥନୀତିରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।

ଛତୁ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବହୁତ ଗୁଡ଼ାଏ ଯୋଜନା ପ୍ରଣୟନ କରିଛନ୍ତି । ଭାରତ ସରକାରଙ୍କ ସମନ୍ୱିତ ଉଦ୍ୟାନ କୃଷି ଉନ୍ନୟନ ନିଯୋଗ ମାଧ୍ୟମରେ ୫୦ ପ୍ରତିଶତ ତଥା ପ୍ରତି ୨୦୦ ବର୍ଗ ମିଟର ପ୍ରତି ୩୬୦୦୦ଟଙ୍କାର ସହାୟତା ପ୍ରଦାନ କରାଯାଉଛି ।

କୋଭିଡ୍ ମହାମାରୀ ସମୟରେ ଛତୁ ଚାଷୀଙ୍କୁ ରାଜ୍ୟ ପାଣ୍ଠିରୁ ୧୫ଟି ବେଡ ପାଇଁ ୧୦୦୦ଟଙ୍କାର ସହାୟତା ପ୍ରଦାନ କରାଯାଇଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠିକୁ ୧୫୦ଟି ଛତୁ ବେଡ ପାଇଁ ୧୦,୦୦୦ଟଙ୍କା ପ୍ରଦାନ କରାଯାଇଛି । ଏହି ଯୋଜନାଟି ଉଦ୍ୟାନ କୃଷି ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି ।

ବୃହତ୍ ଆକାରରେ ଛତୁ ଚାଷ, ଛତୁ ମଞ୍ଜି ଉତ୍ପାଦନ, ଛତୁ ପ୍ରକ୍ରିୟାକରଣ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ମାଧ୍ୟମରେ ସହାୟତା ମିଳିବା ନେଇ ଯୋଜନା ରହିଛି । ଉଦ୍ୟାନ କୃଷି ବିଭାଗ ଓ ଆପିକଲ୍ ମାଧ୍ୟମରେ ଯୁବ ଚାଷୀମାନେ ଏହି ଲାଭର ସୁବିଧା ଉଠାଇପାରିବେ । ଏତଦ୍‌ବ୍ୟତୀତ କୃଷି ଉତ୍ପାଦକ ସଂଘ (FPO) ମାଧ୍ୟମରେ ଛତୁ ଚାଷ କରି ଏହାର ଲାଭ ମଧ୍ୟ ପାଇପାରିବେ । ଛତୁ ଚାଷ ପାଇଁ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ ଓ ନାବାର୍ଡ ମଧ୍ୟ ଋଣ ଦେବାର ବ୍ୟବସ୍ଥା କରିଛି ।

ପରିଶେଷରେ ବିଶ୍ୱ ମହାମାରୀ ସମୟରେ ଛତୁ ଚାଷ, ବ୍ୟବସାୟ, ପ୍ରକ୍ରିୟାକରଣ, ଛତୁ ମଂଜି ଉତ୍ପାଦନ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇପାରିଛି । ଛତୁ ଚାଷ ହେଉଛି ଭୂମିହୀନମାନଙ୍କ ପାଇଁ ଆୟ କରିବାର ଏକ ଉପଯୁକ୍ତ ମାଧ୍ୟମ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ଛତୁ ଚାଷ ପାଇଁ ବେଶ୍ ଆଗ୍ରହୀ । ଆଜିର ଯୁବପିଢି ଏଥିପ୍ରତି ଆଗ୍ରହ ପ୍ରକାଶ କରି ନିଜର ତଥା ନିଜ ରାଜ୍ୟର ପ୍ରଗତିରେ ସାରଥୀ ହୋଇପାରିବେ ।

(ତଥ୍ୟ: ସମ୍ବିତ୍ ଆଚାର୍ଯ୍ୟ, ସହକାରୀ ଉଦ୍ୟାନ କୃଷି ଅଧିକାରୀ )